ବାଘ ଆମ ଜାତୀୟ ପଶୁ। ଆମର ଐତିହ୍ୟ ଓ ସଂସ୍କୃତି ସହିତ ସମ୍ପୃକ୍ତ। ଏହି ମାଂସାହାରୀ ହିଂସ୍ର ବନ୍ୟପ୍ରାଣୀ ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ଖାଦକ ହୋଇଥିବାରୁ ଜଙ୍ଗଲର ଅନ୍ୟତମ ରାଜା ରୂପରେ ପରିଚିତ। ଏହାର ଉପସ୍ଥିତି ଏକ ସୁସ୍ଥ ଓ ସମୃଦ୍ଧ ବନ ସମ୍ପଦର ସୂଚକ। ସ୍ୱାସ୍ଥ୍ୟପ୍ରଦ ଓ ସନ୍ତୁଳିତ ପରିବେଶ ପାଇଁ ଅପରିହାର୍ଯ୍ୟ ଏକ ସକ୍ରିୟ ଓ ସମର୍ଥ ଅରଣ୍ୟର ଗୁଣବତା, ବିବିଧତା ଓ ଭାରସାମ୍ୟକୁ ନିରନ୍ତର ବଜାୟ ରଖିବାରେ ଏହାର ଅବଦାନ ଅତୁଲ୍ୟ। ମନୁଷ୍ୟ ସଭ୍ୟତାର ଅଗ୍ରଗତି ସହିତ ତାଳ ଦେଇ ଉଭୟ ବନ ଓ ବନଜନ୍ତୁଙ୍କର ଅଧୋଗତି ଘଟିଛି। ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ବାଘ। ୧୯୦୦ ମସିହାରେ ଭାରତରେ ପ୍ରାୟ ଏକଲକ୍ଷ ବାଘ ଥିଲା ବେଳେ ୧୯୪୦ ମସିହା ବେଳକୁ ପ୍ରାୟ ୪୦ ହଜାରକୁ ହ୍ରାସ ପାଇଥିବା ବିଶ୍ୱାସ କରାଯାଏ। କେବଳ ଆମ ଦେଶ ନୁହେଁ, ସାରା ଦୁନିଆରେ ଏହି ମହାବଳ ଜୀବ କ୍ଷିପ୍ରଗତିରେ ବିଲୁପ୍ତ ହେଉଥିଲେ। ସତୁରି ଦଶକର ପ୍ରାରମ୍ଭରେ ପ୍ରାକୃତିକ ସମ୍ପଦର ଅବକ୍ଷୟକୁ ଅବରୋଧ କରି ଏହାର ପୁନରୁୁଦ୍ଧାର ଓ ପରିବର୍ଦ୍ଧନ ନିମନ୍ତେ ବିଶ୍ୱସ୍ତରରେ ସମ୍ମିଳିତ ଉଦ୍ୟମ ଆରମ୍ଭ ଅବସରରେ କେନ୍ଦ୍ର ସରକାର ଅନେକ ଅଗ୍ରଣୀ ଯୋଜନା କରିଥିଲେ। ତନ୍ମଧ୍ୟରୁ ବ୍ୟାଘ୍ର ପ୍ରକଳ୍ପ (ପ୍ରୋଜେକ୍ଟ ଟାଇଗର) ଅନନ୍ୟ।

Advertisment

୧୯୭୩ ମସିହା ଏପ୍ରିଲ ୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଉତ୍ତରାଖଣ୍ଡସ୍ଥିତ ଜିମ୍ କରବେଟ୍ ଜାତୀୟ ଉଦ୍ୟାନରେ ଏହାର ଶୁଭାରମ୍ଭ କରିଥିଲେ। ସମ୍ଭବତଃ ଏହା ପୃଥିବୀର ସର୍ବପ୍ରଥମ ରାଷ୍ଟ୍ରୀୟ ବାଘ ବଂଶ ବୃଦ୍ଧି ପଦକ୍ଷେପ ଏବଂ ଧରାପୃଷ୍ଠରୁ ଲୋପ ପାଉଥିବା ବାଘର ସଂରକ୍ଷଣ ପାଇଁ ବିଶ୍ୱ ସମୁଦାୟ ଉଦ୍ଦେଶ୍ୟରେ ଏକ ବଳିଷ୍ଠ ବାର୍ତ୍ତା ଥିଲା।

ଅନ୍ତର୍ଜାତୀୟ ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସଙ୍ଘ (ଆଇୟୁସିଏନ୍‌) ଦ୍ୱାରା ‘ପାନ୍ଥେରା’ ନାମକ ଏକ ବିଶ୍ୱସ୍ତରୀୟ ସଂସ୍ଥା ମାଧ୍ୟମରେ କରାଯାଇଥିବା ୨୦୨୨ ମସିହାର ବାଘ ଆକଳନ ବିବରଣୀ ଅନୁସାରେ ମାତ୍ର ୧୦ଟି ଦେଶ ଯଥା- ଭାରତ, ରୁଷିଆ, ଇଣ୍ଡୋନେସିଆ, ନେପାଳ, ଥାଇଲାଣ୍ଡ, ମାଲୟେସିଆ, ବାଂଲାଦେଶ, ଭୁଟାନ, ଚୀନ୍ ଓ ମିଆଁମାରରେ ମୋଟ ୪୫୦୦ ବାଘ ଅଛନ୍ତି। ଲାଓସ, କାମ୍ବୋଡ଼ିଆ ଓ ଭିଏତନାମ ଭଳି ବାଘ ବହୁଳ ଦେଶ ବାଘଶୂନ୍ୟ ହୋଇଯାଇଛି। ଅପରପକ୍ଷରେ, ଭାରତରେ ପ୍ରାୟ ଦୁଇ ଦଶନ୍ଧି ଧରି ଲଗାତାର ବାଘ ସଂଖ୍ୟା ବଢୁଛି। ବର୍ତ୍ତମାନ ସମଗ୍ର ବିଶ୍ୱର ୭୫% ବାଘ ଆମ ଦେଶରେ ଅଛନ୍ତି। ଏହି ସଫଳତାର ମୂଳରେ ଅଛି ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର (ଟାଇଗର ରିଜର୍ଭ)ର ସଫଳ କାର୍ଯ୍ୟକାରିତା।

ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଦ୍ୱାରା ଦେଶର ପ୍ରମୁଖ ୯ଟି ବାଘ ବାସସ୍ଥଳୀକୁ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ରୂପେ ଚିହ୍ନଟ କରି ଆରମ୍ଭ ହୋଇଥିବା ପ୍ରକଳ୍ପ କ୍ରମାଗତ ଭାବରେ ନୂତନ ଅଂଚଳକୁ ଏଥିରେ ସାମିଲ କରି ବର୍ତ୍ତମାନ ପ୍ରାୟ ୭୫ ହଜାର ବର୍ଗକିଲୋମିଟର ଅଂଚଳରେ ପରିବ୍ୟାପ୍ତ ୫୪ଟି ସଂରକ୍ଷଣ କ୍ଷେତ୍ରକୁ ବିସ୍ତାରିତ ହୋଇଛି। ଫଳପ୍ରଦ ପରିଚାଳନା ପାଇଁ ୨୦୦୬ ମସିହାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ନାସନାଲ ଟାଇଗର କଞ୍ଜରଭେସନ ଅଥରିଟି) ନାମକ ଏକ ବୈଧାନିକ ଓ କ୍ଷମତାଶାଳୀ ସଂସ୍ଥା ଗଠନ କରାଯାଇ ଆର୍ଥିକ ଅନୁଦାନ, ବୈଷୟିକ ମାର୍ଗଦର୍ଶନ, ନୀତି ନିର୍ଦ୍ଧାରଣ, ନିୟନ୍ତ୍ରଣ, ନିରୀକ୍ଷଣ ଓ ମୂଲ୍ୟାଙ୍କନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ଦ୍ୱାରା ନିରବଚ୍ଛିନ୍ନ ଭାବରେ ବାଘ ବଂଶ ବଢ଼ିଚାଲିଛି। ଚାରିବର୍ଷିଆ ଗଣନା ଫଳ ଅନୁସାରେ ୨୦୦୬ରେ ୧୪୧୧, ୨୦୧୦ରେ ୧୭୦୬, ୨୦୧୪ରେ ୨୨୨୬ ଓ ୨୦୧୮ରେ ୨୯୬୭ଟି ବାଘ ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ଟି ବାଘ ଥିବାରୁ ବାଘ ରାଜ୍ୟର ମାନ୍ୟତା ପାଇଛି। କିନ୍ତୁ ମିଜୋରାମରେ ବାଘ ଲୋପ ହୋଇଯାଇଥିବା ବେଳେ ବକ୍ସା, ଡମ୍ପା ଓ ପାଲାମୁ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏହା ନିଶ୍ଚିହ୍ନ ହୋଇଯାଇଛି। ସାମଗ୍ରିକ ଭାବେ ପ୍ରକଳ୍ପର ଫଳାଫଳ ବିଶ୍ୱରେ ଆଦୃତ ହୋଇଛି। କାମ୍ବୋଡ଼ିଆରେ ବାଘ ବଂଶକୁ ପୁନର୍ଜୀବିତ କରିବା ପାଇଁ ଭାରତର ପ୍ରସ୍ଥାବିତ ବାଘ ସ୍ଥାନାନ୍ତର କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବ।

ପରିତାପର ବିଷୟ ଯେ ଓଡ଼ିଶାର ପ୍ରଦର୍ଶନ ଚିନ୍ତାଜନକ। ୨୦୦୬ରେ ଥିବା ୪୫ଟି ବାଘ ୨୦୧୮ରେ ୩୮% ହ୍ରାସ ପାଇ ୨୮ରେ ପହଂଚିଛି। ଏଥିପାଇଁ ପୂର୍ବ ପ୍ରଚଳିତ ପାଦଚିହ୍ନ ଗଣନା ପଦ୍ଧତି ପରିବର୍ତ୍ତେ ଅଧୁନା ଫଟୋ ଉତ୍ତୋଳନ ପ୍ରକ୍ରିୟାର ସମ୍ପୂର୍ଣ୍ଣତା ଓ ତ୍ରୁଟିଶୂନ୍ୟତା ଉପରେ ବିବାଦୀୟ ପ୍ରଶ୍ନବାଚୀକୁ କେତେକାଂଶରେ ଦାୟୀ କରାଯାଉଥିବା ବେଳେ କ୍ଷିପ୍ର ନିମ୍ନଗାମୀ ସଂଖ୍ୟାର ବାସ୍ତବତାକୁ ଅସ୍ୱୀକାର କରିବା ସମୀଚୀନ ହେବ ନାହିଁ। ଶିମିଳିପାଳ ଓ ସାତକୋଶିଆ ହେଉଛି ରାଜ୍ୟର ଦୁଇଟି ଘୋଷିତ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର, ସୁନାବେଡ଼ା ଓ ଦେବ୍ରିଗଡ଼ ଘୋଷଣା ଅପେକ୍ଷାରେ। ଶିମିଳିପାଳରେ ଓଡ଼ିଶାର ଅର୍ଦ୍ଧାଧିକ ବାଘ ରହୁଥିବା ବେଳେ ସାତକୋଶିଆରେ ବିଲୁପ୍ତି ଆଶଙ୍କା କରାଯାଉଅଛି। ଏହା ଛଡ଼ା ସୁନ୍ଦରଗଡ଼, କେଉଁଝର ଓ ଫୁଲବାଣୀରେ ବାଘ ଉପସ୍ଥିତି ପ୍ରତ୍ୟକ୍ଷଦର୍ଶୀମାନଙ୍କଠାରୁ ସୂଚନା ମିଳୁଛି। ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ହେଉଥିବାରୁ ଉପଯୁକ୍ତ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଗଲେ ଦେଶର ବାଘ ମାନଚିତ୍ରରେ ଓଡ଼ିଶାର ସମ୍ମାନଜନକ ସ୍ଥାନ ସୁନିଶ୍ଚିତ ହୋଇପାରିବ।

ମୋ: ୯୪୩୭୦୮୦୨୩୩