ଦୁନିଆର ସବୁଠାରୁ ପୁରାତନ ପେସା କ’ଣ ବୋଲି ପଚାରିଲେ ତାହାର ଉତ୍ତର ଯାହା ମିଳେ ତାହା ‘ଚୋରି’ ନୁହେଁ, ଅନ୍ୟ କିଛି। ମୋର କିନ୍ତୁ ଏଠାରେ ଯୁକ୍ତି ଯେ ଚୌର୍ଯ୍ୟ ବୃତ୍ତି ଠୁଁ ପୁରୁଣା ପେସା ମାନବ ସମାଜରେ ଆଉ କିଛି ହୋଇ ନ ପାରେ। ନିଜ ଗୋଷ୍ଠୀର ଅନ୍ୟ ସାହସୀ ଓ କର୍ମଠ ସଦସ୍ୟମାନେ ବହୁ ପରିଶ୍ରମ କରି ଓ ନିଜ ଜୀବନକୁ ବିପନ୍ନ କରି ଯେଉଁ ଶିକାର କରି ଅଣିଥିବେ ତାକୁ ଚାଲାକ ସଦସ୍ୟ ଜଣକ ଯେତେବେଳେ ପ୍ରଥମେ ଅପସାରଣ କରିଥିବ, ସେତେବେଳେ ସେ ଏହି କୃତିଟିର ମହତ୍ତ୍ୱ ବୁଝି ପାରିଥିବ ଓ କ୍ରମେ ଏହାକୁ ପେସା ହିସାବରେ ଗ୍ରହଣ କରିନେଇଥିବ। ତା’ ଦେଖାଦେଖି ଅନ୍ୟମାନେ ମଧ୍ୟ ଆଉ କାହାର କଷ୍ଟ ଅର୍ଜିତ ଶିକାର ବା ପ୍ରିୟ ବସ୍ତୁଗୁଡ଼ିକୁ ଅଜ୍ଞାତସାରରେ ହଡ଼ପ କରିଥିବେ ଓ ଧୀରେ ଧୀରେ ଏହା ଏକ ଲୋକପ୍ରିୟ ପେସାରେ ପରିଣତ ହୋଇଯାଇଥିବ।
ଅବଶ୍ୟ ଆଦି ମନବର ଏହି ଚୋରି ପ୍ରବୃତ୍ତିକୁ ଉତ୍ସାହ ଯୋଗାଇଥିବ ତା’ ଚାରିପାଖରେ ସେ ଦେଖୁଥିବା ପଶୁ ପକ୍ଷୀ ଜଗତ୍‌ରେ କିଛି ଚୋର ପ୍ରଜାତିଙ୍କ କାର୍ଯ୍ୟକଳାପ। ଏଇ ଯେମିତି ବିଚରା ବାଘ ଝାଳ ନାଳ ହୋଇ ତା’ ଜୀବନକୁ ବାଜି ଲଗାଇ ପଶୁଟିଏ ଶିକାର କରିବ, ଅଥଚ ତାକୁ ଠିକ୍‌ ଜାଗାରେ ଲୁଚାଇ ନ ପାରିଲେ ରାତାରାତି ଗଧିଆ ତାକୁ ଚୋରି କରିନେବ।

Advertisment

ତେବେ ଏହି ଚୋରି ବେଉସାଟି କେଉଁ ଯୁଗରେ ନ ଥିଲା କହିଲେ? ଭଗବାନ ରାମଙ୍କର ପ୍ରିୟ ମଣିଷକୁ ରାବଣ ଚୋରି କରି ନ ଥିଲେ କ’ଣ ସୃଷ୍ଟି ହୋଇଥାନ୍ତା ‘ରାମାୟଣ’ ଭଳି ମହାଗାଥା? ସେମିତି ସାରା ମଣିଷ ଜାତିର ଇତିହାସ କତିପୟ ଉଚ୍ଚାଭିଳାଷୀ ଓ ପରାକ୍ରମଶାଳୀ ସମ୍ରାଟଙ୍କର ରାଜ୍ୟଜୟ ଓ ଧନସମ୍ପତ୍ତି ଲୁଣ୍ଠନର କାହାଣୀକୁ ନେଇ ଲିଖିତ। ଚୋରି ବିଦ୍ୟାରେ ସଫଳ ହେବା ପାଇଁ ଆମ ପୁରାତନ ଶାସ୍ତ୍ରଗୁଡ଼ିକରେ ଉପଦେଶ ମଧ୍ୟ କମ୍‌ ମିଳେ ନାହିଁ। ଯେମିତିକି ମାସର କେଉଁ ତିଥି ତଥା ରାତ୍ରିର କେଉଁ ପ୍ରହର ଚୋରି ପାଇଁ ପ୍ରକୃଷ୍ଟ ଇତ୍ୟାଦି। କାଶ ହେଉଛି ଯଦି ତେବେ ଚୋରି କରିବାକୁ ବାହାର ନାହିଁ ଭଳି କେତେ ଉପାଦେୟ ସତର୍କ ବାଣୀ ଆମରି ପୁରୁଣା ଗ୍ରନ୍ଥ ଗୁଡ଼ିକରୁ ମିଳିଥାଏ।

ଚୋରି ପେସା ବିଷୟରେ ଆଜି ଏତେ ଉପକ୍ରମଣିକା ଦେବାର କାରଣ ବର୍ତ୍ତମାନ ଦ୍ରୁତ ଗତିରେ ବଢ଼ି ଚାଲିଥିବା ଚୋରିର ପ୍ରକାର ଭେଦ ଓ ସେହି ପେସା ସହିତ ଜଡ଼ିତ ଥିବା ଲୋକଙ୍କର ଆଚରଣ। ଏବେ କିନ୍ତୁ ଚୋରି କାହା ସମ୍ପତ୍ତିକୁ ଲୁଚେଇ ହଡ଼ପ କରିବା ଭଳି ସାଦାସିଧା କାମଟିଏ ହୋଇ ରହି ଯାଇନାହିଁ, ଏହାର ପରିସର ଆଜି ବ୍ୟାପକ।

ଖୋଦ ରାଜଧାନୀ ଭିତରେ ହିଁ ଶିଶୁପାଳଗଡ଼ର ଭୂଇଁ ଜବରଦଖଲ ହୋଇଯିବାର ସମ୍ବାଦ ପଢ଼ି ଲାଗିଲା ଆମର ଐତିହ୍ୟ ଯେମିତି ରାତି ଅଧିଆ ଚୋରି ହୋଇଯାଇଛି। ସ୍ଥାନଟିର ଗୋଟିଏ ଗୋଟିଏ ପଥର ଓ ପ୍ରତ୍ୟେକଟି ଇଞ୍ଚର ମାଟି ୨୭୦୦ ବର୍ଷ ତଳର ଇତିହାସର ମୁକ ସାକ୍ଷୀ ହୋଇ ରହିଥିବା ବେଳେ ସେଗୁଡ଼ିକୁ ନିର୍ବିଘ୍ନରେ ହରଣଚାଳ କରିଛନ୍ତି ଚୌର୍ଯ୍ୟବୃତ୍ତିକୁ ନୂତନ ରୂପ ଦେଇଥିବା ବିଶାରଦମାନେ। ୧୯୫୦ ମସିହାରୁ ସେହି ଐତିହ୍ୟକୁ ସୁରକ୍ଷା ଦେବାର ସରକାରୀ ଘୋଷଣାନାମା ଓ ପ୍ରଚେଷ୍ଟା ମୂଲ୍ୟହୀନ ପ୍ରମାଣିତ ହୋଇ ସାରିଥିବା ବେଳେ ସେ ବିଷୟରେ ଆଉ ଅରଣ୍ୟ ରୋଦନ କରିବା ଲେଖକଙ୍କର ଉଦ୍ଦେଶ୍ୟ ନୁହେଁ। ତା’ ବଦଳରେ ବରଂ ଚୋରିର ଆଧୁନିକ ସ୍ୱରୂପକୁ ଅନୁଧ୍ୟାନ କରିବା ଶ୍ରେୟସ୍କର ହେବ।

ଆଗରୁ କେବଳ ଅନ୍ୟ କାହାର ଦେଖି ହେଉଥିବା କିମ୍ବା ଛୁଇଁ ହେଉଥିବା ଧନସମ୍ପତ୍ତି ବା ମୂଲ୍ୟବାନ ସାମଗ୍ରୀକୁ ତାଙ୍କର ଅଜ୍ଞାତସାରରେ ନେଇଯିବା ଚୋରି ପର୍ଯ୍ୟାୟଭୁକ୍ତ ହେଉଥିଲା। କିନ୍ତୁ ଆଧୁନିକ ଜୀବନ ଏତେ ମାତ୍ରାରେ ଚଳଚଞ୍ଚଳ ଓ ବ୍ୟାପକ ଯେ ଚୋରିର ଏହି ପୁରୁଣା ସଂଜ୍ଞା ଆଜି ନିହାତି ସଂକୀର୍ଣ୍ଣ ଭଳି ଜଣାଯିବ। ଆଜି ଚୋରି ହେଉଥିବା ଜିନିଷଟି ଦୃଶ୍ୟମାନ କିମ୍ବା ଚଳମାନ ହେବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଅନେକ ସମୟରେ ଏମିତି ସ୍ଥାବର ଜମି ବାଡ଼ି, ଘର, କୂଅ, ପୋଖରୀ ଓ ଗଡ଼ ଇତ୍ୟାଦି ‘ଚୋରି’ ହେଉଥିବାର ସମ୍ବାଦ ଆମ ଦୃଷ୍ଟିରେ ପଡୁଛି।

କିଛି ଦଶକ ତଳର କଥା। ସେତେବେଳେ ନୂଆ ନୂଆ ଦାରିଦ୍ର୍ୟ ନିରାକରଣ ପାଇଁ ବ୍ୟାଙ୍କ ଜରିଆରେ ବିଭିନ୍ନ ଋଣ ପ୍ରଦାନର ଯୋଜନାମାନ ଆରମ୍ଭ ହୋଇଥିଲା। ଋଣ ଅର୍ଥରେ କିଣାଯାଇଥିବା ବା ନିର୍ମିତ ହୋଇଥିବା ସମ୍ପତ୍ତି ତଦାରଖ କରିବାକୁ ବ୍ୟାଙ୍କ ବାବୁମାନେ ଆସନ୍ତି। ସେମାନେ ଋଣରେ କିଣା ଯାଇଥିବା ଛେଳି ବା ଘୁଷୁରୀ ଇତ୍ୟାଦି ଦେଖିବାକୁ ଚାହିଁଲେ ଋଣ ଗ୍ରହୀତା ମାନେ ‘ଚୋରି ହୋଇଯାଇଛି’ ବା ‘ମରି ଯାଇଛି’ ବୋଲି କହି ଋଣ ପରିଶୋଧ କରିବା ପାଇଁ ନିଜର ଅକ୍ଷମତା ପ୍ରକାଶ କରନ୍ତି। ଏମିତି ଉତ୍ତର ଭଲ କାମ ଦେଉଥିବାର ଦେଖି ନିଜ ଜମିରେ କୂଅ ଖୋଳିବା ଉଦ୍ଦେଶ୍ୟରେ ଋଣ ନେଇ ସେ ଅର୍ଥକୁ ଅନ୍ୟ ଦିଗରେ ଉଡ଼େଇ ଦେଇଥିବା ଜଣେ ବ୍ୟକ୍ତି ବ୍ୟାଙ୍କ ବାବୁଙ୍କୁ କହିଲେ, ‘ଗତ ଅମାବାସ୍ୟା ରାତିରେ ମୋ କୂଅଟି ଚୋରି ହେଇଗଲା’। ହତଭମ୍ବ ବ୍ୟାଙ୍କ ତଦାରଖକାରୀ ଏହି ଉତ୍ତର ଶୁଣିବା ପରେ ଆଉ ଯୁକ୍ତି ନ କରି ସେହି କଥା ତାଙ୍କ ରିପୋର୍ଟରେ ଲେଖି ଦେଲେ। ତା’ ପରଠୁ ଏହିଭଳି କୂଅ, ପୋଖରୀ ଇତ୍ୟାଦି ଚୋରି ଯିବାର ଘଟଣାମାନ ଅଧିକରୁ ଅଧିକ ଶୁଣିବାକୁ ମିଳିଥିଲା। ଏବେ ଶିଶୁପାଳଗଡ଼ର ଐତିହ୍ୟ ଚୋରି ସେହି କଥାକୁ ମନେ ପକାଇବା ସହ ସ୍ପଷ୍ଟ କରିଦେଲା ଯେ ଆଜି ଚୋରି କେବେଳ ଅସ୍ଥାବର ସମ୍ପତ୍ତି ଭିତରେ ସୀମିତ ହୋଇ ରହି ନାହିଁ।

ଆଜି ଆମର ଧନ ସମ୍ପତ୍ତି ଭର୍‌ଚୁଆଲ ବା ଆଭାସୀ ରୂପ ଗ୍ରହଣ କରିଥିବାରୁ ଆମେ ଏହାର ସୁରକ୍ଷା ମଧ୍ୟ ସେହି ଆଭାସୀ ରୂପରେ ପ୍ରକାଶିତ ହେଉଥିବା ଡିଜିଟାଲ ଚାବିକାଠି ଦ୍ୱାରା କରିବାକୁ ଚେଷ୍ଟା କରୁଛୁ। ହେଲେ ଆଜିର ଚୋର ମଣିଷ ମନର ଦୁର୍ବଳତାକୁ ଭଲ ଭାବରେ ଅନୁଧ୍ୟାନ କରି ନାନା ଉପାୟରେ ଏହି ଆଭାସୀ ଚାବିକାଠିକୁ ହାତେଇ ନେଉଛି ଓ ଆମକୁ ସର୍ବସ୍ୱାନ୍ତ କରିଦେଉଛି। ଏଣୁ ଆଜିର ଖବରକାଗଜରେ ଅଧିକାଂଶ ସମୟରେ ଏହି ସାଇବର ଅପରାଧର କାହାଣୀ ଗୁଡ଼ିକ ପଢ଼ିବାକୁ ମିଳୁଛି। କେବଳ ସାଧାରଣ ମଣିଷ କାହିଁକି, ବଡ଼ ବଡ଼ ସଂସ୍ଥା ଏମିତିକି ଦେଶଗୁଡ଼ିକ ମଧ୍ୟ ସାଇବର ଆକ୍ରମଣର ଶିକାର ହେଉଛନ୍ତି। ମଣିଷ ଜାତି ଯଦି ଚୋରିର ଏଇ ନୂଆ ସ୍ୱରୂପକୁ ଶୀଘ୍ର ଅକ୍ତିଆରକୁ ନ ଆଣେ ତେବେ ପରିଣତି ସାଙ୍ଘାତିକ ହେବ ନିଶ୍ଚୟ।

ମୋ: ୯୪୩୭୦୮୯୬୫୫