ଗୋଟିଏ ଗାଁରେ ପହଞ୍ଚିଲା ଗୋଟିଏ ନାକକଟା ଚୋର। କୌଣସି ଜାଗରେ ଚୋରି କରୁଥିବା ବେଳେ ଧରା ପଡ଼ିବାରୁ ଲୋକେ ତା’ର ନାକ କାଟି ଦେଇଥିଲେ।
ସେ କିନ୍ତୁ ଘୋଷଣା କଲା ଯେ ଯଦି ଈଶ୍ବରଙ୍କ ଦର୍ଶନ ଚାହୁଁଚ ତେବେ ଆସ ଓ ମୋ ପାଖରେ ନାକ କଟାଅ। ତୁରନ୍ତ ଦର୍ଶନ ମିଳିଯିବ।
ଗାଁ ଲୋକେ ପ୍ରଥମେ ରାଜି ହେଲେ ନାହିଁ। କିନ୍ତୁ ଜଣେ ଲୋକ ସାହସ କରି ବାହାରିଲା। ଈଶ୍ବରଙ୍କ ଦର୍ଶନ ମିଳିବ, କିଛି କମ୍ କଥା ନୁହେଁ।
ସେହି ଲୋକ ତାକୁ ଏକ ନିକାଞ୍ଚନ ଜାଗାକୁ ନେଇ ତା’ର ନାକ କାଟିଦେଲା। କିନ୍ତୁ ଈଶ୍ବରଙ୍କ ଦର୍ଶନ ମିଳିଲା ନାହିଁ। ଏବେ ସେ ଲୋକ ଚୋରକୁ ଗାଳି ଦେଇ ଧମକ ଦେବାକୁ ଲାଗିଲା ଯେ ତା’ ଭଳି ଠକକୁ ସେ ଗାଁରେ ଧରାଇ ଦେବ।
କିନ୍ତୁ ଚୋର ଗଭୀର ଆତ୍ମବିଶ୍ବାସର ସହିତ କହିଲା- ସେ ଭୁଲ୍ କରନାହିଁ। ମୁଁ ମାଡ଼ ଖାଇବି; ତାହା ଭିନ୍ନ କଥା। କିନ୍ତୁ ତୁମେ ସାରା ଜୀବନ ଗଧ ବୋଲି ପରିଚିତ ହୋଇ ରହିଯିବ। ଲୋକେ କହିବେ- ଦେଖ ନାକ କଟାଇଥିବା ଗଧ ଆସୁଛି।
ସେ ଲୋକ କହିଲା- ଏବେ ତାହା ହେଲେ ମୁଁ କରିବି କ’ଣ?
ଚୋର କହିଲା- ଗୋଟିଏ ବାଟ। ଗାଁରେ ଯାଇ କହ ଈଶ୍ବରଙ୍କ ଦର୍ଶନ ହୋଇଗଲା।
ସେହି ଲୋକ ତାହା ହିଁ କଲା। ଏ କଥା ଶୁଣି ଗାଁ ଲୋକେ ନିଜ ନିଜ ନାକଟିମାନ କଟାଇବାକୁ ବାହାରିଲେ। ସମସ୍ତଙ୍କ ସହିତ ସେଇ ସମାନ କଥା ହେଲା। ଈଶ୍ବରଙ୍କ ଦର୍ଶନ ତ ମିଳିଲା ନାହିଁ, କିନ୍ତୁ ନିଜକୁ ନିର୍ବୋଧ ବୋଲି ପରିଚୟ ନ ଦେଇ ସମସ୍ତେ କହିଲେ ଈଶ୍ବରଙ୍କୁ ଦେଖି ପାରିଛନ୍ତି! ଏମିତି ଭାବେ ନାକକଟାଙ୍କ ଗାଁ ସୃଷ୍ଟି ହେଲା। ଚୋରଟି ତା’ କାମ ସରିବା ପରେ ଆଉ ଗୋଟିଏ ଗାଁ ଅଭିମୁଖେ ବାହାରିଗଲା।