କବି ଶ୍ରୀ ମଧୁସୂଦନଙ୍କ କବିତାକୁ ନେଇ ଏହି ସ୍ତମ୍ଭରେ ତିନିଟି ଆଲୋଚନା ପୂର୍ବରୁ ହୋଇସାରିଛି। ସେଥିରେ ତାଙ୍କର ସର୍ବମୋଟ ସାତଟି କବିତା ମଧ୍ୟରୁ ଚାରିଟିର ଆଲୋଚନା ଏବଂ ଗୋଟିଏ କବିତାର ପୃଷ୍ଠଭୂମି ସଂପର୍କରେ ଆଲୋଚନା ହୋଇଛି। ସେହି ପୃଷ୍ଠଭୂମି ଥିଲା ‘ଉତ୍କଳ ସମ୍ମିଳନୀ’କୁ ନେଇ ସେ ଲେଖିଥିବା ଦୁଇଟି କବିତାର ପୃଷ୍ଠଭୂମି। ଏହି ସ୍ତମ୍ଭରେ ସେହି କବିତା ଦୁଇଟି ସଂପର୍କରେ ଆଲୋଚନାର ଯୋଜନା ଥିଲା। କିନ୍ତୁ ଏ ଭିତରେ ଏପରି ଗୋଟିଏ ଘଟଣା ଆମ ସାହିତ୍ୟରେ ଘଟିଯାଇଛି, ଯାହାକୁ ଏଡ଼ାଇଯିବା ସମ୍ଭବ ନୁହେଁ। ତାହା ହେଉଛି- ଏଇ ମେ ୮ ତାରିଖ ଦିନ ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ ଏବଂ ‘ସାରସ୍ୱତ ସାଧକ, ସାଧିକାଙ୍କ ସମ୍ବର୍ଦ୍ଧନା’।
କବି ଶ୍ରୀ ମଧୁସୂଦନଙ୍କ ସାତଟି କବିତା ମଧ୍ୟରୁ ଶେଷ କବିତା ହେଉଛି- ‘ଏ ଭବେ ପାଇବ କାହିଁ’। ତାହା ତାଙ୍କ ଜୀବଦ୍ଦଶାରେ ପ୍ରକାଶ ପାଇ ନଥିଲା। ତାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ, ନବକିଶୋର ଦାସଙ୍କ ‘ମଧୁବାବୁଙ୍କ ଓଡ଼ିଆ ବକ୍ତୃତା ଓ ଗୀତ’ରେ ସଂକଳିତ ହୋଇଥିଲା। ସେହି କବିତାର ଗୋଟିଏ ପଦ ହେଉଛି-
“ଫୁଲରୁ ସୁଗନ୍ଧ ପାଇବା ଲୋଭରେ
ଭ୍ରମର ତା’ ପାଶେ ଉଡ଼େ,
କିନ୍ତୁ ଭ୍ରମରକୁ ଚୁମ୍ବିବା ଆଶାରେ
ଫୁଲ କି ତା’ ସ୍ଥାନ ଛାଡ଼େ।”
କିନ୍ତୁ ପ୍ରକୃତି କ୍ଷେତ୍ରରେ ଯାହା ସତ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବା ସମ୍ବର୍ଦ୍ଧନା ପରି ରାଜ୍ୟସ୍ତରୀୟ ସ୍ୱୀକୃତି କ୍ଷେତ୍ରରେ କ’ଣ ତାହା ସତ୍ୟ ହେବ? କବି ଶ୍ରୀ ମଧୁସୂଦନଙ୍କ କବିତାର ଏ ପଦରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ହିଁ ମନକୁ ଆସୁଛି।
ଏହି ଯେଉଁ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଗଲା, ତାହାର ଔଚିତ୍ୟକୁ ପରେ ଆସିବା; ପ୍ରଥମେ ଯିବା ତା’ର ପ୍ରକ୍ରିୟାର ଔଚିତ୍ୟକୁ। ଏହି ସ୍ତମ୍ଭରେ ପୂର୍ବରୁ ଏକାଧିକ ବାର ଆଲୋଚିତ ହୋଇଛି, ଯେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ନିମନ୍ତେ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯେଉଁ ନୂଆ ନିୟମାବଳୀ ପ୍ରଣୟନ କରିଛନ୍ତି, ସେଥିରେ ଲେଖକ ନିଜେ ‘ପ୍ରାର୍ଥୀ’ ଭାବରେ ‘ଆବେଦନ’ କରିବାର ନିୟମ ରହିଛି। ଅବଶ୍ୟ ତାଙ୍କ ପାଇଁ ଅନ୍ୟ କେହି (ଯଥା- ସାଧାରଣ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ) ନାମ ପ୍ରସ୍ତାବ କରିପାରିବେ; କିନ୍ତୁ ସେ ନିଜେ ‘ପ୍ରାର୍ଥୀ’ ଭାବେ ‘ଆବେଦନ’ କରିବା ଅମର୍ଯ୍ୟାଦାଜନକ। କିନ୍ତୁ ଅନ୍ୟ ସାଧାରଣ ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ନାମ ପ୍ରସ୍ତାବ କରିବାପାଇଁ ଯେଉଁସବୁ ନିୟମ ରହିଛି- ତାହାର ପାଳନ ସେହି ବ୍ୟକ୍ତିଙ୍କ ବିନା ଜ୍ଞାତସାରରେ ବା ବିନା ସହଯୋଗରେ ସମ୍ଭବ ନୁହେଁ। କାରଣ, ଏହି ପୁରସ୍କାରପାଇଁ ସର୍ବନିମ୍ନ ବୟସସୀମା ୬୦ ବର୍ଷ ରଖାଯାଇଛି ଏବଂ ପୁରସ୍କାର ନିମନ୍ତେ ଆବେଦନ ପତ୍ର ସହିତ ବୟସ ପ୍ରମାଣପତ୍ରର ନକଲ ସଂଯୁକ୍ତ କରିବାର ନିୟମ ରହିଛି। ପିତା ଓ ମାତାଙ୍କ ନାମ ସହିତ, ସେ ପାଇଥିବା ସ୍ୱୀକୃତି, ସମ୍ମାନ ବା ପୁରସ୍କାରର ପ୍ରମାଣପତ୍ରର ନକଲ ମଧ୍ୟ ସଂଯୁକ୍ତ କରିବାର ନିୟମ ରହିଛି। ପୁଣି ତାଙ୍କର କେଉଁ କେଉଁ ପୁସ୍ତକ ପୁରସ୍କୃତ ହୋଇଛି, ତାହାର ପ୍ରଚ୍ଛଦ ଓ ଇନର ପୃଷ୍ଠାର ଜେରକ୍ସ ନକଲ, ସେ ପାଇଥିବା ରାଷ୍ଟ୍ରୀୟ ପୁରସ୍କାର ବା ଉପାଧିର ପ୍ରମାଣପତ୍ରର ନକଲ ମଧ୍ୟ ଦାଖଲ କରିବାର ନିୟମ ରହିଛି। ଏସବୁ ସଂପୃକ୍ତ ସାହିତ୍ୟିକଙ୍କ ସହଯୋଗ ବିନା ସଂଯୁକ୍ତ କରାଯାଇପାରିବା ସମ୍ଭବ ନୁହେଁ।
ଗତ ୨୧/୧/୨୦୨୩ରେ ଏ ନେଇ ପ୍ରକାଶ ପାଇଥିବା ବିଜ୍ଞାପନ ଅନୁସାରେ, ଯେଉଁ ତିନିବର୍ଷ, ଅର୍ଥାତ୍ ୨୦୨୧, ୨୦୨୨ ଓ ୨୦୨୩ ଏହି ପୁରସ୍କାରର ବିଚାର ବର୍ଷ, ସେଥିପାଇଁ କେତେ ସାହିତ୍ୟିକ ନିଜେ କିମ୍ବା ଅନ୍ୟଦ୍ୱାରା ଆବେଦନ କରିଥିଲେ, ତାହାର ସଂଖ୍ୟା କାହାକୁ ଜଣା ନାହିଁ। ଏପରିକି ଯେଉଁ କାର୍ଯ୍ୟକାରୀ ପରିଷଦ ବୈଠକରେ ତିନି ବର୍ଷର ପୁରସ୍କାର ଓ ସମ୍ବର୍ଦ୍ଧନା ଚୟନ ଚୂଡ଼ାନ୍ତ ହେଲା- ତାହାର ସଦସ୍ୟମାନଙ୍କ ପାଖରେ ବି ଏ ତଥ୍ୟ ନାହିଁ। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଏ, ଯେ ଶତାଧିକ ‘ପ୍ରାର୍ଥୀ’ ଏଥିପାଇଁ ନିଜେ ‘ଆବେଦନ’ କରିଥିଲେ ବା ତାଙ୍କ ସହଯୋଗରେ ଅନ୍ୟ ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ତିନି ବର୍ଷ ପାଇଁ ପୁରସ୍କାର ପାଇଲେ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୟନ୍ତ ମହାପାତ୍ର ଓ ଜଗନ୍ନାଥ ପ୍ରସାଦ ଦାସଙ୍କ ପରି ବରିଷ୍ଠ ସାହିତ୍ୟ-ସାଧକଙ୍କ ନାମ ଏହି ପୁରସ୍କାର ପାଇଁ ପ୍ରସ୍ତାବିତ ହୋଇଥିଲେ ମଧ୍ୟ, ଉପରୋକ୍ତ ତଥ୍ୟମାନ ପୂର୍ଣ୍ଣାଙ୍ଗଭାବେ ନଥିବାରୁ, ସେମାନେ ପୁରସ୍କାରର ଚୟନ ବା ବିଚାର ପରିସରକୁ ଆସି ପାରି ନଥିଲେ। କାରଣ, ସେମାନେ ନିଜେ ‘ପ୍ରାର୍ଥୀ’ ଭାବରେ ‘ଆବେଦନ’ କରି ନଥିଲେ ବା ସଂପୃକ୍ତ ପ୍ରସ୍ତାବକଙ୍କୁ ନିଜ ସଂପର୍କରେ ଉପରୋକ୍ତ ତଥ୍ୟ ଓ ପ୍ରମାଣମାନ ଦେବାକୁ ମନା କରିଦେଇଥିଲେ। କାରଣ, ତାହା ତାଙ୍କପାଇଁ ସମ୍ମାନଜନକ ମନେହୋଇ ନଥିଲା। ଏଣୁ ଏ ପ୍ରସଙ୍ଗରେ କବି ଶ୍ରୀ ମଧୁସୂଦନଙ୍କ କବିତା ଅନୁସାରେ କହିଲେ- ଯେଉଁ ଭ୍ରମରମାନେ ଫୁଲରୂପକ ପୁରସ୍କାରର ବାସ ଲୋଭରେ ଧାଇଁବେ, କେବଳ ସେହିମାନେ ସେ ପୁରସ୍କାର-ଫୁଲ ପାଇବେ; ନା ପ୍ରକୃତିର ଏ ନିୟମର ବିରୋଧାଚରଣ କରି ଫୁଲ ସେହି ପୁରସ୍କାର-ଅମନଯୋଗୀ, ଯୋଗ୍ୟ ଭ୍ରମରଙ୍କ ନିକଟକୁ ଯିବ?
ଏବେ ଆସିବା ‘ସାରସ୍ୱତ ସମ୍ବର୍ଦ୍ଧନା’ ପ୍ରସଙ୍ଗକୁ। ସରକାରଙ୍କ ସଂପୃକ୍ତ ବିଭାଗ ଦ୍ୱାରା ପ୍ରଣୀତ ନୂଆ ନିୟମାବଳୀ ଅନୁସାରେ, ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପରି, ଏଥିରେ ବି ସାରସ୍ୱତ ସାଧକ ବା ସାଧିକା ‘ପ୍ରାର୍ଥୀ’ ଏବଂ ଏଥିପାଇଁ ସେମାନେ ବା ସେମାନଙ୍କ ପାଇଁ ସେମାନଙ୍କର ପ୍ରସ୍ତାବକମାନେ, ‘ଆବେଦନ’ କରିବା ଅବଧାରିତ। ଏଥିରେ ବି ରହିଛି- ଆବେଦନପତ୍ର ସହିତ ସେହି ବୟସ ପ୍ରମାଣପତ୍ରର ନକଲ ସଂଯୁକ୍ତ କରିବାର ନିୟମ। ଅଛି ମଧ୍ୟ, ସେମାନେ ଦୁଇ ଦଶନ୍ଧି ବା ତଦୂର୍ଦ୍ଧ୍ୱ ସମୟ ଧରି ସାହିତ୍ୟ କ୍ଷେତ୍ରରେ ନିରନ୍ତର ସକ୍ରିୟ ଥିବାର ପ୍ରମାଣ ସ୍ୱରୂପ, ପ୍ରଥମ ପ୍ରକାଶିତ ପୁସ୍ତକ ଓ ସଦ୍ୟତମ ପୁସ୍ତକର ପ୍ରଚ୍ଛଦ ଓ ଇନର ପୃଷ୍ଠାର ଜେରକ୍ସ ନକଲ ସଂଯୁକ୍ତ କରିବାର ନିୟମ। ପୁଣି ସାହିତ୍ୟ ସଂଗଠନ କ୍ଷେତ୍ରରେ କୃତିତ୍ୱ ସ୍ୱରୂପ, ସଂପୃକ୍ତ ସମସ୍ତ ପ୍ରମାଣର ନକଲ ମଧ୍ୟ ସଂଯୁକ୍ତ କରିବାର ନିୟମ ଏହାର ଅନ୍ତର୍ଭୁକ୍ତ। ଏସବୁ କ’ଣ ସଂପୃକ୍ତ ସାହିତ୍ୟିକଙ୍କ ବିନା ସହଯୋଗ ଓ ବିନା ଜ୍ଞାତସାରରେ ସମ୍ଭବ? ଏଣୁ ଏଠି ବି ସେଇ ଏକା କଥା- ଫୁଲ ପାଖକୁ ଭ୍ରମର ଯିବେ; ଫୁଲ, ଅମନଯୋଗୀ ଅଥଚ ଯୋଗ୍ୟ ଭ୍ରମରଙ୍କ ପାଖକୁ ଯିବ ନାହିଁ। ତା’ହେଲେ ଓଡ଼ିଶା ସାହିତ୍ୟ ଏକାଡେମୀରେ ୩୦ଟି ଜିଲ୍ଲାର ପ୍ରତିନିଧି ରହିବାର ବ୍ୟବସ୍ଥା ଅଛି କାହିଁକି? ଖାଲି କ’ଣ ସଭା, ସମିତିରେ ଯୋଗଦେଇ, ସମ୍ବାଦପତ୍ର ପୃଷ୍ଠା ବା ଟେଲିଭିଜନ ପରଦାରେ ମୁହଁ ଦେଖାଇବା ପାଇଁ?
ତିନି ବର୍ଷ ନିମନ୍ତେ ପ୍ରଦତ୍ତ ଏ ଦୁଇ ପୁରସ୍କାର ଓ ସମ୍ବର୍ଦ୍ଧନା ପରେ, ସୂଚନା ଅନୁସାରେ ଏବେ ଚାଲିଛି ୨୦୧୭ରୁ ୨୦୨୩- ସାତ ବର୍ଷ ପାଇଁ ଏକାଡେମୀ ପୁରସ୍କାର ଚୟନର ପ୍ରକ୍ରିୟା। ଗତ ଆଠ ତାରିଖ ଦିନ ଅନୁଷ୍ଠିତ ଅତିବଡ଼ୀ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତାଙ୍କ ଭାଷଣରେ କହିଛନ୍ତି, ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ପାଇଁ ୭୫୦୦ ପ୍ରାର୍ଥୀ ଆବେଦନ କରିଛନ୍ତି। ଏହା ଏକ ଖେଳ। ଖେଳରେ ଜିତିବା-ହାରିବା ଥିବା ପରି, ଏଥିରେ ବି ହାର୍-ଜିତ୍ ଅଛି। ଏହାର ଅର୍ଥ, ଏ ପୁରସ୍କାର-ଖେଳରେ ଦୌଡ଼ର ପ୍ରତିଯୋଗିତା ବେଶୀ; ଯୋଗ୍ୟତାର ସ୍ୱୀକୃତି କମ୍। ଏଠି ବି କବି ଶ୍ରୀ ମଧୁସୂଦନଙ୍କ ସେଇ କବିତାର ପ୍ରାସଙ୍ଗିକତା। ଭ୍ରମରମାନେ ଫୁଲର ବାସ ଲୋଭରେ ଧାଇଁବେ; ଫୁଲ, ଅମନଯୋଗୀ ଓ ଯୋଗ୍ୟ ଭ୍ରମରଙ୍କ ପାଖକୁ ଯିବ ନାହିଁ।
ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରର ଅମନଯୋଗୀ ଅଥଚ ଯୋଗ୍ୟ ଭ୍ରମରଙ୍କ ପରି, ଏଠି ବି ଅଛନ୍ତି ଅମନଯୋଗୀ ଓ ଯୋଗ୍ୟ ଭ୍ରମର। ଏପରି ଏକ ଉଦାହରଣ- ‘ଝଙ୍କାର’ର ସଂପାଦକ ସରୋଜ ରଂଜନ ମହାନ୍ତି। ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ, ତାଙ୍କର ନାମ ବି ସାରସ୍ୱତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତାବିତ ହୋଇଥିଲା; କିନ୍ତୁ ସେ ଯୋଗ୍ୟତା ତାଲିକାର ପରିସରକୁ ଆସି ପାରିଲେ ନାହିଁ। କାରଣ, ଯୋଗ୍ୟତା ନିମନ୍ତେ ସର୍ବନିମ୍ନ ପାଞ୍ଚଟି ପୁସ୍ତକ ରଚନାର ନିୟମ ଥିବାବେଳେ, ସଂପୃକ୍ତ ପ୍ରସ୍ତାବକ ତାଙ୍କର ଚାରିଟି ପୁସ୍ତକର ନାମ ତାଲିକା ଓ ପ୍ରମାଣ ଦେଇ ପାରିଥିଲେ। ତାହା ଥିଲା ତାଙ୍କର ଚାରିଟି କବିତା ପୁସ୍ତକ- ୧. କାଗଜ ଡଙ୍ଗାର ଶୋକ (୧୯୭୭), ୨. ବାଇଗେଣୀ ଋତୁ (୧୯୮୧), ୩. ଫୁଲ ଫୁଟାଇବା ମନା (୧୯୯୨) ଓ ୪. ଚିତ୍ରମେଘ (୨୦୧୭)। ହୁଏତ ତାଙ୍କର ସହଯୋଗ ରହିଥିଲେ ବା ସେ ନିଜେ ‘ପ୍ରାର୍ଥୀ’ ଭାବରେ ‘ଆବେଦନ’ କରିଥିଲେ, ତାଙ୍କର ଅନ୍ୟ (ବା ୫ମ) ଜୀବନୀ ପୁସ୍ତକ- ଲୋକନାୟକ ଜୟପ୍ରକାଶ (୧୯୭୭) ତାଲିକାଭୁକ୍ତ ହୋଇପାରିଥାନ୍ତା ଏବଂ ସେ ଯୋଗ୍ୟତାର ସର୍ବନିମ୍ନ ମାପକାଠିରେ ଅନ୍ତତଃ ବିଚାର ପରିସରକୁ ଆସିପାରିଥାନ୍ତେ। କିନ୍ତୁ ସେ ଭ୍ରମରଟିଏ ହୋଇ ପୁରସ୍କାର-ଫୁଲ ପାଖରେ ଭିଡ଼ ଜମାଇବାକୁ ଉଚିତ ମନେ କରିନଥିଲେ। ପୁଣି, ତାଙ୍କର ଅନ୍ୟ ଏକ ସଂପାଦିତ ପୁସ୍ତକ ‘ବିଶ୍ୱଦୃଷ୍ଟିରେ ଫକୀରମୋହନ’ (ଗାଳ୍ପିକ ଦୀପ୍ତିରଂଜନ ପଟ୍ଟନାୟକଙ୍କ ସହିତ) ଥିଲେ ମଧ୍ୟ, ନୂଆ ନିୟମାବଳୀରେ ସଂପାଦିତ ପୁସ୍ତକ ଏଥିପାଇଁ ଅଯୋଗ୍ୟ; ତେଣୁ ତାହା ମଧ୍ୟ ବିଚାର ପରିସରକୁ ଆସିପାରି ନଥିଲା। ବିଡ଼ମ୍ବନାର ବିଷୟ, ଯେ ଏକାଡେମୀ ସମ୍ବର୍ଦ୍ଧନାର ଏ ନୂଆ ନିୟମରେ ସଂପାଦିତ ପୁସ୍ତକର କୌଣସି ମୂଲ୍ୟ ନାହିଁ।
ଏ ପ୍ରସଙ୍ଗରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ଅତି କମ୍ରେ ତିନି ଜଣ ସଂପାଦକ ଏହି ତିନି ବର୍ଷ ମଧ୍ୟରେ ସମ୍ବର୍ଦ୍ଧତ ହୋଇଥିବା ବେଳେ, ମହାପାତ୍ର ନୀଳମଣି ସାହୁଙ୍କ ପରେ, ୧୯୬୯ ସେପ୍ଟେମ୍ବରରୁ ସରୋଜ ରଂଜନ ‘ଝଙ୍କାର’ ସଂପାଦନାର ଦାୟିତ୍ୱ ତୁଲାଇ ଆସୁଛନ୍ତି ଏବଂ ୧୯୭୩ ଏପ୍ରିଲ୍ ଠାରୁ, ଗତ ୫୦ ବର୍ଷ ଧରି ତାଙ୍କର ନାମ ମଧ୍ୟ ସଂପାଦନାମଣ୍ଡଳୀରେ ମୁଦ୍ରିତ ହେଉଛି। ଅଥଚ, ମନେହୁଏ, ଏକାଡେମୀ ସମ୍ବର୍ଦ୍ଧନାର ଚୟନ ପରିସରରେ ତାହାର ମଧ୍ୟ ଯେପରି କୌଣସି ମୂଲ୍ୟ ନାହିଁ।
କିନ୍ତୁ ସଦ୍ୟତମ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ପରିସରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଏ ଦୁଇ ପୁରସ୍କାର ଓ ସମ୍ବର୍ଦ୍ଧନାର ନିୟମାବଳୀ ଏକାଡେମୀ ସମ୍ବିଧାନର ବିଧାନ ଅନୁସାରେ ପ୍ରଣୀତ ହୋଇ ନାହିଁ। ଏକାଡେମୀ ସମ୍ବିଧାନର ଉଲ୍ଲଙ୍ଘନରେ, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଏହା ପ୍ରଣୀତ ହୋଇଛି ଏବଂ ତାହାକୁ ଏକାଡେମୀ ଉପରେ ଅସାମ୍ବିଧାନିକ ଭାବେ ଲଦି ଦିଆଯାଇଛି। ଏ ନେଇ କାର୍ଯ୍ୟକାରୀ ପରିଷଦର ଜଣେ ସଦସ୍ୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକାଧିକ ମାମଲା କରିଛନ୍ତି ଏବଂ ଉଚ୍ଚ ନ୍ୟାୟାଳୟଙ୍କ ମଧ୍ୟବର୍ତ୍ତୀକାଳୀନ ଏକାଧିକ ଆଦେଶନାମା ଅନୁସାରେ, ଏକାଡେମୀ ପୁରସ୍କାର ବା ସମ୍ବର୍ଦ୍ଧନା ପ୍ରଦାନ ସେହି ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ। ମାତ୍ର, ୧୭ ମାର୍ଚ୍ଚ, ୨୦୨୩ରେ ମହାଧିବକ୍ତା (ଆଡଭୋକେଟ୍ ଜେନେରାଲ୍)ଙ୍କ ଦପ୍ତରରୁ ଗୋଟିଏ ସ୍ୱତନ୍ତ୍ର ଚିଠି (ନଂ. ୧୫୪୦୬/୨) କରାଯାଇ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ କୁହାଯାଇଛି, ଯେ ମାମଲାର ମାନ୍ୟବର ବିଚାରପତିଙ୍କ ୨୮.୨.୨୦୨୩ର ମଧ୍ୟବର୍ତ୍ତୀକାଳୀନ ଆଦେଶନାମା ଅନୁସାରେ, ପୁରସ୍କାର ପ୍ରଦାନ ପାଇଁ କୌଣସି କଟକଣା ନାହିଁ; ମାତ୍ର ତାହା ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ। ତାହା ଅନୁସାରେ, ମେ ୮ ତାରିଖ ଦିନ ତିନି ବର୍ଷ ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ଦେଇ ଦିଆଯାଇଛି।
ଏବେ ଦେଖିବା, ମାନ୍ୟବର ବିଚାରପତିଙ୍କ ୨୮.୨.୨୦୨୩ର ମଧ୍ୟବର୍ତ୍ତୀକାଳୀନ ଆଦେଶନାମାରେ ଅଛି କ’ଣ? ସେହି ଆଦେଶନାମାରେ ଉଲ୍ଲେଖ ଅଛି- “It is directed that any action persuant to the impugned order shall remain subject to the result of the writ petition.”
କିନ୍ତୁ, ଏହାର ଅର୍ଥ କ’ଣ “ପୁରସ୍କାର ପ୍ରଦାନ ପାଇଁ କୌଣସି କଟକଣା ନାହିଁ”? ଏହା ଆଇନ ବିଶାରଦମାନଙ୍କର ତର୍ଜମାର ଅପେକ୍ଷା ରଖେ। ମାତ୍ର ଏହି ସ୍ତମ୍ଭକାରର ସାଧାରଣଜ୍ଞାନ ଅନୁସାରେ- ଏହାର ଅର୍ଥ, “ପୁରସ୍କାର ପ୍ରଦାନ, ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ।” ସୂଚନା ଅନୁସାରେ, ଏ ସଂପର୍କିତ ପୂର୍ବ ଆଦେଶନାମାରେ ମଧ୍ୟ, ମାନ୍ୟବର ବିଚାରପତି ସେହି କଥା କହିଥିଲେ ଏବଂ ଏହାର ପରବର୍ତ୍ତୀ ୩.୫.୨୦୨୩ର ଆଦେଶନାମାରେ ମଧ୍ୟ ସେହି କଥା ହିଁ କହିଛନ୍ତି।
କିନ୍ତୁ ଏ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ଯେଉଁମାନଙ୍କୁ ତିନି ବର୍ଷ ପାଇଁ ଅତିବଡ଼ୀ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ଦିଆଗଲା, ସେମାନଙ୍କୁ ଏକାଡେମୀ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ଅଛି, ଯେ- ଏହି ପୁରସ୍କାର ବା ସମ୍ବର୍ଦ୍ଧନା ଜ୍ଞାପନର ଚୟନ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ମାମଲାର ସର୍ବଶେଷ ଫଳାଫଳ ଉପରେ ନିର୍ଭର କରିବ।
ଏଣୁ ଏହି ସମ୍ବର୍ଦ୍ଧନା ଓ ପୁରସ୍କାର ସଂପୃକ୍ତ ସାହିତ୍ୟିକ/ସାହିତ୍ୟିକାଙ୍କ ପ୍ରତି ଏକାଡେମୀର ସମ୍ମାନ ନା ଅପମାନ, ସଂପୃକ୍ତ ପୁରସ୍କାର ଓ ସମ୍ବର୍ଦ୍ଧନାର ପ୍ରାପକ/ପ୍ରାପିକାମାନେ ବିଚାର କରନ୍ତୁ! ଏଣିକି ଭ୍ରମରମାନେ ଫୁଲର ବାସନା ଲୋଭରେ ନ ଧାଆଁନ୍ତୁ; ଫୁଲ ନିଜ ଜାଗା ଛାଡ଼ି, ଖୋଜି ଖୋଜି, ଯୋଗ୍ୟ ଭ୍ରମରଙ୍କ ପାଖକୁ ଯାଉ!
ମୋ: ୯୪୩୭୦ ୩୪୮୦୪