ମୁଁ କିଏ? ମୁଁ ଏକ ଶରୀର। ଏ ଶରୀରକୁ ନେଇ ମୁଁ ଚଳପ୍ରଚଳ ହୁଏ। ଛୁଇଁପାରେ, ଦେଖିପାରେ, ଶୁଣିପାରେ, ଚାଖିପାରେ ଓ ଆଘ୍ରାଣ କରିପାରେ। ମୋ ଭିତରେ କିଛି ଶାରୀରିକ ସଂବେଦନା ଅଛି। ପୀଡ଼ା, କ୍ଷୁଧା, ତୃଷା, ଆଘାତ, ଅବସାଦ, ରୋଗ, ଭୟ, ଆଶଙ୍କା, ଆନନ୍ଦ ଇତ୍ୟାଦି। ଏସବୁ ମାଧ୍ୟମରେ ମୁଁ ନିଜକୁ ଅନୁଭବ କରିପାରେ। ମୋର କିଛି ଅଦୃଶ୍ୟ ବିଶେଷତ୍ବ ହେଉଛି, ମୁଁ ଭାବିପାରେ, ଅନୁଭବ କରିପାରେ ଏବଂ ବିଚାର ବୁଦ୍ଧି ପ୍ରୟୋଗ କରିପାରେ। ମନେରଖେ ଓ ଅନୁମାନ ଲଗାଏ। ମୋର ଏସବୁ ବିଶେଷତ୍ବର ବର୍ଣ୍ଣନା ପାଇଁ ମନ, ଆତ୍ମା, ହୃଦୟ, ଜାଗରୁକତା ଓ ଚେତନା ଆଦି ଶବ୍ଦର ବ୍ୟବହାର ହୁଏ। ଏସବୁ ମିଶି ମତେ ଯେଉଁ ରୂପ ମିଳିଛି ସେଇଟି ହେଉଛି ‘ମନୁଷ୍ୟ’। ମନୁଷ୍ୟର ଏ ଶରୀର ମଧ୍ୟରେ ମୋର ଗୋଟିଏ ଅପରିବର୍ତ୍ତନୀୟ ଚେତନା ଅଛି ଯାହା ‘ମୁଁ’ ରୂପରେ ପରିଚିତ। ସେଇଟି ମୋର ଅସ୍ତିତ୍ବ। ମୋର ଏ ଅସ୍ତିତ୍ବର କିଛି ପ୍ରମାଣ ଅଛି କି? କହିପାରିବେ ଏ ‘ମୁଁ’ର ନିର୍ଦ୍ଦିଷ୍ଟ ଅବସ୍ଥିତି କେଉଁଠି? ମୋର ଅସ୍ତିତ୍ବ ସତ୍ୟ ନା କୌଣସି ସ୍ବପ୍ନର ଏକ ଅଂଶ? ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସପ୍ତଦଶ ଶତାବ୍ଦୀର ଫରାସୀ ଦାର୍ଶନିକ ରେନି ଡିକାର୍ଟ ତାଙ୍କର ପ୍ରସିଦ୍ଧ ସିଦ୍ଧାନ୍ତ ‘କଗିଟୋ ଏର୍ଗୋ ସୁମ୍’ ସାମନାକୁ ଆଣିଛନ୍ତି। ଏହାର ଅର୍ଥ ହେଉଛି ‘ଆଇ ଥିଙ୍କ୍, ଦେଆରଫୋର୍ ଆଇ ଆମ୍’।
ମୁଁ ଭାବିପାରୁଛି, ତେଣୁ ମୋର ଅସ୍ତିତ୍ବ ଅଛି। ମନେ କରନ୍ତୁ ଯଦି ମୁଁ ଭାବିବି ମେଘ ଅଛି, ପାଣି ଅଛି, ପବନ ଅଛି, ଶରୀର ଅଛି, ଏସବୁ ସତରେ ନିଃସନ୍ଦେହରେ ଅଛି କି? ଏସବୁ ଚେତନାର ଉଦ୍ଭଟ୍ଟ ଭ୍ରାନ୍ତି ମଧ୍ୟ ହୋଇପାରେ। ହୋଇପାରେ ମୋ ଚାରିପାଖ ସଂସାରର ଅସ୍ତିତ୍ବ ହିଁ କିଛି ନାହିଁ? ମାତ୍ର ଗୋଟିଏ କଥାରେ ମୁଁ ସ୍ଥିର ନିଶ୍ଚିତ ଯେ, ଏସବୁ ବିଷୟରେ ମୁଁ ଯେହେତୁ ଭାବିପାରୁଛି ତେଣୁ ମୋ ନିଜର ଅସ୍ତିତ୍ବ ଅଛି। ଡିକାର୍ଟଙ୍କ ‘କଗିଟୋ’ ଅନୁସାରେ ଯେଉଁ ଗୋଟିଏ କଥା ବିନା କିଛି ସଂଶୟରେ ଆମେ ସ୍ଥିରନିଶ୍ଚିତ ହୋଇ ପାରିବା ତାହା ହେଉଛି ଆମର ଅସ୍ତିତ୍ବ। କାରଣ ଅସ୍ତିତ୍ବ ନଥିଲେ ଚିନ୍ତାଶକ୍ତି ନଥାନ୍ତା। ଡିକାର୍ଟଙ୍କ ମତରେ ମନୁଷ୍ୟ ସ୍ବୟଂ ସନ୍ତୁଷ୍ଟ ଏବଂ ସ୍ବୟଂ ସଂପୂର୍ଣ୍ଣ। ତେଣୁ ଅବଶିଷ୍ଟ ବିଶ୍ବର ସବୁକିଛି ତା’ ପାଇଁ ସନ୍ଦେହଜନକ। ନିଜକୁ ଜାଣିବା ପାଇଁ ତାକୁ ଅନ୍ୟର ଆବଶ୍ୟକତା ନାହିଁ।
ଡିକାର୍ଟଙ୍କର ଏ ସିଦ୍ଧାନ୍ତଟି ଦୋଷଯୁକ୍ତ। ଏହାଦ୍ବାରା ହୁଏତ ଆମେ ନିଜର ଅସ୍ତିତ୍ବକୁ ସାବ୍ୟସ୍ତ କରିଦେଲେ, ଅବଶିଷ୍ଟ ଜଗତ ଆମର ସନ୍ଦେହ ମଧ୍ୟରେ ରହିଗଲା। ମୁଁ ଆପଣଙ୍କର ଓ ଆପଣ ମୋର ଅସ୍ତିତ୍ବକୁ ସ୍ବୀକାର କରିବେ କେଉଁ ଆଧାରରେ? ହୋଇପାରେ ମୁଁ ସତ୍ୟ ଆପଣ ଏକ ପ୍ରହେଳିକା?
ଡିକାର୍ଟଙ୍କର ଏ ଦ୍ବନ୍ଦ୍ବାତ୍ମକ ସିଦ୍ଧାନ୍ତର ସମାଧାନ ରହିଛି ଦକ୍ଷିଣ ଆଫ୍ରିକାର ପ୍ରାଚୀନ ‘ଜୁଲୁ’ ସଭ୍ୟତାରେ ପ୍ରଚଳିତ ଏକ ଦର୍ଶନ ‘ଉବୁଣ୍ଟୁ’ରେ। ଉବୁଣ୍ଟୁର ତର୍କ ହେଉଛି ଆମ ଅସ୍ତିତ୍ବ ଆମର ଭାବନା ଆଧାରରେ ନୁହେଁ, ଅନ୍ୟମାନଙ୍କ ଦ୍ବାରା ପ୍ରମାଣିତ ହୋଇଥାଏ। ଜନ୍ମ ନେବାବେଳେ ପିଲାଟି ପାଖରେ ତା’ର ‘ମୁଁ’ତ୍ବ ବୋଲି କିଛି ନଥାଏ। ସମୟକ୍ରମେ ‘ମୁଁ’ ର ଚେତନା ତା’ ମଧ୍ୟରେ ସୃଷ୍ଟି ହୁଏ। ‘ଉବୁଣ୍ଟୁ’ର ଅର୍ଥ ହେଉଛି ‘ଆମମାନଙ୍କ ଯୋଗୁଁ ମୁଁ। ଯେହେତୁ ଆମେ ସମସ୍ତେ ଅଛନ୍ତି ତେଣୁ ମୁଁ ମଧ୍ୟ ଅଛି।’ ଅର୍ଥାତ୍ ଆତ୍ମଚେତନାର ସ୍ବାଧୀନ ଅସ୍ତିତ୍ବ କିଛି ନାହିଁ, ବରଂ ଅନେକ ବ୍ୟକ୍ତି ଏକାଠି ହୋଇ ‘ମୁଁ’ର ଅସ୍ତିତ୍ବକୁ ସଂଜୀବିତ କରୁଛନ୍ତି। ମନେ କରନ୍ତୁ ପ୍ରଶ୍ନ ହେଲା ‘ଆପଣ କିଏ?’ ଉତ୍ତରରେ ଆପଣ ନିଜର ନାମ ସହିତ କାହାର ପୁଅ, କାହାର ବାପା, କାହାର ଶିକ୍ଷକ ଇତ୍ୟାଦି ପରିଚୟ ଦେଇ ନିଜକୁ ଚିହ୍ନିତ କରିବେ। ଅର୍ଥାତ୍ ନିଜ ଅସ୍ତିତ୍ବର ଦୃଢ଼ ପ୍ରମାଣ ଦେବାକୁ ଆପଣଙ୍କୁ ଅନ୍ୟ କିଛି ସଂପର୍କର ସାହାଯ୍ୟ ନେବାକୁ ପଡ଼ିବ ଏବଂ ସେମାନେ ଏକାଠି ହୋଇ ଆପଣଙ୍କ ଅସ୍ତିତ୍ବକୁ ଚିହ୍ନଟ କରିବେ।
ଡିକାର୍ଟଙ୍କ ‘କଗିଟୋ’ ଆଧାରରେ ଏପରି ହୋଇ ପାରିବନି। ନିଜର ଭାବନା ଆଧାରରେ ନିଜକୁ ସିନା ଚିହ୍ନିପାରିବେ, ନିଜ ସହିତ ଅନ୍ୟକୁ ଯୋଡ଼ି ପାରିବେନି। ‘ଉବୁଣ୍ଟୁ’ ଦର୍ଶନ କହେ, କେହି ଜଣେ ଆମ ବିଷୟରେ ପ୍ରଶ୍ନଟିଏ ପଚାରୁଛି ଅର୍ଥ ଆମ ସହିତ ଜଗତ କିପରି ଯୋଡ଼ିହୋଇଛି ତାହା ଜାଣିବାକୁ ଚାହୁଁଛି। ‘ଉବୁଣ୍ଟୁ’ର ଏ ତତ୍ତ୍ବଟି ହେଉଛି ‘ଉମୁଣ୍ଟୁ ଗୁମୁଣ୍ଟୁ ଗାବାଣ୍ଟୁ’। ଅର୍ଥାତ୍ ଜଣକର ଅସ୍ତିତ୍ବ ଗଣ ଦ୍ବାରା ହିଁ ଚିହ୍ନଟ ହୋଇ ପାରିବ। ମୁଁ କିଏ, ତାହା ମୋ ଉପରେ ନିର୍ଭର ନକରି ନିର୍ଭର କରିବ ଅନ୍ୟମାନଙ୍କ ନିର୍ଣ୍ଣୟ ଉପରେ। ମୋ ବନ୍ଧୁ, ମୋ ପରିବାର, ମୋ ସହକର୍ମୀ ଓ ମୋ ସଂସ୍କୃତି ମିଳିମିଶି ନିର୍ଣ୍ଣୟ କରିବେ ମୁଁ କିଏ। ଅନ୍ୟର ସଂସ୍ପର୍ଶରେ ଆସିଲେ ହିଁ ମନୁଷ୍ୟ ତା ‘ମୁଁ’କୁ ଚିହ୍ନିପାରିବ। ସ୍ବକୀୟ ଅସ୍ତିତ୍ବର ପ୍ରତିବିମ୍ବ କେବଳ ଗଣ-ଚେତନାର ଦର୍ପଣରେ ପ୍ରତିଫଳିତ ହୋଇପାରେ।
ପୃଥିବୀରେ ପରିବ୍ୟାପ୍ତ ବ୍ୟଷ୍ଟିବାଦକୁ ଉପଯୁକ୍ତ ପ୍ରତ୍ୟୁତ୍ତର ଦେବାପାଇଁ ଉବୁଣ୍ଟୁ ଦର୍ଶନ ଏକ ସମର୍ଥ ପ୍ରତି-ଅସ୍ତ୍ର। ଆମ ସମସ୍ତଙ୍କ ଦ୍ବାରା ‘ମୁଁ’ର ସୃଷ୍ଟି। ଆମେ, ଆମର ମାନବିକତା ଓ ଆମର ବ୍ୟକ୍ତିତ୍ୱ ସବୁକିଛିର ଉତ୍ପତ୍ତି ମୂଳରେ ରହିଛି ଅନ୍ୟମାନଙ୍କ ସହିତ ଥିବା ଆମର ସଂପର୍କ ଓ ସେମାନଙ୍କ ଦ୍ବାରା ପ୍ରଦତ୍ତ ଆମ ଅସ୍ତିତ୍ବର ପରିଚୟ। ବୁଢ଼ିଆଣୀ ଜାଲ ପରି ପରସ୍ପର ଛନ୍ଦିତ ଜୀବନ, ଯାହାର ଆମେ ଏକ କ୍ଷୁଦ୍ର ଓ ଅବିଚ୍ଛିନ୍ନ ଅଂଶ, ତାହା କେବଳ ତିଷ୍ଠି ରହିପାରିଛି ‘ଉବୁଣ୍ଟୁ’ର ନୀତିନିଷ୍ଠତା ମଧ୍ୟରେ। ମୁଁ ଯାହା ବି କରୁଛି ତା’ର ପ୍ରଭାବ ରହିଛି ଆପଣଙ୍କ ଉପରେ ଏବଂ ଆପଣଙ୍କ ଶରୀର ଓ ମନରେ ସାମାନ୍ୟ ଆଘାତର ପୀଡ଼ା ଅନୁଭୂତ ହେଉଛି ମୋ ଶରୀରରେ। ଏହା ହିଁ ହେଉଛି ‘ଉବୁଣ୍ଟୁ’ର ଜୀବନ ଦର୍ଶନ ଓ ଆମ ଅସ୍ତିତ୍ବର ଏକମାତ୍ର ପ୍ରମାଣ।
ଡିକାର୍ଟଙ୍କ ଦର୍ଶନ ପାଶ୍ଚାତ୍ୟ ଜୀବନ ଶୈଳୀର ଏକ ଭୟଙ୍କର ତ୍ରୁଟି ଯାହା ଶହ ଶହ ବର୍ଷ ଧରି ସେମାନଙ୍କ ଚିନ୍ତା ଓ ଚରିତ୍ରରେ ପ୍ରତିଫଳିତ ହୋଇ ଆସିଛି।