ଦକ୍ଷିଣ ଆଫ୍ରିକା ପ୍ରତି ମୋର ଦୀର୍ଘ କାଳର ଆଗ୍ରହ ରହିଥିଲା ଏବଂ ୧୯୯୫ରେ ସେଠାକୁ ଯାଇ କିଛି ସମୟ କାମ କରିବା ପାଇଁ ମନସ୍ଥ କରିଥିଲି। ସେହି ସମୟରେ ସେ ଦେଶରେ ପ୍ରଥମ ବହୁବର୍ଣ୍ଣୀୟ ନିର୍ବାଚନ ସଦ୍ୟ ସରିଥାଏ ଏବଂ ମହାନ ନେଲସନ୍‌ ମାଣ୍ଡେଲା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ସେଇ ମାଟି ଓ ତା’ର ନାଗରିକମାନେ ସେମାନଙ୍କ କଷ୍ଟସାଧ୍ୟ ସ୍ବାଧୀନତାରୁ କ’ଣ ନିର୍ମାଣ କରିବେ, ତାହା ଦେଖିବାକୁ ମୁଁ ଗଭୀର କୌତୂହଳୀ ହୋଇ ପଡ଼ିଥାଏ। ଯେଉଁ ଚାକିରି ପାଇଁ ମୁଁ ଆଗ୍ରହୀ ଥିଲି, ତାହା ମିଳିଲା ନାହିଁ, ତଥାପି ମୁଁ ସେ ଦେଶର ବିକାଶକୁ ନିକଟରୁ ଅନୁଧ୍ୟାନ କରୁଥିଲି ଏବଂ ଭ୍ରମଣ ସହ ବନ୍ଧୁମାନଙ୍କୁ ଭେଟିବା ଲାଗି ସେଠାକୁ ପାଞ୍ଚ ଥର ଯାତ୍ରା କରିଥିଲି। ଦକ୍ଷିଣ ଆଫ୍ରିକାରେ ଦୁଇ ଦଶନ୍ଧି ବିତାଇଥିବା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ପରି ଭାରତୀୟମାନଙ୍କ ବିଷୟରେ ସେଠାକାର ଅଭିଲେଖାଗାରରେ କ’ଣ ସବୁ ରହିଛି, ତାହା ମଧ୍ୟ ଦେଖିବାକୁ ଚେଷ୍ଟା କରିଥିଲି।

Advertisment

ନିକଟରେ ଗୋଟିଏ ବହି ପଢ଼ିବା ପରେ ଦକ୍ଷିଣ ଆଫ୍ରିକା ଓ ତାହାର ଲୋକମାନଙ୍କ ସକାଶେ ରହିଥିବା ମୋର ଆଗ୍ରହ ପୁଣି ସତେଜ ହୋଇଗଲା। ଏହା ହେଉଛି ଜନ୍ନି ଷ୍ଟେନ୍‌ବର୍ଗଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଵିନି ଆଣ୍ଡ୍‌ ନେଲସନ୍‌,’ ଯେଉଁଥିରେ ଏକ ବିବାହିତ ଦଂପତିଙ୍କ କାହାଣୀକୁ ସେହି ଜଟିଳ ଓ ଦ୍ବନ୍ଦ୍ବଗ୍ରସ୍ତ ଭୂମିର ଜଟିଳ ତଥା ସଂଘର୍ଷମୟ ଇତିହାସର ଝରକା ଭାବେ ବ୍ୟବହାର କରାଯାଇଛି। ପୁସ୍ତକଟି ଆରମ୍ଭ ହୁଏ ୧୯୫୭ରେ ସେମାନଙ୍କ ପ୍ରଥମ ସାକ୍ଷାତରୁ, ଯେତେବେଳେ ଵିନିଙ୍କ ସୌନ୍ଦର୍ଯ୍ୟ ଓ ପ୍ରାଣ ଚଞ୍ଚଳତାରେ ନେଲସନ୍‌ ଅଭିଭୂତ ହୋଇପଡ଼ିଥିଲେ। ସେ ଵିନିଙ୍କ ଠାରୁ ପାଖାପାଖି କୋଡ଼ିଏ ବର୍ଷ ବଡ଼ ଥିଲେ, ବିବାହ କରି ସାରିଥିଲେ ଏବଂ ପିଲାଛୁଆଙ୍କ ଜନକ ମଧ୍ୟ ହୋଇ ସାରିଥିଲେ; ତଥାପି ଏ ସବୁ ୱିନିଙ୍କ ସହିତ ଏକ ନିଷ୍ଠାପର ସମ୍ପର୍କ ରଖିବାରୁ ତାଙ୍କୁ ନିବୃତ୍ତ କରିପାରିନଥିଲା। ନେଲ୍‌ସନ୍‌ଙ୍କ ବ୍ୟକ୍ତିତ୍ବ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ଜଣେ ଉଦୀୟମାନ ତାରକା ଭାବରେ ତାଙ୍କର ସ୍ଥିତି ଦ୍ବାରା ଵିନି ମଧ୍ୟ ଆକର୍ଷିତ ହୋଇଥିଲେ।

ଷ୍ଟେନ୍‌ବର୍ଗଙ୍କ ପୁସ୍ତକର ଉପଶୀର୍ଷକ ଥିଲା ‘ପୋଟ୍ରେଟ୍‌ ଅଫ୍‌ ଏ ମ୍ୟାରେଜ୍‌’। ଏହା ସଂପୂର୍ଣ୍ଣ ଭାବରେ ଯଥାର୍ଥ। ଏହି ପୁସ୍ତକରେ ସେହି ସମୟର ରାଜନୈତିକ ଓ ସାମାଜିକ ଇତିହାସର ପୃଷ୍ଠଭୂମିରେ ସେମାନଙ୍କ ସମ୍ପର୍କକୁ ସମ୍ବେଦନଶୀଳତା ଓ କର୍ତ୍ତୃତ୍ବର ସହିତ ଚିତ୍ରଣ କରାଯାଇଛି। ସେଥିରେ ନେଲ୍‌ସନ୍‌ ଓ ଵିନିଙ୍କ ଚରିତ୍ରକୁ ଖୁବ୍‌ ଜୀବନ୍ତ କରାଯାଇଛି, ସେମାନଙ୍କ ସଂଘର୍ଷ, ତ୍ୟାଗ, ଆବେଗ ଓ ଅସ୍ବାଭାବିକତାକୁ ଗଭୀରତା ଓ ବିସ୍ତାର ସହିତ ବର୍ଣ୍ଣନା କରାଯାଇଛି। ପୁସ୍ତକରେ ଷ୍ଟେନବର୍ଗ ଆହୁରି ଅନେକ ବ୍ୟକ୍ତିବିଶେଷଙ୍କ ଚିତ୍ର ଉପସ୍ଥାପନ କରିଛନ୍ତି; ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ତତ୍କାଳୀନ ସ୍ବାଧୀନତା ସଂଗ୍ରାମରେ ନେଲସନ୍‌ଙ୍କ ସତୀର୍ଥ ଓ ପ୍ରତିଦ୍ବନ୍ଦ୍ବୀ, ​ଵିନିଙ୍କ ବନ୍ଧୁ ଓ ଚେଲା, ବର୍ଣ୍ଣବୈଷମ୍ୟର ଜଣେ କଠୋର ଓ ନିଷ୍ଠୁର ସମାଲୋଚକ ତଥା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନର ବିଦେଶୀ ବନ୍ଧୁ (ଦକ୍ଷିଣ ଭାରତରେ ଜନ୍ମିତ ତଥା ଜାତିସଂଘ ଅଧିକାରୀ ଏନୁଗା ଏସ୍‌. ରେଡିଙ୍କ ଭଳି) ଆଦି। ନେଲସନ୍‌ଙ୍କ ସନ୍ତାନସନ୍ତତିମାନଙ୍କ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇଥିଲା, ଯଦିଓ ସେମାନଙ୍କ ପିତା ମୁଖ୍ୟତଃ ଉଦାସୀନ ଥିଲେ କିମ୍ବା ସେମାନଙ୍କ ଜୀବନରେ ଅନୁପସ୍ଥିତ ରହୁଥିଲେ। ଵିନି ଓ ନେଲସନ୍‌ଙ୍କ ପରସ୍ପର ପ୍ରତି ବିଶ୍ବାସଘାତକତା ସମ୍ପର୍କରେ ମଧ୍ୟ ଷ୍ଟେନବର୍ଗ ନିର୍ବିକାର ଭାବେ ବର୍ଣ୍ଣନା କରିଛନ୍ତି।

ନେସଲନ୍‌ ଓ ଵିନିଙ୍କ ପ୍ରଥମ ସାକ୍ଷାତର ବର୍ଷକ ପରେ ଅର୍ଥାତ୍‌ ୧୯୫୮ରେ ସେମାନେ ବିବାହ କରିଥିଲେ। ଶୀଘ୍ର ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲେ; କିନ୍ତୁ ପିଲାଏ ବଡ଼ ହେଉଥିବା ବେଳେ ପିତା ସେମାନଙ୍କ ଦେଖାଶୁଣା ଖୁବ୍‌ କମ୍‌ କରୁଥିଲେ। ଵିନିଙ୍କର ଦ୍ବିତୀୟ ସନ୍ତାନ ଜନ୍ମ ହେବା ପରେ ପରେ ମାଣ୍ଡେଲା ଆତ୍ମଗୋପନକୁ ଚାଲି ଯାଇଥିଲେ ଏବଂ ୧୯୬୩ରେ ତାଙ୍କୁ ବନ୍ଦୀ କରି ରଖାଯାଇଥିଲା। ଏପରିକି ସେ ଯେତେବେଳେ ମୁକ୍ତ ବ୍ୟକ୍ତି ଭାବେ ବିଚରଣ କରି ପାରୁଥିଲେ, ସେତେବେଳେ ମଧ୍ୟ ନେଲସନ୍‌ଙ୍କ ପାଇଁ ବିବାହ ଓ ସାଂସାରିକ ଜୀବନ ରାଜନୀତି ପରେ ସର୍ବଦା ଦ୍ବିତୀୟ ସ୍ଥାନରେ ରହୁଥିଲା; ସୁତରାଂ, ବନ୍ଦୀ ହେବା ପରେ ଵିନି ଓ ପିଲାମାନେ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲେ।

ପ୍ରଥମରୁ ଶେଷ ପୃଷ୍ଠା ଯାଏ ଷ୍ଟେନବର୍ଗଙ୍କ ପୁସ୍ତକ ଅତ୍ୟନ୍ତ ସୁଖପାଠ୍ୟ ଏବଂ ସେଥିରେ ମାଣ୍ଡେଲାଙ୍କ ୨୭ ବର୍ଷର ବନ୍ଦୀ ଜୀବନର ଘଟଣାବଳି ସବୁଠାରୁ ଅଧିକ ଗୁରୁତ୍ବ ପାଇଛି। ରୋବେନ୍‌ ଦ୍ବୀପରେ ନେଲସନ୍‌ ମାଣ୍ଡେଲା ପଥର ଭାଙ୍ଗିବା ଓ ଅନ୍ୟ କଠିନ ପରିଶ୍ରମ କରିବା ସମୟରେ ମଧ୍ୟ ‌େସ ତାଙ୍କର ଭବିଷ୍ୟତ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିଲେ। ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍‌ସି)ରେ ରହିଥିବା ବିଭିନ୍ନ ଗୋଷ୍ଠୀ ସମ୍ପର୍କରେ ଷ୍ଟେନବର୍ଗ ଅତି ଯତ୍ନର ସହ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ନେଲସନ୍‌ ଉଭୟ ହିଂସାପ୍ରିୟ କମ୍ୟୁନିଷ୍ଟ ଏବଂ ମଧ୍ୟମ ପନ୍ଥୀଙ୍କ ଭିତରେ ସ୍ଥାନ ପାଇଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସ୍ବାଧୀନତା ସଂଗ୍ରାମର ବିବରଣୀରେ ଷ୍ଟେନବର୍ଗ ସ୍ବୀକାର କରିଛନ୍ତି ଯେ ‘ଏ.ଏନ୍‌.ସି.’ ତାଙ୍କ ଜୀବନରେ ଏକମାତ୍ର ଗୁରୁତ୍ବପୂର୍ଣ୍ଣ ଉପାଦାନ ନଥିଲା। ସେହିପରି ପାନ୍‌ ଆଫ୍ରିକୀୟ କଂଗ୍ରେସ (ପିଏସି) ଓ ତାହାର ଚମତ୍କାରୀ ନେତା ରବର୍ଟ ସୋବୁକ୍ବେଙ୍କ ବିଷୟରେ ମଧ୍ୟ ପୁସ୍ତକଟିରେ ବିସ୍ତୃତ ଭାବରେ ଲେଖା ଯାଇଛି। ଶ୍ବେତାଙ୍ଗ ଓ ଭାରତୀୟଙ୍କ ପ୍ରତି ‘ଏ.ଏନ୍‌.ସି.’ ନିଜ ବାହୁ ପ୍ରସାରିତ ରଖିଥିବା ବେଳେ କେବଳ ଆଫ୍ରିକୀୟଙ୍କୁ ଜନ୍ମମାଟିର ପ୍ରକୃତ ବାସିନ୍ଦା ଭାବେ ଦେଖିବା ଉପଯୁକ୍ତ ବୋଲି ‘ପି.ଏ.ସି.’ ଭାବୁଥିଲା। ଏହାର ବିଚାରଧାରାକୁ ସୋବୁକ୍ବେ ଅସାଧାରଣ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରୁଥିଲେ, ଯାହାଙ୍କୁ ମାଣ୍ଡେଲା ନିଜର ପ୍ରତିଦ୍ବନ୍ଦ୍ବୀ ଓ ଏପରିକି ଏକ ବିପଦ ଭାବେ ବିବେଚନା କରୁଥିଲେ।

ଇତିମଧ୍ୟରେ ସୋୱେଟୋରେ ଵିନି ଏକ ଜୀବିକା ଲାଗି ପାଇଁ ଚେଷ୍ଟିତ ରହିଥିଲେ। ତାଙ୍କ ପିଲାମାନଙ୍କର ଲାଳନପାଳନ ପାଇଁ ଚାକିରି ଖୋଜିବାରେ ତାଙ୍କ ସଂଘର୍ଷ ଏବଂ ବର୍ଣ୍ଣବୈଷମ୍ୟବାଦୀ ରାଷ୍ଟ୍ର ଦ୍ବାରା ଦିଆଯାଉଥିବା ନିର୍ଯାତନା ଓ କାହାଣୀକୁ ଷ୍ଟେନବର୍ଗ ଚମତ୍କାର ଭା‌େବ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି କିଭଳି ଏକ ଉଲ୍ଲେଖନୀୟ ସାହସର ସହ ୱିନି କହିଥିଲେ ଯେ ବନ୍ଦୀଜୀବନ ବିତାଉଥିବା ନେଲସନ୍‌ଙ୍କ ପତ୍ନୀ ହିସାବରେ ସେ ଲୋକଙ୍କର ଜଣେ ନେତା ହେବେ, ଯଦିଓ ସେ ଜଣେ ନେତା ନୁହନ୍ତି। ସର୍ବଦା ସୌଖୀନ ପୋଷାକ ପିନ୍ଧି ନାଟକୀୟ ଆଭିମୁଖ୍ୟ ସହିତ ସେ ବିଦେଶୀ ସାମ୍ବାଦିକମାନଙ୍କୁ ଅନେକ ସାକ୍ଷାତକାର ଦେଇଥିଲେ, ଯାହା ନେଲସନ୍‌ ମାଣ୍ଡେଲା ଓ ତାଙ୍କ ସଂଗ୍ରାମକୁ ବିଦେଶରେ ଅଧିକ ପରିଚିତ କରାଇଥିଲା। ସେ ଦଳେ ଗୁଣ୍ଡା ଯୁବକଙ୍କ ପରିବେଷ୍ଟନୀରେ ରହୁଥିଲେ, ଯେଉଁମାନେ ଵିନିଙ୍କ ସହ ଘନିଷ୍ଠତାକୁ ବ୍ୟବହାର କରି ଲୋକଙ୍କୁ ଧମକାଉଥିଲେ ଏବଂ ମାଡ଼ ମାରୁଥିଲେ; ଏବଂ ଏପରିକି ବେଳେ ବେଳେ ହତ୍ୟା ମଧ୍ୟ କରୁଥିଲେ। ତେବେ ତାଙ୍କ ସୁରକ୍ଷାରେ ଥିବା ଲୋକଙ୍କ ଦ୍ବାରା ତାଙ୍କ ନାମରେ ହେଉଥିବା ହିଂସା ବିଷୟରେ ଵିନି ଅଜ୍ଞ ନ ଥିଲେ, ବରଂ ବେଳେ ବେ​ଳେ ସେଥିରେ ସଂପୃକ୍ତ ଥିଲେ ବୋଲି ଷ୍ଟେନବର୍ଗ ଦର୍ଶାଇଛନ୍ତି।

ଅଷ୍ଟମ ଦଶକର ଶେଷ ଭାଗରେ ଦକ୍ଷିଣ ଆଫ୍ରିକାର ଶ୍ବେତାଙ୍ଗ ଶାସକମାନେ ବିଳମ୍ବରେ ହେଲେ ମଧ୍ୟ ଏକ ନିଷ୍କର୍ଷରେ ପହଞ୍ଚି ସାରିଥିଲେ ଯେ ବର୍ତ୍ତମାନର ବର୍ଣ୍ଣବୈଷମ୍ୟ ବ୍ୟବସ୍ଥା ଅଧିକ କାଳ ସ୍ଥାୟୀ ହେବାକୁ ଯାଉ ନାହିଁ। ସୁତରାଂ, ସେମାନେ ଏଭଳି ଏକ ଅଖାଡୁଆ ସ୍ଥିତିରୁ ମୁକୁଳିବା ପାଇଁ ବାଟ ଖୋଜି ଜେଲ୍‌ରେ ଥିବା ନେଲସନ୍‌ ମାଣ୍ଡେଲାଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଆଲୋଚନାକାରୀଙ୍କ ମଧ୍ୟରେ ଥିଲେ ବର୍ଣ୍ଣବୈଷମ୍ୟ ଶାସନର ଦୁଇ ଜଣ ଶ୍ବେତାଙ୍ଗ ଗୁଇନ୍ଦା ଅଧିକାରୀ, ଯେଉଁମାନେ ମାଣ୍ଡେଲାଙ୍କ ସହ ବହୁ ସମୟ କାଟିବା ପରେ ଗୁପ୍ତ ନଥିରେ ଲେଖିଥିଲେ, ‘ତାଙ୍କୁ କିଣାଯାଇପାରିବା ବା ସେହି କ୍ରମରେ ତାଙ୍କ ରାଜନୈତିକ ଆଦର୍ଶ ସହିତ ସେ ବିଶ୍ବାସଘାତ କରିବା ସଂପୂର୍ଣ୍ଣ ଅସମ୍ଭବ ଥିଲା।’

ଏହି ଶବ୍ଦଗୁଡ଼ିକ ଏହି ଲେଖକକୁ, ୧୯୨୨ରେ ଅହମଦାବାଦରେ ମହାତ୍ମା ଗାନ୍ଧୀଙ୍କ ଦେଶଦ୍ରୋହ ମାମଲାର ବିଚାର ସମୟରେ ବିଚାରପତି ରବର୍ଟ ବ୍ରୁମଫିଲ୍‌ଡ ଦେଇଥିବା ମନ୍ତବ୍ୟ, ମନେ ପକାଇ ଦେଇଥିଲା। ଔପନିବେଶିକ ବିଚାରପତି ଗାନ୍ଧୀଙ୍କୁ କହିଥିଲେ, ‘ମୁଁ ବିଚାର କରିଥିବା କିମ୍ବା ବିଚାର କରିବାର ସମ୍ଭାବନା ଥିବା ଯେ କୌଣସି ବ୍ୟକ୍ତିଠାରୁ ଆପଣ ଭିନ୍ନ; ଆପଣ ଗୋଟିଏ ସ୍ବତନ୍ତ୍ର ଶ୍ରେଣୀର। ଆପଣଙ୍କ ଲକ୍ଷଲକ୍ଷ ଦେଶବାସୀଙ୍କ ଆଖିରେ ଆପଣ ଯେ ଜଣେ ମହାନ ନେତା ଓ ଦେଶଭକ୍ତ- ତାହାକୁ କେବେ ଅସ୍ବୀକାର କରିହେବ ନାହିଁ। ଏପରିକି ଯେଉଁମାନେ ଆପଣଙ୍କ ରାଜନୀତି ସହିତ ଏକମତ ନୁହନ୍ତି, ସେମାନେ ମଧ୍ୟ ଆପଣଙ୍କୁ ଜଣେ ଉଚ୍ଚ ଆଦର୍ଶର ଅଧିକାରୀ ଏବଂ ସନ୍ଥ ତୁଲ୍ୟ ବ୍ୟକ୍ତି ଭାବେ ଦେଖନ୍ତି।’ ଆଇନ ଅନୁଯାୟୀ ଗାନ୍ଧୀଙ୍କୁ ଛଅ ବର୍ଷ ଲାଗି କାରା ଦଣ୍ଡାଦେଶ ହେଲା ବେଳେ ବ୍ରୁମଫିଲ୍‌ଡଙ୍କ ଟିପ୍ପଣୀ ଥିଲା- ମୁଁ ଏତିକି କହିବି ଯେ ଯଦି ସରକାରଙ୍କୁ କହି ଏହି ଅବଧି ହ୍ରାସ କରିବା ଓ ଆପଣଙ୍କୁ ମୁକ୍ତ କରିବା ପାଇଁ ଯଦି ମୁଁ ଚେଷ୍ଟା କରି ସଫଳ ହୁଏ; ତେବେ ମୋ’ ଠାରୁ ଆଉ କେହି ଅଧିକ ଖୁସି ହେବେ ନାହିଁ।’

ବୋଧହୁଏ, ଏହା ହିଁ ଥିଲା ମାଣ୍ଡେଲା ଓ ଗାନ୍ଧୀଙ୍କ ମହାନତାର ପ୍ରକୃତ ସଂକେତ; ଏପରିକି ସେମାନଙ୍କୁ ଓ ସେମାନଙ୍କ ଲୋକମାନଙ୍କୁ ଅତ୍ୟାଚାର କରୁଥିବା ସାମ୍ରାଜ୍ୟବାଦୀଙ୍କ ମଧ୍ୟରେ ସେମାନେ ମାନବତା ଜାଗ୍ରତ କରାଇ ପାରିଥିଲେ।

ସତେଇଶ ବର୍ଷ ଜେଲ୍‌ରେ ରହିବା ପରେ ୧୯୯୦ ମସିହା, ଫେବ୍ରୁଆରିରେ ନେଲସନ୍‌ ମାଣ୍ଡେଲା ମୁକ୍ତ ହୋଇଥିଲେ। ​ଵିନିଙ୍କ ସହ ମିଶି ସେ ଗଣମାଧ୍ୟମ ଆଗରେ ଏକ ଜାତିହୀନ ତଥା ବାସ୍ତବରେ ଗଣତାନ୍ତ୍ରିକ ଦକ୍ଷିଣ ଆଫ୍ରିକା ପାଇଁ ତାଙ୍କର ଆଶା ବିଷୟରେ କହିଥିଲେ। କିନ୍ତୁ ବର୍ଷ ବର୍ଷ ଧରି ପରସ୍ପର ଠାରୁ ଦୂରେଇ ରହିବା ଫଳରେ ସେମାନଙ୍କ ଜୀବନଶୈଳୀ କ୍ରମେ ବେଖାପ ହୋଇପଡ଼ିଥିଲା। ଵିନିଙ୍କର ଅନେକ କାର୍ଯ୍ୟକଳାପ ବିଷୟରେ ଜାଣିବା ପରେ ନେଲସନ୍‌ କିଛି ମାତ୍ରାରେ ଆଘାତ ପାଇଥିଲେ; ସାମଗ୍ରିକ ଭାବେ ଵିନି ଓ ‘ଏ.ଏନ୍‌.ସି.’ ମଧ୍ୟରେ ଫାଟ ହିଁ ଅଧିକ କ୍ଷତିକାରକ ହୋଇଥିଲା। ତାଙ୍କ ଗୁଣ୍ଡାମାନେ କରିଥିବା ହିଂସାତ୍ମକ କାର୍ଯ୍ୟର ପ୍ରମାଣ ଅଧିକ ସଂଖ୍ୟାରେ ପଦାକୁ ଆସିଥିଲା। ତେଣୁ ବ୍ୟକ୍ତିଗତ ଓ ରାଜନୈତିକ ଦୃଷ୍ଟିରୁ ଉଭୟେ ପରସ୍ପର ଠାରୁ ଅଲଗା ହେବା ଅବଶ୍ୟମ୍ଭାବୀ ହୋଇପଡ଼ିଲା।

୧୯୯୬ରେ ନେଲସନ୍‌ ଓ ଵିନିଙ୍କର ବିଚ୍ଛେଦ ହୋଇଥିଲା। ୨୦୧୩ ମସିହା, ଡିସେମ୍ବରରେ ନେସଲନ୍‌ଙ୍କ ମୃତ୍ୟୁ ଓ ତାହାର ସାଢ଼େ ଚାରି ବର୍ଷ ପରେ ଵିନିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ପୁସ୍ତକ ସେମାନଙ୍କ ବ୍ୟକ୍ତିଗତ ଯାତ୍ରାକୁ ଅନୁସରଣ କରିଛି। ସେଥିରେ ଏକ ବିଶେଷ ହୃଦୟସ୍ପର୍ଶୀ ମୁହୂର୍ତ୍ତ ହେଉଛି ନେଲସନଙ୍କର ଅନ୍ତିମ ଅସୁସ୍ଥତା ସମୟରେ ଵିନି ତାଙ୍କୁ ଦେଖିବାକୁ ଆସିବା; ଏହା ସେହି ପୁରୁଣା ସ୍ମୃତିକୁ ତାଜା କରିଥିଲା, ଯେତେବେଳେ ସେ କାରାଗାରରୁ ତାଙ୍କ ପାଖକୁ ଅତ୍ୟନ୍ତ ଆବେଗଭରା ପ୍ରେମପତ୍ରମାନ ଲେଖୁଥିଲେ ଏବଂ ଯାହା ଏହି ପୁସ୍ତକରେ ଉଦ୍ଧୃତ।

କଠିନ ଗବେଷଣା ଓ ସୁନ୍ଦର ଭାବରେ ଲିଖିତ ଜନ୍ନି ଷ୍ଟେନବର୍ଗଙ୍କ ‘ଵିନି ଆଣ୍ଡ୍‌ ନେଲସନ୍‌’ ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ରୂପେ ତୀକ୍ଷ୍‌ଣ ଅନ୍ତର୍ଦୃଷ୍ଟିସଂପନ୍ନ। ଏହା ଏକ ବିବାହର, ଜଣେ ବ୍ୟକ୍ତିର, ଏକ ଦେଶର ଏବଂ ଏକ ସମୟର ଛବିକୁ ଚମତ୍କାର ଭାବରେ ଉପସ୍ଥାପନ କରିପାରିଛି। ଉକ୍ତ ପୁସ୍ତକ ଏକାଧାରରେ ଏକ ଜୀବନୀ, ଇତିହାସ, ରାଜନୈତିକ ଟିପ୍ପଣୀ ଓ ବର୍ଣ୍ଣନାତ୍ମକ ବାସ୍ତବ କାହାଣୀ; ଦକ୍ଷିଣ ଆଫ୍ରିକା ସମ୍ବନ୍ଧରେ କୌଣସି ଆଗ୍ରହ ରଖି ନଥିବା ବ୍ୟକ୍ତି ମଧ୍ୟ ଏହି ପୁସ୍ତକ ପାଠ କଲେ କୁତୂହଳୀ ଓ ଉତ୍ସାହିତ ହୋଇ ଉଠିବ ଏବଂ ସେ ସଂପର୍କିତ ଜ୍ଞାନରେ ସମୃଦ୍ଧ ହେବ।