ବିଶ୍ବ ଅର୍ଥନୈତିକ ସ୍ଥିତାବସ୍ଥାର ଏକ ପରିବର୍ତ୍ତନ ସଂକ୍ରାନ୍ତ ଖବର ହେଲା ଜି.ଡି.ପି. ବା ମୋଟ ଘରୋଇ ଉତ୍ପାଦ ଆଧାରରେ ଭାରତର ଏକଦା ଶାସକ ଦେଶ ସଂଯୁକ୍ତ ରାଜ୍ୟ ବା ୟୁ.କେ.କୁ ପଛରେ ପକାଇ ଆମ ଦେଶ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ପ୍ରଥମରୁ ଚତୁର୍ଥ ସ୍ଥାନରେ ଯଥାକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଜାପାନ ଓ ଜର୍ମାନୀ ପୂର୍ବପରି ରହିଛନ୍ତି।
ତେବେ, ନୈରାଶ୍ୟର କଥା ହେଲା ମୁଣ୍ଡପିଛା ଆୟ ହିସାବରେ ଭାରତ ହେଉଛି ପୃଥିବୀର ଅନ୍ୟତମ ଦରିଦ୍ରତମ ରାଷ୍ଟ୍ର। ଏପରିକି ଆଫ୍ରିକାର ଆଇଭରି କୋଷ୍ଟ୍ ଓ ଆଙ୍ଗୋଲା ପରି ଦରିଦ୍ର ଦେଶର ଲୋକଙ୍କ ଠାରୁ ମଧ୍ୟ ଭାରତୀୟମାନେ ଦରିଦ୍ରତର। ଆଇଭରି କୋଷ୍ଟ୍ର ଜଣେ ଲୋକର ବାର୍ଷିକ ହାରାହାରି ଆୟ ୨,୬୪୬ ଆମେରିକୀୟ ଡଲାର୍ ଏବଂ ଆଙ୍ଗୋଲାରେ ତାହା ହାରାହାରି ବାର୍ଷିକ ୩,୨୦୫ ଆମେରିକୀୟ ଡଲାର୍; ଅଥଚ ଜଣେ ଭାରତୀୟର ବାର୍ଷିକ ହାରାହାରି ଆୟ ହେଉଛି ୨,୬୦୧ ଆମେରିକୀୟ ଡଲାର୍। ମୁଣ୍ଡପିଛା ଆୟ ହିସାବରେ ଆମେରିକୀୟ (ଯୁକ୍ତରାଷ୍ଟ୍ର)ମାନେ ଆମଠୁଁ ୩୧ ଗୁଣ ଧନୀ, ଜର୍ମାନ୍ମାନେ ୨୦ ଗୁଣ, ଇଂରେଜମାନେ ୧୮ ଗୁଣ, ଫରାସୀମାନେ ୧୭ ଗୁଣ ଓ ଚୀନୀୟମାନେ ୫ ଗୁଣ ଅଧିକ ଧନୀ। ଦାରିଦ୍ର୍ୟ ଯୋଗୁଁ ବହୁ ସଂଖ୍ୟାରେ ଭାରତୀୟ ଦେଶ ଛାଡ଼ି ବିଦେଶକୁ ପଳାଇ ଯାଉଛନ୍ତି; ଏପରିକି ବେଆଇନ ଭାବେ ମଧ୍ୟ। ଅଳ୍ପ ଦିନ ତଳର ଏକ ଆମେରିକୀୟ ରିପୋର୍ଟ ଅନୁଯାୟୀ ଗଲା ୪ ବର୍ଷ ମଧ୍ୟରେ ବେଆଇନ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଚାଲି ଆସିଥିବା ଦେଢ଼ ଲକ୍ଷ ଭାରତୀୟଙ୍କୁ ଆମେରିକାରେ ଅଟକ ରଖାଯାଇଛି।
ପ୍ରସିଦ୍ଧ ଇଂରେଜୀ କଥାକାର ଇ.ଏମ୍. ଫଷ୍ଟର ଥରେ କହିଥିଲେ ଯେ ଟଙ୍କା ହେଉଛି ଖତ ପରି। ଯଦି ଗୋଟାଏ ଜାଗାରେ ଜମା ହୋଇ ରହିଲେ ଏ ଦୁଇଟି ଯାକ କୌଣସି କାମର ହୁଅନ୍ତି ନାହିଁ। ତଥ୍ୟ କହେ ଯେ ଏବେ ଭାରତରେ ମାତ୍ର ୧୬୯ ଜଣ ଲୋକଙ୍କ ପାଖରେ ସମୁଦାୟ ୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି (ଭାରତୀୟ ମୁଦ୍ରାରେ) ଗଚ୍ଛିତ ରହିଛି। ସ୍ମରଣ କରାଯାଇପାରେ ଯେ ଊନବିଂଶ ଶତାବ୍ଦୀରେ ସମ୍ପତ୍ତିର ସୁଷମ ବଣ୍ଟନର ଅଭାବରେ ରୁଷିଆରେ ଯେଉଁ ଅର୍ଥନୈତିକ ବୈଷମ୍ୟ ଉତ୍ପନ୍ନ ହୋଇଥିଲା ତାହାର ସମାପ୍ତି ଘଟିଥିଲା ରୁଷ ବିପ୍ଳବ ଏବଂ ତଜ୍ଜନିତ ସାମ୍ୟବାଦ ପ୍ରତିଷ୍ଠାରେ।
ଆଉ ଏକ ପ୍ରସଙ୍ଗରେ ମଧ୍ୟ ଭାରତ ଚର୍ଚ୍ଚାରେ ରହିଛି। ତାହା ହେଲା ପୃଥିବୀର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ଅନେକ ସହର ରହିଛନ୍ତି। ଏପରିକି ପ୍ରଥମ ୧୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୫ଟି ଭାରତୀୟ ସହର ଅଛନ୍ତି; ଯେମିତି କି ଦିଲ୍ଲୀ, ମୁଜାଫର୍ନଗର୍, ଗାଜିଆବାଦ, ପାଟନା ଓ ହାପୁର୍ (ଉତ୍ତରପ୍ରଦେଶ)। ରାଜଧାନୀ ଦିଲ୍ଲୀ ହେଉଛି ବିଶ୍ବର ଚତୁର୍ଥ ସର୍ବାଧିକ ପ୍ରଦୂଷିତ ସହର।
ଆଉ ଏକ ଖବର ମଧ୍ୟ ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତା’ ହେଉଛି ଚୀନ୍କୁ ପଛରେ ପକାଇ ଭାରତ ହୋଇଯାଇଛି ବିଶ୍ବର ସବୁଠୁ ଜନବହୁଳ ଦେଶ। ଜାତିସଂଘର ତଥ୍ୟାନୁଯାୟୀ ଭାରତର ଲୋକସଂଖ୍ୟା ଏବେ ୧୪୨ େକାଟି ୮୬ ଲକ୍ଷ ଏବଂ ଚୀନ୍ର ଲୋକସଂଖ୍ୟା ୧୪୨ କୋଟି ୫୭ ଲକ୍ଷ। ଭାରତର ଜନସଂଖ୍ୟାର ଘନତ୍ବ ଏବେ ବର୍ଗ କିଲୋମିଟର ପିଛା ପ୍ରାୟ ୪୩୨। ଚୀନରେ ଏହା ହେଉଛି ୧୫୪ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ମାତ୍ର ୩୬। ଏଠାରେ ଉଲ୍ଲେଖଯୋଗ୍ୟ ଯେ କ୍ଷେତ୍ରଫଳ ଆଧାରରେ ଭାରତ ଠାରୁ ଚୀନ୍ ପ୍ରାୟ ୩ ଗୁଣ ବଡ଼ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ପ୍ରାୟ ୩ ଗୁଣ ବଡ଼। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଲୋକସଂଖ୍ୟା ଭାରତର ଚାରି ଭାଗରୁ ଭାଗେ।
ବହୁ ଦିନରୁ କେହି କେହି କହିବା ଶୁଣାଯାଏ ଯେ ଭାରତର ସବୁଠୁ ବଡ଼ ସମସ୍ୟା ହେଉଛି ଦୁର୍ନୀତି, ଜନସଂଖ୍ୟା ଓ ପ୍ରଦୂଷଣ (କରପ୍ସନ୍, ପପୁଲେସନ୍ ଆଣ୍ଡ ପଲ୍ୟୁସନ)। ଆଗାମୀ ଦିନରେ ଏହି ସମସ୍ୟାମାନଙ୍କରୁ ମୁକ୍ତି ଲାଗି ଆମର ପଦକ୍ଷେପ କ’ଣ ହେବ ସେ ନେଇ ଏବେ ସମସ୍ତେ ଚିନ୍ତିତ। ବର୍ତ୍ତମାନ ଯଦିଓ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ପରିଚିତି ଲାଭ କରିଛି, ଉପରୋକ୍ତି ତିନିଟି ଯାକ ବିଷୟରେ ଉନ୍ନତି ନ ଘଟିଲେ ବିଶ୍ବ ଦର୍ପଣେର ଭାରତର ଚେହେରା ଉଜ୍ଜ୍ବଳ ଦିଶିବ ନାହିଁ।
ମୋ: ୯୪୩୭୩୫୭୦୫୦
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ed-23b.jpg)