ସମ୍ରାଟ ଆକବରଙ୍କ ସମୟରେ ରାଜଧାନୀ ପାଖରେ ଜଣେ ଫକିର ରହୁଥିଲେ। ତାଙ୍କର ବୃଦ୍ଧାବସ୍ଥା ପହଞ୍ଚିବାରୁ ସେ ଥରେ ଘୋଷଣା କଲେ ଯେ ସେ ପାଇଥିବା ଅଥଚ ଖର୍ଚ୍ଚ କରି ନ ଥିବା କିଛି ସୁନା ମୋହର ତାଙ୍କ ପାଖରେ ରହିଛି। ସେ ତାକୁ ରାଜଧାନୀର ସବୁଠାରୁ ଅଧିକ ଗରିବ ଲୋକକୁ ଦେବାକୁ ଚାହାଁନ୍ତି।
ଏହା ଶୁଣି ଅନେକ ଲୋକ ତାଙ୍କ କୁଡ଼ିଆରେ ପହଞ୍ଚିଲେ। ସେମାନେ ଥିଲେ ଏକୁ ଆରେକ ବଳି ଦରିଦ୍ର। କିନ୍ତୁ ଫକିରଙ୍କ ମନ ମାନିଲା ନାହିଁ। ସେ କେବଳ କହିବାକୁ ଲାଗିଲେ ଯେ ସବୁଠାରୁ ଅଧିକ ଦରିଦ୍ର ଭିକାରି ଏ ଯାବତ୍ ତାଙ୍କୁ ମିଳିନାହିଁ। ଲୋକେ ଭାବିଲେ ଯେ ଫକିର ପାଗଳ ହୋଇ ଯାଇଛନ୍ତି। ଏ ଖବର ଆକବରଙ୍କ ପାଖକୁ ଗଲା। ସେ ନିଜେ ଫକିରଙ୍କୁ େଦଖିବା ଲାଗି ଆସିଲେ। ସମ୍ରାଟଙ୍କୁ ଦେଖିବା ମାତ୍ରକେ ଫକିର ତାଙ୍କ ସୁନା ମୋହର ଥିବା ମୁଣିଟିକୁ ତାଙ୍କୁ ଧରାଇ ଦେଇ କହିଲେ- ଯାହାଙ୍କୁ ଖୋଜୁଥିଲି, ପାଇଗଲି।
ଏବେ ଲୋକେ କହିଲେ- ସତରେ ଫକିର ବାୟା ହୋଇ ଯାଇଛି।
କିନ୍ତୁ ଆକବର କହିଲେ- ରହ, ତାଙ୍କ କଥାର ଅସଲ ମର୍ମ କ’ଣ ବୁଝିବା। ଫକିର ହାଲୁକା ଲୋକ ନୁହନ୍ତି।
ତେଣୁ ଆବକର ଏହାର କାରଣ ଜାଣିବାକୁ ଚାହିଁବାରୁ ଫକିର କହିଲେ- କାରଣଟି ଅତି ସରଳ। ଯେଉଁମାନଙ୍କ ପାଖରେ କିଛି ନାହିଁ, ସେମାନେ ଭିକ୍ଷା ମାଗିବା ସ୍ବାଭାବିକ। ସେମାନେ ଦରିଦ୍ର। କିନ୍ତୁ ଆପଣଙ୍କ ପାଖରେ ସବୁ କିଛି ଥାଇ ବି ଆପଣଙ୍କ ଲୋଭ ମେଣ୍ଟୁ ନାହିଁ। ନୂଆ ରାଜ୍ୟ ଜୟ କରୁଛନ୍ତି, ନୂଆ ଉପାୟରେ ଟଙ୍କା ଅର୍ଜନ କରିବା ବିଷୟରେ ଭାବି ଚାଲିଛନ୍ତି। ତେଣୁ ଆପଣଙ୍କ ଠାରୁ ଅଧିକ ବଡ଼ ଦରିଦ୍ର ବା ଭିକାରି ଆଉ କିଏ ହେବ?