ଜି-୨୦ ସମ୍ମେଳନ କାଶ୍ମୀରରେ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଗଲା ମେ’ ୨୨ରୁ ୨୪ ଯାଏ ଶ୍ରୀନଗରରେ ଜି-୨୦ ପର୍ଯ୍ୟଟକ ସମ୍ମେଳନ ଅନୁଷ୍ଠିତ ହେଲା। ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ପଦ ଭାରତ ଏବେ ମଣ୍ଡନ କରୁଥିବାରୁ ବର୍ଷ ତମାମ ବିଭିନ୍ନ ସ୍ଥାନରେ ବିଭିନ୍ନ ବିଷୟବସ୍ତୁକୁ ନେଇ ଭାରତ ସମ୍ମେଳନମାନ ଆୟୋଜନ କରିବାକୁ ଯାଉଛି। ଏଥିରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ପ୍ରତିନିଧିମାନେ ଯୋଗଦେବେ। ତେବେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତ ବିରୋଧୀ ତତ୍ତ୍ୱମାନେ ଏହି ଅଧିବେଶନର ସମାଲୋଚନା କରୁଛନ୍ତି; ଯେଉଁମାନଙ୍କ ମଧ୍ୟରେ ଜାତିସଂଘର ପ୍ରତିନିଧି ମଧ୍ୟ ଅଛନ୍ତି। ସେମାନେ ଆପତ୍ତି ଉଠାଉଛନ୍ତି ଯେ ଭାରତ ସରକାର କାଶ୍ମୀରରେ ସଂଖ୍ୟାଲଘୁମାନଙ୍କୁ ନିର୍ଯାତନା ଦେଉଛି ଓ ଜି-୨୦ ଅଧିବେଶନର ଆୟୋଜନ କରି ଭାରତରେ ସେମିତି କିଛି ଘଟୁନାହିଁ ବୋଲି ମିଥ୍ୟା ପ୍ରଚାର କରିବାକୁ ଚାହୁଁଛି। ଚୀନ ଏପରି ପ୍ରଚାରରେ ଅଂଶଗ୍ରହଣ କରୁଛି ଓ ସାଉଦି ଆରବ, ମାଲେସିଆ, ତୁର୍କୀ; ଏଇ ସମ୍ମେଳନରେ ଯୋଗ ଦେଉ ନାହାନ୍ତି।

ଗତ ଅଗଷ୍ଟ ୫, ୨୦୧୯ରେ ଭାରତର ସମ୍ବିଧାନରେ ସଂଶୋଧନ କରାଯାଇ ଜାମ୍ମୁ କାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରାଗଲା। ଯାହା ଫଳରେ ସ୍ୱାଧୀନତା ପରେ ସେ ରାଜ୍ୟକୁ ଯେଉଁ ସ୍ୱତନ୍ତ୍ର ପାହ୍ୟା ବା ସୁବିଧା ଦିଆଯାଇଥିଲା, ସେ ସବୁକୁ ଉଚ୍ଛେଦ କରାଯାଇଛି। ଭାରତର ଯୁକ୍ତି ହେଲା, ଯଦି କାଶ୍ମୀର ଏ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ, ତେବେ ଏଇ ରାଜ୍ୟ ପାଇଁ ସ୍ୱତନ୍ତ୍ର ଆଇନମାନ ଲାଗୁ ହେବ କାହିଁକି? ପାକିସ୍ତାନ ନେତୃତ୍ୱରେ ସାରା ବିଶ୍ୱରେ ଗୋଟିଏ କ୍ଷୁଦ୍ର ଗୋଷ୍ଠୀ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରି ଚାଲିଛନ୍ତି ଏବଂ ଏହି ସମ୍ମେଳନ ସେଠାରେ କେମିତି ଆୟୋଜିତ ନ ହେଉ ସେ ସମ୍ପର୍କର ଉଦ୍ୟମରତ ଅଛନ୍ତି। ସେଥିପାଇଁ ଅନେକ ସମୟରେ ସେ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟାଇଛନ୍ତି; ଯେମିତି କୌଣସି ବିଦେଶୀ ପ୍ରତିନିଧି ସେଠାକୁ ଆସିବାକୁ ସାହସ କରିପାରିବେ ନାହିଁ। ନିକଟ ଅତୀତରେ ପୁଂଚ-ରାଜୌରୀ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ତା’ର ଏକ ପ୍ରମାଣ ଅଟେ। ଏହି ସମ୍ମେଳନର ଆୟୋଜକମାନେ ମଧ୍ୟ ଜାଣନ୍ତି ଯେ ଏଠାରେ ଆତଙ୍କବାଦୀ ଆକ୍ରମଣ ହୋଇ ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଉଦ୍ୟମ ହେଉଛି। ସୁରକ୍ଷା ବାହିନୀ ଭଲ କରି ଜାଣିଛନ୍ତି ଯେ ଏଠାରେ ଯଦି ସଫଳତାର ସହ ସମ୍ମେଳନର ଆୟୋଜନ ହୋଇଯାଏ, ତେବେ ଏହି ରାଜ୍ୟର ଅବସ୍ଥା ଶାନ୍ତ ଓ ସ୍ୱାଭାବିକ ଅଛି ବୋଲି ବାର୍ତ୍ତା ଯିବ ଏବଂ ସାରା ବିଶ୍ୱରେ ଭାରତର ସମ୍ମାନ ବଢ଼ିବ। ଭାରତର ସଂଖ୍ୟାଲଘୁ ସଂପ୍ରଦାୟ, ଯେଉଁମାନଙ୍କ ସଂଖ୍ୟା କାଶ୍ମୀର ଉପତ୍ୟକାରେ ଅନେକ ବେଶି; ସେମାନେ ମଧ୍ୟ ଭାରତର ବିରୋଧୀ ନୁହନ୍ତି ବୋଲି ବାର୍ତ୍ତା ଯିବ। ଜାମ୍ମୁ କାଶ୍ମୀରକୁ ବର୍ତ୍ତମାନ ପାଇଁ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲେ ମଧ୍ୟ ତାହା ସେ ଅଞ୍ଚଳରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିନାହିଁ ବୋଲି ମଧ୍ୟ ବିଶ୍ୱ ଆଗରେ ପ୍ରମାଣିତ ହେବ।

ଏଠାରେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦୀମାନେ ବାରମ୍ବାର ଆକ୍ରମଣ କରି ହତ୍ୟା ଓ ଆତଙ୍କ ସୃଷ୍ଟି କରୁଥିବାରୁ ଏହି ଅତି ମନୋରମ ଓ ଆକର୍ଷକ ଅଞ୍ଚଳ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କର ଭ୍ରମଣ ସୂଚିରେ ନାହିଁ। ଗତ ୩୩ ବର୍ଷ ଧରି ସେଠାରେ ଅଧିକାଂଶ ସମୟରେ ରାସ୍ତା ଉପରେ ବୋମା ବିସ୍ଫୋରଣ ଓ ହତ୍ୟାକାଣ୍ଡମାନ ଚାଲିଛି। ମୁଖ୍ୟତଃ ଏହି କାରଣ ଯୋଗୁଁ ଏଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଯଥେଷ୍ଟ ପୁଞ୍ଜି ଲଗାଣ ହୋଇପାରୁ ନାହିଁ। ତେବେ ଯଦିଓ ଗତ ୪ ବର୍ଷରେ ଜାମ୍ମୁ କାଶ୍ମୀରରେ ପୂର୍ବରୁ ଘଟୁଥିବା ପାକିସ୍ତାନ ପ୍ରୋତ୍ସାହିତ ଛାୟା ଯୁଦ୍ଧର ହିଂସା ଅନେକ ପରିମାଣରେ କମିଯାଇଛି, ତଥାପି ମଝିରେ ମଝିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ହିଂସା ଘଟୁଥିବାରୁ ତାହା ପର୍ଯ୍ୟଟନ ପାଇଁ ବାତାବରଣକୁ ନଷ୍ଟ କରିଦେଉଛି।

ଅବଶ୍ୟ ଏବେ ପାକିସ୍ତାନ ତୀବ୍ର ରାଜନୈତିକ ଏବଂ ଅର୍ଥିକ ଅସ୍ଥିରତା ମଧ୍ୟରେ ଗତି କରୁଛି, ତଥାପି ଏଭଳି ବାର୍ତ୍ତା ପ୍ରଚାର କରିବାର କୌଣସି ସୁଯୋଗ ଛାଡୁ ନାହିଁ ଯେ ଭାରତ କେବଳ ବନ୍ଧୁକ ମୁନରେ କାଶ୍ମୀରକୁ ଅକ୍ତିଆର କରି ରଖିଛି। ଇତି ମଧ୍ୟରେ ଭାରତର ସୁରକ୍ଷା ବଳ ପାକିସ୍ତାନ ପ୍ରେରିତ ଅନେକ ଆତଙ୍କବାଦୀ ଓ ବିଛିନ୍ନତାବାଦୀମାନଙ୍କୁ ମାରି ଦେଇସାରିଲେଣି। କିନ୍ତୁ ଭାରତକୁ ବଦନାମ କରିବାର ମତଲବ ପାକିସ୍ତାନର ପୂର୍ବ ପରି ରହିଛି। ଏତିକି ବେଳେ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଏକ ଆନ୍ତର୍ଜାତିକ ସମ୍ମେଳନ ସଫଳତାର ସହ ଆୟୋଜିତ ହୋଇଥିବା ଦ୍ବାରା ବିଶ୍ୱ ଆଗରେ ପାକିସ୍ତାନର ଟାଣ ପଣ ଆଉ ରହିବ ନାହିଁ। ଏହାଛଡ଼ା କାଶ୍ମୀରରେ ଯେ ସ୍ଥିରତା ଫେରିଆସିଲାଣି, ଏ କଥା ପ୍ରମାଣିତ କରିବା ଭାରତ ପକ୍ଷରେ ସହଜ ହେବ। ଯେଉଁମାନେ ବିଛିନ୍ନତାବାଦରେ ବିଶ୍ୱାସ କରନ୍ତି ଓ କାଶ୍ମୀରରେ ହିଂସା ତଥା ଅସ୍ଥିରତା ସୃଷ୍ଟି କରିବାକୁ ଚାହାଁନ୍ତି, ସେମାନେ ସଦା ବେଳେ ଚାହାଁନ୍ତି ଯେ ଭାରତ ଏହି ଛାୟା ଯୁଦ୍ଧରେ ପରାସ୍ତ ହେଉ। ତେବେ ଅନ୍ୟ ପକ୍ଷରେ ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ନେଇ କାଶ୍ମୀର ଉପତ୍ୟକାରେ ଯେଉଁ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି, ତାହା ଭାରତ ବିଶ୍ୱ ଆଗରେ ପ୍ରମାଣିତ କରିବାକୁ ଚାହୁଁଛି। ଏବେ କାଶ୍ମୀରରେ ଯେଉଁ ସ୍ୱଳ୍ପ ସ୍ତରର ହିଂସାକାଣ୍ଡ ଘଟୁଛି ତା’ର ସଫଳ ମୁକାବଲା କରିବା ପାଇଁ ଭାରତ ସକ୍ଷମ ବୋଲି ଭାରତ ସରକାର ମଧ୍ୟ ଏକ ବାର୍ତ୍ତା‌ ଦେବାକୁ ଚାହାଁନ୍ତି।

ଅନ୍ୟ ପକ୍ଷରେ ପାକିିସ୍ତାନ ପକ୍ଷରୁ ବିଶ୍ୱ ଆଗରେ ଉପସ୍ଥାପନ କରାଯାଉଛି ଯେ ଭାରତ କେବଳ ତା’ର ସାମରିକ ଶକ୍ତିର ପ୍ରୟୋଗ କରି କାଶ୍ମୀରକୁ ଦଖଲ କରି ରଖିଛି। ସେଠାରେ ସାମରିକ ଶକ୍ତି ହେଉଛି ଭାରତ ସରକାରଙ୍କର ଏକମାତ୍ର ଶକ୍ତି। ଏଥିପାଇଁ ସେଠାକାର ଜନସାଧାରଣ, ଯେଉଁମାନେ ମୁଖ୍ୟତଃ ସଂଖ୍ୟାଲଘୁ ସେମାନେ ଅତ୍ୟନ୍ତ ଅସନ୍ତୁଷ୍ଟ।

ଏହି ପ୍ରକାର ଅବଧାରଣାର ସୁଯୋଗ ନେଇ ଭାରତ ବିରୋଧୀ ଶକ୍ତିମାନେ ପ୍ରମାଣ କରିବାକୁ ଚାହାଁନ୍ତି ଯେ ଭାରତର କ୍ଷତି କରିବା ଲାଗି ସେମାନଙ୍କର ବ୍ୟାପକ ଶକ୍ତି ଅଛି। ଅବଶ୍ୟ ଭାରତୀୟ ପକ୍ଷର ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀମାନେ ଏ ଧରଣ ବଡ଼ ଆକ୍ରମଣ ହୁଏତ କରି ପାରୁ ନାହାନ୍ତି। କିନ୍ତୁ ସୁରକ୍ଷା ବାହିନୀର ନିୟନ୍ତ୍ରଣକୁ ଅତିକ୍ରମ କରି ଆତଙ୍କବାଦୀମାନେ ଏପରି ଆକ୍ରମଣ ରଚାଇବାକୁ ସଦାବେଳେ ପ୍ରଚେଷ୍ଟାରତ ରହିବେ। ଅବଶ୍ୟ ଏହା ସତ୍ୟ ଯେ, କାଶ୍ମୀରର ଅନ୍ୟ ଅଞ୍ଚଳମାନଙ୍କ ଅପେକ୍ଷା ରାଜଧାନୀ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା ବହୁ ଅଧିକ କଡ଼ାକଡ଼ି ରହିଛି ତଥା ରହିବ। କାରଣ ଯଦି ଦୈବାତ୍‌ ଏକ ଗୁରୁତର ଘଟଣା ଘଟେ, ତେବେ ଭାରତୀୟ ସୁରକ୍ଷା ବାହିନୀର କ୍ଷମତା ଉପରେ ଅନେକ ପ୍ରଶ୍ନବାଚୀ ଲାଗିବ। ଭାରତ ଯେ କାଶ୍ମୀରକୁ ସ୍ଥିର ଓ ଶାନ୍ତ ରଖିପାରେ, ବିଶ୍ୱ ନିକଟକୁ ଆଉ ଏହି ବାର୍ତ୍ତା ଯିବ ନାହିଁ। କିନ୍ତୁ କଥା ହେଲା, ଶ୍ରୀନଗର ବାହାରେ ଏହି ଧରଣର ଆକ୍ରମଣ ଯେ କୌଣସି ସ୍ଥାନରେ ହୋଇପାରେ। କାରଣ ଭାରତର ଅଧିକାଂଶ ରାଜ୍ୟମାନଙ୍କ ପରି କାଶ୍ମୀର ଉପତ୍ୟକା ସମତଳ ନୁହେଁ। ଏଠାକାର ଭୌଗୋଳିକ ଅବସ୍ଥାକୁ ଅଧିକାଂଶ ଲୋକ ଠିକ୍ ଭାବରେ ଜାଣି ନାହାନ୍ତି। ତେଣୁ କାଶ୍ମୀରର ଯେ କୌଣସି ସ୍ଥାନରେ ଆତଙ୍କାବାଦୀ ଆକ୍ରମଣ ହେଲେ ତା’ର ସମ୍ବାଦଟି ସାରା ରାଜ୍ୟକୁ ବ୍ୟାପିଯିବ। କାଶ୍ମୀର ଉପତ୍ୟକାର ଦକ୍ଷିଣକୁ ଥିବା ପିରପାଞ୍ଜାଲ ଅଞ୍ଚଳର ଏକ ଘାତକ ଆତଙ୍କବାଦୀ ଆକ୍ରମଣ ହେଲେ ବର୍ତ୍ତମାନର ଅତି ଆଧୁନିକ ଦୂରସଂଚାର ବ୍ୟବସ୍ଥାରେ ଏଇ ଘଟଣାର ଖବର ଅତି ଦ୍ରୁତ ବେଗରେ ସାରା ରାଜ୍ୟ ଓ ଅନ୍ୟାନ୍ୟ ଅଞ୍ଚଳ ଏପରିକି ଭାରତ ବାହାରକୁ ମଧ୍ୟ ବ୍ୟାପିଯିବ। ତେଣୁ, ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯିବାର ଆବଶ୍ୟକତା ଅଛି।

ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ କେବଳ ଗୋଟାଏ ବଡ଼ ଧରଣର ଆକ୍ରମଣ ନ ହୋଇ ଯଦି ଏକାଧିକ ଜାଗାରେ ଛୋଟଛୋଟ ବିସ୍ଫୋରଣ ଓ ଆକ୍ରମଣ ଘଟିବ, ତେବେ ଆତଙ୍କବାଦୀମାନେ ଏହାକୁ ବିରାଟ ଆତଙ୍କବାଦୀ କାର୍ଯ୍ୟପଳାପ ରୂପେ ପ୍ରଚାର କରିପାରନ୍ତି। ଏ ଧରଣର ଏକାଧିକ ଛୋଟ ଆକ୍ରମଣ ବାବଦରେ ପ୍ରଚାର କିଛି କମ୍ ପ୍ରଭାବଶାଳୀ ହେବ ନାହିଁ। ଏଠାକାର ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ହତ୍ୟା କରିବା ଆତଙ୍କବାଦୀମାନଙ୍କର ଏକ ପ୍ରିୟ ଆକ୍ରମଣ କୌଶଳ ହୋଇଛି ଓ ତାହାକୁ ବନ୍ଦ କରିବା ମଧ୍ୟ ଏତେ ସହଜ ନୁହେଁ। ଉଦାହରଣ ସ୍ୱରୂପ ଗତ ୨୩ ବର୍ଷ ତଳେ ମାର୍ଚ୍ଚ ୧୯, ୨୦୦୦ରେ ଯେତେବେଳେ ଆମେରିକାର ତଦାନୀନ୍ତନ ରାଷ୍ଟ୍ରପତି ବିିଲ୍ କ୍ଲିଣ୍ଟନ ଭାରତ ଗସ୍ତରେ ଆସିବାକୁ ଥିଲେ ସେତେବେଳେ ତାଙ୍କ ଦୃଷ୍ଟିକୁ ଆଣିବା ପାଇଁ କାଶ୍ମୀରର ଚିଟ୍ଟିସିଂହପୁରରେ ୩୬ ଜଣ ଶିଖଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହା ଦ୍ୱାରା ଆତଙ୍କବାଦୀ ଓ ବିଛିନ୍ନତାବାଦୀଙ୍କ ଶକ୍ତି ସମ୍ପର୍କରେ ଏକ ନକାରାତ୍ମକ ବାର୍ତ୍ତା ସାରା ବିଶ୍ୱକୁ ଚାଲିଯାଇଥିଲା। ସେହିପରି ଯେତେବେଳେ କାର୍‌ଗିଲ୍ ପାହାଡ଼ ଉପରକୁ ପାକିସ୍ତାନୀମାନେ ପ୍ରବେଶ କରିଥିଲେ, ସେତେବେଳେ ମଧ୍ୟ ଆତଙ୍କବାଦୀମାନେ ବିଶ୍ୱକୁ ସେମାନଙ୍କ କ୍ଷତିକାରକ ଶକ୍ତି ବିଷୟରେ ଏକ ସଂକେତ ଦେଇଥିଲେ। ଗତ ୨୦୧୯ ଫେବ୍ରୁଆରିର ଲୋକସଭା ନିର୍ବାଚନ ପୂର୍ବରୁ କାଶ୍ମୀରରେ ଅର୍ଦ୍ଧସାମରିକ ବାହିନୀର ସଦସ୍ୟମାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇ ୪୨ ଜଣଙ୍କର ମୃତ୍ୟୁ ହେଲା, ସେତେବେଳେ ମଧ୍ୟ ଏକ ନକାରାତ୍ମକ ସଂକେତ ଭାରତୀୟ ସୁରକ୍ଷା ବାହିନୀ ସମ୍ପର୍କରେ ଯାଇଥିଲା। କିନ୍ତୁ ରାସ୍ତାରେ ଯାଉଥିବା ଗାଡ଼ିମାନଙ୍କ ସୁରକ୍ଷା ସମ୍ପର୍କରେ କୌଣସି ନିଶ୍ଚିତତା କେହି ଦେଇ ପାରିବେ ନାହିଁ। କେବଳ ଏହି ସମ୍ମେଳନ ବେଳେ ଯାନବାହନ ନିୟନ୍ତ୍ରଣ କରିବା କେବଳ ସୁରକ୍ଷାର ଏକମାତ୍ର ଉପାୟ ହୋଇପାରେ।

ତେବେ ୨୦ଟି ବିଦେଶୀ ରାଷ୍ଟ୍ରର ପ୍ରତିନିଧି ଏହି ଅଧିବେଶନରେ ଉପସ୍ଥିତ ରହିବା ଆତଙ୍କବାଦୀମାନଙ୍କ ପାଇଁ ଏକ ଲୋଭନୀୟ ସ୍ଥିତି ଥିଲା ଯେତେବେଳେ ସେମାନେ ଏକ ବଡ଼ ଧରଣର ହିଂସା ସୃଷ୍ଟି କରି କାଶ୍ମୀରରେ ଶାନ୍ତି ରକ୍ଷା କରିବାର କ୍ଷମତା ଭାରତର ନାହିଁ ବୋଲି ଏକ ପ୍ରଚାର କରି ପାରିଥାଆନ୍ତେ। ଅବଶ୍ୟ ଏହା ସତ୍ୟ ଯେ, କାଶ୍ମୀରର ଗଣମାଧ୍ୟମ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ନୁହେଁ। ସେଥିପାଇଁ ଅନେକ ସମୟରେ ସେଠାରେ ରାଷ୍ଟ୍ର ବିରୋଧୀ ତତ୍ତ୍ୱମାନେ ବ୍ୟାପକ ଭାରତ ବିରୋଧୀ ବିବରଣୀ ଗଣମାଧ୍ୟମରେ ପ୍ରକାଶ କରିଥାନ୍ତି।

ଏକଥା ମଧ୍ୟ ସତ୍ୟ ଯେ, ପୂର୍ବରୁ ରାସ୍ତା ଉପରେ ପୁଲିସ୍ ଉପରକୁ ଟେକାପଥର ମରାଯିବା ସେଠାର ଯୁବପିଢ଼ି ପାଇଁ ଅଭ୍ୟାସ ହୋଇଥିଲା। ଏବେ ସେପରି ଅବସ୍ଥା ନାହିଁ। ସେଠାରେ ସୁରକ୍ଷା ବ୍ୟବସ୍ଥା ଏବେ ଅତି କଡ଼ାକଡ଼ି ସ୍ତରରେ ଅଛି। ଏଣୁ ସେଠାରେ ଏକ ଆନ୍ତର୍ଜାତିକ ସମ୍ମେଳନ ଶାନ୍ତି ଓ ଶୃଙ୍ଖଳାରେ ଆୟୋଜିତ ହୋଇଥିବାରୁ ବିଦେଶୀ ପର୍ଯ୍ୟକମାନଙ୍କୁ ଏହି ଅତି ସୌନ୍ଦର୍ଯ୍ୟରେ ଭରା ପ୍ରଦେଶ ଆକର୍ଷଣ କରିପାରିବାର ସମ୍ଭାବନା ରହିଛି। ତେଣୁ ବିଦେଶୀ ପର୍ଯ୍ୟଟକ କାଶ୍ମୀରକୁ ଆସିବାର ବାଟ ଫିଟିବ। ଏହି ଜି-୨୦ ସମ୍ମିଳନୀର ସଫଳତା କେବଳ କୂଟନୈତିକ ଦୃଷ୍ଟିକୋଣରୁ ନୁହେଁ, ବାଣିଜ୍ୟିକ ଦୃଷ୍ଟିକୋଣରୁ ମଧ୍ୟ ଦେଖାଯିବା ଆବଶ୍ୟକ। ଜାମ୍ମୁ କାଶ୍ମୀର ଜନସାଧାରଣଙ୍କର ମୁଖ୍ୟ ଆୟ ହେଉଛି ପର୍ଯ୍ୟଟନ। ଜି-୨୦ ସମ୍ମେଳନର ସଫଳତା ଏହି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରି ଲୋକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ଏହି ସୁଯୋଗ ଜାମ୍ମୁ କାଶ୍ମୀର ସମ୍ପର୍କରେ ଅନେକ ସକାରାତ୍ମକ ସଂକେତ ସାରା ବିଶ୍ୱକୁ ପଠାଇପାରେ।

ମୋ: ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର