ଭାରତରେ କଂଗ୍ରେସ, ମୁସଲିମ୍ ଲିଗ୍ ମିଶି ଅନ୍ତରୀଣ ସରକାର ସିନା ଗଢ଼ିଥିଲେ ହେଲେ ସଂବିଧାନ ତିଆରି ବେଳେ ଏ ମିଳିତ ମନୋଭାବ ସାମାନ୍ୟ ବି ରହିଲା ନାହିଁ। ସଂବିଧାନ ପ୍ରଣୟନକାରୀ ସଭା ସକାଶେ ହୋଇଥିବା ନିର୍ବାଚନରେ ଭାଗ ନେଇଥିେଲ ବି ଠିକ୍ ବେଳରେ ମୁସଲିମ୍ ଲିଗ୍ ସେଥିରେ ଅସହଯୋଗ କରିଥିଲା। ଜଣା ପଡ଼ିଯାଇଥିଲା ଯେ ମୁସ୍ଲିମ୍ ଲିଗ୍ ନାମକୁ ମାତ୍ର ସରକାରରେ ସାମିଲ ହୋଇଛି। ମୂଳ ଉଦ୍ଦେଶ୍ୟ, ଶାସନକୁ ଅଚଳ କରି ନିଜ ସ୍ବାର୍ଥ ସାଧନ କରିବା। ତାହା ହିଁ ହୋଇଥିଲା ଶେଷରେ।
ଏଇଠି ଗାନ୍ଧୀଜୀଙ୍କୁ ମନେ ପକାଇବା ଦରକାର। ସ୍ବାଧୀନତା ମିଳିବାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ଗାନ୍ଧୀଜୀଙ୍କୁ ଭାରତ ବିଭାଜନ ପାଇଁ ଦାୟୀ କରନ୍ତି। ଗାନ୍ଧୀ-ସପକ୍ଷବାଦୀମାନେ ସୁଦ୍ଧା ବିଚାର କରନ୍ତି ଯେ ଭାରତ ବିଭାଜିତ ନ ହେଉ ବୋଲି ଜିଦ୍ କରି ସେ ଯଦି ଅନଶନ କରିଥାନ୍ତେ ତେବେ ବିଭାଜନ ରୋକା ଯାଇପାରିଥାନ୍ତା। ଏଭଳି କଥାଗୁଡ଼ିକ ପୂରାପୂରି ଅବାନ୍ତର। ପରିବେଶ, ପରିସ୍ଥିତି ଓ ମନୋଭାବ ସବୁ ବଦଳି ଯାଇଥିଲା। ୧୯୪୬ ଶେଷ ବେଳକୁ ଗାନ୍ଧୀ ନିଜେ ଜାତୀୟ ଦୃଶ୍ୟପଟର ପଛକୁ ଚାଲିଯାଇଥିଲେ, ଠିକ୍ ଜେଜେବାପାଟିଏ ଘର-କର୍ତ୍ତୃତ୍ବର ଆଢୁଆଳକୁ ଚାଲିଯିବା ପରି।
ଭାରତର ନେତୃତ୍ବ କହିଲେ ଏହା ସେତେବେଳେ ମୂଳତଃ ଗାନ୍ଧୀଜୀ, ଜିନ୍ନା ଓ ନେହରୁଙ୍କୁ ବୁଝାଉଥିଲା। ବ୍ରିଟିସ୍ ସରକାର ଏଇମାନଙ୍କ ସହ ପରାମର୍ଶ କରୁଥିଲେ ଭବିଷ୍ୟତକୁ ନେଇ। ଅଥଚ ଗାନ୍ଧୀଜୀଙ୍କ କଥା ରହୁ ନ ଥିଲା କେଉଁଠି। ୧୯୪୧ରୁ ନେତାଜୀ ସୁଭାଷ ବୋଷ ଦୃଶ୍ୟପଟରେ ନ ଥିଲେ। ୧୯୩୯ ବେଳକୁ ଭାରତୀୟ ଯୁବ ସମାଜ ଉପରେ ତାଙ୍କର ଯେଭଳି ପ୍ରଭାବ ଥିଲା ସେ ବଞ୍ଚି ଥିଲେ ହୁଏତ ଅନେକ ଓଲଟପାଲଟ କରି ଦେଇପାରିଥାନ୍ତେ।
ମିଳିତ ସରକାର ଚାଲିଥିଲା। ସଂବିଧାନ ପ୍ରଣୟନକାରୀ ସଭା ଆଗକୁ ବସିବାକୁ ଥିଲା। ସେତେବେଳକୁ କିନ୍ତୁ ତିନିଗୋଟି କଥା ପ୍ରାଞ୍ଜଳ ହୋଇ ସାରିଥିଲା। ପ୍ରଥମତଃ ବ୍ରିଟିସ୍ ଭାରତରୁ ଯିବାକୁ ବାଧ୍ୟ ଓ ଖୁବ୍ ଶୀଘ୍ର ତାହା ଘଟିବ। ମୁସ୍ଲିମ୍ ଲିଗ୍ ପାକିସ୍ତାନ ଗଢ଼ିବ ହିଁ ଗଢ଼ିବ। ଗଡ଼ଜାତଗୁଡ଼ିକର ଭାଗ୍ୟ କ’ଣ ହେବ ତାହା ଅନିଶ୍ଚିତ ହୋଇ ରହିବ। ତେଣୁ ଗୃହଯୁଦ୍ଧ ସୁନିଶ୍ଚିତ। ଲୋକେ ହଣାକଟା ହୋଇ ମରିବେ।
ହାଣ କାଟ ପାଇଁ ଜିନ୍ନା ଖୋଲାଖୋଲି ଆହ୍ବାନ ଦେଇଥିେଲ। ଗାନ୍ଧୀଜୀଙ୍କ ନେତୃତ୍ବରେ କଂଗ୍ରେସ କେଉଁଠି ହେଲେ ହିଂସା ବା ରକ୍ତପାତର କଥା କହିନାହିଁ। ଏଇଠି ବୁଝିବା ଦରକାର ଯେ କେଉଁ ଆବହମାନ କାଳରୁ ହିନ୍ଦୁ-ମୁସଲମାନ ଭାରତରେ ଏକାଠି ରହି ଆସିଥିଲେ ବି କେବେ ସାମ୍ପ୍ରଦାୟିକ ହିଂସା ଘଟିନଥିଲା। ମୁସଲମାନ ଶାସକମାନେ ଧର୍ମାନ୍ତରଣ ପାଇଁ ଏବଂ ଶାସନଗତ କାରଣରୁ ଧର୍ମକୁ ଆୟୁଧ କରି ଅକଳ୍ପନୀୟ ହିଂସା ଘଟାଇଛନ୍ତି ସତ, ହେଲେ ଲୋକ ଲୋକ ଭିତରେ ସଂଗଠିତ ହଣାମରା ଦିନେ ହେଲେ କେଉଁଠି ଦେଖା ନ ଥିଲା। ସେଇଥିପାଇଁ ୬୦୦ ସରିକି ଗଡ଼ଜାତଗୁଡ଼ିକରେ ଦିନେ ହେଲେ ସାମ୍ପ୍ରଦାୟିକ ହିଂସା ଘଟିଥିବାର ଉଦାହରଣ ମିଳେ ନାହିଁ। କାଶ୍ମୀରରେ ରାଜା ହିନ୍ଦୁକୁ ଅଧିକାଂଶ ପ୍ରଜା ମୁସଲମାନ। ହାଇଦ୍ରାବାଦର ଶାସକ ମୁସଲମାନକୁ ଅଧିକାଂଶ ପ୍ରଜା ହିନ୍ଦୁ।
ଭାରତରେ ସାମ୍ପ୍ରଦାୟିକ ମଞ୍ଜି ବୁଣିଥିଲେ ବ୍ରିଟିସ୍ ସରକାର। ମହମ୍ମଦ ଅଲ୍ଲି ଜିନ୍ନା ଏହାକୁ ପ୍ରାକ୍ଟିକାଲ୍ କରି ଦେଖାଇ ଦେଇଥିଲେ ଶେଷକୁ।
ଆଜି ଯେ ଭାରତ ବିଭାଜିତ ସେଥିପାଇଁ ବ୍ରିଟିସ୍ ସରକାର ମୂଳତଃ ଦାୟୀ ଓ ଜିନ୍ନା ହିଁ ଏହାର ଶେଷ ନିୟାମକ। ଧର୍ମ ନୁହେଁ, ସାମ୍ପ୍ରଦାୟିକତାକୁ ଆଧାର କରି ଜିନ୍ନା ଭାରତକୁ ଖଣ୍ଡ ଖଣ୍ଡ କରିଦେଲେ। କତିପୟ ମୁସଲମାନଙ୍କୁ ନେଇ ପାକିସ୍ତାନ ଗଢ଼ିଲେ। ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଲେ, ବାସହରା ହୋଇ ବୁଲିଲେ ଲକ୍ଷାଧିକ। ଅଥଚ ପାକିସ୍ତାନ ଗଢ଼ା ହେଲାବେଳକୁ ସେଠାକୁ ନ ଯାଇ ଭାରତରେ ହିଁ ରହିଯିବାକୁ ପସନ୍ଦ କରିଥିଲେ ଅଧିକାଂଶ ମୁସଲମାନ। ନୂଆ ପାକିସ୍ତାନକୁ ଯେତିକି ଗଲେ ତା’ଠାରୁ ଅଧିକ ରହିଗଲେ ଭାରତରେ।
ଗାନ୍ଧୀଜୀଙ୍କର ଶେଷ ପରାମର୍ଶକୁ କେହି ଗ୍ରହଣ କରି ନ ଥିଲେ। ଭାଇସରାୟ ଲର୍ଡ ୱାଭେଲ୍ ସାମ୍ପ୍ରଦାୟିକ ହିଂସା ରୋକିବା ଲାଗି ଯେତେବେଳେ ମିଳିତ ସରକାର ଗଠନ ସକାଶେ କଂଗ୍ରେସ ଓ ମୁସଲିମ୍ ଲିଗ୍କୁ ନିମନ୍ତ୍ରଣ କଲେ ଗାନ୍ଧୀଜୀ ଏହାକୁ ବାରଣ କରିଥିଲେ। ସେ କହିଥିଲେ- ‘‘ଦୁଇଟି ଘୋଡ଼ା ବଦଳରେ କେଉଁ ଗୋଟିକ ଉପରେ ବସିବେ ଆପଣ ତାହା ପ୍ରଥମେ ନିଶ୍ଚିତ କରନ୍ତୁ। ଏକକାଳୀନ ଦୁଇଟି ଘୋଡ଼ା ଉପରେ ବସିବା ନିରର୍ଥକ। କଂଗ୍ରେସ କିମ୍ବା ମୁସ୍ଲିମ୍ ଲିଗ୍ ଭିତରୁ ଆପଣ ଗୋଟିଏ ଦଳକୁ ଅନ୍ତରୀଣ ସରକାର ଗଢ଼ିବାକୁ ସୁଯୋଗ ଦିଅନ୍ତୁ। ଯଦି ଫେଣ୍ଟାଫେଣ୍ଟି ସରକାର ଗଢ଼ିବେ ତେବେ ତାହା ଭୟଙ୍କର ସମସ୍ୟା ସୃଷ୍ଟି କରିବ। ମୁଁ ଜାଣେ ଯଦି କେବଳ ମୁସଲିମ୍ ଲିଗ୍କୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେବେ ତା’ହେଲେ ସେମାନେ ଭାରତ ବିଭାଜନ ଚାହିଁବେ ନାହିଁ। ମୁଁ ଭଲଭାବରେ ଜାଣେ, ନା କଂଗ୍ରେସ ଗୋଟାଏ ହିନ୍ଦୁ ଦଳ ନା ମୁସଲିମ୍ ଲିଗ୍ କେବଳ ଗୋଟେ ମୁସଲମାନମାନଙ୍କ ଦଳ।’’
ଗାନ୍ଧୀଜୀଙ୍କ କଥା ବ୍ରିଟିସ ସରକାର, କଂଗ୍ରେସ କିମ୍ବା ଲିଗ୍ କାହା ପକ୍ଷରେ ଗ୍ରହଣୀୟ ନ ଥିଲା। ଡିସେମ୍ବର ପ୍ରଥମ ସପ୍ତାହରେ ବ୍ରିଟିସ୍ ସରକାର ଜିନ୍ନା ଓ ନେହରୁଙ୍କୁ ଏକାଠି କରି ମିଳିତ ଭାବେ ସଂବିଧାନ ଗଢ଼ିବାକୁ ଯେତେ ପରାମର୍ଶ ଦେଲେ ବି ଜିନ୍ନା ତାହା ଗ୍ରହଣ କରିନଥିଲେ। ବିନା ମୁସଲିମ୍ ଲିଗ୍ରେ ଭାରତୀୟ ସଂବିଧାନ ପ୍ରଣୟନକାରୀ ସଭା ତା’ର କାର୍ଯ୍ୟ ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ଅନେକ ସଭ୍ୟ, ସଭ୍ୟା ଗାନ୍ଧୀଜୀଙ୍କ ନିକଟକୁ ଯାଇ ପରାମର୍ଶ ଓ ଆଶୀର୍ବାଦ ଭିକ୍ଷା କରିଥିଲେ।
ଯାହା ହେଲେ ବି ଗୁରୁଜନ! କଥା ରଖାଯାଉ କି ନ ଯାଉ।
ବାବୁ ଜଗଜ୍ଜୀବନ ରାମ ସେତେବେଳକୁ ୩୮ ବର୍ଷର। ଦଳିତମାନଙ୍କର ଆଗୁସାର ନେତା। ସେ ଯାଇ ପହଞ୍ଚିଥିଲେ ଗାନ୍ଧୀଜୀଙ୍କ ପାଖରେ। ଆଶୀର୍ବାଦ ଚାହିଁଥିଲେ ସେ। ହସି ହସି ଗାନ୍ଧୀଜୀ କହିଥିଲେ- ‘‘ବାପୁର ଆଶୀର୍ବାଦ ସବୁବେଳେ ତୁମ ସହ ରହିଛି। ଆଜି ମୁଁ ତୁମକୁ ଗୋଟିଏ ତାବିଜ୍ ଦେବି। ତାହା ତୁମମାନଙ୍କୁ ସଂବିଧାନ ପ୍ରଣୟନ କଲାବେଳେ ଖୁବ୍ ସହାୟକ ହେବ।’’
ତାବିଜ୍ କଥା ଶୁଣି ଜଗଜ୍ଜୀବନ ଜୀ ଅଡୁଆରେ ପଡ଼ିଥିଲେ। ତାବିଜ୍ ବା ଡେଉଁରିଆ ତ ତନ୍ତ୍ର, ମନ୍ତ୍ର କଥା। ବାପୁଜୀ କେଉଁ ଦିନୁ ତନ୍ତ୍ର,ମନ୍ତ୍ର, ଯନ୍ତ୍ରରେ ବିଶ୍ବାସ କଲେଣି?
ଜଗଜ୍ଜୀବନଙ୍କ ମନୋଭାବ ବୁଝିପାରି ଗାନ୍ଧୀଜୀ ସେଦିନ କହିଥିଲେ- ମୁଁ ଗୋଟିଏ ମନ୍ତ୍ରରେ ବିଶ୍ବାସ କରେ। ସେଇ ମନ୍ତ୍ରର ତାବିଜ୍ ଆଜି ତୁମକୁ ଦେବି। ତାହା ହେଲା, ‘‘କର୍ତ୍ତବ୍ୟ ପଥରେ ଆଗେଇଲା ବେଳେ ଯଦି ମନରେ ଆଶଙ୍କା ଉପୁଜେ, ସେତିକିବେଳେ ଆଖିବୁଜି ଧ୍ୟାନସ୍ଥ ହୋଇ ସବୁଠାରୁ ଦୀନହୀନ ଦରିଦ୍ର ବ୍ୟକ୍ତିଟିର ଚେହେରାକୁ ମେନ ପକାଇବ। ନିଜକୁ ପଚାରିବ ମୁଁ ଯାହା କରିବାକୁ ଯାଉଛି ସେଥିରେ ଏ ଲୋକଟିର ଉପକାର ହେବ ତ? ଯାହାର ଖାଲି ପେଟ, ଫୁଙ୍ଗୁଳା ଦେହ ତା’ର ଏ କାମ କିଛି ଉନ୍ନତିରେ ଲାଗିପାରିବ ନା ନାହିଁ! ମୋର ଏ ପଦକ୍ଷେପ ଫଳରେ ତା’ ଭଳି କୋଟି କୋଟି ଜନତାଙ୍କୁ ତାହା ସ୍ବରାଜ ଦେଇପାରିବ କି ନା! ଯଦି ଉତ୍ତର ହଁ ହୁଏ, ଦେଖିବ ତୁମର ଆଶଙ୍କା ମୁହୂର୍ତ୍ତକରେ କୁଆଡ଼େ ଉଭେଇଯିବ।’’
ମୁସଲିମ୍ ଲିଗ୍ ଯୋଗ ନ ଦେଲେ ବି ସଂବିଧାନ ପ୍ରଣୟନକାରୀ ସଭାର ସଦସ୍ୟମାନଙ୍କ ଭିତରେ ସେଦିନ ପ୍ରବଳ ଉତ୍ସାହ ଦେଖା ଦେଇଥିଲା। ଲାଗିଥିଲା ସତେ ଯେମିତି ସାରା ଭାରତ ଏକାଠି ହୋଇ ବସିଛି। ନିଜ ନିଜ ଅଞ୍ଚଳର ପୋଷାକ ପିନ୍ଧି ଆସିଥିଲେ ଅଧିକାଂଶ। େସମାନଙ୍କ ଭିତରେ କୋର୍ଟ ସୁଟ୍ ପିନ୍ଧା ପ୍ରତିିନିଧି ବି ଥିଲେ। ଜୁଲାଇ, ୧୯୪୬ରେ ସଭାର ସଭ୍ୟମାନେ ନିର୍ବାଚିତ ହୋଇଥିଲେ ପ୍ରାଦେଶିକ ବିଧାନସଭାଗୁଡ଼ିକ ମାଧ୍ୟମରେ। ନିର୍ବାଚନର ମାଧ୍ୟମ ଥିଲା ଆନୁପାତିକ ପ୍ରତିନିଧିତ୍ବ, ଅର୍ଥାତ୍ ପ୍ରତି ଦଶ ଲକ୍ଷ ଲୋକରେ ଜଣେ ପ୍ରତିନିଧି।
ମୁସଲିମ୍ ଲିଗ୍ର ନିର୍ବାଚିତ ୭୩ ଜଣକୁ ମିଶାଇ ବାକି କଂଗ୍ରେସ-୨୦୮, ୟୁନିଅନିଷ୍ଟ-୧, ୟୁନିଅନିଷ୍ଟ ମୁସଲିମ୍-୧, ୟୁନିଅନିଷ୍ଟ ଅନୁସୂଚିତ ଜାତି-୧, କୃଷକ ପ୍ରଜାଦଳ-୧, ଅନୁସୂଚିତ ଜାତି ପରିଷଦ-୧, ଶିଖ୍-୧, କମ୍ୟୁନିଷ୍ଟ-୧, ସ୍ବାଧୀନ-୮, ଏହିପରି ୨୯୬ ଜଣ ପ୍ରତିନିଧି ଆସିଥିଲେ ବିଭିନ୍ନ ପ୍ରଦେଶରୁ। ୫୬୨ ଦେଶୀୟ ରାଜ୍ୟରୁ ଆଉ ୯୩ ଜଣ ପ୍ରତିନିଧି ମନୋନୀତ ହୋଇ ଆସିବାର ପ୍ରକ୍ରିୟା ଚାଲୁ ରହିଥିଲା।
ଦେଶୀୟ ରାଜାମାନେ ମୁସ୍ଲିମ୍ ଲିଗ୍ର ପଛଘୁଞ୍ଚା ପରେ ନିଜ ନିଜର ପ୍ରତିନିଧି ପଠାଇବେ କି ନା ସେ ସମ୍ପର୍କରେ ଥତମତ ହେଉଥିଲେ। ସେତିକିବେଳେ ଅନ୍ତରୀଣ ସରକାରର ଉପପ୍ରଧାନ ମନ୍ତ୍ରୀ ସର୍ଦ୍ଦାର ପଟେଲ ରେଡ଼ିଓ ମାଧ୍ୟମରେ ରାଜନ୍ୟ ବର୍ଗଙ୍କୁ ଆହ୍ବାନ ଦେଇ କହିଥିଲେ ‘‘ହେଲା ଏବେ, ମୁସ୍ଲିମ୍ ଲିଗ୍ର ସଦସ୍ୟମାନେ ଆସିଲେ ନାହିଁ। ଆମେ ଭାରତୀୟମାନେ ପାରସ୍ପରିକ ଆଳାପ ଆଲୋଚନାରେ ବିଶ୍ବାସ କରୁ। ସଂବିଧାନ ପ୍ରଣୟନ ପରି ଏକ ମହତ୍ତର କାର୍ଯ୍ୟ ଯେତେବେଳେ ଆରମ୍ଭ ହେବାକୁ ଯାଉଛି ସେତେବେଳେ ଏ ମାଟିର ବିଭିନ୍ନ ବିଚାରଧାରାର ବ୍ୟକ୍ତିଗଣ ଏକ ମନ, ଏକ ଆତ୍ମା ହୋଇ ଏକାଠି ହେବା ନିତାନ୍ତ ଆବଶ୍ୟକ।’’
ଶହ ଶହ ବର୍ଷର ପ୍ରତୀକ୍ଷା। ନୂଆ ଦେଶ ପାଇଁ ସବୁ ମତ ଓ ପନ୍ଥର ପ୍ରତିନିଧି ଏକାଠି ବସି ସାମୂହିକ ବିଧାନ ଗଢ଼ିବେ। କେତେ ସଂଘର୍ଷ ଓ ବଳିଦାନ ପରେ ସତ ହେବାକୁ ଯାଉଥିଲା ଏ ଦୁର୍ବାର ସ୍ବପ୍ନ। ମୁସ୍ଲିମ୍ ଲିଗ୍ କଣ୍ଟା ସାଜିଥିଲା ନିଶ୍ଚୟ ମାତ୍ର ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଭେଦରେ ଯେତେ ଯିଏ ଉତ୍ତର-ଦକ୍ଷିଣ, ପୂର୍ବ-ପଶ୍ଚିମ ସବୁଆଡୁ ଆସି ସେଦିନ ଗଢ଼ିଥିେଲ ଆଧୁନିକ ସମୟର ଭାରତୀୟ ଦେବସଭା। ସମସ୍ତେ ବିଦ୍ବାନ ପୁଣି ଅନୁଭବୀ। ସବୁ ଜାତି ସବୁ ସମ୍ପ୍ରଦାୟ ଏକାଠି। ଏଭଳି ଏକ ସର୍ବଭାରତୀୟ ସମ୍ମିଳିତ ଅନୁଭବ ଦେଖା ଦେଇନଥିଲା କେବେ।
ଆଜିର ପାର୍ଲାମେଣ୍ଟ ଭବନର ଯେ ସେଣ୍ଟ୍ରାଲ୍ ହଲ୍ ସେଇଠି ବସିଥିଲା ଏ ସୁଧର୍ମା ସଭା। ଭାରତ ଶାସନ ପାଇଁ ସଂହିତା ପ୍ରସ୍ତୁତ ହେବ। ଅର୍ଦ୍ଧବୃତ୍ତାକାର ହୋଇ ପଡ଼ିଥିଲା ଆସନ। ପ୍ରଥମ ଧାଡ଼ିରେ ବସିଥିଲେ ଜବାହରଲାଲ, ମୌଲାନା ଆଜାଦ୍, ସର୍ଦ୍ଦାର ପଟେଲ, ଆଚାର୍ଯ୍ୟ କୃପାଳିନୀ, ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡୁ, ହରେକୃଷ୍ଣ ମହତାବ, ଗୋବିନ୍ଦ ବଲ୍ଲଭ ପନ୍ଥ, ବି. ଆର୍. ଆମ୍ବେଦକର, ସି. ରାଜାଗୋପାଲାଚାରୀ, ଶରତ ଚନ୍ଦ୍ର ବୋଷ୍ ଏବଂ ଏମ୍. ଆସଫ୍ ଅଲ୍ଲୀ। ଏକକୁ ଆରେକ। ପ୍ରଥମ ଦିନରେ ବସିଥିଲେ ସର୍ବମୋଟ ୨୦୭। ୯ ଜଣ ମହିଳା ସଦସ୍ୟ।
ଆଚାର୍ଯ୍ୟ କୃପାଳିନୀ ଥିଲେ ବହୁଶାସ୍ତ୍ରୀ। ୧୯୩୪ରୁ ୧୯୪୫ କଂଗ୍ରେସ ଦଳର ମହାସଚିବ। ପୁଣି ୧୯୪୬ ବେଳକୁ କଂଗ୍ରେସ ସଭାପତି। ସେ ହିଁ ପ୍ରସ୍ତାବ ରଖିଥିଲେ ଭାରତର ସେତେବେଳକା ସବୁଠାରୁ ଅଧିକ ଅନୁଭବସିକ୍ତ ପାର୍ଲାମେଣ୍ଟାରିଆନ୍ ଡ. ସଚ୍ଚିଦାନନ୍ଦ ସିହ୍ନାଙ୍କୁ ସଭାପତି ଆସନ ଅଳଙ୍କୃତ କରିବା ପାଇଁ। ଶାରୀରିକ ଅସୁସ୍ଥତା ସତ୍ତ୍ବେ ଡ. ସିହ୍ନା ମାତ୍ର ୪ ଦିନ ସଭାପତି ଦାୟିତ୍ବ ତୁଲାଇଥିଲେ। ପ୍ରଥମ ଦିବସର ସଭାରେ ସାରା ଭାରତର ପ୍ରତିନିଧିତ୍ବ କିଭଳି ପ୍ରକାଶ ପାଇଥିଲା ତାହା ସମସ୍ତେ ଜାଣିବା ଆବଶ୍ୟକ। ମାଡ୍ରାସ ପ୍ରୋଭିନ୍ସ-୪୩, ବମ୍ବେ ପ୍ରଦେଶ-୧୯, ବଙ୍ଗଳା ପ୍ରଦେଶ-୨୫, ୟୁନାଇଟେଡ୍ ପ୍ରୋଭିନ୍ସ-୪୨, ପଞ୍ଜାବ-୧୨, ବିହାର-୩୦, ମଧ୍ୟପ୍ରାନ୍ତ ଓ ବେରାର୍-୧୪, ଆସାମ-୭, ସୀମାପ୍ରାନ୍ତ-୨, ଓଡ଼ିଶା-୯, ସିନ୍ଧୁପ୍ରଦେଶ-୧, ଦିଲ୍ଲୀ-୧, ଆଜ୍ମେର୍-ମେର୍ୱାଡ଼ା-୧ ଏବଂ କୁର୍ଗ-୧।
ଏଣେ ଭାରତ ସାରା ହର୍ଷୋଲ୍ଲାସ। ତେଣେ କୁହୁଳୁଥିଲା ସାମ୍ପ୍ରଦାୟିକ ବିଭାଜନର ବାଡ଼ବାନଳ। ଏପଟେ ଦେବସଭା, ସେ ପଟେ ଦାନବ-ଦୁରଭିସନ୍ଧି। ଲକ୍ଷ ଲକ୍ଷ ନିରୀହ ବଳି ପଡ଼ନ୍ତୁ ପଛେ ଭାରତ ବିଭାଜିତ ହେବ। ଜିଦ୍ ଧରି ବସିଥିଲେ ଜିନ୍ନା ମୁସଲିମ୍ ଲିଗ୍ର ମଙ୍ଗୁଆଳ ହୋଇ। ତେଣେ ବ୍ରିଟିସ୍ ସରକାର ତିଆରି କରୁଥିଲେ ‘‘ଭାରତୀୟ ସ୍ବାଧୀନତା ଆଇନ୍-୧୯୪୭।’’ ଭାରତର ମ୍ୟାପ୍ ଉପରେ ଚାଲିଥିଲା ଅଙ୍କକଷା।