‘ଆମେ’ ନୁହେଁ ‘ମୁଁ’

ସୁବ୍ରତ ଦାଶ

ଥାକରୁ ଔଷଧଗୁଡ଼ିକୁ ଆଣି ପ୍ୟାକେଟରେ ଭରିବା ପୂର୍ବରୁ ଦୋକାନୀ ମହାଶୟ କାଲ୍‌କୁଲେଟର୍‌ ଧରି ହିସାବରେ ଲାଗି ପଡ଼ିଲେ। ହିସାବ କରି ସର୍ବମୋଟ୍ ଆଠ ଶହ ଟଙ୍କା ଦେବାକୁ କହିଲେ। ମୁଁ ପୂର୍ବରୁ ଯେଉଁ ଦୋକାନରୁ କିଣେ, ସେଠି ମୋତେ ଛ’ ଶହ ଦେବାକୁ ପଡୁଥିଲା। ଦୁଇ ଶହ ଟଙ୍କା ଅଧିକ ଦେବା କଥା ଜାଣି ମୁଁ ଆଶ୍ଚର୍ଯ୍ୟ ହେଲି। ଔଷଧ ଦାମ୍ ହଠାତ୍ ଏତେ ବଢ଼ିଗଲା କେମିତି ବୋଲି ଦୋକାନୀଙ୍କୁ ପଚାରିବାରୁ ସେ ତ୍ୱରିତ ଉତ୍ତର ଦେଲେ, ‘କାଇଁ ନାହିଁ ତ!’ ସେ ପୁଣି ଥରେ ହିସାବ କଲେ। ଆଉ ତା’ ପରେ ଜିଭ କାମୁଡ଼ି ପକାଇଲେ। ତାଙ୍କ ମନର ଅସ୍ୱସ୍ତି ଭାବ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲା। ‘କ୍ଷମା କରିବେ ସାରେ! ଟିକେ ଅନ୍ୟମନସ୍କ ଥିଲି ତ, ହିସାବରେ ତ୍ରୁଟି ରହିଗଲା। ୧୦୮ ଟଙ୍କାକୁ ମୁଁ ୧୮୦ ବୋଲି ହିସାବ କରିଦେଲି।’ ମୁଁ ମଧ୍ୟ ସୁନିଶ୍ଚିତ ଥିଲି ଯେ ଏହା ତାଙ୍କର ଅନିଚ୍ଛାକୃତ ତ୍ରୁଟି। ସେ ଜାଣିଶୁଣି ହିସାବ ହେରଫେର କରି ନ ଥିଲେ, ତେବେ ହିସାବ କରୁଥିବା ସମୟରେ ସେ ଅନ୍ୟମନସ୍କ ଥିଲେ। ଥରେ କି ଦୁଇ ଥର ତାଙ୍କ ଫୋନ୍ ବାଜିଥିଲା। ବୋଧହୁଏ ହ୍ୱାଟ୍‌ସଆପ୍‌ରେ ଚାଟ୍ କରୁଥିଲେ।

ଖାଲି ଏ ଦୋକାନୀ ମହାଶୟ କାହିଁକି, ଆମ ମଧ୍ୟରୁ ଅଧିକାଂଶ ଅନ୍ୟମନସ୍କତାର ଶିକାର। ମୁଁ ନିଜେ ଏହାର ଜଣେ ବଡ଼ ରୋଗୀ। ଏକାଧିକ ଥର ମୁଁ ମୋ ଗାଡ଼ିର ଚାବି ଅନ୍ୟ କାହା ଗାଡ଼ିରେ ପୂରାଇ ଖୋଲିବାକୁ ଚେଷ୍ଟା କରିଛି। ଚାବି ନ ଖୋଲିବାରୁ ସଂବିତ ଫେରିପାଇଛି ଏବଂ ବିକଳ ହୋଇ ଆଖପାଖକୁ ଚାହିଁଛି। କେହି କାଳେ ମୋତେ ଗାଡ଼ି ଚୋର ଭାବି ଦେଇନି ତ! ପୁଣି କେବେ ଦୋକାନରୁ ଜିନିଷ କିଣି, ଦୋକାନୀକୁ ପଇସା ନ ଦେଇ ବାବୁ ପରି ବ୍ୟାଗ୍ ଝୁଲାଇ ଫେରିଲା ବେଳକୁ ପଛରୁ ଦୋକାନୀର ଚିତ୍କାର ଶୁଣିଛି- ‘ପଇସା ଦେଲେନି ଯେ..!’ ଆଉ କେବେ ଚିଠା ମିଳାଇ ସବୁ ଜିନିଷ କିଣିସାରିବା ପରେ ବ୍ୟାଗ୍‌କୁ ଦୋକାନରେ ଥୋଇ ଘରକୁ ଫେରି ଆସିଛି। ଘରେ ପହଂଚି ନିଜ ଭୁଲ୍ ଜାଣିବା ପରେ ପୁଣି ସେଇ ଦୋକାନକୁ ଧାଇଁଛି।

ତା’ହେଲେ କାହିଁକି ଏ ଭୁଲା ମନ? ଏଇଟା କେବଳ କିଛି ହାତଗଣତି ମଣିଷମାନଙ୍କ ସମସ୍ୟା, ନା ଏହାର କାୟା ଅଧିକ ବ୍ୟାପକ?
ଆମ ମଧ୍ୟରୁ ଅଧିକାଂଶ ଏଭଳି ଭୁଲା ମନ ରୋଗରେ ଆକ୍ରାନ୍ତ। କାହା ପାଖରେ ରୋଗର ପ୍ରଭାବ ସାମୟିକ ତ ପୁଣି କାହା ପାଖରେ ଚିରସ୍ଥାୟୀ। ଚିକିତ୍ସା ବିଜ୍ଞାନ ଏହାକୁ ଗମ୍ଭୀରତାର ସହ ନେଇ ଏହା ଉପରେ ଗବେଣଷା ଜାରି ରଖିଛି। ଗବେଷଣାରୁ ଏ ଯାବତ ଯାହା ନିଷ୍କର୍ଷ ବାହାରିଛି, ତା’ ମଧ୍ୟରେ କିଛି କାରଣ ଶରୀରିକ ଓ ଆଉ କିଛି କାରଣ ବ୍ୟାବହାରିକ ବୋଲି ଜଣାପଡ଼ିଛି। ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ, ନିଦ୍ରାହୀନତା, ଜିନ୍‌ଗତ ପ୍ରଭାବ, ଅନ୍ୟ କିଛି ଜଟିଳ ରୋଗ, ବୟସାଧିକ୍ୟ ଏହାର କାରଣ। ସେହିପରି ଅତ୍ୟଧିକ ଭାବପ୍ରବଣତା, ମାନସିକ ଚାପ, କଳ୍ପନାବିଳାସୀ ହେବା ଆଦି ବ୍ୟାବହାରିକ କାରଣ ମଧ୍ୟ ଏହି ରୋଗ ପାଇଁ ଦାୟୀ। ରୋଗ ଅଧିକ ଦିନ ଜାରି ରହିଲେ ମାନସିକ ଅବସାଦ ଆଡ଼କୁ ବାଟ କଢ଼ାଇନିଏ। ତେଣୁ ଏହାର ନିଦାନ ପାଇଁ ଚିକିତ୍ସା ବିଜ୍ଞାନ ପକ୍ଷରୁ ଔଷଧ ମଧ୍ୟ ବାହାରି ସାରିଛି। ନିୟମିତ ବ୍ୟାୟାମ, ଯୋଗ ଓ ପ୍ରାଣାୟାମ ମଧ୍ୟ ଏ ରୋଗ ପାଇଁ ଲାଭଦାୟକ।

ହେଲେ ଦେହ ଆଉ ମନରେ ଦେଖା ଦେଉଥିବା ସବୁତକ ଅସଙ୍ଗତିକୁ ଚିକିତ୍ସା ବିଜ୍ଞାନ ଓ ଚିକିତ୍ସକମାନଙ୍କ ହାତରେ ଟେକି ଦେଇ, ନିଜେ ଚୁପ୍ ବସିଯିବା ଆମକୁ କ୍ରମଶଃ ପରାଙ୍ଗପୁଷ୍ଟ କରିଦେଉଛି। ନିଜେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଏହାର ସମାଧାନ ଆମ ନିଜ ହାତରେ ଥିଲେ ମଧ୍ୟ ଆମେ ଅନ୍ୟ ଉପରେ ନିର୍ଭରଶୀଳ ହୋଇଯାଉଛେ।

ମୋ ଭୁଲା ମନର କାରଣ ଖୋଜିବାକୁ ପ୍ରୟାସ କରି ମୁଁ ହୃଦୟଙ୍ଗମ କରିଛି ଯେ ମୁଁ ଗୃହସ୍ଥ ଭାବେ ପରିବା କିଣି ଗଲାବେଳେ ମୁଁ ଅଫିସ କର୍ମଚାରୀ ହୋଇଯାଇ କାମ କଥା ଭାବୁଛି। ଯାହା ଫଳରେ ପରିବା କିଣି ବି ମୁଁ ଖାଲି ହାତରେ ଘରକୁ ଫେରୁଛି। ଅଫିସରେ ଥିବା ବେଳେ ମୁଁ ଗୃହସ୍ଥ ହୋଇଯାଇ ପରିବାରର ବିଭିନ୍ନ ସମସ୍ୟାରେ ଗୁଡ଼େଇ ତୁଡ଼େଇ ହେଉଛି। ଫଳରେ ନିର୍ଦ୍ଧାରିତ ସମୟରେ କାମ ସରୁନି, ସହଜ କାମରେ ବି ଭୁଲ୍ ତ୍ରୁଟି ରହିଯାଉଛି। ରାସ୍ତାରେ ଗାଡ଼ି ଚଲାଇଲା ବେଳେ ମୁଁ ବ୍ୟାଙ୍କ ପକ୍ଷରୁ ଋଣ ଆଦାୟର ତାଗିଦ, ବିଜୁଳି ବିଲ୍ ପଇଠ, ପୁଅର ସ୍କୁଲ ଫି’ ଭରଣା ଇତ୍ୟାଦି ଆର୍ଥିକ ସମସ୍ୟା ଭାରରେ ଏତେ ଭାରାକ୍ରାନ୍ତ ହୋଇଯାଉଛି ଯେ, ଅନେକ ସମୟରେ ଟ୍ରାଫିକ ସିଗ୍‌ନାଲ ଭାଙ୍ଗି ଅମାନିଆର ଆଖ୍ୟା ନେଇ ଜରିମାନା ଗଣୁଛି।

ଏହାର ଅର୍ଥ ‘ମୁଁ’ ଏବେ ଆଉ ମୁଁ ହୋଇ ନାହିଁ, ଅନେକ ‘ମୁଁ’ର ସମାହାର ‘ଆମେ’ରେ ପରିଣତ ହୋଇଯାଇଛୁ ଏବଂ ‘ଆମେ’ରେ ସମାବିଷ୍ଟ ‘ମୁଁ’ମାନେ କେହି କାହା ନିୟନ୍ତ୍ରଣରେ ନାହୁଁ। ଗୋଟିଏ ‘ମୁଁ’ ଗୋଟିଏ କାମ ପାଇଁ ବାହାରିଲା ବେଳକୁ ଆଉ ଗୋଟେ ‘ମୁଁ’ ଆଉ ଗୋଟେ କାମରେ ଲାଗି ପଡୁଛି। ଅନେକ ‘ମୁଁ’ଙ୍କ ଉପଦ୍ରବ ଭୋଗିବାକୁ ପଡୁଛି।

ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ କେବଳ ଗୋଟିଏ ‘ମୁଁ’ରେ ବଞ୍ଚିବାକୁ ହେବ ବୋଲି ପରାମର୍ଶ ଦିଆଯାଉଛି। ତାହାକୁ ଇଂରେଜୀରେ କୁହାଯାଉଛି ‘ମାଇଣ୍ଡ୍‌ଫୁଲ ଲିଭିଂ’; ଅର୍ଥାତ୍‌ ତୁମେ ଯେତେବେଳେ ଯେଉଁ କାମ କରୁଛ କେବଳ ସେହି କାମରେ ଓ ସେହି ଭୂମିକାରେ ମନଧ୍ୟାନ ଦିଅ। ଯାହାକୁ ଗୌତମ ବୁଦ୍ଧ କହିଥି‌ଲେ ଜାଗ୍ରତ ଭାବେ ବଞ୍ଚ; ଅର୍ଥାତ୍‌ ଖାଇଲା ବେଳେ କେବଳ ଖାଅ, ସଦ୍ୟ ଦେଖିଥିବା ସିନେମାକୁ ମନ ଭିତରେ ଆଉ ଥରେ ଦେଖ ନାହିଁ।

ମୋ: ୯୪୩୮୦୩୬୭୩୦

ସମ୍ବନ୍ଧିତ ଖବର