ମୁଲ୍ଲା ନସିରୁଦ୍ଦିନ ବିଚକ୍ଷଣ ଏବ˚ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ବୋଲି ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରନ୍ତି।
ଥରେ ଜଣେ ଲୋକ ମୁଲ୍ଲାଙ୍କୁ ପଚାରିଲା- ମୁଁ ଭାବୁଛି ଈଶ୍ବର ଅଛନ୍ତି। ତୁମେ କ’ଣ କହୁଛ ମୁଲ୍ଲା?
ମୁଲ୍ଲା କହିଲେ- ନା ଭଗବାନ ନାହାନ୍ତି। ଲୋକଟି ଏ ଉତ୍ତର ଶୁଣି ଟିକିଏ ଚିନ୍ତିତ ଦିଶିଲା ଓ ନିରବରେ ଚାଲିଗଲା। ସେଇ ଦିନ ସ˚ଧୢାରେ ଆଉ ଜଣେ ଲୋକ ମୁଲ୍ଲାଙ୍କୁ ପଚାରିଲା- ମୁଲ୍ଲା, ମୁଁ ଭାବୁଛି ଈଶ୍ବର ନାହାନ୍ତି। ତୁମେ କ’ଣ ଭାବୁଛ?
ମୁଲ୍ଲା କହିଲେ- ଭଗବାନ ଅଛନ୍ତି। ସେ ଲୋକଟି ମଧୢ ଟିକିଏ ଚିନ୍ତିତ ଦିଶିଲା ଓ ଚାଲିଗଲା।
ମୁଲ୍ଲାଙ୍କ ସ୍ତ୍ରୀ ଏ ଦୁଇଟି ଯାକ ଉତ୍ତର ଶୁଣିଥିଲେ। ସେ କହିଲେ- ମୁଲ୍ଲା, ତୁମେ ମହା ଟାଉଟର ହୋଇଗଲଣି। ସକାଳେ ଯାହା କହୁଛ, ସ˚ଧୢାରେ ତା’ର ଓଲଟା କଥା କହୁଛ!
ମୁଲ୍ଲା କହିଲେ- ଏ ପ୍ରଶ୍ନ ଯେଉଁମାନେ ପଚାରିଥିଲେ, ଉତ୍ତର ସେମାନଙ୍କ ଲାଗି ଥିଲା। ତୁମେ ତ କିଛି ପଚାରି ନ ଥିଲ, ତେଣୁ ତୁମେ ଏ ଉତ୍ତର ଶୁଣି ବ୍ୟସ୍ତ ହେଉଛ କାହିଁକି?
ମୁଲ୍ଲାଙ୍କ ପତ୍ନୀ କହିଲେ- ୟେ ତ ଆହୁରି ଅଧିକ ଟାଉଟର କଥା। ତା’ ମାନେ ମୁଁ ପଚାରିଲେ ତୁମେ ଆଉ ଗୋଟିଏ ଉତ୍ତର ଦେବ?
ମୁଲ୍ଲା କହିଲେ- ତୁମେ ବୁଝି ପାରିଲ ନାହିଁ। ପ୍ରଶ୍ନକର୍ତ୍ତାକୁ ଦେଖି ଉତ୍ତର ଦିଆଯାଏ। ପ୍ରଥମ ଲୋକଟି ଈଶ୍ବରଙ୍କୁ ବିଶ୍ବାସ କରେ, ଅଥଚ ତା’ ବିଶ୍ବାସକୁ ନିଶ୍ଚିତ କରିବା ଲାଗି ସେ ମୋତେ ସାକ୍ଷୀ କରିବାକୁ ଚାହୁଁଥିଲା। ମୁଁ ଉତ୍ତରରେ ହଁ ବୋଲି କହିଥିଲେ ସେ ଖୁସିରେ ଚାଲିଯାଇଥାଆନ୍ତା। ମୁଁ କିନ୍ତୁ ‘ନା’ ବୋଲି କହି ତାକୁ ଚମକାଇ ଦେଲି। ଏବେ ସେ ସାକ୍ଷୀ ନ ଖୋଜି ମନେ ମନେ ଈଶ୍ବରଙ୍କୁ ଆହୁରି ଖୋଜିବ। ଅଧିକ ଖୋଜି ପ୍ରକୃତ ସତ୍ୟ ଉପଲବ୍ଧି କଲେ ଆଉ ସେ ସାକ୍ଷୀ ଲୋଡ଼ିବ ନାହିଁ। ଦ୍ବିତୀୟ ଲୋକ କ୍ଷେତ୍ରରେ ବି ସେଇ ସମାନ କଥା। ଖାଲି ତଫାତ୍ ସେ ନାସ୍ତିକ ଥିଲା। ଏବେ ସେ ଈଶ୍ବର ନାହାନ୍ତି ବୋଲି ପ୍ରମାଣ କରିବାରେ ଅଧିକ ଲାଗୁ, ସାକ୍ଷୀ ନ ଖୋଜୁ।