ଅର୍ଥନୀତି ଚଳଚଞ୍ଚଳ ହେବ କେମିତି?
ପ୍ରଶାନ୍ତ ପୀୟୂଷ ମହାପାତ୍ର
ସୁପର୍ଷ୍ଟାର୍ ସ୍ବର୍ଗତ ଋଷି କପୁରଙ୍କ ଅଭିନୀତ ସପ୍ତମ ଦଶକର ସୁପର ହିଟ୍ ହିନ୍ଦୀ ଫିଲ୍ମ ‘ବବି’ର ଏକ ଚିର ସବୁଜ ଗୀତ ଏହିପରି:
‘ଅନ୍ଦର ସେ କୋଇ ବାହାର ନା ଯା ସକେ,
ବାହାର ସେ କୋଇ ଅନ୍ଦର ନା ଆ ସକେ,
ଶୋଚୋ କଭି ଏସା ହୋ ତୋ କ୍ୟା ହୋ?’
Sambad is now on WhatsApp
Join and get latest news updates delivered to you via WhatsApp
ସମସ୍ତଙ୍କ ମୁହଁରେ ଅନୁରଣିତ ହେଉଥିବା ଏହି ରୋମାଣ୍ଟିକ ଗୀତରେ ଯେଉଁ ତାଲାବନ୍ଦ ରୂପକ ସ୍ଥିତିର ଅବତାରଣା କରାଯାଇ ଏକ ପ୍ରଶ୍ନ ପଚରାଯାଇଛି, ତାହାର ଉତ୍ତର ଏହି କରୋନାକାଳୀନ ତାଲାବନ୍ଦ ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଇ କହିଛନ୍ତି ଯେ ଦେଶର ଅଭିବୃଦ୍ଧି ବିଯୁକ୍ତାତ୍ମକ ହେବ। ଏହା ନିଶ୍ଚିତ ଭାବେ ଘୋର ନୈରାଶ୍ୟଜନକ। ୧୯୧୮ ମସିହାରେ ‘ସ୍ପେନିସ ଫ୍ଲୁ’ ସଂକ୍ରମଣ କାଳରେ ଭାରତର ଅର୍ଥନୈତିିକ ଅଭିବୃଦ୍ଧି ମଧ୍ୟ ବିଯୁକ୍ତାତ୍ମକ ହୋଇଥିଲା। ସାଂପ୍ରତିକ ତାଲାବନ୍ଦ ହେତୁ ଅସଂଖ୍ୟ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହୋଇଯାଇଛି। ଏବଂ ସେ ସବୁ ଖୋଲିଲା ବେଳକୁ ଦେଖାଯାଉଛି ସେ ସବୁକୁ ଚଳାଇ ରଖିଥିବା ଶ୍ରମିକମାନେ ଘରକୁ ବାହୁଡ଼ି ଯାଇଛନ୍ତି। ତେଣୁ ସେ ସବୁ କେବେ ଚଳନଶୀଳ ହେବ, ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଣେ ଅର୍ଥନୀତିକୁ କିଭଳି ନୂଆ ଦିଗ ଦିଆଯିବ ସେଥିଲାଗି ଷ୍ଟିମ୍ୟୁଲସ୍ ପ୍ୟାକେଜ୍ ଦିଆଯାଇଛି। କିନ୍ତୁ ଏଥିଲାଗି ସମ୍ବଳ କେଉଁଠାରୁ ଆସିବ, ତାହା ସରକାରଙ୍କ ଲାଗି ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି।
ବିଭିନ୍ନ ପ୍ରକାର ସହାୟତାର ପ୍ୟାକେଜ ସହିତ କୋଭିଡ୍ ସଂକ୍ରମଣ ଟେଷ୍ଟ୍ ଠାରୁ ଆରମ୍ଭ କରି ହସ୍ପିଟାଲ ଏବ˚ ସଙ୍ଗରୋଧ କେନ୍ଦ୍ର ପରିଚାଳନା ଆଦି ପର୍ଯ୍ୟନ୍ତରେ ବିଭିନ୍ନ କାର୍ଯ୍ୟରେ ହେଉଥିବା ଅଜସ୍ର ଖର୍ଚ୍ଚ ସରକାରଙ୍କୁ ଦିନକୁ ଦିନ ଅଧିକ ସମ୍ବଳଶୂନ୍ୟ କରି ପକାଉଛି। କୋଭିଡ୍ର ଘନ ଅନ୍ଧାର ଭିତରେ ଅର୍ଥନୀତିର ଦୀପକୁ ପ୍ରଜ୍ଜ୍ବଳିତ କରି ରଖିବା ପାଇଁ ଭାରତ ସରକାର ଗତ ସପ୍ତାହରେ ସ୍ବାବଲମ୍ବୀ ଅର୍ଥନୀତି କଥା କହିଛନ୍ତି। ଦୀର୍ଘ ସୂତ୍ରୀ ପନ୍ଥା ହେଲେ ମଧ୍ୟ ଗ୍ରାମ ବିକାଶକୁ ଗୁରୁତ୍ବ ଦିଆଯାଇଥିବା ଦୃଷ୍ଟିରୁ ଏହା ସ୍ବାଗତଯୋଗ୍ୟ ନିଶ୍ଚୟ। କିନ୍ତୁ ଅର୍ଥନୀତିର ଚିକିତ୍ସା ଆଳରେ ସରକାରଙ୍କ ଦ୍ବାରା ବ୍ୟାପକ ଘରୋଇକରଣର ଉଦ୍ୟମ କେତେ ଯୁକ୍ତିଯୁକ୍ତ, ତାହା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ଏବେ ଯାହା ଦେଖିବାକୁ ମିଳିଛି ତାହା ହେଲା ସ˚କଟ ସମୟରେ ରାଷ୍ଟ୍ର ପରିଚାଳିତ ଅନୁଷ୍ଠାନ ଓ ଉଦ୍ୟୋଗ ହିଁ ଜନମଙ୍ଗଳ କାର୍ଯ୍ୟରେ ଆସିଥାଆନ୍ତି।
କିଛି ମାସ ପୂର୍ବରୁ ଏୟାର୍ ଇଣ୍ତିିଆରୁ ପୁଂଜି ପ୍ରତ୍ୟାହାର ଲାଗି କସରତ ଆରମ୍ଭ ହୋଇଥିଲା, କିନ୍ତୁ କରୋନା ପାନ୍ଡେମିକ ବେଳେ ସେହି ବିମାନ ଅନ୍ୟ ଦେଶରେ ରହିଯାଇଥିବା ଭାରତୀୟଙ୍କୁ ଉଦ୍ଧାର କରୁଛନ୍ତି। ଯୁକ୍ତି କରାଯାଇପାରେ ଯେ ଘରୋଇ ବିମାନ ମଧୢ ଏହି କାମ କରି ପାରନ୍ତେ। କିନ୍ତୁ ନିଶ୍ଚିତ ଭାବେ ଏହା ଅଧିକ ବ୍ୟୟର କାରଣ ହୁଅନ୍ତା, ଯାହାକୁ ବାଧ୍ୟ ହୋଇ ନାଗରିକ ବହନ କରନ୍ତେ ବା ସରକାର ଭରଣା କରନ୍ତେ। ଏହାଦ୍ବାରା କେବଳ ଘରୋଇ ସଂସ୍ଥା ହିଁ ଲାଭବାନ ହୁଅନ୍ତେ। ସେମିତି ରେଳବାଇର ଘରୋଇକରଣ କରାଯାଇଥିଲେ ଆଜି ଭଳି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚାଲିପାରନ୍ତା କି? ଏବେ ଘରୋଇ ଡାକ୍ତରଖାନାରେ ମଧ୍ୟ କୋଭିଡ୍ ଟେଷ୍ଟର ସୁବିଧା ମିଳୁଛି। କିନ୍ତୁ ସାଧାରଣ ଲୋକେ କେବଳ ସରକାରୀ ଡାକ୍ତରଖାନା ଦ୍ବାରା ଉପକୃତ ହେଉଛନ୍ତି। କାରଣ ଘରୋଇ ଡାକ୍ତରଖାନାରେ ସେଥିଲାଗି ଅନେକ ଖର୍ଚ୍ଚ କରିବାକୁ ହେଉଛି। ତେଣୁ ସ˚କଟ ସମୟରେ ସରକାରୀ ବ୍ୟବସ୍ଥା ହିଁ ଜନମଙ୍ଗଳ କାର୍ଯ୍ୟରେ ଆସିଥାଏ। ତେଣୁ ରାଷ୍ଟ୍ରୀୟ ସମ୍ପଦର ଘରୋଇକରଣ ଲାଗି ସୁଯୋଗ ନ ଖୋଜି ସେ ସବୁର ପୁନରୁଦ୍ଧାର ଲାଗି ବାଟ ବାହାର କରିବା ଜରୁରୀ।
ଏବେ ଆଉ ଏକ ପ୍ରସ୍ତାବ ଦିଆଯାଉଛି ଯେ ବଜାର ଚାହିଦା ବଢ଼ାଇବା ପାଇଁ ବିତ୍ତୀୟ ନିଅଣ୍ଟକୁ ଖାତିର ନ କରି ଲୋକଙ୍କ ପକେଟ୍କୁ ସିଧା ଟଙ୍କା ଦିଆଯାଉ। ଅର୍ଥନୀତିଜ୍ଞ ମିଲ୍ଟନ୍ ଫ୍ରାଇଡ୍ମ୍ୟାନ୍ ୧୯୬୯ରେ ଏକ ନିବନ୍ଧରେ ଏହାକୁ ‘ହେଲିକପ୍ଟର୍ ମନି’ ବୋଲି ଅଭିହିତ କରିଥିଲେ। ଏହାର ଅର୍ଥ ଉପରୁ ଟଙ୍କା ବର୍ଷା କଲା ଭଳି ଏକ ବ୍ୟବସ୍ଥା। କରୋନା କବଳରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ ଏହା ଜରୁରୀ। କାରଣ ଲୋକଙ୍କ ନିକଟକୁ ଟଙ୍କା ଗଲେ ତାହା ସେମାନଙ୍କ କ୍ରୟ ଶକ୍ତିକୁ ବୃଦ୍ଧି କରିବ, ଯାହା ପ୍ରକାରାନ୍ତରେ ଚାହିଦା ବୃଦ୍ଧି କରି ଯୋଗାଣ ପାର୍ଶ୍ବକୁ ଗତିଶୀଳ କରିବ ଏବଂ ଅର୍ଥନୀତି ଚଳଚଞ୍ଚଳ ହୋଇ ଉଠିବ। ରିଜର୍ଭ ବ୍ୟାଙ୍କ୍ ସେହି ରାସ୍ତାରେ ଯିବା ଉଚିତ। ଆବଶ୍ୟକ ହେଲେ ସର୍ବଶେଷ ଅସ୍ତ୍ର (ଲାଷ୍ଟ ରିସର୍ଟ) ଭାବେ ଅଧିକ ନୋଟ୍ ଛାପି ବଣ୍ଟା ଯାଇପାରେ। କରୋନା କବଳରୁ ଅର୍ଥନୀତିକୁ ବଞ୍ଚାଇବାକୁ ହେଲେ କିଛି ଅଣପାରଂପରିକ ବାଟ ଆପଣାଇବା ହୁଏତ ଜରୁରୀ ହୋଇପଡ଼ିବ।