ଆମ ରାଜ୍ୟରେ ସାଧାରଣ ଜନତାଙ୍କ ଗମନାଗମନର ଏକ ମୁଖ୍ୟ ମାଧ୍ୟମ ହେଉଛି ବସ୍‌, ଯେଉଁଥି ଲାଗି ଲୋକେ ନିଜ ନିଜ ଅଞ୍ଚଳର ସରକାରୀ ଓ ଘରୋଇ ବସ୍‌ ସେବା ଉପରେ ନିର୍ଭର କରନ୍ତି। ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ଚାଲୁଥିବା ବସ୍‌ ମଧ୍ୟରେ ଘରୋଇ ବସ୍‌ର ସଂଖ୍ୟା ପାଖାପାଖି ୯୫% ଏବଂ ସରକାରଙ୍କର ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ’ର ବସ୍‌ ସଂଖ୍ୟା ମାତ୍ର ୫%। ଏଇ ବ୍ୟବସାୟରେ ଘରୋଇ ବସ୍‌ ମାଲିକମାନେ ଦୀର୍ଘକାଳ ଧରି ଲାଭଜନକ ଉପାୟରେ ବ୍ୟବସାୟ କରୁଛନ୍ତି। ସାଧାରଣ ଜନତା କିପରି ଘରୋଇ ବ୍ୟବସାୟୀଙ୍କ ଦ୍ୱାରା ଶୋଷଣର ଶିକାର ନ ହେବେ ସେଥିପାଇଁ ରାଜ୍ୟ ସରକାର ବସ୍‌ ଯାତ୍ରୀଙ୍କ ପାଇଁ ଭଡ଼ା ଧାର୍ଯ୍ୟ କରିଥାନ୍ତି ଏବଂ ଯାତ୍ରୀ ପିଛା ସର୍ବାଧିକ ଭଡ଼ା ଉପରେ ନିୟନ୍ତ୍ରଣ ରଖିଥାନ୍ତି। ତେଣୁ ସରକାରଙ୍କର ଏହି ନିଗମ ପରିବହନ ଜନିତ ବେପାରରେ ନ ରହି ମଧ୍ୟ ଭଡ଼ା ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରେ। କିନ୍ତୁ ପ୍ରଶ୍ନ ଉଠେ ଘରୋଇ ସଂସ୍ଥାମାନେ (କୋଭିଡ୍‌ ସମୟକୁ ଛାଡ଼ି) ଦୀର୍ଘ ଦିନ ଧରି ଲାଭଜନକ ଉପାୟରେ ଜନସାଧାରଣଙ୍କୁ ବସ୍‌ ସେବା ଯୋଗାଇ ପାରୁଥିବା ବେଳେ ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ’ର କାରବାର ଦୟନୀୟ ଅବସ୍ଥାରେ ଅଛି କାହିଁକି?

Advertisment

ଓଡ଼ିଶାର ଜନସଂଖ୍ୟା ହେଉଛି ହାରାହାରି ୪.୫ କୋଟି। ତଥ୍ୟ ଅନୁସାରେ ରାଜ୍ୟ ସଡ଼କ ପରିବହନ ନିଗମର ସମୁଦାୟ ୨୬୭ଟି ଦିଗରେ (ରୁଟ୍‌) ପାଖାପାଖି ୩୬୭ଟି ବସ୍‌ ଚଳାଚଳ କରୁଛି, ୭୭ଟି ବସ୍‌ ମରାମତି ପାଇଁ ପଡ଼ିରହିଛି ଏବଂ ୫୩ଟି ବସ୍‌ ନଷ୍ଟ ହୋଇ ବିକ୍ରି ପାଇଁ ପଡ଼ିଛି। ଅର୍ଥାତ୍‌ ଓଡ଼ିଶାରେ ହାରାହାରି ପ୍ରତି ୯୫,୦୦୦ ଜଣଙ୍କ ପାଇଁ ଗୋଟିଏ ଲେଖାଏଁ ସରକାରୀ ବସ୍‌ ଚାଲୁଛି। କେରଳର ଜନସଂଖ୍ୟା ୩.୫ କୋଟି ହୋଇଥିଲା ବେଳେ କେରଳ ସଡ଼କ ପରିବହନ ନିଗମର ୫,୬୬୨ଟି ବସ୍‌ ସେ ରାଜ୍ୟରେ ଚାଲୁଛି। ଅର୍ଥାତ୍‌ ହାରାହାରି ପ୍ରତି ୬,୧୮୨ ଜଣଙ୍କ ପାଇଁ ଗୋଟିଏ ଲେଖାଏଁ ସରକାରୀ ବସ୍‌ ଚାଲୁଛି। ସେହିପରି ତାମିଲନାଡୁ ରାଜ୍ୟ ସଡ଼କ ପରିବହନର ନିଜସ୍ୱ ମୋଟାମୋଟି ୨୦ ହଜାର ବସ୍‌ ଯାତାୟାତ କରୁଛି, ପ୍ରତି ୩,୫୦୦ ଲୋକ ପିଛା ଗୋଟିଏ ଲେଖାଏଁ ସରକାରୀ ବସ୍‌। ଅନ୍ୟ ପକ୍ଷରେ ପଞ୍ଜାବରେ ପ୍ରତି ୨୩,୦୦୦ ଲୋକ ପିଛା ଗୋଟିଏ ଲେଖାଏଁ ଏବଂ ଗୁଜରାଟରେ ପ୍ରତି ୭,୪୫୦ ଜଣ ଲୋକ ପିଛା ଗୋଟିଏ ଲେଖାଏଁ ସରକାରୀ ବସ୍‌ ଚାଲୁଛି। ପୂର୍ବ ଭାରତର ଆସାମ ପରି ରାଜ୍ୟର ସଡ଼କ ପରିବହନ ନିଗମର ନିଜସ୍ୱ ୧,୧୦୦ ବସ୍‌ ଚାଲୁଥିଲା ବେଳେ ନିଗମର ବ୍ୟାନର୍‌ ତଳେ ଆହୁରି ୧,୨୦୦ଟି ଘରୋଇ ବସ୍‌ ଚଳାଚଳ ହେଉଛି, ଅର୍ଥାତ୍ ପ୍ରତି ୧୫,୨୧୭ ଜଣ ଲୋକ ପିଛା ଗୋଟିଏ ଲେଖାଏଁ ସରକାରୀ ବସ ଚାଲୁଛି।

ଏହି ସବୁ ତଥ୍ୟ ଆଧାରରେ ଜଣାଯାଏ ଯେ ଜନସାଧାରଣଙ୍କୁ ବସ୍‌ ଗମନାଗମନର ସୁବିଧା ଯୋଗାଇ ଦେବାରେ ଅନ୍ୟ ରାଜ୍ୟମାନଙ୍କ ଠାରୁ ଆମେ ପଛୁଆ। ରାଜ୍ୟରେ ଯେତିକି ସଂଖ୍ୟକ ସରକାରୀ ବସ୍‌ ଆବଶ୍ୟକ ତାହା ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ’ ଯୋଗାଇବାରେ ଅକ୍ଷମ। ତେବେ ବିଗତ କେଇ ବର୍ଷରେ ରାଜ୍ୟ ସରକାର ବସ୍‌ ସଂଖ୍ୟାରେ ୪୫% ବୃଦ୍ଧି କରିଛନ୍ତି। ୨୦୨୧-୨୨ରେ ୧୮୦ଟି ନୂଆ ବସ୍‌ କିଣାଯାଇଛି।

ଆଜି ବି ରାଜ୍ୟରେ ସରକାରୀ ବସ୍‌ ଷ୍ଟାଣ୍ଡ ବା ବସ୍‌ ଡିପୋମାନଙ୍କର ଅବସ୍ଥା ଅତି ଶୋଚନୀୟ ଅଛି। ସବୁଠି ଶୌଚାଳୟ ଓ ବିଶ୍ରାମଗାରର ସୁବିଧା ନାହିଁ। ଯେଉଁ ଅଂଚଳକୁ ନିହାତି ଭାବରେ ସରକାରୀ ବସ୍‌ ଚଳାଚଳ ହେବା କଥା ତାହା ପର୍ଯ୍ୟାପ୍ତ ନାହିଁ। ଅନେକ ଅଞ୍ଚଳରେ ସ୍ଥାନୀୟ ଲୋକେ ଘରୋଇ ବସ୍‌ ମାଲିକଙ୍କ ସ୍ବେଚ୍ଛାଚାରକୁ ସହିବାକୁ ବାଧ୍ୟ ହେଉଛନ୍ତି। ଏବେ ବି ଓଡ଼ିଶାର ଯାତ୍ରୀ ପରିବହନ ବ୍ୟବସାୟ ବିକ୍ଷିପ୍ତ ଅବସ୍ଥାରେ ଚାଲୁଛି। ଓଡ଼ିଶା ସରକାରଙ୍କର ‘ଇକୋନୋମିକ ସର୍ଭେ’ରେ ଥିବା ତଥ୍ୟ ମୁତାବକ ରାଜ୍ୟ ସଡ଼କ ପରିବହନ ନିଗମର ଗୋଟିଏ ବସ୍‌ କିଲୋମିଟର ପିଛା ୨୮.୫୬ ଟଙ୍କା ଆୟ କଲା ବେଳେ ନିଗମର ଖର୍ଚ୍ଚ ୨୮.୦୩ ଟଙ୍କା ହେଉଛି। ଅର୍ଥାତ୍‌ କିଲୋମିଟର ପିଛା ନିଗମର ଲାଭ ମାତ୍ର ୫୩ ପଇସା। ତୁଳନାତ୍ମକ ଭାବେ ଦେଖିଲେ କେରଳରେ ଗୋଟିଏ ବସ୍‌ର କିଲୋମିଟର ପିଛା ଆୟ ହେଉଛି ୩୮ ଟଙ୍କା। ଅର୍ଥାତ୍‌ ଆମ ରାଜ୍ୟ ସଡ଼କ ପରିବହନ ନିଗମର ଆର୍ଥିକ ପରିଚାଳନା ଅନ୍ୟ ରାଜ୍ୟ ତୁଳନାରେ ସେତେ ଭଲ ନୁହେଁ। ଆୟ ଆଧାରରେ ଦେଖିଲେ ଓଡ଼ିଶା ସଡ଼କ ପରିବହନ ନିଗମର ବାର୍ଷିକ ଆୟ ଗତ ବର୍ଷ ସୁଦ୍ଧା ପାଖାପାଖି ମାତ୍ର ୭୦ କୋଟି ଟଙ୍କା ହୋଇଥିଲା ବେଳେ ତାହା କେରଳରେ ୧,୨୦୦ କୋଟି ଟଙ୍କା, ମହାରାଷ୍ଟ୍ରରେ ୮,୦୦୦ କୋଟି ଟଙ୍କା ଏବଂ ରାଜସ୍ଥାନରେ ପାଖାପାଖି ୨,୧୦୦ କୋଟି ଟଙ୍କା। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅତି କମ୍ ଲାଭ କରୁଥିଲେ ହେଁ, ଦେଶର ମୁଖ୍ୟ ଦଶଟି ଲାଭକାରୀ ସଡ଼କ ପରିବହନ ନିଗମ ଭିତରୁ ଅନ୍ୟତମ। ଅନ୍ୟ ରାଜ୍ୟଗୁଡ଼ିକ‌େର ସଡ଼କ ପରିବହନ ନିଗମମାନେ ତୁଳନାତ୍ମକ ଭାବେ ନଗଦ କ୍ଷତିରେ ଚାଲିଛନ୍ତି ସତ, କିନ୍ତୁ ସେହି ରାଜ୍ୟମାନଙ୍କରେ ବସ୍‌ ଚଳାଚଳ ସୁବିଧା ସୁଦୂରପ୍ରସାରୀ ହୋଇ ଜନତାଙ୍କୁ ଉତ୍ତମ ସେବା ଯୋଗାଉଛି।

ନିଗମର ଆୟର ଆଉ ଏକ ଉତ୍ସ ହେଉଛି ବସ୍‌ରେ ଲଗାଯାଉଥିବା ବିଜ୍ଞାପନ। ୨୦୧୮ର ସରକାରୀ ତଥ୍ୟ ଅନୁସାରେ ବିଜ୍ଞାପନକୁ ନେଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଆୟ ହେଉଛି ମାତ୍ର ୨୮ ଲକ୍ଷ। ଅର୍ଥାତ୍‌ ଗୋଟିଏ ବସ୍‌ ପିଛା ବର୍ଷକୁ ଆୟ ମାତ୍ର ୫,୮୫୮ ଟଙ୍କା ବା ଦିନକୁ ମାତ୍ର ୧୬ ଟଙ୍କା। ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ରାଜ୍ୟ ସଡ଼କ ପରିବହନ ନିଗମର ବିଜ୍ଞାପନରୁ ଆୟ ଗୋଟିଏ ବସ୍‌ ପିଛା ଦିନକୁ ୭୩ ଟଙ୍କା। ତେଣୁ ଏଇ ସବୁ ଆଧାରରେ ମୂଲ୍ୟାଙ୍କନ କଲେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରୁ ଅନେକ ଅନୁଦାନ ପାଇଲେ ସୁଦ୍ଧା ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ’ର ଆର୍ଥିକ ପରିଚାଳନା ଦୁର୍ବଳ ପରି ମନେହୁଏ।

ଉଲ୍ଲେଖ ଥାଉ କି ନିକଟ ଅତୀତରେ ନିଗମ ୧୦.୫୫ କୋଟି ଟଙ୍କା କ୍ଷତି ଅବସ୍ଥାରୁ ଗତ ବର୍ଷ ୧.୫୨ କୋଟି ଟଙ୍କା ଲାଭ ଅବସ୍ଥାକୁ ଆସିଛି। ନିଗମକୁ ଲାଭବାନ କରିବାକୁ ନେଇ କର୍ମଚାରୀ ସ୍ତରରେ ହେଉ କିମ୍ବା ଆର୍ଥିକ ପରିଚାଳନା ସ୍ତରରେ ହେଉ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଅପରପକ୍ଷରେ ଜନତାଙ୍କୁ ବସ୍‌ ସୁବିଧା ଯୋଗାଇଦେବାକୁ ଦିନକୁ ଦିନ ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ମିଳିତ ପୁଞ୍ଜିରେ ନୂଆ ନୂଆ ବସ୍‌ କିଣିବାରେ ଲାଗିଛନ୍ତି ଏବଂ ଭବିଷ୍ୟତରେ ନୂତନ ବସ କ୍ରୟର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏପରିକି ରାଜ୍ୟରେ ଆଉ ୧,୦୦୦ ସରକାରୀ ବସ ଚଳାଚଳର ଯୋଜନା ମଧ୍ୟ ରହିଛି। କିନ୍ତୁ ମନରେ ପ୍ରଶ୍ନ ଉଠେ, ଯେତେବେଳେ କିଲୋମିଟର ପିଛା ନିଗମର ଗୋଟିଏ ବସର ଲାଭ ମାତ୍ର ୫୩ ପଇସା ସେତେବେଳେ ଯେତେ ସଂଖ୍ୟାରେ ବସ୍‌ କିଣି ଜନସାଧାରଣଙ୍କୁ ଯାତାୟାତ ଜନିତ ସୁବିଧା ଯୋଗାଇଲେ ବି ନିଗମ ଲାଭ କିପରି କରିବ? ଅନେକ ଭାବୁଥିବେ ‌ଯେ ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏକ ବ୍ୟାବସାୟିକ ସଂସ୍ଥା ନୁହେଁ ଯେ ଘରୋଇ ସଂସ୍ଥା ପରି ଲାଭ କରିବା ନିହାତି ଦରକାର। ସରକାର ଏବଂ ରାଜ୍ୟ ପରିବହନ ନିଗମର ମୌଳିକ ଉଦ୍ଦେଶ୍ୟ ହେଲା ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ଯାହାକି ଏକ ଜନସେବାମୂଳକ କାର୍ଯ୍ୟ। ତେଣୁ ନିଗମର ମୁଖ୍ୟ ଉଦ୍ଦେଶ୍ୟ ବେପାର କିମ୍ବା ଲାଭ ନୁହେଁ।’ ଏହା ଠିକ୍ କଥା।

କୌଣସି ସରକାରୀ ନିଗମକୁ ସମ୍ପୂର୍ଣ୍ଣ ରୂପେ ଲାଭ ଆଧାରରେ ମୂଲ୍ୟାଙ୍କନ କରିବା ଭୁଲ୍‌ ହେବ। ତେଣୁ ସରକାରୀ ନିଗମକୁ ସାମାଜିକ ସୁବିଧା ଆଧାରରେ ମୂଲ୍ୟାଙ୍କନ କରାଯିବା ଉଚିତ। ଉପରୋକ୍ତ ତଥ୍ୟକୁ ନେଇ ଏଇ ଆଧାରରେ ଦେଖିଲେ ଯାହା ଜଣାଯାଏ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓଡ଼ିଶାର କୋଣଅନୁକୋଣରେ ପହଞ୍ଚି ନା ଠିକ୍‌ ସେବା ଓ ସୁବିଧା ଯୋଗେଇ ପାରୁଛି ନା ସମ୍ପୂର୍ଣ୍ଣ ଲାଭଜନକ ଉପାୟରେ ବ୍ୟବସାୟ କରିପାରୁଛି। ଯଦି ଜନସେବା ଆଧାରରେ ଦେଖିବା ତେବେ ରାଜ୍ୟ ନିଗମ ରାଜ୍ୟର ଅଧିକାଂଶ ଜାଗାକୁ କିପରି ବସ୍‌ ଯାତାୟାତ ହୋଇପାରିବ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ସରକାର ବିଭିନ୍ନ ବର୍ଗର ନାଗରିକଙ୍କୁ ରିହାତି ଦରରେ ଯାତାୟାତର ସୁବିଧା ଦିଅନ୍ତୁ, ଯାତ୍ରୀ ତଥା ଡ୍ରାଇଭର ଗୋଷ୍ଠୀ ମାନଙ୍କର ସୁବିଧା ନିମନ୍ତେ କିଛି କିଲୋମିଟର ବ୍ୟବଧାନରେ ଯାତ୍ରୀ ବିଶ୍ରାମଗାର ତଥା ଶୌଚାଳୟ ସୁବିଧାର ବ୍ୟବସ୍ଥା କରନ୍ତୁ ଯାହାକି ଜନହିତକର ହେବ। ଏବଂ ସରକାରୀ ପୁଞ୍ଜିର ଠିକ୍‌ ବିନିଯୋଗ ହେବ ବୋଲି କହିହେବ। ତେଣୁ ଏଇ ଯୁକ୍ତି ଆଧାରରେ ସରକାରଙ୍କ ଦାୟିତ୍ୱ କେବଳ ଯୋଜନା ବା ନୀତି ତିଆରି କରିବା ଏବଂ ରାଜ୍ୟ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ତାକୁ ନିୟନ୍ତ୍ରିତ କରିବାରେ ସୀମିତ ରହୁ। ବ୍ୟାବସାୟିକ କାରବାର ଘରୋଇ ବ୍ୟବସାୟୀଙ୍କ ଦାୟିତ୍ୱରେ ଛଡ଼ାଯାଉ ଯାହାକି ରାଜ୍ୟରେ ନୂଆ ଉଦ୍ୟୋଗୀ ତିଆରି କରିବା ସହ ରାଜ୍ୟ ସରକାରଙ୍କର ପରିବହନ ନିଗମ ମାଧ୍ୟମରେ ଅଯଥା ଟଙ୍କା ଖର୍ଚ୍ଚ ନ କରିବାରେ ସହାୟକ ହେବ। ଅନ୍ୟ ପକ୍ଷରେ ରାଜ୍ୟ ସଡ଼କ ପରିବହନ ନିଗମ ସରକାରୀ ପୁଞ୍ଜି ଲଗାଇ ନିଜସ୍ୱ ବସ୍‌ ନ କିଣି ପ୍ରାଇଭେଟ ଲିଜିଂ ବ୍ୟବସ୍ଥାରେ ବ୍ୟବସାୟ ପରିଚାଳନା କଲେ ହୁଏତ ନିଗମର ଲାଭ ତଥା ଆର୍ଥିକ ମାମଲାରେ ସୁଧାର ଆସିପାରେ ବୋଲି ମନେହୁଏ।

ଅନେକ ସମୟରେ ଉପଯୁକ୍ତ ସର୍ଭେ ନ କରି କିମ୍ବା ଆବଶ୍ୟକତା ନଥାଇ ମଧ୍ୟ ରାଜନୈତିକ ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି ‘ବସ୍‌ ରୁଟ’ ନିର୍ଦ୍ଧାରିତ ହୋଇଥାଏ। ଏହି ରାଜନୈତିକ ଉଦ୍ଦେଶ୍ୟମୂଳକ ପଦକ୍ଷେପ ଅନେକ ସମୟରେ ରାଜ୍ୟ ସଡ଼କ ପରିବହନ ନିଗମକୁ କ୍ଷତିଗ୍ରସ୍ତ କରିଥାଏ। ଏ ନେଇ ରାଜ୍ୟ ସରକାର ତଥା ନିଗମ ବିଶେଷ ଭାବେ ଚିନ୍ତା କରିବା ନିତାନ୍ତ ଆବଶ୍ୟକ।

ମୋ: ୯୭୯୧୧୨୧୦୬୮