ଗୋଟିଏ ଆଦିବାସୀ ଗପ।

ଯେତେବେଳେ ସୃଷ୍ଟି ତିଆରି ଚାଲିଥିଲା, ଭଗବାନ ମଣିଷ ଗଢ଼ିବାର ଦାୟିତ୍ବ ଦେଲେ ତାଙ୍କ ବୃଦ୍ଧ କାରିଗରଙ୍କୁ। ବୃଦ୍ଧ କାରିଗର ଦୁଇଟି ମଣିଷ ପିତୁଳା ଗଢ଼ି ଦେଲେ ଓ ଭଗବାନଙ୍କ ପାଖକୁ ଗଲେ ପରବର୍ତ୍ତୀ ଆଦେଶ ଲାଗି। ଭଗବାନ କହିଲେ- ଏ ଦୁଇଟି ପାତ୍ର ନିଅ। ଗୋଟିକରେ ଅଛି ସୁଖ ରସ, ଅନ୍ୟଟିରେ ଦୁଃଖ ରସ। ତୁମେ ସେଇ ରସରେ ପିତୁଳା ଦୁଇଟିକୁ ଭଲ ଭାବେ ଗାଧୋଇ ଦେଇ ସାରିଲା ପରେ ମୁଁ ସେମାନଙ୍କୁ ଜୀବନ ଦେବି।

କାରିଗର ପଚାରିଲେ- ଭଗବାନ, ଏମିତି କରିବାର କାରଣ?

Advertisment

ଭଗବାନ କହିଲେ- ସିଧା କଥା। ଏ ଦୁଇ ପିତୁଳା ଜୀବନ୍ୟାସ ପାଇ ସେମାନଙ୍କ ସନ୍ତାନସନ୍ତତି ଜରିଆରେ ଯେତେବେଳେ ସାରା ପୃଥିବୀରେ ବ୍ୟାପିଯିବେ, ସେତେବେଳେ ବଢ଼ିଆ କଥାଟିଏ ହେବ। ଏମିତି କରିଥିଲେ ଜଣକର ସୁଖରେ ଅନ୍ୟମାନେ ସୁଖୀ ବା ଖୁସି ହେବେ ଓ ଜଣକର ଦୁଃଖରେ ସମସ୍ତେ ଦୁଃଖୀ ହେବେ। ଏହା ଠାରୁ ବଳି ଭଲ କଥା ଆଉ କଅଣ ଅଛି?

କାରିଗର ପାତ୍ର ଦୁଇଟିକୁ ନେଇ ଫେରିଲେ। କୌଣସି କାରଣରୁ ସେ ଟିକିଏ ଅନ୍ୟମନସ୍କ ଥିବାର ସୁଯୋଗ ନେଇ ସଇତାନ ଦୁଇଟି ଯାକ ପାତ୍ରର ରସକୁ ମିଶାଇ ଦେଲା ଯାହା କାରିଗର ଜାଣି ପାରିଲେ ନାହିଁ। ସେହି ରସରେ ସେ ପିତୁଲା ଦୁଇଟିକୁ ଧୋଇ ଦେଲେ।
ପୃଥିବୀରେ ମଣିଷ ଜାତି ବଢ଼ିଲେ। ସେତେବେଳେ ଦେଖାଗଲା ଓଲଟା ହେଉଛି, ଅର୍ଥାତ୍‌ ଜଣକର ଦୁଃଖରେ ଅନ୍ୟମାନେ ଖୁସି ହେଉଛନ୍ତି ଓ ଅନ୍ୟ କାହାର ସୁଖ ଦେଖିଲେ ଈର୍ଷାରେ ଦୁଃଖୀ ହୋଇ ଯାଉଛନ୍ତି।

ଏମିତି ଭାବେ ଭଗବାନଙ୍କ ଭଲ ଉଦ୍ଦେଶ୍ୟକୁ ସଇତାନ ଭଣ୍ତୁର କରି ଦେଲା।