ମୌନ ମାଟିର ମୂର୍ଚ୍ଛନା

ବହୁବଚନ - ବିଜୟ ନାୟକ

ରାଷ୍ଟ୍ରପତି ପଦ ମଣ୍ଡନ କରିବାର ବର୍ଷେ ପୂରି ନାହିଁ ଅଥଚ ମାନନୀୟା ଦ୍ରୌପଦୀ ମୁର୍ମୁ ଭାରତର ଅଧିକାଂଶ ରାଜ୍ୟ ଗସ୍ତ କରିସାରିଲେଣି। ଦିଲ୍ଲୀ ବାହାରେ ତାଙ୍କ ପ୍ରଥମ ଗସ୍ତ ଥିଲା କର୍ଣ୍ଣାଟକ। ତା’ ପରଠୁ ନିୟମିତ ବ୍ୟବଧାନରେ ତାଙ୍କ ରାଜ୍ୟ ଗସ୍ତ ଅବ୍ୟାହତ ରହିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ସଭାସମିତି, ସମାବର୍ତ୍ତନ ଉତ୍ସବ ଓ ରାଜ୍ୟ ପ୍ରତିଷ୍ଠା ସମାରୋହ ଆଦିରେ ଯୋଗ ଦେଇ ରାଷ୍ଟ୍ରପତି ମହୋଦୟା ଦେଶବାସୀଙ୍କର ଅଜସ୍ର ଶ୍ରଦ୍ଧାଭାଜନ ହୋଇଛନ୍ତି।

କୌଣସି ରାଜ୍ୟକୁ ରାଷ୍ଟ୍ରପତି ପ୍ରଥମେ ଗଲେ, ସେଠାରେ ସାଧାରଣତଃ ନାଗରିକ ସମ୍ବର୍ଦ୍ଧନା ଓ ଆନୁଷ୍ଠାନିକ ଭୋଜିର ଆୟୋଜନ କରାଯାଏ। ସଭାରେ ପ୍ରାୟତଃ ମୁଖ୍ୟମନ୍ତ୍ରୀମାନେ ସ୍ୱାଗତ ଭାଷଣ ଦେଇଥା’ନ୍ତି। ଏମନ୍ତ ସମ୍ବୋଧନ ସମୟରେ ଶ୍ରୀମତୀ ମୁର୍ମୁଙ୍କ ସୀମାନ୍ତ ଗାଁ ଉପରବେଡ଼ା, ରାଇରଙ୍ଗପୁର ଉପଖଣ୍ଡ, ମୟୂରଭଞ୍ଜ ଜିଲ୍ଲା ଓ ଓଡ଼ିଶା କଥା ସ୍ୱତଃ ଆଲୋଚିତ ହେଉଛି। ଓଡ଼ିଶାର ମନ୍ତ୍ରୀ ଥିବା ସମୟରେ ସେ କରିଥିବା ଜନହିତକର କାର୍ଯ୍ୟାବଳୀ, ତାଙ୍କ ଲୋକପ୍ରିୟତା ଏବଂ ସମାଜର ତଳ ପାହାଚରେ ଥିବା ଲୋକଙ୍କ ପ୍ରତି ତାଙ୍କ ଦରଦ ତଥା ବିଧାୟକ ଭାବରେ ସେ ‘ପଣ୍ଡିତ ନୀଳକଂଠ ଦାସ ଶ୍ରେଷ୍ଠ ବ୍ୟବସ୍ଥାପକ ପୁରସ୍କାର’ ପାଇଥିବା କଥା ସର୍ବତ୍ର କୁହାଯାଉଛି। ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବାରେ ତାଙ୍କ ଭୂମିକା ବିଷୟ ମଧ୍ୟ ପ୍ରସଙ୍ଗତଃ ଆଲୋଚିତ ହେଉଛି। ଏହା ସହିତ ଓଡ଼ିଶାର କୀର୍ତ୍ତି କୀର୍ତ୍ତନ ମଧ୍ୟ କରାଯାଉଛି। ଅବଶ୍ୟ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ସାଧାରଣ ଜନତା ବିଶେଷକରି ଜନଜାତି ଲୋକମାନଙ୍କର ଉତ୍‌ଥାନ ପାଇଁ କରିଥିବା ପ୍ରୟାସ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଣିଥିବା ସଂସ୍କାର ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଉଛି। ଏସବୁ ତ ସଭାର ଉପଚାର।

କିନ୍ତୁ ଉଲ୍ଲେଖନୀୟ ଏହି ଯେ ମହାମହିମଙ୍କ ପରିଚୟ ପ୍ରଦାନ କରାଯିବା ସମୟରେ ଅନେକତ୍ର ଭୀମଭୋଇଙ୍କ କବିତା ଆବୃତ୍ତି କରାଯାଉଛି। ଲକ୍ଷ୍ନୌର ଲୋକଭବନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୀମଭୋଇଙ୍କ କବିତା ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’ ଆବୃତ୍ତି କରି, ରାଷ୍ଟ୍ରପତି ମହୋଦୟା ଭୀମଭୋଇଙ୍କ ମାନବତାବାଦୀ ଆଦର୍ଶରେ ଅନୁପ୍ରାଣିତ ବୋଲି କହିଲାବେଳେ ସଭାସ୍ଥଳ ସ୍ତବ୍‌ଧ ହୋଇଯାଇଥିଲା। ମସୌରୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ପ୍ରାଶାସନିକ ଏକାଡେମୀରେ ପ୍ରାରମ୍ଭିକ ଭାଷଣ ଦେଇ ଜନୈକ ପ୍ରଶିକ୍ଷୁ ଆଇ.ଏ.ଏସ୍. ଅଫିସର୍ ମଧ୍ୟ ଭୀମଭୋଇଙ୍କ କବିତା ଆବୃତ୍ତି କରିଥିଲେ। ଏହାର ପୁନରାବୃତ୍ତି ମଧ୍ୟ ଘଟିଥିଲା ହାଇଦ୍ରାବାଦ ଉପକଣ୍ଠରେ ଅବସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଲିସ୍ ଏକାଡେମୀରେ। ସେହିପରି ସିମଳା ସ୍ଥିତ ଜାତୀୟ ଆକାଉଣ୍ଟସ୍ ଓ ଅଡିଟ୍ ଏକାଡେମୀରେ କେରଳ ନିବାସୀ ଜଣେ ପ୍ରଶିକ୍ଷୁ ରାଧାମୋହନ ଗଡ଼ନାୟକଙ୍କ କବିତା ଆବୃତ୍ତି କରି ମହାମହିମଙ୍କ ଶ୍ରୁତି ଆକର୍ଷଣ କରିଥିଲେ। ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ସଭାରେ ଓଡ଼ିଶା, ମୟୂରଭଞ୍ଜ ଓ ଭୀମଭୋଇ ଆଦିଙ୍କ କଥା ପଡୁଛି ହିଁ ପଡୁଛି। ରାଷ୍ଟ୍ରପତି ବଜେଟ ଅଧିବେଶନରେ ଉଦ୍ଧାର କରିଥିବା ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ କବିତା ‘ବସୁନ୍ଧରା ତଳେ ଭାରତ ରମଣୀ ନୁହେଁ ହୀନ ନୁହେଁ ଦୀନ’ ଭାରତବାସୀଙ୍କର ଏକ ପ୍ରିୟ ପଙ୍‌କ୍ତି ହୋଇଯାଇଛି ଯେମିତି।

ମହାମହିମଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ ସମୟର ଘଟଣା କେବେ ବି ଭୁଲିବାର ନୁହେଁ। ସ୍ମରଣୀୟ ଘଟଣାଟି ଘଟିଥିଲା ତିରୁପତି ନିକଟସ୍ଥ ପଦ୍ମାବତୀ ମହିଳା ବିଶ୍ୱବିଦ୍ୟାଳୟରେ। ବିଶ୍ୱବିଦ୍ୟାଳୟର କୁଳପତି ସମ୍ବଲପୁରୀ ଶାଢ଼ି ତ ପିନ୍ଧିଥିଲେ ପୁଣି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଅବସରରେ ସେହି ତେଲୁଗୁଭାଷୀ ମହିଳା କିଛି ସମୟ ଓଡ଼ିଆରେ ଭାଷଣ ଦେଇଥିଲେ। ତେଲେଙ୍ଗାନା ରାଜ୍ୟପାଳଙ୍କ ଦ୍ୱାରା ଆୟୋଜିତ ସାନ୍ଧ୍ୟ ଭୋଜିରେ ଓଡ଼ିଶାର ଡାଲମା ପରଷା ଯାଇଥିଲା। ସେହିପରି ହରିୟାଣାରେ ଓଡ଼ିଶୀ ତାରକସି କଳାକୃତି ଉପହାର ଦିଆଯାଇଥିଲା ରାଷ୍ଟ୍ରପତିଙ୍କୁ।

ଓଡ଼ିଶା ଓ ଆସାମର ସମ୍ବନ୍ଧ ଅତି ପ୍ରାଚୀନ। ସୁଦୂର କାମରୂପରୁ ଦୁଇ ଦଫାରେ ପୁରୀ ଆସିଥିଲେ ଶ୍ରୀମନ୍ତ ଶଙ୍କରଦେବ। ଆଧୁନିକ କାଳରେ ବିଶିଷ୍ଟ ଅହମିୟା କବି ଲକ୍ଷ୍ମୀନାଥ ବେଜବରୁଆ ଦୀର୍ଘ ଦିନ ଧରି ସମ୍ବଲପୁରରେ ଅବସ୍ଥାନ କରିଥିଲେ। ତାଙ୍କ ନିବାସସ୍ଥଳୀକୁ ଏବେ ସଂଗ୍ରହାଳୟରେ ପରିଣତ କରାଯାଉଛି। ନାଗରିକ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତିଙ୍କ ପରିଚୟ ପ୍ରଦାନ କଲାବେଳେ ଏସବୁ କଥା ବଖାଣିଥିଲେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଭାଷଗତ ସାମଞ୍ଜସ୍ୟ ହେତୁ ଓଡ଼ିଶାର ଝିଅ ମଧ୍ୟ ଆସାମର ଝିଅ ବୋଲି ସେ କହିଲାବେଳେ ସଭାସ୍ଥଳ ବେଶ୍ ହର୍ଷମୁଖର ହୋଇଥିଲା।

କଲିକତାର ନେତାଜୀ ଇନ୍‌ଡୋର ଷ୍ଟାଡିଅମ୍‌ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭାରତର ସୁନା ଝିଅ ବୋଲି କହିଥିଲେ। ଭାଷଣ ଆରମ୍ଭରେ “କେମିତି ଅଛନ୍ତି” ବୋଲି କହିବା ସଙ୍ଗେ ସଙ୍ଗେ ଉପସଂହାରରେ “ଜୟ ବାଂଲା” ପରେ “ଜୟ ଓଡ଼ିଶା” ମଧ୍ୟ କହିବାକୁ ଭୁଲି ନଥିଲେ। ଭୁଲି ନଥିଲେ କହିବାକୁ ଯେ ନେତାଜୀଙ୍କ ଜନ୍ମଭୂମି କଟକ ଓ କର୍ମଭୂମି କଲିକତା। ରାଷ୍ଟ୍ରପତି ମହୋଦୟା ତାଙ୍କ ଅଭିଭାଷଣରେ ନେତାଜୀଙ୍କୁ ଉତ୍କଳ-ବଙ୍ଗର ସମନ୍ୱୟ ବୋଲି କହିବା ସହିତ ଶ୍ରୀଚୈତନ୍ୟ ଦେବଙ୍କ ନବଦ୍ୱୀପରୁ ନୀଳଚଳ ଯାତ୍ରାକୁ ଐତିହାସିକ ବୋଲି ଅଭିହିତ କରିଥିଲେ।

କେତେକ ବ୍ୟକ୍ତି ସ୍ଥାନକୁ ଆସ୍ଥାନ କରିଦିଅନ୍ତି ତ କେତେକ ସ୍ଥାନ ବ୍ୟକ୍ତିକୁ ବ୍ୟକ୍ତିତ୍ୱରେ ରୂପାନ୍ତରିତ କରେ। ବଙ୍ଗ ପାଇଁ ବିବେକାନନ୍ଦ ଯେତିକି ପରିଚିତ, ବିବେକାନନ୍ଦଙ୍କ ପାଇଁ ତତୋଽଧିକ ପରିଚିତ ବଙ୍ଗ ଭୂମି। ଗୁଜରାଟ ପାଇଁ ଗାନ୍ଧୀଜୀ ଯେତିକି ପ୍ରସିଦ୍ଧ, ଗାନ୍ଧୀଜୀଙ୍କ ପାଇଁ ଗୁଜରାଟର ପ୍ରସିଦ୍ଧି କାହିଁ କେତେ ଗୁଣ ଅଧିକ। ମରାଠୀ ଭାବରେ ତିଳକ ଗୌରବାନ୍ୱିତ ତ ମହାରାଷ୍ଟ୍ର ତିଳକଙ୍କ ପାଇଁ ତହୁଁ ବଳି ମହିମାମଣ୍ଡିତ।

ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଯେଉଁଠାକୁ ଯାଉଛନ୍ତି, ସେଠାରେ ଓଡ଼ିଶାର ନାମ ଉଠୁଛି, ପଡୁଛି। ଓଡ଼ିଶାକୁ ନିରବତାର ଅନ୍ୟ ନାମ ବୋଲି କହିଲେ ଭୁଲ୍ ହେବ ନାହିଁ। ଓଡ଼ିଶା ବାହାରେ ଓଡ଼ିଶା ବିଷୟରେ ବିଶେଷ ଆଲୋଚନା କରାଯାଏ ନାହିଁ। ଓଡ଼ିଶାର ସାଂସ୍କୃତିକ ବିପୁଳତା, ଓଡ଼ିଆ ଜାତିର ପ୍ରାଣ ପ୍ରାଚୁର୍ଯ୍ୟ ଏବଂ ଓଡ଼ିଆ ଜୀବନଶୈଳୀର ଅନନ୍ୟତା କଥା ଅନେକଙ୍କୁ ଅଜଣା। ତେବେ ନିରବତା ଏବେ କେତେ କଥା କହୁଛି ସତେ! କେଡ଼େ ମଧୁର, କେଡ଼େ ମୁଖର ପୁଣି ସେ ମୌନତା! ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯେମିତି ପାଲଟିଛନ୍ତି ଆମ ମୌନ ମାଟିର ମୂର୍ଚ୍ଛନା।

ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର