ଗୋଲାପି ଟଙ୍କାର ଅପମୃତ୍ୟୁ

ସରଳ ବିଚାର - ସରଳ କୁମାର ଦାସ

ଆଖି ଆଗରେ ଗୋଲାପି ଟଙ୍କା ଜନ୍ମ ନେଲା ଓ ମାତ୍ର ସାତ ବର୍ଷ ଭିତରେ ତା’ର ପରିଚୟ ହୋଇଗଲା ‘ନୂଆ କଳା ଟଙ୍କା।’ ଏବଂ ତାହା ହିଁ ପାଲଟିଲା ତା’ର ଅକାଳ ମୃତ୍ୟୁର କାରଣ। ଦୁଇ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଲାଗି ରିଜର୍ଭ ବ୍ୟାଙ୍କର ଘୋଷଣା ସହିତ ସେହି ଗୋଲାପି ଟଙ୍କାର ଅପମୃତ୍ୟୁ ହୋଇଛି ବୋଲି କହିଲେ ଭୁଲ୍‌ ହେବନାହିଁ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଟଙ୍କାର ବର୍ଦ୍ଧିତ ଚାହିଦାକୁ ତତ୍‌କ୍ଷଣାତ୍ ପୂରଣ କରିବା ଲାଗି ତା’ର ଜନ୍ମ ହୋଇଥିଲା। ସେହି ଲକ୍ଷ୍ୟ ପୂରଣ କରି ସାରିଥିବାରୁ ତା’ର ମୃତ୍ୟୁ ଅନିବାର୍ଯ୍ୟ ଥିଲା ବୋଲି କୁହାଯାଇପାରେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ, ୧୯୩୪ର ଧାରା ୨୭ ଅନୁଯାୟୀ ଚିରି ଯାଇଥିବା ବା ବିକୃତ ହୋଇ ଯାଇଥିବା ଅଥବା ନଷ୍ଟ ହୋଇ ଯାଇଥିବା ନୋଟଗୁଡ଼ିକୁ ବ୍ୟାଙ୍କ ପୁନର୍ବାର ବଜାରକୁ ଛାଡ଼ି ପାରିବେ ନାହିଁ। ତଦନୁଯାୟୀ ରିଜର୍ଭ ବ୍ୟାଙ୍କ ୧୯୯୯ରୁ ‘ସ୍ୱଚ୍ଛ ମୁଦ୍ରା ନୀତି’ (କ୍ଲିନ୍ ନୋଟ ପଲିସି) ଅନୁସାରେ ନାଗରିକମାନଙ୍କୁ ଉଚ୍ଚ ମାନର ନୋଟ ଓ ମୁଦ୍ରା ଯୋଗାଇ ଆସୁଛି। ମାର୍ଚ୍ଚ ୨୦୧୭ ପୂର୍ବରୁ ଛପା ହୋଇଥିବା ୨୦୦୦ ଟଙ୍କିଆ ନୋଟର ଆୟୁଷ ଅତିକ୍ରାନ୍ତ ହୋଇ ସାରିଥିବାରୁ ଗଲା ମେ ୧୯ ତାରିଖରେ ପ୍ରକାଶିତ ଏକ ବିଜ୍ଞପ୍ତି ଜରିଆରେ ‘ସ୍ୱଚ୍ଛ ମୁଦ୍ରା ନୀତି’ ଅନୁଯାୟୀ ସେହି ନୋଟଗୁଡ଼ିକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛନ୍ତି। ପ୍ରକାଶ ଥାଉ କି ୨୦୧୭ ମସିହା ପୂର୍ବରୁ ସର୍ବାଧିକ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍‌ ଛପା ହୋଇଥିଲା। ତେବେ ସେଗୁଡ଼ିକ ଆପାତତଃ ଅଚଳ ନ ହୋଇ ବୈଧ ମୁଦ୍ରା (ଲିଗାଲ ଟେଣ୍ଡର) ଭାବେ ବ୍ୟବହୃତ ହେବ। ୨୦୧୪ରେ ମଧ୍ୟ ସ୍ୱଚ୍ଛ ମୁଦ୍ରା ନୀତି ଅନୁସାରେ ୨୦୦୫ ପୂର୍ବରୁ ଛପା ହୋଇଥିବା ନୋଟଗୁଡ଼ିକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଅବଶ୍ୟ ସେତେବେଳେ କୌଣସି ମୂଲ୍ୟର ନୋଟ ପ୍ରଚଳନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ନଥିଲା।

ତେବେ, ଦୁଇ ହଜାର ଟଙ୍କିଆ ନୋଟଗୁଡ଼ିକର ଆୟୁ ଅତିକ୍ରାନ୍ତ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରଦତ୍ତ ବକ୍ତବ୍ୟକୁ ଅନେକ ଗ୍ରହଣ କରି ପାରୁ ନାହାନ୍ତି। କାରଣ ସେମିତି ହୋଇଥିଲେ ପୁରୁଣା ନୋଟ୍‌ ପ୍ରତ୍ୟାହାର କରି ନିଆଯାଇ ତା’ ସ୍ଥାନରେ ନୂଆ ୨୦୦୦ ଟଙ୍କିଆ ନୋଟ ବଜାରକୁ ଛଡ଼ା ଯାଇପାରିଥାନ୍ତା। ତେଣୁ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ହୋଇପାରେ ସେ ନେଇ କିଛି ଅନ୍ଦାଜ ଲଗା ଯାଇପାରେ। ନୋଟ ବଦଳାଇବା ବେଳେ ପରିଚୟ ପ୍ରମାଣପତ୍ର ଅନିବାର୍ଯ୍ୟ ହୋଇ ନ ଥିବାରୁ ଏହା ଯେ କଳାଧନ ଉପରେ ରୋକ ଲଗାଇବା ଲାଗି ଉଦ୍ଦିଷ୍ଟ ନୁହେଁ, ତାହା ସ୍ପଷ୍ଟ। ଆଦାନୀ ମାମଲା ଓ ଅନ୍ୟାନ୍ୟ ଅର୍ଥନୈତିକ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ଲାଗି ଏହା ଉଦ୍ଦିଷ୍ଟ ବୋଲି ମଧ୍ୟ କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ ଶାସକ ଦଳର ପରାଜୟ ପରେ ୨୦୨୩ରେ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ରେ ହେବାକୁ ଥିବା ଲୋକସଭା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ନିକଟରେ ଥିବା ଗଚ୍ଛିତ ନଗଦ ରାଶିକୁ ବାହାର କରି ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବା ଏହି ପ୍ରୟାସର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମଧ୍ୟ କୁହାଯାଉଛି।

ନୋଟ ଛପାଉଥିବା ରିଜର୍ଭ ବ୍ୟାଙ୍କର ସହାୟକ କଂପାନି ‘ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ୍‌’ର ତଥ୍ୟ ଅନୁଯାୟୀ ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ସମୁଦାୟ ୩୭,୦୧୧.୮୮ ଲକ୍ଷ ୨୦୦୦ ଟଙ୍କିଆ ନୋଟ ଛପା ହୋଇଥିଲା, ଯାହାର ମୋଟ ମୂଲ୍ୟ ଥିଲା ୬,୭୨,୬୦୦ କୋଟି ଟଙ୍କା। ତନ୍ମଧ୍ୟରୁ ୨୦୧୬-୧୭ରେ କେବଳ ୮୯ ପ୍ରତିଶତ ନୋଟ ଛପା ହୋଇଥିଲା। ୨୦୧୮-୧୯ ପରେ ଆଉ ୨୦୦୦ ଟଙ୍କିଆ ନୋଟ ଛପା ହୋଇ ନ ଥିବାରୁ ହୃଦ୍‌ବୋଧ ହୋଇଥାଏ ଯେ ଏହି ନୋଟ ପ୍ରତ୍ୟାହାର ଲାଗି ପ୍ରସ୍ତୁତି ଅନେକ ପୂର୍ବରୁ ହୋଇ ସାରିଥିଲା। ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଚାଲୁ ଥିବା ୨୦୦୦ ଟଙ୍କିଆ ନୋଟ୍‌ର ମୋଟ ମୂଲ୍ୟ ୩.୬୨ ଲକ୍ଷ କୋଟି ଟଙ୍କା ଥିବା କଥା ଜଣାପଡ଼ିଛି, ଯାହା ଥିଲା ଚାଲୁ ଥିବା ମୋଟ ମୁଦ୍ରାର ମୂଲ୍ୟର ମାତ୍ର ୧୦.୮ ପ୍ରତିଶତ। ମେ ୧୨, ୨୦୨୩ ସୁଦ୍ଧା ଦେଶରେ ୩୪,୮୮,୬୧୦ କୋଟି ଟଙ୍କାର ମୁଦ୍ରା ଚାଲୁ ଥିବାରୁ ଏବେ ତାହା ୧୦.୩୮ ପ୍ରତିଶତ ବା ତା’ ଠାରୁ ଆହୁରି କମ୍‌ ହେବ। ସୁତରାଂ, ବଜାରରେ ଥିବା ଅବଶିଷ୍ଟ ପ୍ରାୟ ୧୮୧ କୋଟି ୨୦୦୦ ଟଙ୍କିଆ ନୋଟ ମଧ୍ୟରୁ କେତେ ବ୍ୟାଙ୍କ ନିକଟକୁ ଫେରିବ ତାହା ଏବେ ଠାରୁ କହି ହେବନାହିଁ। ବିମୁଦ୍ରୀକରଣ ସମୟରେ ଅଚଳ ନୋଟ ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ବ୍ୟାଙ୍କ ନିକଟକୁ ଫେରି ଆସିଥିବାରୁ କଳାଧନ ଚିହ୍ନଟରେ ସଫଳତା ମିଳି ନ ଥିଲା। ଏଥର ଟଙ୍କା ବଦଳ କରିବା ଲାଗି ୧୦୦ ଦିନରୁ ଅଧିକ ସମୟ ଅଛି। ତେଣୁ ବିପୁଳ ପରିମାଣରେ ଟଙ୍କା ମହଜୁଦ ରଖିଥିବା ଲୋକଙ୍କ ପକ୍ଷରେ ଟଙ୍କା ବଦଳାଇବା ଅସମ୍ଭବ ହେବନାହିଁ। ଏ ଦିଗରେ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଏବେ ଠାରୁ କିଛି ଅସାଧୁ ସୁନା ବ୍ୟବସାୟୀ ଓ ଅନ୍ୟମାନେ ତତ୍ପରତା ପ୍ରକାଶ କରୁଥିବାର ଖବର ମଧ୍ୟ ଶୁଣିବାକୁ ମିଳିଲାଣି।

ବିମୁଦ୍ରୀକରଣ ସମୟରେ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିବାର ଅନ୍ୟତମ ମୁଖ୍ୟ କାରଣ ଥିଲା ଅର୍ଥ ବ୍ୟବସ୍ଥାରେ ଥିବା ମାତ୍ରାଧିକ ନକଲି ନୋଟର ମୂଳୋତ୍ପାଟନ କରିବା। ଏଥି ସହିତ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ଉନ୍ନତ ସୁରକ୍ଷା ବିଶେଷତା ସମ୍ପର୍କରେ ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହୋଇଥିଲା। ସେହି ନୋଟରେ ଲାଗିଥିବା ଏକ ପ୍ରକାର ଚିପ୍ କୁଆଡ଼େ ନୋଟର ଅବସ୍ଥିତିକୁ ସୂଚାଇ ଦେବ ବୋଲି ଦାବି କରାଯାଉଥିଲା। ଏହା ସତ୍ତ୍ୱେ ସେହି ନୋଟ ଆସିବା ପରେ ପରେ ଜାଲ ନୋଟ ବି ଉପଲବ୍‌ଧ ହେବାକୁ ଲାଗିଲା। ତଥ୍ୟ ଅନୁଯାୟୀ ପ୍ରଥମ ବର୍ଷ ହିଁ ୨୨୭୨ଟି ଜାଲ ୨୦୦୦ ଟଙ୍କିଆ ନୋଟ ଧରା ପଡ଼ିଥିଲା ଓ ପ୍ରତି ବର୍ଷ ତାହା ବଢ଼ି ବଢ଼ି ଚାଲିଲା। ୨୦୧୯ ଓ ୨୦୨୦ରେ ଧରା ପଡ଼ିଥିବା ଜାଲ ନୋଟ ସଂଖ୍ୟା ଯଥାକ୍ରମେ ୯୦,୫୫୬ ଓ ୨,୪୪,୮୩୪ରେ ପହଞ୍ଚି ଯାଇଥିଲା। ସଂପ୍ରତି ଆମ ଅର୍ଥ ବ୍ୟବସ୍ଥାରେ ଅନେକ ଜାଲ ୨୦୦୦ ଟଙ୍କିଆ ନୋଟ ଥିବାରୁ ତାହା ମଧ୍ୟ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପଛର ଏକ କାରଣ ବୋଲି କୁହାଯାଉଛି।

୨୦୦୦ ଟଙ୍କିଆ ଭଳି ଉଚ୍ଚ ମୂଲ୍ୟର ନୋଟ୍‌ର ବ୍ୟବହାର ‘ଏଟିଏମ୍‌’ରେ ଦୁଇ ଥରରୁ ଅଧିକ ବାର ହୋଇ ନ ଥାଏ ଓ ଭାରତରେ ଏହି ନୋଟଗୁଡ଼ିକର ଆୟୁ ସାଧାରଣତଃ ୫ ବର୍ଷ। ସରକାରୀ ତଥ୍ୟ ଅନୁଯାୟୀ ଗୋଟିଏ ୨୦୦୦ ଟଙ୍କିଆ ନୋଟର ଛପା ଖର୍ଚ୍ଚ ହାରାହାରି ୩.୫୪ ଟଙ୍କା ହୋଇଥିବାରୁ ସମୁଦାୟ ୩୭୦ କୋଟିରୁ ଊର୍ଦ୍ଧ୍ୱ ୨୦୦୦ ଟଙ୍କିଆ ନୋଟର ଛପା ବାବଦରେ ୧୩୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ସେପ୍ଟେମ୍ୱର ୩୦, ୨୦୨୩ ପରେ ଏହି ନୋଟଗୁଡ଼ିକ ବୈଧ ହୋଇ ରହିବ କି ନାହିଁ; ସେ କଥା ରିଜର୍ଭ ବ୍ୟାଙ୍କ ବିବେଚନା କରିପାରେ। ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ୧୯୧୪ ମସିହାରୁ ବିଭିନ୍ନ ସମୟରେ ୫୦୦ ଡଲାରରୁ ୧ ଲକ୍ଷ ଡଲାର ମୂଲ୍ୟର ୭ ପ୍ରକାର ଉଚ୍ଚ ମୂଲ୍ୟର ନୋଟ୍‌ ପ୍ରଚଳନରେ ନଥିଲେ ବି ଆଜି ପର୍ଯ୍ୟନ୍ତ ସେଗୁଡ଼ିକ ଅଚଳ ହୋଇନାହିଁ।

ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏଣିକି ୫୦୦ ଟଙ୍କିଆ ନୋଟ ସର୍ବାଧିକ ମୂଲ୍ୟ ବିଶିଷ୍ଟ ହୋଇ ରହିବ ନା ୧୦୦୦ ଟଙ୍କିଆ ନୋଟର ପୁନଃ ପ୍ରଚଳନ ହେବ। ସେ ନେଇ ସ୍ପଷ୍ଟ ସୂଚନା ଉପଲବ୍‌ଧ ନ ଥିଲେ ବି ଆମେରିକାରେ ଏବେ ୧୦୦ ଡଲାର ନୋଟ ହିଁ ସର୍ବାଧିକ ମୂଲ୍ୟ ବିଶିଷ୍ଟ ନୋଟ ରୂପେ ପ୍ରଚଳନରେ ଥିବା ସତ୍ତ୍ବେ କୌଣସି ଅସୁବିଧା ହେଉ ନଥିବାରୁ ଭାରତରେ ୫୦୦ ଟଙ୍କିଆ ନୋଟ ସର୍ବୋଚ୍ଚ ମୂଲ୍ୟର ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି। ତେବେ, ଭାରତରେ ଏବେ ମଧ୍ୟ ଗ୍ରାମାଞ୍ଚଳରେ ଅଧିକାଂଶ ଦେଣନେଣ ଡିଜିଟାଲ ନ ହୋଇ ନଗଦ ଆକାରରେ ହେଉଥିବାରୁ ନଗଦ-ଜିଡିପି ଅନୁପାତ, ଯାହା ବିମୁଦ୍ରୀକରଣ ପୂର୍ବରୁ ପ୍ରାୟ ୧୧.୫ ପ୍ରତିଶତ ଥିଲା, ବର୍ତ୍ତମାନ ବୃଦ୍ଧି ପାଇ ପ୍ରାୟ ୧୨.୬ ପ୍ରତିଶତ ହୋଇସାରିଲାଣି। ଏପରିକି ବିମୁଦ୍ରୀକରଣ ସମୟରେ ଅର୍ଥ ବ୍ୟବସ୍ଥାରେ ଯେତିକି ପରିମାଣରେ ମୁଦ୍ରା ଚାଲୁ ଥିଲା, ଏବେ ତାହା ପ୍ରାୟ ୨ ଗୁଣ ହୋଇସାରିଲାଣି। ତା’ ଛଡ଼ା ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ଯୋଗୁଁ ବର୍ତ୍ତମାନ ୫୦୦ ଟଙ୍କାର କ୍ରୟକ୍ଷମତା କେତେ ଦିନ ଯାଏଁ ଅତୁଟ ରହିବ ତା’ ଉପରେ ନିର୍ଭର କରିବ ଭବିଷ୍ୟତରେ ଆଉ ଅଧିକ ମୂଲ୍ୟର ନୋଟ ଜାରି କରାଯିବ କି ନାହିଁ! ତେବେ ୫୦୦ ଟଙ୍କିଆ ନୋଟ ସର୍ବୋଚ୍ଚ ମୂଲ୍ୟଯୁକ୍ତ ହୋଇ ରହିଲେ ପ୍ରତ୍ୟାହାର ହେବାକୁ ଥିବା ୧୮୧ କୋଟି ୨୦୦୦ ଟଙ୍କିଆ ନୋଟ ସ୍ଥାନରେ ୭୨୪ କୋଟି ୫୦୦ ଟଙ୍କିଆ ନୋଟ ଛାପିବାକୁ ହେବ।

୨୦୨୦ର ତଥ୍ୟ ଅନୁଯାୟୀ ପ୍ରତିଟି ୫୦୦ ଟଙ୍କିଆ ନୋଟ ଛପାଇବା ଲାଗି ସେତେବେଳେ ହାରାହାରି ୨.୯୪ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ତ ତାହା ଯଥେଷ୍ଟ ଅଧିକ ହୋଇସାରିଥିବ। ତେବେ, ସେହି ପୁରୁଣା ଦରରେ ୭୨୪ କୋଟି ୫୦୦ ଟଙ୍କିଆ ନୋଟ ଛାପିବା ଲାଗି ଅତିରିକ୍ତ ପ୍ରାୟ ୨୧୦୦ କୋଟି ଟଙ୍କା ଆବଶ୍ୟକ ହେବ, ଯାହା ଖୁବ୍‌ ଅଧିକ। ଉଲ୍ଲେଖଯୋଗ୍ୟ ଯେ ବିମୁଦ୍ରୀକରଣ ପର ଠାରୁ ବାରମ୍ୱାର ବିଭିନ୍ନ ପ୍ରକାର ନୋଟର ପ୍ରଚଳନ ହେବା ଯୋଗୁଁ ‘ଏଟିଏମ୍‌’ଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ ସକାଶେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହୋଇଛି। ହୁଏତ ସନ୍ତୁଳିତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ଏ ବାବଦ ଖର୍ଚ୍ଚ କମି ପାରିଥାନ୍ତା। ନୋଟ ପ୍ରତ୍ୟାହାର କରି ଯଦି କଳାଧନ ଉପରେ ପ୍ରହାର କରି ହେବନାହିଁ; ଟଙ୍କା ମହଜୁଦକାରୀଙ୍କୁ ମହଜୁଦ କରିବାରୁ କ୍ଷାନ୍ତ କରି ହେବନାହିଁ; ଜାଲ ନୋଟକୁ ସମ୍ପୂର୍ଣ୍ଣ ବନ୍ଦ କରି ହେବନାହିଁ; ଅର୍ଥ ବ୍ୟବସ୍ଥାରେ ଚାଲୁଥିବା ମୁଦ୍ରାର ପରିମାଣକୁ ହ୍ରାସ କରି ହେବନାହିଁ; ଟିକସ ରାଜସ୍ୱକୁ ବଢ଼ାଇ ହେବନାହିଁ; ତେବେ ଆଉ କେଉଁ ବିଶେଷ ଉଦ୍ଦେଶ୍ୟ ହାସଲ ଲାଗି ହଜାର ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ କରାଯିବ; ତାହା ସ୍ପଷ୍ଟ ହେବା ଆବଶ୍ୟକ। ଅର୍ଥାତ୍ ଏହି ପଦକ୍ଷେପ ଯୋଗୁଁ ହେବାକୁ ଥିବା ଲାଭ ଓ କ୍ଷତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ଆବଶ୍ୟକ। ସାଧାରଣ ଲୋକଙ୍କ ନିକଟରେ ୨୦୦୦ ଟଙ୍କିଆ ନୋଟ ନ ଥିବାରୁ ଏହି ନିଷ୍ପତ୍ତି ଯୋଗୁଁ ସେମାନେ ପ୍ରଭାବିତ ହେବେ ନାହିଁ ବୋଲି କୁହାଯାଉଥିଲେ ମଧ୍ୟ ଟଙ୍କା ଛପା ପାଇଁ ହେଉଥିବା ଅତିରିକ୍ତ ବ୍ୟୟର ବୋଝ ପରୋକ୍ଷରେ ଊଣା ଅଧିକେ ସମସ୍ତଙ୍କ ଉପରେ ପଡ଼ିବ।

୨୦୧୬ରେ ବିମୁଦ୍ରୀକରଣ ମିସନ ଲକ୍ଷ୍ୟଚ୍ୟୁତ ହୋଇ ସମାଲୋଚନାର ଶରବ୍ୟ ହୋଇଥିଲା। ସେଥିପାଇଁ ଆଉ ନୋଟ ପ୍ରତ୍ୟାହାରର ପ୍ରକୃତ ଉଦ୍ଦେଶ୍ୟକୁ ପ୍ରକାଶ କରାଯାଉନାହିଁ କି? ତେବେ ପ୍ରତ୍ୟାହାରର ବାସ୍ତବ ଉଦ୍ଦେଶ୍ୟ ସାର୍ବଜନୀନ ନହେଲେ ଲକ୍ଷ୍ୟ ହାସଲରେ ଏହା କେତେ ସଫଳ ହେଲା, ତାହା ବିଶ୍ଳେଷଣ କରାଯିବା ସମ୍ଭବ ହେବନାହିଁ। ମାଲକାନଗିରିସ୍ଥିତ ବଣ୍ଡା ଘାଟିର ଆଦିବାସୀଙ୍କଠାରେ ବି ଦୁଇ ହଜାର ଟଙ୍କିଆ ନୋଟ ଉପଲବ୍‌ଧ ଥିବାରୁ ଗରିବ ଲୋକଙ୍କ ଠାରେ ସେହି ନୋଟ ନଥିବ ବୋଲି ଧରି ନ ନେଇ ସେମାନେ କିପରି ସହଜରେ ସେହି ନୋଟ ବଦଳାଇ ପାରିବେ, ସେ ବ୍ୟବସ୍ଥା କରାଯାଉ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର