ବ୍ୟସ୍ତତାବହୁଳ ସରକାରୀ ଦପ୍ତରଗୁଡ଼ିକର ନିତିଦିନିଆ କାରବାରକୁ ନିରୀକ୍ଷଣ କଲେ ଲାଗେ ସେଠି କାର୍ଯ୍ୟରତ କର୍ମଚାରୀମାନେ ସବୁବେଳେ ଯେମିତି କିଛି ନା କିଛି ଖୋଜି ଚାଲିଛନ୍ତି। ସତେ ଯେମିତି ଏହି ମହା-ଅନ୍ବେଷଣର ଅନ୍ତ ନାହିଁ, ପୁଣି ଯେମିତି ଏହି ଦପ୍ତରଗୁଡ଼ିକର ତିଷ୍ଠି ରହିବାର ଅସଲି ଉଦ୍ଦେଶ୍ୟ ଏହି ଖୋଜାଖୋଜିକୁ ନିରନ୍ତର ଜାରି ରଖିବା।
Sambad is now on WhatsApp
Join and get latest news updates delivered to you via WhatsApp
ସେଦିନ ମଦନ ବାବୁ ଏମିତି ଏକ ଗହଳିପୂର୍ଣ୍ଣ ଦପ୍ତରରେ ପହଞ୍ଚି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଯେତେବେଳେ ସେ ଦଶ ଦିନ ତଳେ ଚିଠି ଦ୍ୱାରା ପ୍ରାର୍ଥନା କରିଥିବା ନଥିଟି ମାଗିଲେ, କର୍ମଚାରୀ ଜଣକ ନିଜ ଡ୍ରୟର୍ର ଥାକ ସବୁ ଅଣ୍ଡାଳିବା ଆରମ୍ଭ କରିଦେଲେ। ଅନେକ ସମୟ ଖାନତଲାସି ପରେ ସେ ଶୁଣାଇ ଦେଲେ, ‘କାହିଁ, ଆପଣଙ୍କ ଦରଖାସ୍ତ ତ ପହଞ୍ଚି ନାହିଁ।’ ମଦନ ବାବୁ ନେହୁରା ହେବାରୁ ତାଙ୍କୁ ଉପଦେଶ ମିଳିଲା ଦପ୍ତର ମୁଖ୍ୟଙ୍କୁ ଦେଖା କରିବା ପାଇଁ, ସେ ଯଦି କିଛି କରିପାରିବେ! ନିଜ କମ୍ପ୍ୟୁଟରରେ କୌଣସି ଜରୁରୀ ଫାଇଲ ଖୋଜୁଥିବା ଦପ୍ତର ମୁଖ୍ୟ ମୁଣ୍ଡ ଉଠାଇ ତାଙ୍କ ଅସୁବିଧା କଥା ଶୁଣିବା ପରେ ଜଣେ ଅଧସ୍ତନକୁ ପଠାଇଲେ ଡାଇରି ବିଭାଗକୁ, ମଦନ ବାବୁଙ୍କ ଅନୁରୋଧ ପତ୍ରଟି ଠାବ କରିବା ପାଇଁ। ମଦନ ବାବୁ ପ୍ରକ୍ରିୟାଟି ଜଟିଳ ହେଉଥିବାର ଲକ୍ଷ୍ୟ କରି କହିଲେ, ‘ସେ ଚିଠି ଖୋଜି ଆଉ ସମୟ ନଷ୍ଟ କରିବା କାହିଁକି; ମୁଁ ତ ଆସି ସାରିଛି, ଆଉ ଗୋଟେ ଦରଖାସ୍ତ ଲେଖି ଦେଉଛି।’ ଦପ୍ତର ମୁଖ୍ୟ ପ୍ରସ୍ତାବଟିରେ ରାଜି ହୋଇଗଲେ ସିନା, ହେଲେ ତାଙ୍କ ହାବଭାବରୁ ଜଣା ପଡ଼ିଲା ଗୋଟିଏ ବଡ଼ ଖୋଜାଖୋଜିର ସୁଯୋଗଟି ହାତଛଡ଼ା ହୋଇଯାଇଥିବାରୁ ସେ ଯେମିତି ବିଶେଷ ମର୍ମାହତ।
ସେ ଯାହା ହେଉ ନୂଆ ଦରଖାସ୍ତଟି ଉପରେ ନିଜର ନିର୍ଦ୍ଦେଶ ଲେଖି ଦେଇ ସେ ଅଧସ୍ତନକୁ ପୁଣି ପଠାଇଦେଲେ ରେକର୍ଡ ଘରୁ ମଦନ ବାବୁଙ୍କର ପୁରୁଣା ନଥିଟି ଖୋଜି ଆଣିବା ପାଇଁ। କିଛି ସମୟ ପରେ ଅଧସ୍ତନ ଫେରି ଆସି ଜଣାଇଲେ ଯେ ରେକର୍ଡ ରକ୍ଷକ ଲମ୍ବା ଲିଷ୍ଟଟିଏ ଧରି ଅନ୍ୟାନ୍ୟ ପୁରୁଣା ନଥିପତ୍ର ଖୋଜୁଛନ୍ତି, ତେଣୁ ମଦନ ବାବୁଙ୍କ ନଥି ଖୋଜିବାକୁ ଡେରି ହେବ। ସେ ମଧ୍ୟ କହିଲେ ଯେ କାମଟି ଦପ୍ତରର ‘ଖୋଜା ଖୋଜି’ ବିଶାରଦ ଚା’ ବାଲା ପିଲାଟି ସୁରୁଖୁରରେ କରିପାରିବ; ହେଲେ ସେ ଏବେ ତା’ ସ୍ଥାନରେ ନାହିଁ। ତାକୁ ଖୋଜି ପାଇବା ପରେ କାମଟି ତାକୁ ନ୍ୟସ୍ତ କରାଯିବ। ମଦନ ବାବୁ ଏହି ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଦେଖି ସେ ଦିନ ପାଇଁ ସମସ୍ତ ଆଶା ହରାଇଲେ ଓ ‘କାଲି ଆସିବି’ ବୋଲି କହି ଘରକୁ ବାହୁଡ଼ିଲେ।
ହଜେଇବା ଓ ଖୋଜିବା କାମଟି ସାଧାରଣ ଦପ୍ତର ପର୍ଯ୍ୟାୟ ଅତିକ୍ରମ କରି ଆଜି ସର୍ବୋଚ୍ଚ କାର୍ଯ୍ୟାଳୟମାନଙ୍କୁ ମାଡ଼ି ଗଲାଣି; ଏପରି କି ମଣିଷମାନଙ୍କୁ ପଛରେ ପକାଇ ଆମର ଆରାଧ୍ୟ ଦେବତାମାନଙ୍କୁ ମଧ୍ୟ କଲବଲ କଲାଣି। ତା’ ନ ହେଲେ କ’ଣ ଖୋଦ ଜଗନ୍ନାଥଙ୍କର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବିକାଠି ହଜିବା ପ୍ରସଙ୍ଗ ଏତେ ସଙ୍ଗୀନ ଅବସ୍ଥାରେ ପହଞ୍ଚି ଥାଆନ୍ତା? ଚାବିକାଠି ହଜିଲା, ତାକୁ ଖୋଜିବାକୁ ଯାଇ କମିସନ ବସିଲା, ପୁଣି ନିକଟରେ ଶ୍ରୀମନ୍ଦିର ବିଷୟକ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଆଇନ ବିଭାଗ କାର୍ଯ୍ୟାଳୟରୁ ଅନ୍ତର୍ଦ୍ଧାନ ହୋଇଗଲା।
ଆପଣ ହୁଏତ ପଚାରି ପାରନ୍ତି ହଜାଇ ଦେବାଟା କ’ଣ ଏମିତି ଏକ ଗର୍ହିତ ଅପରାଧ? ମଣିଷ ତ କାଳ କାଳ ଧରି ନିଜର ଦରକାରୀ ଜିନିଷପତ୍ର ହଜାଇ ଚାଲିଛି, ପୁରୁଣା କଥା ଭୁଲୁଛି, ପୁଣି ପରେ ହଜିଲା ଦରବକୁ ଖୋଜି ପାଉଛି ଓ ଭୁଲିବା କଥା ମନେ ପକାଉଛି। ଭୁଲ୍ କରିବା ଯେମିତି ଏକ ଅବଶ୍ୟମ୍ଭାବୀ ମାନବୀୟ ଗୁଣ ସେମିତି ହଜେଇବା ମଧ୍ୟ, ତେଣୁ ଉଭୟେ ଐଶ୍ୱରୀୟ କ୍ଷମାର ଯୋଗ୍ୟ। ପୁରାଣର ରାଜା ଦୁଷ୍ମନ୍ତ ତ ଋଷି କନ୍ୟା ଶକୁନ୍ତଳାଙ୍କୁ ବିବାହର ଅଳ୍ପ କାଳ ଭିତରେ ସମ୍ପୂର୍ଣ୍ଣ ପାସୋରି ପକାଇଲେ, ଆଉ ଆମ ସାଧାରଣ ମଣିଷର କଥା ବା କି ଛାର! ଆଖିରେ ଚଷମା ପିନ୍ଧି ସେହି ଚଷମା ପାଇଁ ଘର ସାରା ଧୁଣ୍ଡାଳିବା, ବସ୍ ଟ୍ରେନରେ ଛତା, ବହି ଛାଡ଼ି ଆସିବା ଇତ୍ୟାଦି ଅନୁଭୂତି ନ ଥିବା ଲୋକ ଖୋଜିଲେ ମିଳିବା କଷ୍ଟ। ଏଣୁ ଘରେ ଘରେ ଏହି ଜିନିଷ ହଜିବା ବା ଭୁଲିଯିବାକୁ ନେଇ ଯେତେ ସବୁ ବାଦ ବିବାଦ ଆଉ ପରସ୍ପର ଉପରେ ଦୋଷ ଦିଆନିଆ; ଯେମିତି ବାମାଚରଣ ମିତ୍ର ଲେଖିଥିବା ‘ଗୋଟିଏ ମଧ୍ୟବିତ୍ତ ପରିବାରରେ ମୂଷା’ ଶୀର୍ଷକ ଗପର ଏକ ସଂଳାପ: ‘ହ୍ୟାପ, ତୋ’ରି ପରି ଅନ୍ଧାଧୁନିଆ କାମ… ଦିନକୁ ହଜାରେ ଥର ଆଲମାରି ଚାବି ହଜୁଛି, ଚାବି ଖୋଜା ଚାଲିଛି, ପିଲାଙ୍କ ଉପରେ ଅଯଥା ଗାଳି ବରଷୁଛି।’ ତା’ ଛଡ଼ା ଫ୍ରିଜ୍ କବାଟ ଖୋଲି ଜଣେ କ’ଣ ଖୋଜୁଥିଲା ତାହା ମନେ ପକାଇ ନ ପାରିବା ଅବା ଫୋନ ରିଂ ହେବା ପରେ ଜଣେ କାହାକୁ ଫୋନ କରୁଥିଲା ବୋଲି ଧନ୍ଦି ହେବା ଭଳି କଥା ଆଶ୍ଚର୍ଯ୍ୟ କରୁନାହିଁ।
ଏଇ ନିକଟରେ ସମ୍ବାଦଟିଏ ବାହାରି ଥିଲା ଯେ ଜଣେ ଟ୍ରେନ୍ ଚାଳକ ନିର୍ଦ୍ଦିଷ୍ଟ ଷ୍ଟେସନରେ ଗାଡ଼ି ଅଟକାଇବାକୁ ଭୁଲିଗଲେ ଓ ବହୁତ ଦୂର ଆଗେଇ ଗଲା ପରେ ନିଜର ଭୁଲ୍ ବୁଝି ପୁଣି ଗାଡ଼ି ଫେରାଇଲେ। ଏହି ସବୁ ହଜିବା ଓ ଭୁଲିବା କଥା ନିତିଦିନିଆ ହୋଇ ଥିବାରୁ ଏଗୁଡ଼ିକ ବେଳେ ବେଳେ ଜଣକୁ ଆନନ୍ଦ ଓ ସାନ୍ତ୍ୱନା ମଧ୍ୟ ଦେଇଥାଏ, ଏଇ କାରଣରୁ ଯେ ତା’ ଭଳି ଭୋଳା ଦୁନିଆରେ ଭରପୂର।
ଭୁଲିବା ଓ ହଜେଇବା ସବୁବେଳେ କିନ୍ତୁ ମଣିଷର ଅନିଚ୍ଛାକୃତ ନୁହେଁ। ଶ୍ରୀମନ୍ଦିର ସମ୍ବନ୍ଧୀୟ ବିଭ୍ରାଟ ବାରମ୍ବାର ଘଟୁଥିବାରୁ ଏହା ପଛରେ କିଛି ଚକ୍ରାନ୍ତ ରହିଛି ବୋଲି ବିପକ୍ଷ ଦଳ ଓ ସାଧାରଣ ଜନତା ଭାବିବା ସ୍ୱାଭାବିକ। ପୁଣି ସରକାରୀ ନଥିପତ୍ର ସୁରୁଖୁରୁରେ ମିଳିଯିବା ପାଇଁ ଦପ୍ତରମାନଙ୍କରେ ଯେଉଁ ପଦକ୍ଷେପ ନିଆଯିବା କଥା ସେଥିରେ ହୁଏତ ଖିଲାପ ହେଉଛି। କେତେ ଶ୍ରେଣୀର ରେକର୍ଡ ପୁରୁଣା ହେଲେ ସେଗୁଡ଼ିକୁ ନିଆଁ ଦ୍ୱାରା ନଷ୍ଟ କରିବାର ନିୟମ ରହିଛି, ଯାହା ଦ୍ୱାରା ଅନ୍ୟ ନଥିପତ୍ରକୁ ସହଜରେ ଠାବ କରିହେବ। ହେଲେ ତାକୁ ପାଳନ କରୁଛି ବା କିଏ?
ଦ୍ବିତୀୟ ଦିନ ମଧ୍ୟ ମଦନ ବାବୁ ଯେତେବେଳେ ତାଙ୍କ ନଥିଟି ପାଇ ପାରିଲେ ନାହିଁ, ବିରକ୍ତି ଭରେ ସେ ଏହି କଥା ହିଁ ଦପ୍ତର ମୁଖ୍ୟଙ୍କୁ ପ୍ରଶ୍ନ କଲେ। ଉତ୍ତର ମିଳିଲା, ‘ପୁରୁଣା ରେକର୍ଡ ନଷ୍ଟ କରିବାର ନିୟମ ଅଛି ଯେ ହେଲେ ସେ ବିଷୟକ ନିୟମାବଳୀ ପୁସ୍ତିକାଟି କେଉଁଠି ରହିଯାଇଛି। ଖୋଜା ଚାଲିଛି, ମିଳିଗଲା ମାତ୍ରେ ଆମେ ଉଚିତ ପଦକ୍ଷେପ ନେବୁ।’
ମୋ: ୯୪୩୭୦୮୯୬୫୫