ମଦ୍ୟପ ନସିରୁଦ୍ଦିନ

ପିଲାଟି ଦିନରୁ ନସିରୁଦ୍ଦିନଙ୍କ ମଦ ପିଇବାର ଅଭ୍ୟାସ ଥିଲା। ଗାଁ ଲୋକେ କହୁଥିଲେ- ଏ ମଦୁଆକୁ କିଏ କେଜାଣି ବାହା ହେବ? କେମିତି କେଜାଣି ତା’ ସହିତ ଚଳିବ?

କିନ୍ତୁ ତାଙ୍କର ବିବାହ ହୋଇଗଲା ଏବଂ ତା’ ପରେ ବିନା ସୋରଶବ୍ଦରେ ଦିନମାନ ଗଡ଼ି ଚାଲିଲା। ଗାଁ ଲୋକେ କହିଲେ- ଯାହା ହେଉ ନସିରୁଦ୍ଦିନର ଭାଗ୍ୟ ଭଲ। ତା’ ପତ୍ନୀ ଏଭଳି ଜଣେ ମଦ୍ୟପକୁ ସାଦରେ ଗ୍ରହଣ କରିନେଲା।

ଏମିତି ପାଞ୍ଚ ବର୍ଷ ଗଲା ପରେ ଦିନେ ରାତିରେ ନସିରୁଦ୍ଦିନଙ୍କ ଘରୁ ପାଟିତୁଣ୍ଡ ଶୁଭିଲା। ତାଙ୍କ ପତ୍ନୀ କାନ୍ଦି କାନ୍ଦି କହିବା ଶୁଣାଗଲା- ଏମିତି ମଦୁଆକୁ କେମିତି ବାହା ହେଲି କେଜାଣି? ମୋ ଜୀବନ ବରବାଦ ହୋଇଗଲା।

ଏମିତି ଚିତ୍କାର ଶୁଣି ନସିରୁଦ୍ଦିନଙ୍କ ପଡ଼ୋଶୀ ଫଜଲୁ ତା’ ପତ୍ନୀକୁ ପଠାଇଲା ନସିରୁଦ୍ଦିନଙ୍କ ସ୍ତ୍ରୀଙ୍କୁ ପ୍ରବୋଧନା ଦେବା ଲାଗି।

ଫଜଲୁର ପତ୍ନୀ ନସିରୁଦ୍ଦିନଙ୍କ ସ୍ତ୍ରୀଙ୍କୁ କହିଲା- କି କଥା? ବାହାଘର ପରେ ପାଞ୍ଚ ବର୍ଷ ବିତିଗଲାଣି। କିନ୍ତୁ ତୁମେ ଯେମିତି କାନ୍ଦୁଛ ଲାଗୁଛି ସତେ ଯେମିତି କାଲି ବାହା ହୋଇଛ! ନସିରୁଦ୍ଦିନ ମଦ ପିଅନ୍ତି ବୋଲି କିଏ ନ ଜାଣେ?

ନସିରୁଦ୍ଦିନଙ୍କ ପତ୍ନୀ କହିଲେ- ବିଶ୍ବାସ କର, ସତ କହୁଛି ମୁଁ କିଛି ଜାଣି ନ ଥିଲି। ଆଜି ସେ ଏମିତି ସବୁ ଓଲଟାପାଲଟା ଓ ଗଡ଼ବଡ଼ିଆ କାମ କଲେ ଯେ ତା’ର କାରଣ ପଚାରିଲି। ତହୁଁ ସେ କହୁଛନ୍ତି ଯେ ଆଜି ପିଇ ନାହାନ୍ତି ବୋଲି ଏମିତି ହେଉଛି! ତା’ର ଅର୍ଥ ୟେ ଲୋକ ମଦ ପିଇଥାଏ ବୋଲି ସବୁ କାମ ଠିକ୍‌ ଭାବେ କରିଥାଏ। ଏବେ କୁହ ମୁଁ ଜାଣିବି କେମିତି?

ଫଜଲୁର ସ୍ତ୍ରୀ ଏହା ଶୁଣି ମୁଣ୍ଡରେ ହାତ ଦେଇ କହିଲା, ହାୟରେ ବିଧାତା!

ସମ୍ବନ୍ଧିତ ଖବର