ରାଜଦଣ୍ଡ ସମ୍ବଳିତ ଗଣତନ୍ତ୍ର

କୁମାର ପ୍ରଶାନ୍ତ

ସବୁ କିଛି ନୂଆ ହୋଇଗଲା। ସଂସଦ ଭବନ ବି ନୂଆ ହୋଇଗଲା; ଗଣତନ୍ତ୍ର ବି ନୂଆ ହୋଇଗଲା; ସମୟର କପାଳରେ ପ୍ରଧାନମନ୍ତ୍ରୀ ବି ଅଲିଭା ସ୍ବାକ୍ଷରରେ ନୂତନ ସଂକଳ୍ପ ଲେଖିଦେଲେ। ଏହା ବି ଏକଦମ ନୂଆ ହେଲା କି, ସଂସଦ ଭବନର ଉଦ୍‌ଘାଟନ ସମାରୋହ ହେଲା, ମାତ୍ର ରାଷ୍ଟ୍ରପତି କି ଉପରାଷ୍ଟ୍ରପତି ନଥିଲେ। ଦୁହେଁ ଦିଲ୍ଲୀରେ ହିଁ ଥିଲେ, ମାତ୍ର ସେମାନଙ୍କର ବାର୍ତ୍ତା ପଢ଼ାଯାଇଥିଲା। ସେମାନଙ୍କୁ ଉପସ୍ଥିତ ରହିବାରୁ ବାରଣ କରାଯାଇଥିଲା। ସେଠାରେ କୋଡ଼ିଏରୁ ଅଧିକ ବିରୋଧୀ ଦଳ ବି ଉପସ୍ଥିତ ନଥିଲେ। ଏକଥା ଗଣତନ୍ତ୍ରରେ କୌଣସି ଗୁରୁତ୍ବ ବହନ କରେ ନାହିଁ। ସମ୍ବିଧାନରେ ଏ କଥା ଭୁଲ୍ କ୍ରମେ ଉଲ୍ଲେଖ ରହିଯାଇଛି କି ଯେ ସଂସଦରେ କେବଳ ଶାସକ ଓ ବିରୋଧୀ ପକ୍ଷ ରହିବା ଜରୁରୀ ନୁହେଁ, ବରଂ ଉଭୟଙ୍କର ଭାଗୀଦାରି ମଧ୍ୟ ଜରୁରୀ!

ଲୋକସଭାର ବାଚସ୍ପତି ଏହାର ପ୍ରଥମ ପୁରୁଷ ବୋଲି ଏକ ନୂଆ ମାନ୍ୟତା ସୃଷ୍ଟି କରାଯିବ ବୋଲି ଅନୁମାନ କରାଯାଉଥିଲା, ମାତ୍ର ସେଭଳି କିଛି ହେଲା ନାହିଁ। ବାଚସ୍ପତି ଉପସ୍ଥିତ ଥିଲେ ନିଶ୍ଚୟ, ମାତ୍ର ବ୍ୟକ୍ତିତ୍ବବିହୀନ ହୋଇ ପ୍ରଧାନମନ୍ତ୍ରୀଙ୍କ ପଛେ ପଛେ ରହିଥିଲେ! ଏଭଳି ସଯତ୍ନ ଯୋଜନା କରାଯାଇଥିଲା କି କେବଳ ଜଣେ ଲୋକଙ୍କ କଥା ଶୁଣାଯିବ, ଜଣେ ହିଁ ଦେଖାଯିବେ! ଗଣତନ୍ତ୍ର ଯେ କେବଳ ଜଣେ ବ୍ୟକ୍ତିର ହୋଇଥାଏ, ଏକଥା ମଧ୍ୟ ନୂଆ କରି ଦେଖିବାକୁ ମିଳିଲା।

ଏକା ସାଙ୍ଗରେ ଏତେ ସବୁ ନୂଆ କଥା ଘଟିଗଲା ଯେ କିଛି ପୁରୁଣା କଥା ମନେ ବି ପଡ଼ିଲାନି। ଇତିହାସର କେଉଁ ଗଭୀରତା ଭିତରୁ ‘ସେଙ୍ଗୋଲ’କୁ ଉଦ୍ଧାର କରି ଅଣାଗଲା ଏବଂ ଆମେ ପ୍ରଧାନମନ୍ତ୍ରୀଙ୍କୁ ତା’ ସାମନାରେ ସାଷ୍ଟାଙ୍ଗ ପ୍ରଣିପାତ ହେଉଥିବା ଦେଖିବାକୁ ମିଳିଲା, ସତେ ଯେମିତି ଏହା ଲୋକତନ୍ତ୍ରର କୌଣସି ଆଦିଶକ୍ତିର ସ୍ବରୂପ, ଯାହାକୁ ସାଷ୍ଟାଙ୍ଗ ଅଭ୍ୟର୍ଥନା କରିବା ହେଉଛି ଧାର୍ମିକ ଦାୟିତ୍ବ। ଆଗରୁ ଆପଣ କ’ଣ ଏମିତି ଦୃଶ୍ୟ ଦେଖିନାହାନ୍ତି? ଯଦି ମୁଁ ଭୁଲିନାହିଁ, ତେବେ ଆମେ ସଂସଦର ପ୍ରବେଶ ଦ୍ବାରରେ ପ୍ରଧାନମନ୍ତ୍ରୀଙ୍କୁ ସାଷ୍ଟାଙ୍ଗ ଭୂମିଷ୍ଠ ପ୍ରଣାମ କରୁଥିବା ଦେଖିଛନ୍ତି। ସମ୍ବିଧାନ ପୁସ୍ତକ ଆଗରେ ସେ ନତମସ୍ତକ ହୋଇଥିବା ଆମେ ଦେଖିଛେ; ଆମେ ତାଙ୍କୁ ମଠ-ମନ୍ଦିର-ପଣ୍ଡା-ପୂଜାରୀଙ୍କ ଆଗରେ ନତମସ୍ତକ ହୋଇଥିବା ଦେଖିଛେ, ଆମେ ତାଙ୍କୁ ଦଳିତଙ୍କର ପାଦ ଧୋଉଥିବା ଦେଖିଛେ, ଆମେ ତାଙ୍କୁ ସାର୍ବଜନୀନ ସଭାମାନଙ୍କରେ ମଞ୍ଚର ପ୍ରତି କୋଣକୁ ଯାଇ ଜନତା ଜନାର୍ଦ୍ଦନଙ୍କୁ ଏପରି ନତମସ୍ତକ ପ୍ରଣାମ କରୁଥିବା ମଧ୍ୟ ଦେଖିଛେ କି ତାହା ଉପହାସର ପ୍ରସଙ୍ଗ ପାଲଟିଯାଇଛି। କିଛି ବର୍ଷ ହେଲା ଅରଖ ନୂଆ କଥା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ଯେବେ ବି ଯେଉଁଠି ବି ଥାଆନ୍ତି, କିଛି ନା କିଛି ନୂଆ ଘଟିଥାଏ। ଏମିତି ବି ସେ ଠିକ୍‌ କରୁଛନ୍ତି, କାରଣ ସେ ଦେଶକୁ ନୂଆ କରି ଗଢୁଛନ୍ତି ମାନେ ନିଜକୁ ମଧ୍ୟ ନୂଆ କରି ଗଢ଼ି ତୋଳିବା ଜରୁରୀ। ବାସ୍‌, ଏତିକି କେବଳ ଧ୍ୟାନ ଦେବାକୁ ପଡ଼ିବ କି, ଏହି ସବୁ ନୂଆ କାର୍ଯ୍ୟ ଆଉ କେହି ନୁହେଁ, କେବଳ ପ୍ରଧାନମନ୍ତ୍ରୀ ହିଁ କରିବେ।

ଆମ ଗଣତନ୍ତ୍ରରେ ‘ସେଙ୍ଗୋଲ’ର ପ୍ରବେଶ ହେଉଛି ଏକଦମ୍‌ ନୂଆ। ପ୍ରଧାନମନ୍ତ୍ରୀ ତାହାକୁ ଖୋଜିଲେ, ଧୂଳିମଳି ସଫା କଲେ, ଚକ୍‌ମକ୍‌ କରାଇଲେ, ହାତରେ ଉଠାଇଲେ, ଫୁଲରେ ସଜାଇଲେ, ତାହା ଆଗରେ ସାଷ୍ଟାଙ୍ଗ ଦଣ୍ଡବତ ହେଲେ, ପୁଣି ତାକୁ ଧରି ପାଦରେ ଚାଲି ଚାଲି ଗଲେ। ବାଚସ୍ପତିଙ୍କ ଆସନ ନିକଟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ଗଢ଼ିଥିଲେ, ତାହାର ଏକ ସ୍ବତନ୍ତ୍ର ଷ୍ଟାଣ୍ଡ୍‌ ତିଆରି କରିଥିଲେ ଯାହା ଉପରେ ତା’କୁ ପୂଜାପାଠ ସହ ସ୍ଥାପନ କରାଗଲା। ପୁଣି ଦେଶକୁ ସେ ଏକଥା ବି ଶିଖାଇଲେ କି, ଏହା ଭାରତୀୟ ସଂସ୍କୃତିର ପ୍ରତୀକ। ଏହା ହେଉଛି ରାଜଦଣ୍ଡ। ବାଚସ୍ପତିଙ୍କ ଆସନ ପାଖରେ ରହିବାର ମାନେ ହେଉଛି କୌଣସି ବିରୋଧୀ ଦଳ ସଦସ୍ୟ ସଦନର ମର୍ଯ୍ୟାଦା ପାଳନ ନକଲେ ବାଚସ୍ପତି ତାଙ୍କୁ ତତ୍କାଳ ‘ସେଙ୍ଗୋଲ’ ଦ୍ବାରା ବହିଷ୍କାର କରିପାରିବେ। ନାଇଁ, ନାଇଁ, ମୁଁ ଭୁଲ୍‌ ଲେଖିଦେଲି। ବାଚସ୍ପତି ବହିଷ୍କାର କରିବେନି, ପ୍ରଧାନମନ୍ତ୍ରୀ ପରା ଅଛନ୍ତି। ବାଚସ୍ପତି ତାଙ୍କୁ ନିବେଦନ କରିବେ କି, ‘ସେଙ୍ଗୋଲର ସମୟ ଆସିଗଲା, ଆପଣ ଆସନ୍ତୁ ଏବଂ ଏହି ମହାଶୟଙ୍କୁ ଦଣ୍ଡ ଦିଅନ୍ତୁ।’ ରାଜଦଣ୍ଡ ତ ଦଣ୍ଡିତ କରିବା ପାଇଁ ଉଦ୍ଦିଷ୍ଟ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଯଥାରେ ଅନେକ ଇତିହାସ ଖୋଜିଲେ। ଏହି ‘ସେଙ୍ଗୋଲ’ କେଉଁଠୁ ଆସିଲା, କିଏ କାହାକୁ କେତେବେଳେ ଦେଲା, ଆପଣଙ୍କର ଏ ବାବଦରେ ସମସ୍ତ ଅନ୍ବେଷଣ ଗ୍ରହଣୀୟ ଶାହ ସାହେବ। କିନ୍ତୁ ଏତିକି ବୁଝିବାର କଥା କି, ଗଣତନ୍ତ୍ରରେ ଏହି ‘ସେଙ୍ଗୋଲ’ର କୌଣସି ସମ୍ପର୍କ ରହିଛି କି? ନା, ଏହାର ସମ୍ପର୍କ କେବଳ ରାଜତନ୍ତ୍ର ସହିତ। ଦେଖନ୍ତୁ, ଆପଣ ‘ସେଙ୍ଗୋଲ’ ବିଷୟରେ କହିବେ ତ ଇଚ୍ଛା ନଥାଇ ବି ଆପଣଙ୍କୁ ଜବାହରଲାଲ ନେହରୁଙ୍କୁ ସେହି ଇତିହାସରେ ସ୍ଥାନ ଦେବାକୁ ପଡ଼ିବ, ଯାହାକୁ ବଦଳାଇବା ଓ ଭୁଲେଇ ଦେବାକୁ ଆପଣ ଓ ଆପଣଙ୍କର ଏତେ ସବୁ ଦକ୍ଷ ଇତିହାସକାର ଲାଗିପଡ଼ିଛନ୍ତି। ଜବାହରଲାଲ ନେହରୁଙ୍କୁ ବୁଝିବା ସେମାନଙ୍କ ପାଇଁ ସବୁଠାରୁ କଷ୍ଟକର, ଯେଉଁମାନେ ଗଣତନ୍ତ୍ରର ଶବ୍ଦକୁ ପସନ୍ଦ କରନ୍ତି ନାହିଁ କି ତା’କୁ ବୁଝନ୍ତି ନାହିଁ। ନେହରୁଙ୍କୁ ଯେତେବେଳେ ଏହି ‘ସେଙ୍ଗୋଲ’ ମିଳିଲା, ସେ ଏହାକୁ ଠିକଣା ସ୍ଥାନରେ ପହଞ୍ଚାଇଦେଲେ। କୌଣସି ସଂଗ୍ରହାଳୟରେ ରଖିଦେଲେ।

ତାଙ୍କର ଏତିକି ବିବେକ ଥିଲା କି ରାଜଦଣ୍ଡ କେବେ ଗଣତନ୍ତ୍ରର ପ୍ରତୀକ ହୋଇପାରିବ ନାହିଁ। ଗଣତନ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥ ହେଲା ତୁମକୁ ନିଜର ଭାବନା, ମୂଲ୍ୟବୋଧ, ପରମ୍ପରା, ତୁମର ପୋଥି, ନିଜର ବିଶ୍ବାସ ସବୁ କିଛି ଧୀରେ ଧୀରେ ବଦଳାଇବାକୁ ପଡ଼ିଥାଏ। ନିଜର ବସ୍ତ୍ର ବଦଳାଇବା ବାବଦରେ ସନ୍ଥ କବୀର ଏକଦା କହିଥିଲେ, ‘ଯୋଗୀ ତା’ର ମନକୁ ରଙ୍ଗାଇ ନଥାଏ, ମାତ୍ର ନିଜର ପରିଧାନ ରଙ୍ଗାଇଥାଏ। ମାତ୍ର ଏଠାରେ ତ ଗଣତନ୍ତ୍ର ନିଜର ପୋଷାକ ବଦଳାଇବା ଆଗରୁ ମନ ଓ ମାନ୍ୟତାକୁ ବଦଳାଇବାକୁ ଚାହିଁଥାଏ। ଗଣତନ୍ତ୍ର ସହିତ ମେଳ ଖାଉନଥିବା ସମସ୍ତ ସାମଗ୍ରୀ କୌଣସି ସଂଗ୍ରହାଳୟରେ ସ୍ଥାନ ପାଇଥାଏ। ଗଣତନ୍ତ୍ରର ଅଗଣାରେ ସେ ହିଁ ପ୍ରତିଷ୍ଠିତ ହୋଇଥାଏ, ଯିଏ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପାଳିପୋଷି ପଲ୍ଲବିତ କରିଥାଏ।

ସେଥିପାଇଁ ସଂସଦରେ ‘ସେଙ୍ଗୋଲ’ର ସ୍ଥାନ ନାହିଁ। ଯେପରି ଇଟା-ସିମେଣ୍ଟରେ ନିର୍ମିତ ଅଟ୍ଟାଳିକା କେବେ ଗଣତନ୍ତ୍ରର ସଂସଦ ହୋଇନପାରେ, ସେହିପରି ରାଜତନ୍ତ୍ରର କୌଣସି ପ୍ରତୀକ ପାଇଁ ସଂସଦରେ ସ୍ଥାନ ନାହିଁ। ସଂସଦରେ ଆପଣ କ’ଣ କରୁଛନ୍ତି, କେମିତି କରୁଛନ୍ତି ଏବଂ ଯାହା କରୁଛନ୍ତି ତାହା ସମ୍ବିଧାନସମ୍ମତ ନା ନାହିଁ, ସେଥିରୁ ହିଁ ତାହା ଗଣତନ୍ତ୍ରର ସଂସଦ କି ନୁହେଁ ପରୀକ୍ଷିତ ହୋଇଯିବ। ଆମ ସଂସଦରେ ଗଣତନ୍ତ୍ରର ସ୍ଥାନ ପ୍ରାରମ୍ଭରୁ ହିଁ କମ୍‌ ଥିଲା। ଆପଣମାନେ ତାହାକୁ ଆହୁରି ସଂକୀର୍ଣ୍ଣ ପଥରେ ଛିଡ଼ା କରାଇ ଦେଇଛନ୍ତି। ମାତ୍ର, ଆପଣମାନେ କ’ଣ କରିପାରିବେ! ଆପଣଙ୍କ ଗଣତନ୍ତ୍ରରେ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ସ୍ଥାନ ଅଛି, ତେଣୁ ଆପଣମାନଙ୍କର ପରିକଳ୍ପନା ବି ସମପରିମାଣରେ ସଂକୀର୍ଣ୍ଣ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର