ଭବନ ଲୋକତନ୍ତ୍ରର, ଭାବନା ରାଜତନ୍ତ୍ରର

ଯୋଗେନ୍ଦ୍ର ଯାଦବ

ମୋତେ ଯେତେବେଳେ ସଂସଦର ନୂଆ ଭବନ ବାବଦରେ ପ୍ରତିକ୍ରିୟା ମଗାଗଲା, ମୋ ପାଟିରୁ ଆପେ ଆପେ ବାହାରି ପଡ଼ିଲା କି ‘ପ୍ରଶ୍ନ ଭବନର ନୁହେଁ, ଭାବନାର’।

ଭାରତୀୟ ସଂସଦ ପାଇଁ ଏକ ନୂଆ ଭବନର ଆବଶ୍ୟକତା ଥିଲା କି ନାହିଁ, ପ୍ରଶ୍ନ ତାହା ନୁହେଁ। କିଛି ସାଂସଦ କହିଥିଲେ କି ପୁରୁଣା କୋଠା ଏବେ କାମ ପାଇଁ ଯୋଗ୍ୟ ନୁହେଁ ଏବଂ ଆଧୁନିକ ଯୁଗର ଆବଶ୍ୟକତା ମୁତାବକ ତାହା ଉପଯୁକ୍ତ ନଥିଲା। ମୁଁ ଏବେ ବି ଜଣେ ମିତବ୍ୟୟୀ ଲୋକ, ସର୍ବଦା ବଦଖର୍ଚ୍ଚରୁ ବଞ୍ଚିବାକୁ ଚେଷ୍ଟା କରେ। ମୋତେ ଲାଗୁଥିଲା କି ପୁରୁଣା କୋଠାର ମତାମତି ଓ ନବୀକରଣ ହୋଇପାରିଥା’ନ୍ତା। ଏମିତି ତ ଗରିବ ଗୁରୁବାଙ୍କ ଏହି ଗଣତନ୍ତ୍ରର ପ୍ରତୀକ କୌଣସି ଭବ୍ୟ ଭବନ ହେବା କଥାକୁ ମୁଁ ଗ୍ରହଣ କରିପାରୁନାହିଁ। ଅବଶ୍ୟ ମୁଁ ତ ସେହି ପୁରୁଣା କୋଠାକୁ ବ୍ୟବହାର କରି ନାହିଁ। ହୋଇପାରେ, ଯେଉଁମାନେ ନିତି ସେଠିକି ଯାଉଛନ୍ତି, ସେମାନଙ୍କତ କଥା ଯଥାର୍ଥ। ଏକ ନୂତନ କୋଠା ଏକମାତ୍ର ବିକଳ୍ପ ହୋଇପାରେ। ପୂର୍ବ ଅପେକ୍ଷା ଏହି କୋଠାଟି ବହୁତ ଭଲ ହୋଇପାରିଥିବ। ଅବଶ୍ୟ ଏହା ଉନ୍ନତ ସୁବିଧା ଓ ପ୍ରଯୁକ୍ତିବିଦ୍ୟାରେ ଖୁନ୍ଦି ହୋଇ ରହିଥିବ। କିନ୍ତୁ ଏହା ପ୍ରକୃତ ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି ଏହି ନୂତନ କୋଠା କେଉଁ ମୂଲ୍ୟବୋଧର ପ୍ରତିନିଧିତ୍ବ କରୁଛି।

ସରକାରୀ ଓ ଦରବାରୀ ଲୋକଙ୍କ ମତରେ ସଂସଦର ଏହି ନୂତନ ଭବନ ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ର ଶକ୍ତିର ଭବ୍ୟ ପ୍ରତୀକ। ସମ୍ପ୍ରତି ବିରୋଧୀ ଦଳ ଏହି ଦାବିକୁ ଉପହାସ କରୁଛନ୍ତି। ଗତ ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତା ଯାହା ହୋଇଥାଉ ନା କାହିଁକି, ସେ ଗଣତାନ୍ତ୍ରିକ ମର୍ଯ୍ୟାଦା ଓ ସଂସଦୀୟ ପରମ୍ପରାକୁ ସମ୍ମାନ ଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ମଧ୍ୟ କହିବାକୁ ଦ୍ବିଧା ଅନୁଭବ କରିବେ। ତାଙ୍କ କାର୍ଯ୍ୟକାଳ ଭିତରେ ସଂସଦର ଅଧିବେଶନ କମ୍‌ ହୋଇଛି। ବିତର୍କ ବିନା ପାରିତ ହୋଇଥିବା ଆଇନ ସଂଖ୍ୟା ବଢ଼ିଛି। ପ୍ରଥମ ଥର ପାଇଁ ରାଜ୍ୟସଭାରେ ଭୋଟ ନହୋଇ ଆଇନ ପ୍ରଣୀତ ହୋଇଛି। ପ୍ରଥମ ଥର ପାଇଁ ବଜେଟ୍‌ ଓ ଅର୍ଥ ବିଲ୍‌ ନାମରେ ସାଧାରଣ ଆଇନ ଉପର ଗୃହରୁ ଆଡ଼େଇ ନିଆଯାଇଛି। ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତାମାନେ କହୁଥିବା ବେଳେ କ୍ୟାମେରା ବନ୍ଦ କରି ଦିଆଯାଇଛି, ମାଇକ୍‌ ମଧ୍ୟ ବନ୍ଦ ହୋଇଯାଇଛି। ପ୍ରଥମ ଥର ପାଇଁ ଶାସକ ଦଳ ହୋହଲ୍ଲା କରି ସଂସଦର କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ପ୍ରଥମ ଥର ଲାଗି ବିରୋଧୀ ଦଳର ଜଣେ ବରିଷ୍ଠ ସାଂସଦଙ୍କ ସଦସ୍ୟତା ବାତିଲ କରିବାକୁ ଏକ ଖେଳ ଖେଳାଯାଇଛି। ଯେଉଁ ସଂସଦର ଗରିମା ଏପରି ହ୍ରାସ ପାଉଛି, ତାହାର ଏକ ଭବ୍ୟ ଭବନ ନିର୍ମାଣ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ।

ଭବନର ଉଦ୍‌ଘାଟନ ସହ ଜଡ଼ିତ ବିବାଦକୁ ନିରୀକ୍ଷଣ କରିବା। ରାଷ୍ଟ୍ରପତିଙ୍କ ହାତରେ ଏହା ଉଦ୍‌ଘାଟିତ ହେବା ଅନିବାର୍ଯ୍ୟ ନୁହେଁ। ଏମିତି ବି ଜାନୁଆରି ୨୬ ପ୍ୟାରେଡ୍‌ରେ କେବଳ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବେ ବୋଲି କୋଉଠି ଲେଖା ହୋଇନାହିଁ। ଏସବୁ ହେଉଛି ଲୋକତନ୍ତ୍ରର ପରିପାଟୀ ଏବଂ ନିଃସନ୍ଦେହରେ ଏଥର ମର୍ଯ୍ୟାଦାର ଉଲ୍ଲଂଘନ ହୋଇଛି। ଏକଥା ମଧ୍ୟ ସମ୍ଭବ କି, ଉଦ୍‌ଘାଟନୀ ସମାରୋହକୁ ବିରୋଧୀ ଦଳ ବର୍ଜନ କରିବେ ବୋଲି ବହୁ ଆଗରୁ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଏ କଥା ମଧ୍ୟ ସତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆୟୋଜନକୁ ନିଜର ବ୍ୟକ୍ତିଗତ ଛବି ନିର୍ମାଣରେ ବ୍ୟବହାର କରିବାକୁ ଚାହିଁଛନ୍ତି ଏବଂ ସେହି ରାସ୍ତାରେ ଆଉ କାହାକୁ ଆସିବାକୁ ଦେଇନାହାନ୍ତି, ଏପରିକି ମହାମହିମ ରାଷ୍ଟ୍ରପତିଙ୍କୁ ମଧ୍ୟ। କାଲି ପର୍ଯ୍ୟନ୍ତ ଯେଉଁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ସମଗ୍ର ଦେଶର ଗର୍ବର ପ୍ରତୀକ ଭାବେ ବର୍ଣ୍ଣନା କରାଯାଉଥିଲା, ତାଙ୍କୁ ଏହି ଐତିହାସିକ ଉତ୍ସବରୁ ଦୂରେଇ ରଖାଗଲା। ଏହା ଏ ପ୍ରଶ୍ନ ଛିଡ଼ା କରିଛି ଯେ ଭାରତର ଗଣତାନ୍ତ୍ରିକ ଚରିତ୍ରକୁ ନେଇ ଏହି ସରକାରଙ୍କର ଅସୁବିଧା ନାହିଁ ତ?

ଏହି ସମାରୋହ ସହ ଜଡ଼ିତ ଅନେକ ପ୍ରସଙ୍ଗ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ବିନାୟକ ଦାମୋଦର ସାବରକରଙ୍କ ଜନ୍ମଦିନ ମେ’ ୨୮ରେ ଆୟୋଜନ କରିବା ହେଉଛି ଏକ ଗଭୀର ସଂକେତ। ସ୍ମରଣଯୋଗ୍ୟ, ସାବରକର ଗଣତନ୍ତ୍ରର ସମର୍ଥକ ନଥିଲେ, ବରଂ ସେ ହିଟଲର ଓ ମୁସୌଲିନିଙ୍କ ପ୍ରଶଂସକ ଥିଲେ। ଏହି ଅବସରରେ ଧାର୍ମିକ ନେତାଙ୍କ ଉପସ୍ଥିତି ଏବଂ ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ ଧର୍ମର ରୀତିନୀତିର ଉପଯୋଗ ଭାରତର ଧର୍ମନିରପେକ୍ଷ ଚରିତ୍ର ସହ ଖାପ ଖାଉନାହିଁ। ସେଙ୍ଗୋଲ ରୂପକ ରାଜଦଣ୍ଡକୁ ସଂଗ୍ରହାଳୟରୁ ବାହାର କରି ତାହାକୁ ପୌରାଣିକ କରି ଗଢ଼ିତୋଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସମର୍ପଣ କରିବା ଘଟଣା ଏହି ସମାରୋହକୁ ରାଜ୍ୟାଭିଷେକର ସ୍ବରୂପ ପ୍ରଦାନ କରିଛି, ଗଣତନ୍ତ୍ର ନୁହେଁ ରାଜତନ୍ତ୍ରର ଛବି ସୃଷ୍ଟି କରିଛି।

ମେ’ ୨୮ ତାରିଖ ଘଟଣାର ଅର୍ଥ ବୁଝିବାରେ ଯଦି ମନରେ କେଉଁଠି କିଛି ସନ୍ଦେହ ରହିଥିଲା, ତାହା ବିଚ୍‌ ରାସ୍ତାରେ ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ହୋଇଥିବା ଅସଦାଚରଣ ଦ୍ବାରା ସ୍ପଷ୍ଟ ହୋଇଯାଇଥିଲା। ଅସନ୍ତୋଷର ଅଭିବ୍ୟକ୍ତି ହେଉଛି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରର ମନ୍ଦିରର ଉଦ୍‌ଘାଟନ ଅବସରରେ ଅସନ୍ତୋଷକୁ ଚୂର୍ଣ୍ଣ କରିବା ଘଟଣା ସେହି ମନ୍ଦିରକୁ ଅପବିତ୍ର କରିଛି। ଏପରି ଅସଦାଚରଣ କୌଣସି ବି ନାଗରିକଙ୍କ ସହ ହେବା ଉଚିତ ନୁହେଁ, ରାଷ୍ଟ୍ରୀୟ ଗୌରବର ପ୍ରତୀକ ଏହି ଅଲମ୍ପିକ୍‌ ଖେଳାଳିଙ୍କ ପ୍ରତି ଏପରି କରିବା ନିରଙ୍କୁଶ କ୍ଷମତାର ପ୍ରତିଫଳନ। ଏହା ମଧ୍ୟ ଏଭଳି ଜଣେ ନେତାଙ୍କୁ ବଞ୍ଚାଇବା ପାଇଁ କରାଯାଇଛି, ଯାହାଙ୍କ ବିରୋଧରେ ନାବାଳିକା ଯୌନଶୋଷଣର ଗମ୍ଭୀର ଅଭିଯୋଗ ଆସିଛି। ମହିଳା କୁସ୍ତିଯୋଦ୍ଧାମାନଙ୍କୁ ପୁଲିସ ଟାଣି ଟାଣି ନେଉଥିବାର ଦୃଶ୍ୟ ସମଗ୍ର ବିଶ୍ବରେ ଭାରତୀୟ ଗଣତନ୍ତ୍ରର ନାମକୁ କ​ଳଙ୍କିତ କରିଛି।

ଇତିହାସ ସର୍ବଦା ସାକ୍ଷୀ ହୋଇ ରହିଛି କି, ଅହଂକାରୀ ଏକଛତ୍ରବାଦୀମାନେ ବିଶାଳ ସ୍ମାରକୀ ଓ ମହାନ ଅଟ୍ଟାଳିକା ନିର୍ମାଣ କରିବାର ସଉକ ରଖିଥା’ନ୍ତି। ଯେଉଁ ସଂସଦ କେବଳ ରବର ଷ୍ଟାମ୍ପ ହୋଇଥାଏ, ତାହାର ଅଟ୍ଟାଳିକା ପ୍ରାୟତଃ ବିରାଟ ବଡ଼ ହୋଇଥାଏ। ମାତ୍ର ଇତିହାସ ଏକଥା ମଧ୍ୟ ଦର୍ଶାଇଥାଏ କି, ଅନ୍ତତଃ କ୍ଷମତାରେ ଥିବା ଲୋକଙ୍କ ଭାବନା ଅପେକ୍ଷା ଜନସାଧାରଣଙ୍କ ଭାବନା ଅଧିକ ଶକ୍ତିଶାଳୀ। ଯଦି ଭାରତୀୟ ଗଣତନ୍ତ୍ର ଇଂରେଜମାନଙ୍କ ଦ୍ବାରା ନିର୍ମିତ ସଂସଦ ଭବନକୁ ଗଣତନ୍ତ୍ରର ଭାବନା ସହ ଓତଃପ୍ରୋତ କରିଦେଇଥିଲା, ତେବେ ଏହା ମଧ୍ୟ ଭରସା ରଖିବା ଉଚିତ ହେବ କି, ସଂସଦର ଏହି ନୂଆ ଭବନ ପ୍ରତି ଆଜିର କ୍ଷମତାଧାରୀଙ୍କ ଭାବନା ଅଧିକ ଦିନ ଧରି ରହିବ ନାହିଁ। ନିରଙ୍କୁଶ କ୍ଷମତାର ଉଦ୍ଦେଶ୍ୟ ଉପରେ ଗଣତନ୍ତ୍ରର ବିଜୟ ନିଶ୍ଚୟ ଘଟିବ।

ସମ୍ବନ୍ଧିତ ଖବର