ଲାଭ କ୍ଷତି ବିଚାର

ମୁଲ୍ଲା ନସିରୁଦ୍ଦିନଙ୍କ ପତ୍ନୀ ଥରେ ମ‌ନ ଖୁସିରେ ଗୁଣୁ ଗୁଣୁ ହୋଇ ଗୀତ ଗାଇ ଯାଉଥିବା ବେଳେ ପଡ଼ିଶା ଘରର ଫଜଲୁର ପତ୍ନୀ ତାଙ୍କୁ ଦେଖି ତାଙ୍କ ମନ ଖୁସର କାରଣ କ’ଣ ବୋଲି ପଚାରିଲା।

ମୁଲ୍ଲାଙ୍କ ସ୍ତ୍ରୀ କହିଲେ- ଖୁସିର କାରଣ ହେଲା ମୁଲ୍ଲାଙ୍କ ବ୍ୟବସାୟରେ ପାଞ୍ଚ ଲକ୍ଷ ଟଙ୍କା ଲାଭ ହୋଇଛି।

ଫଜଲୁର ସ୍ତ୍ରୀ ଯାଇ ତା’ ସ୍ବାମୀଙ୍କୁ କହିଲା- ଶୁଣିଲଣି ମୁଲ୍ଲାଙ୍କ ବ୍ୟବସାୟରେ ପାଞ୍ଚ ଲକ୍ଷ ଟଙ୍କା ଲାଭ ହୋଇଛି! ସେଥି ଲାଗି ତାଙ୍କ ଘରେ ଭାରି ଖୁସି!
ଫଜଲୁ କହିଲା- କି କଥା କହୁଛ? ମୁଁ ତ ଦେଖିଲି ମୁଲ୍ଲା ମନ ଦୁଃଖରେ ଘର ବାରଣ୍ଡାରେ ବସିଥିଲେ। ତୁମେ କେମିତି କହୁଛ ଭାରି ଖୁସି?

ଏହା କହି ଫଜଲୁ ମୁଲ୍ଲାଙ୍କ ନିକଟକୁ ଯାଇ ପଚାରିଲା- ମୁଲ୍ଲା ତୁମ ମୁହଁ ଶୁଖି ଗଲା ଭଳି କାହିଁକି ଲାଗୁଛି?

ମୁଲ୍ଲା କହିଲେ- କ’ଣ କହିବି କହ? ମୋର ବେପାରରେ ପାଞ୍ଚ ଲକ୍ଷ ଟଙ୍କା କ୍ଷତି ହୋଇଗଲା।

ଏହା ଶୁଣି ଫଜଲୁ ବିସ୍ମିତ ହୋଇ ଘରକୁ ଯାଇ ନିଜ ପତ୍ନୀଙ୍କୁ ସେହି କଥା କହିଲା। ଏବେ ଫଜଲୁଙ୍କ ପତ୍ନୀ ପୁଣି ମୁଲ୍ଲାଙ୍କ ସ୍ତ୍ରୀଙ୍କୁ ସେ କଥା ପଚାରିଲା।

ମୁଲ୍ଲାଙ୍କ ସ୍ତ୍ରୀ କହିଲେ- ମୁଲ୍ଲା ଭଳିଆ ଲୋକଙ୍କ କଥା ମୋତେ କୁହନା। ସେ ସକାଳୁ ମୁହଁ ଶୁଖାଇ ବୁଲୁଛନ୍ତି। ମୁଁ ପଚାରିବାରୁ କହିଲେ- ମୁଁ ଯେଉଁ ବେପାର କରିଥିଲି ଦଶ ଲକ୍ଷ ଟଙ୍କାର ଲାଭ ଜାଣ ପକ୍କା ଥିଲା। ହେଲେ ଲାଭ ହେଲା ପାଞ୍ଚ ଲକ୍ଷ। ପାଞ୍ଚ ଲକ୍ଷ୍ୟ କ୍ଷତି ହୋଇଗଲା ଜାଣ!

ସମ୍ବନ୍ଧିତ ଖବର