ସବୁଜ ଗାନ୍ଧୀ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ପ୍ରାୟ ତିରିଶ ବର୍ଷ ତଳର କଥା। ‘ଇଣ୍ଡଷ୍ଟ୍ରିଆଲାଇଜ୍-ଆଣ୍ଡ୍ ପେରିସ୍‌’ ବା ‘ଔଦ୍ୟୋଗୀକରଣ ଓ ବିନାଶ’ ଶୀର୍ଷକ ସହିତ ପ୍ରକାଶିତ ଗାନ୍ଧୀଙ୍କର କେତେକ ବଛାବଛା ଲେଖା ପଢ଼ିବା ବେଳେ ମୁଁ ନିମ୍ନୋକ୍ତ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟଗୁଡ଼ିକୁ ପଢ଼ିଥିଲି, ଯେଉଁଗୁଡ଼ିକ ୧୯୨୮ ଡିସେମ୍ବର ୨୦ ତାରିଖର ‘ୟଙ୍ଗ ଇଣ୍ଡିଆ’ରେ ପ୍ରକାଶ ପାଇଥିଲା।

‘ଭଗବାନ ନ କରନ୍ତୁ ଯେ ଭାରତ କେବେ ପାଶ୍ଚାତ୍ୟର ଔଦ୍ୟୋଗୀକରଣ ଶୈଳୀକୁ ଅନୁକରଣ କରୁ। କେବଳ ଗୋଟିଏ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର (ଇଂଲଣ୍ଡର ଅର୍ଥନୈତିକ ସାମ୍ରାଜ୍ୟବାଦ ଆଜି ସାରା ପୃଥିବୀକୁ ଶିକୁଳିେର ବାନ୍ଧି ରଖିଛି। ଯଦି ୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ଅନୁରୂପ ଅର୍ଥନୈତିକ ଶୋଷଣକୁ ଅନୁକରଣ କରେ, ତେବେ ଏହା ସମଗ୍ର ପୃଥିବୀକୁ ପଙ୍ଗପାଳ ପରି ଛାରଖାର କରିଦେବ।’

ଜଣେ ପରିବେଶବିତ୍‌ର ଦୃଷ୍ଟିକୋଣରୁ ଏହିସବୁ ଶବ୍ଦଗୁଡ଼ିକୁ ପଢ଼ିବା, ବିଶେଷ କରି ଅତ୍ୟଧିକ ସମ୍ବଳ-ସାପେକ୍ଷ, ଶକ୍ତି-ସାପେକ୍ଷ ଔଦ୍ୟୋଗିକ ବିକାଶ ବିରୋଧୀ ଚେତାବନୀ ରୂପେ ଦେଖିବା ଆକର୍ଷଣୀୟ ମନେ ହୋଇଥାଏ। ବାସ୍ତବରେ (ପାଶ୍ଚାତ୍ୟ-ଅନୁପ୍ରାଣିତ) ଅର୍ଥନୈତିକ ଶୋଷଣର ପଦ୍ଧତିଗୁଡ଼ିକୁ ଗ୍ରହଣ କରି ଭାରତ ଓ ଚୀନ ଆଜି ପୃଥିବୀକୁ ପଙ୍ଗପାଳ ପରି ଛାରଖାର କରିଦେବାକୁ ବସିଛନ୍ତି।

ମାନବିକ ଲୋଭର ଜଣେ ସମାଲୋଚକ ଭାବେ, ତଥା ବିକେନ୍ଦ୍ରୀକୃତ, ଗ୍ରାମ-କୈନ୍ଦ୍ରିକ (ତେଣୁ କମ୍ ଲୋଲୁପ) ଅର୍ଥନୀତିର ପକ୍ଷବାଦୀ ଭାବେ ଏବଂ କ୍ଷତିକାରକ ଓ ଧ୍ବଂସାତ୍ମକ ସରକାରୀ ନୀତିର ଅହିଂସ ପ୍ରତିବାଦର ପ୍ରବର୍ତ୍ତକ ଭାବେ ଗାନ୍ଧୀଙ୍କୁ ପରିବେଶ ଆନ୍ଦୋଳନର ଜଣେ ଆଦ୍ୟ ପ୍ରବର୍ତ୍ତକ ବୋଲି ଦାବି କରାଯାଏ। ଭାରତର ସବୁଠାରୁ ପ୍ରଖ୍ୟାତ ପରିବେଶ ଆନ୍ଦୋଳନ, ଯଥା ଚିପ୍‌କୋ ଓ ନର୍ମଦା ବଞ୍ଚାଅ ଆନ୍ଦୋଳନ ଗୁଡ଼ିକର ନେତୃତ୍ବ ନେଇଥିବା ବ୍ୟକ୍ତିମାନେ ବାସ୍ତବରେ ନିଜ ନୀତି ଓ କର୍ମରେ ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରିଥିବାର ଘୋଷଣା କରିଛନ୍ତି। ସ୍ବର୍ଗତ ଅର୍ଥନୀତିଜ୍ଞ ଇ. ଏଫ୍‌. ସୁମାଚର୍ (‘ସ୍ମଲ୍ ଇଜ୍ ବିଉଟିଫୁଲ୍‌’ର ଲେଖକ) ଓ ପ୍ରଭାବଶାଳୀ ଜର୍ମାନ ଗ୍ରିନ୍ ପାର୍ଟିର ଅନୁଗାମୀମାନଙ୍କ ଭଳି ପାଶ୍ଚାତ୍ୟ ପରିବେଶବିତ୍‌ମାନେ ଗାନ୍ଧୀଙ୍କୁ ଜଣେ ଉଦାହରଣୀୟ ବ୍ୟକ୍ତିତ୍ବ ଭାବେ ବ୍ୟାଖ୍ୟା କରିଛନ୍ତି।

ମୁଁ ଏହି ସ୍ତମ୍ଭରେ ନିଜ ସମୟରୁ ଯଥେଷ୍ଟ ଆଗରେ ଥିବା ସବୁଜ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ସୁଦୃଢ଼ କରିବାକୁ ଚାହୁଁଛି। ଏଥିପାଇଁ ମୁଁ ତାଙ୍କ ବିଚାରର କେତେକ ଭିନ୍ନ ଦିଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିବି, ଯାହା ଆମ ସମୟର ଉଦ୍‌ବେଗଗୁଡ଼ିକ ସଂପର୍କରେ ପୂର୍ବାନୁମାନ କରି ପାରିଥିବା ଭଳି ମନେହୁଏ। ନିର୍ଦ୍ଦିଷ୍ଟ ଭାବେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବ ସମ୍ପର୍କରେ ସେ ଦେଇଥିବା କମ୍ ଜଣାଶୁଣା ମନ୍ତବ୍ୟଗୁଡ଼ିକ ପ୍ରତି ମୁଁ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିବି।

୧୯୨୫ ନଭେମ୍ବରରେ ଗାନ୍ଧୀ ପଶ୍ଚିମ ଭାରତର କଚ୍ଛ ମରୁଭୂମି ଅଞ୍ଚଳକୁ ଯାଇଥିଲେ, ଯେଉଁଠାରେ ସ୍ବଳ୍ପ ବୃଷ୍ଟିପାତ ତଥା ଚିରସ୍ରୋତା ନଦୀର ଅନୁପସ୍ଥିତି ସବୁଜିମାର ଅଭାବ ସୃଷ୍ଟି କରିଥିଲା। ଜୟକୃଷ୍ଣ ଇନ୍ଦ୍ରଜିତ ନାମକ ଜଣେ ସାମାଜିକ କର୍ମୀଙ୍କ ଘରେ ଗାନ୍ଧୀ ରହିଥିଲେ, ଯାହାଙ୍କୁ ସେ ‘ଗୁଜରାଟର ଏକ ରତ୍ନ’ ରୂପେ ବ୍ୟାଖ୍ୟା କରୁଥିଲେ। ଇଣ୍ଟର୍‌ନେଟ୍‌ର ଏକ ଉତ୍ସରେ ଠାଏ ଜୟକୃଷ୍ଣଙ୍କୁ ‘ଏଥ୍‌ନୋବୋଟାନିଷ୍ଟ’ ବା ‘ସାଧାରଣ ଲୋକଙ୍କ ଉଦ୍ଭିଦବିଜ୍ଞାନୀ’ ଭାବେ ଅଭିହିତ କରାଯାଇଛି। ଗାନ୍ଧୀଙ୍କ ଜନ୍ମର ୨୦ ବର୍ଷ ପୂର୍ବେ ୧୮୪୯ରେ ଜନ୍ମିତ ଜୟକୃଷ୍ଣ ଜଣେ ସ୍ବ-ପ୍ରଶିକ୍ଷିତ ଉଦ୍ଭିଦବିଜ୍ଞାନୀ ଥିଲେ ଯିଏ ପରବର୍ତ୍ତୀ କାଳରେ ପୋରବନ୍ଦର ରାଜ୍ୟ (ଯାହାର ଶାସକମାନଙ୍କୁ ଗାନ୍ଧୀଙ୍କ ପୂର୍ବପୁରୁଷମାନେ ଏକଦା ସେବା କରୁଥିଲେ)ରେ କାମ କରିଥିଲେ। ଗଛଲତା ପ୍ରତି ଭାରତୀୟମାନଙ୍କ ଅନାସକ୍ତିକୁ ଲକ୍ଷ୍ୟ କରି ନିଜର ତୀବ୍ର ହତାଶବୋଧକୁ ଏହି ଉଦ୍ଭିଦବିଜ୍ଞାନୀ ଜଣକ ଏହି ଢଙ୍ଗରେ ପ୍ରକାଶ କରିଥିଲେ: ‘ୟୁରୋପୀୟମାନେ ଏ ଦେଶର ଗଛଗୁଡ଼ିକ ସମ୍ପର୍କରେ ଜାଣିବା ଓ ଲେଖିବା ପାଇଁ ଖୁବ୍ ତତ୍ପର, କିନ୍ତୁ ମୋ ଦେଶବାସୀ ନିଜ ଅଗଣାରେ ଉଠିଥିବା ତଥା ସେମାନେ ପାଦରେ ଦଳି ଦେଉଥିବା ଗଛମାନଙ୍କ ବିଷୟରେ ଜାଣନ୍ତି ନାହିଁ।’ ଏହି ଅଜ୍ଞତାର ମୁକାବିଲା ପାଇଁ ଜୟକୃଷ୍ଣ ପୋରବନ୍ଦରର ବର୍ଦା ପାହାଡ଼ରେ ଥିବା ଉଦ୍ଭିଦ ସମୂହକୁ ନେଇ ଏକ ଐତିହାସିକ ଅଧ୍ୟୟନ ରଚନା କରିଥିଲେ। ଏହା କଚ୍ଛ ମହାରାଜାଙ୍କ ଧ୍ୟାନ ଆକର୍ଷଣ କରିଥିଲା ଏବଂ ସେ ତାଙ୍କୁ ନିଜ ଅଞ୍ଚଳକୁ ଆମନ୍ତ୍ରଣ କରି ନେଇଯାଇଥିଲେ। ଜୟକୃଷ୍ଣ ସେଠାକୁ ଯାଇ ମରୁଭୂମିରେ ପୁନଃବନୀକରଣକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ରାଜ୍ୟର ଉଦ୍ଭିଦରାଜି ଉପରେ ଗବେଷଣା କରି ପୁସ୍ତକ ରଚନା କରିଥିଲେ।

ଜୟକୃଷ୍ଣଙ୍କୁ ଭେଟିବା ପରେ ଗାନ୍ଧୀ ଲେଖିଥିଲେ, ‘ସେ ବର୍ଦାର ପ୍ରତିଟି ଗଛ ଓ ପତ୍ରକୁ ଜାଣନ୍ତି। ବୃକ୍ଷ ରୋପଣ ଉପରେ ତାଙ୍କର ଏତେ ଆସ୍ଥା ଅଛି ଯେ ତାହାକୁ ସେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରନ୍ତି। ଆଉ ତାଙ୍କର ବିଶ୍ବାସ ଯେ ଏହା ଦ୍ବାରା ଅନେକ କିଛି ହାସଲ କରିବା ସମ୍ଭବ। ଏ ପ୍ରସଙ୍ଗରେ ତାଙ୍କ ଉତ୍ସାହ ଓ ଆସ୍ଥା ଖୁବ୍ ସଂକ୍ରାମକ। ମୁଁ ବହୁ ପୂର୍ବରୁ ସେଥିରେ ସଂକ୍ରମିତ ହୋଇସାରିଛି। ଉଭୟ ଶାସକ ଓ ପ୍ରଜାମାନେ ଯଦି ଚାହାଁନ୍ତି ତେବେ ତାଙ୍କ ଗହଣରେ ଥିବା ଏଭଳି ଜଣେ ବିଜ୍ଞ ବ୍ୟକ୍ତିଙ୍କ ପୂର୍ଣ୍ଣ ଲାଭ ଉଠାଇପାରିବେ ଏବଂ ଏକ ସୁନ୍ଦର ଜଙ୍ଗଲ ସୃଷ୍ଟି କରିପାରିବେ।’

ଜୟକୃଷ୍ଣ ଗାନ୍ଧୀଙ୍କୁ ନେଇ ଏକ ସୁନ୍ଦର ଖୋଲା ପଡ଼ିଆେର ବୃକ୍ଷ ରୋପଣ କରାଇଥିଲେ, ଯାହାକୁ ସେହି ପ୍ରସିଦ୍ଧ ଅତିଥି କଚ୍ଛରେ ସମ୍ପାଦିତ କରିଥିବା ସବୁଠାରୁ ସୁଖଦ କାର୍ଯ୍ୟ ରୂପେ ଉଲ୍ଲେଖ କରିଛନ୍ତି। ସେହି ଦିନ ବୃକ୍ଷ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏକ ସୋସାଇଟି ଗଠନ କରାଯାଇଥିଲା, ଯାହା ସଫଳତାର ଶୀର୍ଷରେ ପହଞ୍ଚୁ ବୋଲି ଗାନ୍ଧୀ ଆଶା ପ୍ରକଟ କରିଥିଲେ।

କଚ୍ଛରେ ଉଦ୍ଭିଦବିଜ୍ଞାନୀ ଜୟକୃଷ୍ଣଙ୍କ ଉଦ୍ୟମ ଗାନ୍ଧୀଙ୍କୁ ତାଙ୍କର ଦକ୍ଷିଣ ଆଫ୍ରିକାର ଅଭିଜ୍ଞତା ମନେ ପକାଇ ଦେଇଥିଲା, ଯେଉଁଠାରେ ସେ ଆଇନ ବ୍ୟବସାୟ କରୁଥିଲେ ଏବଂ ପ୍ରଥମ କରି ଜଣେ ସାମାଜିକ କର୍ମୀ ଭାବେ ଉଭା ହୋଇଥିଲେ। ଏକଦା ଶୁଷ୍କ ମରୁଭୂମି ଥିବା ଜୋହାନ୍‌ସବର୍ଗ ସହର ତାଙ୍କ ଆଖି ସାମ୍ନାରେ ବଦଳିଯାଇଥିଲା। ସେ ନେଇ ଗାନ୍ଧୀ ଲେଖିଛନ୍ତି:

‘ଜୋହାନ୍‌ସବର୍ଗ ସେହିଭଳି ଏକ ଅଞ୍ଚଳ ଥିଲା। ଏକଦା ଘାସ ଛଡ଼ା ଆଉ କିଛି ଉଦ୍ଭିଦ ସେଠାରେ ଉଠୁ ନ ଥିଲା। ଚାଳିଶ ବର୍ଷ ମଧ୍ୟରେ ତାହା ଏକ ସ୍ବର୍ଣ୍ଣିମ ସହରରେ ପରିଣତ ହୋଇଥିଲା। ଦିନ ଥିଲା ଯେବେ ଏକ ବାଲଟି ପାଣି ପାଇଁ ଲୋକଙ୍କୁ ୧୨ ଅଣା ଦେବାକୁ ପଡୁଥିଲା। କେବେ କେବେ ଲୋକେ ସୋଡ଼ା ପାଣିେର କାମ ଚଳାଇବାକୁ ବାଧ୍ୟ ହେଉଥିଲେ। ହାତ ମୁହଁ ଧୋଇବାକୁ ବି ସେମାନେ ସୋଡ଼ା ପାଣି ବ୍ୟବହାର କରୁଥିଲେ! କିନ୍ତୁ ଆଜି ସେଠାରେ ପାଣି ଅଛି, ଗଛଲତା ବି ଦେଖିବାକୁ ମିଳୁଛି। ଆରମ୍ଭରୁ ସୁନା ଖଣି ମାଲିକମାନେ ସେହି ଅଞ୍ଚଳକୁ ଅପେକ୍ଷାକୃତ ସବୁଜିମାମୟ କରିଦେଇଥିଲେ ଏବଂ ସୁଦୂର ଅଞ୍ଚଳମାନଙ୍କରୁ ଚାରା ଆଣି ରୋପଣ କରିବା ଯୋଗୁଁ କ୍ରମେ ବୃଷ୍ଟିପାତ ହାର ବୃଦ୍ଧି ପାଇଥିଲା। ଏଭଳି କେତେକ ଉଦାହରଣ ରହିଛି ଯେଉଁଠି ଜଙ୍ଗଲ ହ୍ରାସ ଦ୍ବାରା ବୃଷ୍ଟିପାତ ହାର ହ୍ରାସ ପାଇଛି ଏବଂ ବନୀକରଣ ଦ୍ବାରା ପୁଣି ବୃଷ୍ଟିପାତର ମାତ୍ରା ବଢ଼ିଛି।’

ଏହାର କିଛି ବର୍ଷ ପରେ ସାବରମତୀ ଆଶ୍ରମରେ ଏକ ସନ୍ଧ୍ୟାର କଥା। ଗାନ୍ଧୀ ବିଛଣାକୁ ଯିବା ପୂର୍ବରୁ ତୁଳା ବଳିବାକୁ ଚାହିଁଲେ। ତାଙ୍କ ଶିଷ୍ୟା ମୀରା ଆଶ୍ରମରେ ରହୁଥିବା ଜଣେ ପିଲାକୁ ବଗିଚାକୁ ପଠାଇଲେ, ବବୁଲ ଗଛରୁ କିଛି ପତ୍ର ଆଣିବା ପାଇଁ। ତୁଳା ଭିଣିବାରେ ବ୍ୟବହୃତ ଧନୁରେ ସେ ବବୁଲ ଅଠା ଲଗାଇବାକୁ ଚାହୁଁଥିଲେ। ପିଲାଟି କିନ୍ତୁ ଏକା ବେଳେ ଅନେକ ପତ୍ର ଛିଣ୍ଡାଇ ଆଣିଲା। ମୀରା ଗାନ୍ଧୀଙ୍କୁ ସେହି ପତ୍ରମାନ ଦେଖାଇବା ସହିତ ଦୁଃଖ ପ୍ରକାଶ କରି କହିଲେ, ‘ପତ୍ରଗୁଡ଼ିକ ଶୋଇ ଯାଇଛନ୍ତି।’ ଗାନ୍ଧୀ ଉତ୍ତର ଦେଲେ, ‘ଗଛଗୁଡ଼ିକ ଆମ ଭଳି ଜୀବ। ସେମାନଙ୍କର ଜୀବନ ଅଛି, ସେମାନେ ଆମ ପରି ଶ୍ବାସକ୍ରିୟା କରନ୍ତି, ଆମ ପରି ଖାଆନ୍ତି ପିଅନ୍ତି ଏବଂ ଆମ ପରି ନିଦ୍ରା ଯାଆନ୍ତି। ରାତିରେ ଗଛଟିଏ ଯେତେବେଳେ ଶୋଇଛି ସେତେବେଳେ ତା’ ଡାଳରୁ ଯାଇ ପତ୍ର ଛିଣ୍ଡାଇ ଆଣିବା ଏକ ନିର୍ମମ କାର୍ଯ୍ୟ!’ ଗାନ୍ଧୀଙ୍କ ଆଖିରେ କରୁଣା ଓ କ୍ରୋଧ ସ୍ପଷ୍ଟ ବାରି ହୋଇ ପଡୁଥିଲା। ମୀରାଙ୍କ କହିବା ଅନୁସାରେ ଗାନ୍ଧୀ ବିରକ୍ତ ହୋଇଥିଲେ ଯେ ପିଲାଟି ଏକାବେଳେ ଗୋଛାଏ ପତ୍ର ନେଇଆସିଥିଲା। କିଛି ଦିନ ପୂର୍ବରୁ ଏକ ଜନସଭାରେ ତାଙ୍କୁ ଯେତେବେଳେ ଏକ ବିଶାଳ ଫୁଲମାଳ ସହିତ ସ୍ବାଗତ କରାଯାଇଥିଲା, ସେ ଅନୁରୂପ ବିରକ୍ତି ପ୍ରକାଶ କରିଥିଲେ।

ଏକା ସମୟରେ ଗୁଜରାଟୀ ଓ ଇଂରେଜୀରେ ପ୍ରକାଶିତ ଏକ ଆଲେଖ୍ୟରେ ଗାନ୍ଧୀ ଏହି କାହାଣୀକୁ ମୀରାଙ୍କ ଶବ୍ଦରେ ପ୍ରକାଶ କରିଥିଲେ ଏବଂ ଶେଷରେ ନିଜର ବ୍ୟାଖ୍ୟା ଏଥିରେ ଯୋଡ଼ିଥିଲେ:

‘ପାଠକମାନେ ଏହାକୁ ଏକ ଆବେଗପୂର୍ଣ୍ଣ ବାଜେ ଲେଖା ବୋଲି ନ କୁହନ୍ତୁ କି ମୋତେ ବା ମୀରାବାଇଙ୍କୁ ହତାଶାଜନକ ଅସଙ୍ଗତିର ଶିକାର ବୋଲି ଆରୋପ ନ କରନ୍ତୁ, ଏହା କହି ଯେ ଆମେ ଗୋଟିଏ ଓଟ ସକାଶେ ଲୋଡ଼ା ଠେକାଏ ପରିବାପତ୍ର ବିନା ଚିନ୍ତାରେ ଗିଳି ଯାଉଛୁ, କିନ୍ତୁ ରାତିରେ ବିଶ୍ରାମରତ ଗଛରୁ ପତ୍ରଟିଏ ଛିଣ୍ଡାଇବାକୁ ନେଇ ଅହେତୁକ ସମ୍ବେଦନା ପ୍ରକାଶ କରୁଛୁ। ଜଣେ କଂସେଇ ବି କିଛି ମାତ୍ରାରେ ଦୟାଳୁ ହୋଇପାରେ। ସେ ଶୋଇଥିବା ମେଣ୍ଢାମାନଙ୍କୁ ହତ୍ୟା କରିବ ନାହିଁ। ମାନବିକତାର ସାରମର୍ମ ହେଉଛି ପ୍ରତ୍ୟେକ ଜୀବ, ଉଭୟ ପଶୁ ଓ ଉଦ୍ଭିଦଙ୍କ ପ୍ରତି ସର୍ବାଧିକ ଯତ୍ନଶୀଳ ହେବା। ଯିଏ ଆନନ୍ଦର ଅନ୍ବେଷଣରେ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହୁଏ ନାହିଁ ସେ ନିଶ୍ଚିତ ରୂପେ ମଣିଷ ନୁହେଁ। ସେ ତ ବିଚାରହୀନ!’

ସମ୍ବଳର ଉପଯୋଗରେ ସଂଯମୀ ହେବା ସପକ୍ଷରେ ଯୁକ୍ତି ବାଢ଼ିବା ପରେ ଗାନ୍ଧୀ ଭାରତୀୟ ସଂସ୍କୃତିରେ ଗଛକୁ ଉଚ୍ଚ ସ୍ଥାନ ପ୍ରଦାନ କରାଯିବାକୁ ପ୍ରଶଂସା କରିଥିଲେ। ତେଣୁ ସେ ଲେଖିଛନ୍ତି, ‘ଭାରତ ଗଛଲତା ସମେତ ଅନ୍ୟ ଜୀବମାନଙ୍କ ପ୍ରତି କମ୍ ସମ୍ମାନ ବିକଶିତ କରି ନାହିଁ। କବି ରଚନା କରିଛନ୍ତି ଦମୟନ୍ତୀ କିପରି ଜଙ୍ଗଲରେ ଏ ଗଛରୁ ସେ ଗଛ ପାଖକୁ ଯାଇ ନିଜର ଦୁଃଖ ଶୁଣାଇଥିଲେ। ସେହିପରି ଶକୁନ୍ତଳାଙ୍କୁ ଗଛମାନଙ୍କ ସମେତ ପକ୍ଷୀ ଓ ଜନ୍ତୁମାନେ ସାହଚର୍ଯ୍ୟ ପ୍ରଦାନ କରିଥିଲେ। ମହାନ କବି କାଳିଦାସ ଆମକୁ କହିଛନ୍ତି ଯେ ସମସ୍ତଙ୍କ ଠାରୁ ଅଲଗା ହେବା ତାଙ୍କ ପାଇଁ କିଭଳି କଷ୍ଟଦାୟକ ଥିଲା।’

‘ଦି ଗାର୍ଡିଆନ୍’ରେ ପ୍ରକାଶିତ ଏକ ଆଲେଖ୍ୟ ଅନୁଯାୟୀ ଆମେ ଏବେ ଜାଣୁ ଯେ ବାୟୁମଣ୍ଡଳରୁ କାର୍ବନ ଶୋଷି କାଠ ଆକାରରେ ଗଚ୍ଛିତ ରଖିବାର ପ୍ରାକୃତିକ କ୍ଷମତା ଯୋଗୁଁ ଗଛଗୁଡ଼ିକ ହେଉଛନ୍ତି ଜଳବାୟୁ ଏମର୍ଜେନ୍‌ସିକୁ ମୁକାବିଲା କରିବାର ଏକ ସରଳ ତଥା ବୋଧଗମ୍ୟ ଉପାୟ। ମନୁଷ୍ୟକୃତ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ପ୍ରମାଣମାନ ମିଳିବାର ଅନେକ ଦଶନ୍ଧି ପୂର୍ବରୁ ଗାନ୍ଧୀ ଏ ବିଷୟରେ ଲେଖୁଥିଲେ। ସେ ଯୁକ୍ତି ବାଢୁଥିଲେ ଯେ ଖୋଲା ଭୂଇଁରେ ବୃକ୍ଷରୋପଣ କରିବା ଦ୍ବାରା ସେଗୁଡ଼ିକ ଛାଇ ଓ ଆଶ୍ରୟ ଦିଅନ୍ତି, ମାଟି ଓ ଜଳ ପ୍ରଣାଳୀକୁ ସମୃଦ୍ଧ କରନ୍ତି ଏବଂ ଅନ୍ୟ ଜୀବମାନଙ୍କ ପ୍ରତି ମାନବିକ ସମ୍ବେଦନାର ପରିପ୍ରକାଶ କରିଥାନ୍ତି। କିନ୍ତୁ ଆଜିର ଜଳବାୟୁ ଏମର୍ଜେନ୍‌ସି ପରିପ୍ରେକ୍ଷୀରେ ତାଙ୍କ କଥାଗୁଡ଼ିକ ଖୁବ୍ ଦୂରଦୃଷ୍ଟିସମ୍ପନ୍ନ ଥିଲା ବୋଲି ବୁଝି ହେଉଛି।

ବିଶ୍ବ ପରିବେଶ ଦିବସ ପରେ ପରେ ଏହି ସ୍ତମ୍ଭଟି ପ୍ରକାଶ ପାଉଛି। କେବଳ ଏହି ଅବସରରେ ନୁହେଁ ବର୍ଷର ସବୁ ଦିନ ଆମେ ଗାନ୍ଧୀଙ୍କ ବାଣୀ ଓ ଚେତାବନୀକୁ ସ୍ମରଣ କରିବା ଆବଶ୍ୟକ। ରାଜନୈତିକ ବିବାଦର ସମାଧାନ ପାଇଁ ଅହିଂସା ମାର୍ଗର ଅନୁସରଣ, ଅନ୍ତଃଧର୍ମ ସମନ୍ବୟ ପ୍ରତି ନିଷ୍ଠା ଏବଂ ଅସ୍ପୃଶ୍ୟତାର ବିଲୋପନ ପାଇଁ ସଂଘର୍ଷ ଲାଗି ଯେଉଁ ଗାନ୍ଧୀଙ୍କୁ ଆମେ ଜାଣୁ, ପରିବେଶକୁ ନେଇ ତାଙ୍କର ବିଚାର ମଧ୍ୟ ଅନୁରୂପ ଗୁରୁତ୍ବ ଦାବି କରିଥାଏ। ଆଜି ଆମେ ସମ୍ମୁଖୀନ ହେଉଥିବା ତୀବ୍ର ପରିବେଶ ସଙ୍କଟରୁ ଯଦି ମୁକୁଳିବାକୁ ଚାହୁଁଛୁ ତେବେ ଗାନ୍ଧୀ ଛାଡ଼ିଯାଇଥିବା ପଦଚିହ୍ନ ସେ ଦିଗରେ ମଧ୍ୟ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇପାରିବ।

[email protected]

ସମ୍ବନ୍ଧିତ ଖବର