ଏକ ସୁସଂଗଠିତ ଓ ସୁସଂହତ ସମାଜ ନିମନ୍ତେ ଶିକ୍ଷା ଯେ ଏକ ପ୍ରାଥମିକ ଆବଶ୍ୟକତା, ଏଥିରେ ଦ୍ବିରୁକ୍ତି ନାହିଁ। କିନ୍ତୁ ପ୍ରଶ୍ନ ଉ‌େଠ ଯେ ଆମ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବ ବିକାଶରେ ସହାୟକ ହେଉଛି କି? ଶିକ୍ଷାୟତନରେ ଉତ୍କର୍ଷ ଲାଭ କରିଥିବା ଜଣେ ଛାତ୍ର ବା ଛାତ୍ରୀ ଜୀବନର ଉତ୍‌ଥାନ-ପତନକୁ ସାମନା କରିବାରେ ବା ବୃତ୍ତିଗତ ସଫଳତା ହାସଲ କରିବାରେ ଅଥବା କୌଣସି ଅଭାବନୀୟ ପରିସ୍ଥିତିର ମୁକାବିଲା କରିବାରେ ସେତିକି ଦକ୍ଷତା ପ୍ରଦର୍ଶନ କରି ପାରୁଛନ୍ତି କି? ତେଣୁ ଏବେ ଆମ ଭିତରେ ପାଠୁଆ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ସତ; କିନ୍ତୁ ତା’ ସହ ସମାନ ଭାବେ ବଢ଼ିଛି ଅସ୍ଥିରତା ଓ ବିଶୃଙ୍ଖଳା, ଯାହା ରୂପ ନେଉଛି ଆତ୍ମହତ୍ୟାରେ ବା ତୀବ୍ର ବିଷାଦବୋଧରେ ବା ଆକ୍ରୋଶରେ। ଅନେକ ଯୁବକଯୁବତୀ ନିଜ ଜୀବିକାରେ ସନ୍ତୁଷ୍ଟ ନୁହନ୍ତି; ଶିକ୍ଷିତ ହୋଇଥିବା ସତ୍ତ୍ବେ ଅନେକ ବେକାର ଯୁବକ ଅସତ୍‌ ଉପାୟରେ ଧନ ଅର୍ଜନ କରିବାକୁ ବ୍ୟଗ୍ର। ଏହାର କାରଣ କ’ଣ? କାରଣଟି ହେଲା ପୁସ୍ତକ ଶିକ୍ଷାରେ ଜୀବନ ପରିପୂର୍ଣ୍ଣ ହୋଇଗଲା ବୋଲି ଧାରଣାଟିଏ ଆମେ ପୋଷଣ କରିଛୁ, କିନ୍ତୁ ଆଧ୍ୟାତ୍ମିକ ଚେତନାର ବିକାଶ ଉପରେ ଗୁରୁତ୍ବ ଦେଇ ନାହୁଁ।

Advertisment

ଦାର୍ଶନିକ ପ୍ଲାଟୋ କହିଥିଲେ ଯେ ପ୍ରକୃଷ୍ଟ ଶିକ୍ଷା ଜଣେ ବ୍ୟକ୍ତିକୁ ଶାରୀରିକ ଓ ବୌଦ୍ଧିକ କ୍ଷେତ୍ରରେ ଏଭଳି ସମର୍ଥ କରାଏ ଯେ ସେ ଜୀବନର ସମସ୍ତ ଆହ୍ବାନର ମୁକାବିଲା କରି ପାରିଥାଏ। ପ୍ରତ୍ୟୟ, ସାହସ ଓ ଆତ୍ମନିର୍ଭରଶୀଳ ହେବାର ମନୋଭାବ ସୃଷ୍ଟି କରିବା ସହ ଏହା ବ୍ୟକ୍ତିର ଦୃଷ୍ଟିକୋଣକୁ ମଧ୍ୟ ପ୍ରଶସ୍ତ କରି ତାକୁ ଉପଯୁକ୍ତ ନିଷ୍ପତ୍ତି ନେବାର ଦକ୍ଷତା ପ୍ରଦାନ କରେ। ସୁତରାଂ, ପ୍ଲାଟୋଙ୍କ ଧାରଣାରେ ଶିକ୍ଷା ଦ୍ବାରା ମନୁଷ୍ୟର ସାମଗ୍ରିକ ବିକାଶ କଥା ନିହିତ ଥିଲା। ଏହି ସଂଦର୍ଭରେ ଯାହା ହୃଦୟଙ୍ଗମ କରାଯିବା ଉଚିତ, ତାହା ହେଲେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ଠାରୁ ଭିନ୍ନ ଏବଂ ନିଜେ ନିଜ ବାଟରେ ସ୍ବତନ୍ତ୍ର ମଧ୍ୟ। କିନ୍ତୁ ଆଜିର ଶିକ୍ଷାୟତନଗୁଡ଼ିକ ନିଜକୁ ମଣିଷ ତିଆରି କାରଖାନା ବୋଲି ଅଭିହିତ କରି ମୋଟର କାର୍‌ ବା ୱାସିଂ ମେସିନ ସଦୃଶ ‘ଆସେମ୍‌ବ୍ଲି ଲାଇନ୍‌ ପ୍ରଡକସନ୍‌’ରେ ବ୍ୟସ୍ତ। ଏହା ହିଁ ବିଡ଼ମ୍ବନା! ଏଥିରେ ଛାତ୍ରର ପ୍ରତିଭା, ଗୁଣ, ଆଗ୍ରହ, ପସନ୍ଦ, ମନୋଭାବ, ଶକ୍ତି ଏପରିକି ଦୁର୍ବଳତା ଇତ୍ୟାଦି ଚିହ୍ନଟ କରି ତଦନୁସାରେ ମଣିଷ ଗଢ଼ିବାର ଲକ୍ଷ୍ୟ ନାହିଁ। ତେଣୁ ଗୁରୁତ୍ବପୂର୍ଣ୍ଣ ହେଲା ପାଠ୍ୟକ୍ରମ ଆଧାରରେ ଶିକ୍ଷା ଦିଆଯିବା ବେଳେ ସମାନ୍ତରାଳ ଭାବରେ ଜୀବନର ବିଭିନ୍ନ ବିଭାବକୁ ଆବିଷ୍କାର କରି ଛାତ୍ରଟିଏ କିଭଳି ନିଜକୁ ନି‌େଜ ଗଢ଼ିବ, ସେ ଦିଗରେ ତାକୁ ପ୍ରେରଣା ଓ ସାମର୍ଥ୍ୟ ପ୍ରଦାନ କରିବା। ସାମଗ୍ରିକ ବିକାଶ ହେଉଛି ଶିକ୍ଷାର ଏକ ବିସ୍ତୃତ ଆଭିମୁଖ୍ୟ; ଯାହା ମାନବ ଭିତରେ ଥିବା ଏକାଧିକ ଦକ୍ଷତାକୁ ପରିପ୍ରକାଶ କରେ ଏବଂ ଜଣେ ବ୍ୟକ୍ତି ଆତ୍ମ ପ୍ରତ୍ୟୟର ସହିତ ବହୁ ଆୟମୀ ହୋଇପାରେ। ଏହାକୁ ଆମେ ପୂର୍ଣ୍ଣାଙ୍ଗ ଶିକ୍ଷା ବୋଲି ମଧ୍ୟ କହି ପାରିବା।

ଏମିତି ଦେଖିଲେ ପୂର୍ଣ୍ଣାଙ୍ଗ ଶିକ୍ଷାର ଏକ ଦୀର୍ଘ ଇତିହାସ ରହିଛି। ଖ୍ରୀଷ୍ଟପୂର୍ବ ୫୦୦ରୁ ୩୦୦ ମଧ୍ୟରେ ଆବିର୍ଭୂତ ହୋଇଥିବା ଲାଓ ସେ, ଗୌତମ ବୁଦ୍ଧ, କନଫୁସିଅସ ଏବଂ ସକ୍ରେଟିସଙ୍କ ଭଳି ପ୍ରବୁଦ୍ଧ ଦାର୍ଶନିକ-ଶିକ୍ଷକ-ଦିଗଦର୍ଶକମାନେ ସେମାନଙ୍କ ଶିକ୍ଷାରେ ‘କରୁଣା’ ଭଳି ଏକ ମାନବୀୟ ଭାବର ମହତ୍ତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ। ଅଷ୍ଟାଦଶ ଶତାବ୍ଦୀରେ ରୁ‌େଷା, ଫ୍ରୋବେଲ ଏବଂ ପେଷ୍ଟାଲୋଜି ଇତ୍ୟାଦି ମନୀଷୀମାନେ ପିଲାମାନଙ୍କ ଦ୍ବାରା ପାରଦର୍ଶିତା ପ୍ରଦର୍ଶନ ଏବଂ ସାମଗ୍ରିକ ବିକାଶ ଉପରେ ଜୋର ଦେଇଥିଲେ। ଊନବିଂଶ ଶତାବ୍ଦୀରେ ଥୋରୋ, ଆଲକଟ୍‌ଙ୍କ ଭଳି ଅଧ୍ୟାତ୍ମବାଦୀଙ୍କ ଦ୍ବାରା ପରିଭାଷିତ ଶିକ୍ଷା ବ୍ୟବସ୍ଥା ମଧ୍ୟ ମନୁଷ୍ୟର ସାମଗ୍ରିକ ବିକାଶ କଥା କହୁଥିଲା। ବିଂଶ ଶତାବ୍ଦୀର ୱାଲଡୋର୍ଫ ଓ ମଣ୍ଟେ‌େସାରିଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷା ପ୍ରଣାଳୀ କଳା, ବିଜ୍ଞାନ ସହ ବ୍ୟାବହାରିକ କୌଶଳର ଶିକ୍ଷା ଉପରେ ଆଧାରିତ ଥିଲା।

ପ୍ରାଚୀନ କାଳରେ ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, ବଲ୍ଲଭୀ ଇତ୍ୟାଦି ଭଳି ବିଶ୍ବସ୍ତରୀୟ ଅନୁଷ୍ଠାନ ମଧ୍ୟ ସାମଗ୍ରିକ ଓ ବହୁମୁଖୀ ଶିକ୍ଷାର ପରମ୍ପରା ଓ ଅନୁସନ୍ଧାନର ସର୍ବୋଚ୍ଚ ମାନ ପ୍ରତିଷ୍ଠା କରିଥିଲେ। ପ୍ରାଚୀନ ଭାରତରେ ଗୁରୁକୁଳ ଶିକ୍ଷା ପଦ୍ଧତି ମାଧ୍ୟମରେ ଶିଷ୍ୟମାନଙ୍କୁ ନୈତିକ ଓ ବ୍ୟାବହାରିକ ଶିକ୍ଷା ପ୍ରଦାନ କରାଯାଉଥିଲା; ସେମାନଙ୍କ ମଧ୍ୟରେ ନମ୍ରତା, ସହନଶୀଳତା, ଆତ୍ମ ନିର୍ଭରଶୀଳତା, ବିବେଚନାବୋଧ ଭଳି ମହତ୍‌ ଗୁଣର ବିକାଶ ସକାଶେ ଗୁରୁମାନେ ପ୍ରଯତ୍ନଶୀଳ ଥିଲେ। ସୁତରାଂ, ଗୁରୁକୁଳରେ ଶି‌ଷ୍ୟମାନେ ଶାସ୍ତ୍ର ଜ୍ଞାନ ଠାରୁ ଶସ୍ତ୍ର ଜ୍ଞାନ ପର୍ଯ୍ୟନ୍ତ ସବୁଥିରେ ପାରଙ୍ଗମ ହେବାର ଉଦ୍ୟମ କରୁଥିଲେ। ଯୋଗୀ ଶ୍ରୀ ଅରବିନ୍ଦ ମଧ୍ୟ ପୂର୍ଣ୍ଣାଙ୍ଗ ଶିକ୍ଷାର ଗୁରୁତ୍ବକୁ ଦର୍ଶେଇ କହିଥିଲେ ଯେ ମନ, ଶରୀର, ଆତ୍ମାର ସାମଗ୍ରିକ ବିକାଶ ହିଁ ଶିକ୍ଷାର ଲକ୍ଷ୍ୟ। ଛାତ୍ର ଭିତରେ ଏକାଗ୍ରତା, ଅନୁଭବ ଓ ଆହରଣ କରିବାର ଗୁଣକୁ ସଶକ୍ତ କରିବା ସହ ତା’ ଭିତରେ କୌତୂହଳ, ଜିଜ୍ଞାସା ଓ ସର୍ଜନଶୀଳତା ଆଦି ବିକାଶ କରି ପାରୁଥିବା ଶିକ୍ଷା ହେଉଛି ପ୍ରକୃତ ଶିକ୍ଷା। ଆମେରିକାର ବିଶିଷ୍ଟ ମନୋବିଜ୍ଞାନୀ ଆବ୍ରହମ୍‌ ମସ୍ଲୋ ଏହାକୁ ‘ଆତ୍ମ ପରିଚିତି’ ବୋଲି କହିଥିଲେ। ‘ଆତ୍ମ ପରିଚିତି’ ହିଁ ମନୁଷ୍ୟକୁ ଦୃଢ଼ କରାଏ ଓ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାରେ ତାହାର ସହାୟକ ହୋଇଥାଏ।

ତେବେ ଏଭଳି ଶିକ୍ଷା ସକାଶେ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରି ବସି ରହିଲେ ହେବ ନାହିଁ; ବରଂ ଏହାର ପ୍ରାରମ୍ଭ ପ୍ରତ୍ୟେକ ଘରୁ ଏବଂ ପ୍ରତ୍ୟେକ ପରିବାରରୁ ଅଣଅାନୁଷ୍ଠାନିକ ଭାବେ ହେବା ଉଚିତ। ବା‌ପା, ମା’ ବା ଅଭିଭାବକମାନେ ନିଜ ସନ୍ତାନମାନଙ୍କ ସାମଗ୍ରିକ ବିକାଶ ବିଷୟ ଧ୍ୟାନରେ ରଖି ସେମାନଙ୍କୁ ବଡ଼ କରିବାର ଉଦ୍ୟମ କଲେ ପୂର୍ଣ୍ଣାଙ୍ଗ ଶିକ୍ଷା ଆପଣା ଛାଏଁ ରୂପ ପାଇବ। ଏଭଳି ହେଲେ ଏକ ସୁସଂହତ ମାନବ ସମାଜ ସମ୍ଭବ ହେବାର ବାଟ ଉନ୍ମୁକ୍ତ ହୋଇଯିବ।

[email protected]