କେବେ ବାହାରିବ ଓଡ଼ିଶାର ଜିଲ୍ଲା ଗେଜେଟିଅର୍‌?

ସଞ୍ଜୀବ ଚନ୍ଦ୍ର ହୋତା

କୌଣସି ରାଜ୍ୟର ଗୋଟିଏ ଜିଲ୍ଲାର ଐତିହାସିକ, ଭୌଗୋଳିକ, ସାଂସ୍କୃତିକ ଓ ପ୍ରଶାସନିକ ତଥ୍ୟ ସମ୍ବଳିତ ସଂକଳନକୁ ଇଂରେଜୀରେ ଡିଷ୍ଟ୍ରିକ୍‌ଟ ଗେଜେଟିଅର କୁହାଯାଏ। ଏକ ଜିଲ୍ଲାର ସ୍ଥାନ କାଳ ପାତ୍ରର ଏହା ଏକ ଦସ୍ତାବିଜ। ବ୍ରିଟିସ୍ ଶାସନ ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଓଡ଼ିଶାର ତତ୍‌କାଳୀନ ଛଅଟି ଜିଲ୍ଲା ଯଥା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ପାଇଁ ଛଅଟି ‘ଇମ୍ପେରିଅଲ୍ ଗେଜେଟିଅର’ ସଂକଳିତ ହୋଇଥିଲା। ଏହି ଗେଜେଟିଅର ଗୁଡ଼ିକର ସଂକଳନ କୌଣସି ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଦ୍ୱାରା ହୋଇନଥିଲା। ବିଭିନ୍ନ ପ୍ରଶାସନିକ ଅଧିକାରୀ, ଗବେଷକ ଓ ଐତିହାସିକମାନେ ଏଗୁଡ଼ିକୁ ସଂକଳନ କରିଥିଲେ। ଉଦାହରଣ ସ୍ୱରୂପ କୋରାପୁଟ ଜିଲ୍ଲା (ତତ୍‌କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲା)ର ଗେଜେଟିଅର ତତ୍‌କାଳୀନ କୋରାପୁଟ ଜିଲ୍ଲାପାଳ ଅର୍‌.ସି.ଏସ୍ ବେଲ୍‌ଙ୍କ ଦ୍ୱାରା ୧୯୪୫ ମସିହାରେ ସଂକଳିତ ହୋଇଥିଲା। ସେ ଜଣେ ଇଂଜେଜ ଆଇ.ସି.ଏସ୍ ଅଫିସର ଥିଲେ। ଦେଶ ସ୍ୱାଧୀନ ହେବା ପରେ ଗେଜେଟିଅର ସଂକଳନ ଦାୟିତ୍ୱ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ଦିଆଗଲା। ଏହି କାର୍ଯ୍ୟ ସଂପାଦନ କରିବା ପାଇଁ ମୁଖ୍ୟ ସମ୍ପାଦକ ଷ୍ଟେଟ୍ ଗେଜେଟିଅର ଭାବେ ଜଣେ ଅନୁଭୂତି-ସଂପନ୍ନ ଅବସର ପ୍ରାପ୍ତ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତ କରାଗଲା। ପ୍ରଥମେ ସ୍ୱର୍ଗତ ନୀଳମଣି ସେନାପତି, ଆଇ.ସି.ଏସ୍ (ଅବସରପ୍ରାପ୍ତ) ଓ ପରବର୍ତ୍ତୀ ସମୟରେ ସ୍ୱର୍ଗତ ନୃସିଂହ ଚରଣ ବେହୁରିଆ ଓ ହିମାଂଶୁ ଶେଖର ସରକାର (ଉଭୟ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନ ସେବା) ଷ୍ଟେଟ୍ ଗେଜେଟିଅର୍ ଦାୟିତ୍ୱ ତୁଲେଇଥିଲେ।

ସ୍ୱାଧୀନତା ପରେ ଜିଲ୍ଲା ଗେଜେଟିଅର ସଂକଳନ କାମ ନ୍ୟସ୍ତ ହୋଇଥିଲା ଅବସରପ୍ରାପ୍ତ ଆଇ.ସି.ଏସ୍‌ ଅଧିକାରୀ ସ୍ୱର୍ଗତ ନୀଳମଣି ସେନାପତି ଓ ପ୍ରଖ୍ୟାତ ଇତିହାସ ଅଧ୍ୟାପକ ଡକ୍ଟର ନବୀନ କୁମାର ସାହୁଙ୍କୁ। ଏହି ଦୁଇଜଣ ୧୯୬୬ ମସିହାରୁ ଆରମ୍ଭ କରି ୧୯୮୩ ମସିହା ଭିତରେ କ୍ରମାନ୍ୱୟରେ କୋରାପୁଟ (୧୯୬୬), ବଲାଙ୍ଗୀର (୧୯୬୮), ମୟୂରଭଞ୍ଜ (୧୯୬୯), ସମ୍ବଲପୁର (୧୯୭୧), ଢେଙ୍କାନାଳ (୧୯୭୨), ସୁନ୍ଦରଗଡ଼ (୧୯୭୫), ପୁରୀ (୧୯୭୭), କଳାହାଣ୍ଡି (୧୯୮୦), ବୌଦ୍ଧ-କନ୍ଧମାଳ (୧୯୮୩) ଜିଲ୍ଲାମାନଙ୍କର ଜିଲ୍ଲା ଗେଜେଟିଅର ସଂକଳନ କରିଥିଲେ, ଯାହା ଏବେ ବି ଉପଲବ୍‌ଧ ଅଛି। ସେତେବେଳେ ଓଡ଼ିଶାରେ ତେରଟି ଜିଲ୍ଲା ଥିଲା। ତେଣୁ ଜଣେ ପ୍ରବୀଣ ପ୍ରଶାସକ ଓ ଆଉ ଜଣେ ପ୍ରବୀଣ ଐତିହାସିକ ନଅଟି ଜିଲ୍ଲାର ଗେଜେଟିଅର ସଂକଳନ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱର୍ଗତ ନୃସିଂହ ଚରଣ ବେହୁରିଆ (ଅବସରପ୍ରାପ୍ତ ଭାରତୀୟ ପ୍ରଶାସନ ସେବା)ଙ୍କ ଦ୍ୱାରା ବାକି ଚାରିଟି ଜିଲ୍ଲା, ଯେମିତି କି କେନ୍ଦୁଝର (୧୯୮୬), ବାଲେଶ୍ୱର (୧୯୯୨), କଟକ (୧୯୯୨), ଓ ଗଞ୍ଜାମ (୧୯୯୫)ର ଗେଜେଟିଅର ସଙ୍କଳନ ହୋଇଥିଲା। ପୂର୍ବ ତେରଟି ଜିଲ୍ଲାର ଗେଜେଟିଅର ସଂକଳନ କାର୍ଯ୍ୟ ସରିବା ବେଳକୁ ଗତ ଶତାବ୍ଦୀର ଶେଷ ଦଶକର ପ୍ରାରମ୍ଭରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ି ବାକି ପୂର୍ବ ଦଶଟି ଜିଲ୍ଲାକୁ ୨୭ଟି ଜିଲ୍ଲାରେ ବିଭାଜନ କରାଗଲା। ନୂତନ ଜିଲ୍ଲାଗୁଡ଼ିକର ପୃଥକ୍ ଗେଜେଟିଅର ସଂକଳନ ପରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଅତିବାହିତ ହୋଇଥିବାରୁ ସେଇ ସମୟର ପ୍ରତ୍ୟେକ ଜିଲ୍ଲାର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଘଟଣା ପ୍ରବାହର ଜିଲ୍ଲା ଗେଜେଟିଅର୍‌ରେ ସ୍ଥାନ ପାଇବାର ଆବଶ୍ୟକତା ଅନୁଭୂତ ହେଲା। ନୂତନ ଗଠିତ ଜିଲ୍ଲାଗୁଡ଼ିକ ପୂର୍ବର ବୃହତ୍‌ ଜିଲ୍ଲାର ଅଂଶ ଥିବା ବେଳେ ସେଗୁଡ଼ିକର ପୂର୍ଣ୍ଣାଙ୍ଗ ବିବରଣୀ ବୃହତ୍ ଜିଲ୍ଲା ଗେଜେଟିଅର୍େ‌ର ବର୍ଣ୍ଣିତ ନ ହେବା ସ୍ୱାଭାବିକ।

ରାଜସ୍ୱ ବିଭାଗ ଅଧୀନରେ ଜିଲ୍ଲା ଗେଜେଟିଅର ସଂକଳନ ଓ ସଂଶୋଧନ ଦାୟିତ୍ୱ ଦୀର୍ଘ ପଚାଶ ବର୍ଷ କାଳ ରହିବା ପରେ ରାଜ୍ୟ ସରକାର ଏହି ଦାୟିତ୍ୱଟିକୁ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ଗୋପବନ୍ଧୁ ପ୍ରଶାସନିକ ଆକାଡେମୀଙ୍କୁ ୧୯୯୯ରେ ହସ୍ତାନ୍ତର କଲେ। ନୂତନ ଗଠିତ ତିରିଶ ଜିଲ୍ଲାର ପୃଥକ୍ ଜିଲ୍ଲା ଗେଜେଟିଅରର ନୂଆ ସଂକଳନର ଆବଶ୍ୟକତା ଉପଲବ୍‌ଧି କରି ଏହାର କାର୍ଯ୍ୟ ଆରମ୍ଭ ହେବା ବେଳକୁ ତାରାଦତ୍ତ (ବର୍ତ୍ତମାନ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନ ସେବା ଅଧିକାରୀ) ଗୋପବନ୍ଧୁ ପ୍ରଶାସନିକ ଆକାଡେମୀର ଅଧୀକ୍ଷକ ଥିଲେ। ୨୦୧୫ ମେ ମାସରେ (ଆଜିକୁ ଆଠ ବର୍ଷ ତଳେ) ସେ ଏହି କାର୍ଯ୍ୟର ଆରମ୍ଭ କଲେ ଓ ଜିଲ୍ଲା ଗେଜେଟିଅର ମୁଖ୍ୟ ସଂକଳକ ଭାବେ କାର୍ଯ୍ୟ ଆରମ୍ଭ କଲେ। ତାରାଦତ୍ତ ଜଣେ ପ୍ରବୀଣ ଓ ନିଷ୍ଠାପର ପ୍ରଶାସକ ଥିଲେ ଓ ଏହି ଦାୟିତ୍ୱକୁ ଆହ୍ୱାନ ଭାବେ ଗ୍ରହଣ କରି ବିଳମ୍ବ ନକରି ସଂକଳନ କାର୍ଯ୍ୟ ଶୀଘ୍ର ଆରମ୍ଭ କଲେ। ଏହି କାର୍ଯ୍ୟ ପାଇଁ ସେ ବିଧିବଦ୍ଧ ପ୍ରଣାଳୀର ସଂରଚନା କଲେ ଯେଉଁଥିରେ କି ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ସରକାରଙ୍କ ଜିଲ୍ଲାସ୍ତରୀୟ ପ୍ରତ୍ୟେକ ବିଭାଗର ମୁଖ୍ୟ ଯୋଡ଼ି ହେଲେ। ତାହା ଛଡ଼ା ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ବିଷୟରେ ଜ୍ଞାନ ରଖିଥିବା ବେସରକାରୀ ବ୍ୟକ୍ତିମାନଙ୍କୁ ବି ସଂଶ୍ଳିଷ୍ଟ କରାଗଲା। ଏକାଡେମୀର ବିଶେଷଜ୍ଞମାନଙ୍କୁ ନେଇ ଏକ ସାଧାରଣ ଷ୍ଟାଣ୍ଡାର୍ଡ ମାର୍ଗଦର୍ଶିକା ତିଆରି କରି ଜିଲ୍ଲାପାଳମାନଙ୍କୁ ପଠାଗଲା, ଯେଉଁ ଭିତରେ ଜିଲ୍ଲାସ୍ତରୀୟ ପ୍ରାଥମିକ ତଥ୍ୟ ସଂଗ୍ରହ ହୋଇ ଶୃଙ୍ଖଳିତ ଭାବେ ସଜଡ଼ା ହେବ। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟ ଓ ବେସରକାରୀ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠିତ ହୋଇ ଗେଜେଟିଅର ସମ୍ବନ୍ଧୀୟ ତଥ୍ୟ (ବର୍ତ୍ତମାନର ସମୟ ପର୍ଯ୍ୟନ୍ତ) ସଂଗ୍ରହ କରି ଆଲୋଚନା କରାଗଲା। ଏ ଦିଗରେ ପୂର୍ବ ସଂକଳିତ ଗେଜେଟିଅରକୁ ଅନୁସରଣ କରି ସେଥିରେ ଥିବା ସଂକଳିତ ତଥ୍ୟକୁ ବିସ୍ତାରିତ କରିବାକୁ ନିର୍ଦ୍ଦେଶ ଥିଲା।

ଏହି ପ୍ରାଥମିକ ସ୍ତରରେ ସଂକଳିତ ତଥ୍ୟଗୁଡ଼ିକୁ ଅନୁଧ୍ୟାନ, ପରିବର୍ଦ୍ଧନ ଓ ଅଧିକ ଆବଶ୍ୟକ ତଥ୍ୟ ଯୋଡ଼ିବାର ଦାୟିତ୍ୱ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦିଆଗଲା। ସେମାନେ ହେଲେ ଜିଲ୍ଲା ଗେଜେଟିଅର୍‌ର ପରାମର୍ଶଦାତା ସଂପାଦକ। ତିରିଶ ଜିଲ୍ଲା ପାଇଁ ଯେଉଁ ତିରିଶ ଜଣ ପରାମର୍ଶଦାତା ସଂପାଦନା ଦାୟିତ୍ୱ ନେଲେ ସେମାନଙ୍କ ଭିତରୁ ତିନି ଜଣ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ଓ ତିନି ଜଣ ମୁଖ୍ୟ ଶାସନ ସଚିବ ସ୍ତରୀୟ ଅବସରପ୍ରାପ୍ତ ଅଧିକାରୀ ଥିଲେ। ବାକି ଚବିଶ ଜିଲ୍ଲାରୁ ତେଇଶ ଜିଲ୍ଲାରେ ଅବସରପ୍ରାପ୍ତ ପ୍ରବୀଣ ଅଧ୍ୟାପକ ଏହି ଦାୟିତ୍ୱ ନେଲେ। କେବଳ ଦେବଗଡ଼ ଜିଲ୍ଲା ପାଇଁ ଦାୟିତ୍ୱ ନେଇଥିବା ବ୍ୟକ୍ତି ଜଣକ ଥିଲେ ଆକାଶବାଣୀର ଅବସରପ୍ରାପ୍ତ ନିର୍ଦ୍ଦେଶକ। ଏହି ଆଠ ବର୍ଷ ଭିତରେ ମୁଁ ଜାଣିବାରେ ଦୁଇ ଜଣଙ୍କର ଦେହାନ୍ତ ହୋଇଗଲାଣି। ଏହି ପରାମର୍ଶଦାତା ସଂପାଦକମାନେ ଅନେକ ଥର ସଂପୃକ୍ତ ଜିଲ୍ଲାକୁ ଯାଇ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି ଓ ପରାମର୍ଶ ବି ଦେଉଛନ୍ତି। ସଂକଳନ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଥିଲା ଓ ପ୍ରତ୍ୟେକ ଜିଲ୍ଲାର ଗେଜେଟିଅର ସଂକଳିତ ହୋଇଥିଲା। ଏହି ନିବନ୍ଧର ଲେଖକକୁ କୋରାପୁଟ ଜିଲ୍ଲାର ଗେଜେଟିଅରର ପରାମର୍ଶଦାତା ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଥିଲା। ସେ ସଂକ୍ରାନ୍ତରେ ମୁଁ ତିନି ଥର କୋରାପୁଟ ଗସ୍ତ କରିଥିଲି ଓ ଜିଲ୍ଲାପାଳ ତଥା ଅନ୍ୟମାନଙ୍କ ସହ ବିଶେଷ ଆଲୋଚନା କରି ମାର୍ଗଦର୍ଶନ ଦେବାର ପ୍ରୟାସ କରିଥିଲି।

ରାଜ୍ୟ ସ୍ତରରେ ସବୁ ଜିଲ୍ଲାର ଗେଜେଟିଅର ସଂକଳନର ସମୀକ୍ଷା ଓ ଅନୁଧ୍ୟାନ ପାଇଁ ପରାମର୍ଶଦାତା କମିଟିର ପୁନଃଗଠନ କରାଗଲା, ଯାହାର ଅଧ୍ୟକ୍ଷତା କଲେ ମୁଖ୍ୟ ଶାସନ ସଚିବ। ଏହି ପରାମର୍ଶଦାତା କମିଟିର ଚାରି ଜଣ ଜିଲ୍ଲା ପରାମର୍ଶଦାତା ସଂପାଦକମାନଙ୍କୁ ମନୋନୀତ କରାଯାଇଥିଲା। କୌଣସି କାରଣରୁ ମୁଖ୍ୟ ଶାସନ ସଚିବ ନିଜେ ଏହାର ଅଧ୍ୟକ୍ଷତା ନକରି ଉନ୍ନୟନ କମିଶନରଙ୍କୁ ଏହି ଦାୟିତ୍ୱ ଦେଲେ। ଏହି କମିଟି ମାତ୍ର ତିନି ଥର ବସିଥିଲା ଓ ବିଭିନ୍ନ ପ୍ରସଙ୍ଗ ଆଲୋଚିତ ହୋଇଥିଲା। ଏ ଦିଗରେ ଏକ କାର୍ଯ୍ୟକାରୀ କମିଟି ସଂକଳିତ ହୋଇଥିବା ଚିଠା ଗେଜେଟିଅରଗୁଡ଼ିକୁ ଅନୁଧ୍ୟାନ କରି ସେଗୁଡ଼ିକରେ କିଛି ସଂଶୋଧନ କରିଥିଲେ। ଇତି ମଧ୍ୟରେ ତାରାଦତ୍ତ ଅବସର ନେଲେ। ତାହା ପରେ ଗୋପବନ୍ଧୁ ଆକାଡେମୀର ପୂର୍ଣ୍ଣକାଳୀନ ଅଧୀକ୍ଷକ ଦୀର୍ଘ ସମୟ ରହିଲେ ନାହିଁ। ଅନେକ ସମୟରେ କୌଣସି ଶାସନ ସଚିବଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଗଲା। ଏକ ସମୟରେ ସଂଶୋଧିତ ଚିଠା ଜିଲ୍ଲା ଗେଜେଟିଅରଗୁଡ଼ିକୁ ସାଧାରଣ ପ୍ରଶାସନ ବିଭାଗର ‘ୱେବ୍‌ସାଇଟ୍‌’ରେ ଛଡ଼ାଗଲା ରାଜ୍ୟର ଜନସାଧାରଣଙ୍କ ପାଇଁ। ସେଇ ଚିଠାରେ କିଛି ଅଧିକ ତଥ୍ୟ ସଂଯୋଜନ ଅଥବା ତ୍ରୁଟି ଥିଲେ ମତାମତ ଦେବାପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରାଗଲା। ଏହା ପର ଠାରୁ ମୁଖ୍ୟ ଶାସନ ସଚିବ ଅଥବା ଉନ୍ନୟନ କମିସନର ବା ରାଜ୍ୟ ସରକାର କେହି ଜିଲ୍ଲା ଗେଜେଟିଅର ପ୍ରକାଶନ ଦିଗରେ ଆଦୌ ଆଗ୍ରହ ନେଲେ ନାହିଁ। ଏହି ଲେଖକ କେତେ ଥର ଏକାଧିକ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା (ଯେ ଏକଦା ଉନ୍ନୟନ କମିଶନର ଥିଲେ ଓ ରାଜ୍ୟ ପରାମର୍ଶଦାତା କମିଟିର ଦୁଇଟି ବୈଠକରେ ଅଧ୍ୟକ୍ଷତା କରିଥିଲେ)ଙ୍କୁ ଅନୁରୋଧ କରିଛି ଯେ ଶୀଘ୍ର ଜିଲ୍ଲା ଗେଜେଟିଅରର ମୁଦ୍ରଣ ଓ ପ୍ରକାଶନ ଦିଗରେ ତତ୍ପରତା ପ୍ରକାଶ କରାଯାଉ। ସମସ୍ତେ ସକାରାତ୍ମକ ପ୍ରତିକ୍ରିୟା ରଖିଥିଲେ ବି ଉଦାସୀନ ରହିଛନ୍ତି।

ରାଜ୍ୟ ସରକାରଙ୍କର କାର୍ଯ୍ୟକ୍ରମର ଅଗ୍ରାଧିକାର ତାଲିକାରେ ଜିଲ୍ଲା ଗେଜେଟିଅର ସଂକଳନ ବହୁ ନିମ୍ନରେ ଥିବ ନିଶ୍ଚୟ। କିନ୍ତୁ ଏତେ ପରିଶ୍ରମ ପରେ ଗେଜେଟିଅର ଗୁଡ଼ିକ ଚିଠା ସ୍ତରରୁ ଉନ୍ନୀତ ହୋଇ ମୁଦ୍ରିତ ଓ ପ୍ରକାଶିତ ନ ହେବା ବିଡ଼ମ୍ବନାର କଥା। ଗେଜେଟିଅର ଗୋଟିଏ ଜିଲ୍ଲାର ମୁଖ ଦର୍ପଣ। ସାଧାରଣ ପାଠକମାନଙ୍କ ବ୍ୟତୀତ ଗବେଷକ, ବିଦେଶୀ ପରିବ୍ରାଜକ ଓ ପ୍ରଶାସକମାନଙ୍କ ପାଇଁ ଏହା ମାର୍ଗ-ଦର୍ଶିକା ହୋଇଥାଏ। ଯେଉଁମାନେ ଜିଲ୍ଲା ଗେଜେଟିଅର ଗୁଡ଼ିକର ମୁଖ୍ୟ ପରାମର୍ଶଦାତା ସଂପାଦକ ଦାୟିତ୍ୱ ନେଇଥିଲେ, ସମସ୍ତଙ୍କ ବୟସ ଥିଲା ସତୁରି ବର୍ଷ ଉପରେ, କେତେ ଜଣଙ୍କ ଥିଲା ଅଶୀରୁ ଅଧିକ। ରାଜନୈତିକ ଓ ଅମଲାତାନ୍ତ୍ରିକ ଚରମ ଉଦାସୀନତା ଏହି ବୟସ୍କ ସଂକଳକମାନଙ୍କୁ ଜୀବନର ସାୟାହ୍ନରେ ଦାରୁଣ ବେଦନା ଦେଉଛି। ଥରେ ରାଜ୍ୟ ପ୍ରଶାସନର ଶୀର୍ଷ ସ୍ଥାନୀୟ ଅଧିକାରୀଙ୍କୁ ଏ ଦିଗରେ ତତ୍ପରତା ପାଇଁ ଅନୁରୋଧ କରନ୍ତେ, ସେ ଏ ବିଷୟରେ କିଛି ଜାଣି ନ ଥିବା କହିଲେ। ତେଣୁ ନିରବରେ ମହାକବି କାଳିଦାସଙ୍କର ବାକ୍ୟ ସ୍ମରଣ କଲି- ସ୍କନ୍ଧ ନ ବାଧତେ ରାଜନ୍‌, ତବ ‘ବାଧତି’ ବାଧତେ।

ମୋ: ୯୯୩୭୦୧୧୨୨୫

ସମ୍ବନ୍ଧିତ ଖବର