କସ୍ତୁରୀ ମୃଗ ସମ

ବହୁବଚନ - ବିଜୟ ନାୟକ

ଅଜ୍ଞତା କାରଣରୁ ହେଉ ବା ହେଉ ଆତ୍ମ-ପ୍ରତ୍ୟୟ ଅଭାବରୁ, ଓଡ଼ିଶାର ଗରିମାମୟ ନୌବାଣିଜ୍ୟ ଇତିହାସକୁ ଅନେକେ କିଂବଦନ୍ତି ବୋଲି ଭାବନ୍ତି। ‘ବାଲିଯାତ୍ରା’କୁ ପର୍ବପର୍ବାଣି ଓ ପରମ୍ପରା ଭାବରେ ଗ୍ରହଣ କରନ୍ତି। ସିଂହଳାଦି ଦ୍ୱୀପସମୂହରେ ଓଡ଼ିଆ ରାଜାମାନଙ୍କର ଉପନିବେଶ ସ୍ଥାପନକୁ ଅବିଶ୍ୱାସଭରା ଦୃଷ୍ଟିରେ ଦେଖନ୍ତି। ଓଡ଼ିଆ ଜାତି ଏଯାବତ୍ ନିଜ ଚେରକୁ ଚିହ୍ନିଲା ନାହିଁ ଯାହା!

ବିଲାତିମାନେ ବେପାର କରିବାକୁ ଭାରତ ଆସିଥିଲେ। ସୁବର୍ଣ୍ଣ ଉପଦ୍ୱୀପରୁ ପ୍ରଚୁର ସୁବର୍ଣ୍ଣ ପ୍ରାପ୍ତିର ଆଶା ଥିଲା ସେମାନଙ୍କର। ବେପାର କରୁ କରୁ କଂପାନି ଭାରତର ଶାସକ ହେଲା, ପରେପରେ ବ୍ରିଟେନ୍‌ର ମହାରାଣୀ। ସେହିପରି ଭାବରେ ଓଡ଼ିଆ ସାଧବମାନେ ଅତୀତରେ ବେପାର କରୁକରୁ ଅନେକ ଦ୍ୱୀପ ଉପଦ୍ୱୀପରେ ଉପନିବେଶ ପ୍ରତିଷ୍ଠା କରିଥିଲେ। ଶ୍ରୀବିଜୟ ସାମ୍ରାଜ୍ୟର ଶୈଳେନ୍ଦ୍ର ରାଜନ୍ୟବର୍ଗ ଯେଉଁମାନଙ୍କୁ ଓଡ଼ିଆ ବଂଶୋଦ୍ଭବ ବୋଲି କୁହାଯାଏ, ଦକ୍ଷିଣ-ପୂର୍ବ ଏସିଆରେ ବିଶାଳ ଉପନିବେଶର ପ୍ରତିଷ୍ଠାତା ଏବଂ ସାଗରାଧିପତି ଭାବରେ ଥିଲେ ସୁବିଖ୍ୟାତ। ଶୈଳେନ୍ଦ୍ର ରାଜାମାନଙ୍କୁ ଇତିହାସକାରମାନେ ଦିଗ୍‌ବିଜୟୀ ବୋଲି ଅଭିହିତ କରିଛନ୍ତି। ସେମାନେ ଇଣ୍ଡୋନେସିଆ ଓ ତତ୍ ନିକଟବର୍ତ୍ତୀ ଦ୍ୱୀପଗୁଡ଼ିକରେ ସାମ୍ରାଜ୍ୟ ପ୍ରତିଷ୍ଠା କରି ଶତାବ୍ଦୀ ଶତାବ୍ଦୀ ଧରି ରାଜୁତି କରିଥିଲେ। ପଣ୍ଡିତ ଜବାହରଲାଲ ନେହରୁ ‘ଡିସ୍କଭରି ଅଫ୍ ଇଣ୍ଡିଆ’ ପୁସ୍ତକରେ ଲେଖିଛନ୍ତି, “ଦ ଆର୍ଲି କଲୋନିଷ୍ଟସ୍ ଆର୍ ସପୋଜଡ୍ ଟୁ ହାଭ୍ ଗନ୍ ଫ୍ରମ୍‌ କଳିଙ୍ଗ ଅନ୍ ଦ ଇଷ୍ଟ କୋଷ୍ଟ (ଓଡ଼ିଶା)।” ବାଲିଯାତ୍ରା ତେଣୁ କେବଳ ନୌବାଣିଜ୍ୟ ନୁହେଁ, ଓଡ଼ିଶୀ ସାମ୍ରାଜ୍ୟର ପ୍ରତୀକ ବୋଲି କହିଲେ ଭୁଲ୍ ହେବ ନାହିଁ। ଖୁବ୍ ସମ୍ଭବତଃ ଓଡ଼ିଆମାନେ ପୃଥିବୀର ସର୍ବପ୍ରଥମ ଉପନିବେଶବାଦୀ ଜାତି। ଇତିହାସକୁ କିଂବଦନ୍ତିର ରୂପ ଦେବା ମାରାତ୍ମକ।

ବ୍ରିଟିସ ବିରୋଧୀ ଆନ୍ଦୋଳନର ଆଦ୍ୟ ଝଙ୍କାର ଶୁଭିଥିଲା ଓଡ଼ିଶାର ବୀର ମାଟିରେ। ୧୮୧୭ ମସିହାରେ ବକ୍‌ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଘଟିତ ପାଇକ ବିଦ୍ରୋହ ଭାରତର ପ୍ରଥମ ସୁସଂଗଠିତ ଜନ ସଂଗ୍ରାମ। ସହିଦ ଜୟୀ ରାଜଗୁରୁଙ୍କ ଇଂରେଜ ବିରୋଧୀ ରଣ ଦୁନ୍ଦୁଭିର ଏହା ଥିଲା ଶୀର୍ଷ ସଙ୍ଗୀତ। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ଥିଲେ ବି ପାଇକଙ୍କ ଠାରୁ ପୂଜକ, ଜନଜାତିଙ୍କ ଠାରୁ ଜନସାଧାରଣ- ସମସ୍ତଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ ସଂପୃକ୍ତି ଥିଲା ଏହି ଐତିହାସିକ ସଂଗ୍ରାମରେ। ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଏପରି (ଅନେକ) ବିଦ୍ରୋହ ମଧ୍ୟ ମୁଣ୍ଡ ଟେକିଥିଲା। ଏସବୁ କିନ୍ତୁ ଘଟିଥିଲା ୧୮୧୭ ମସିହା ପରବର୍ତ୍ତୀ ସମୟରେ। କୋହ୍ଲ, ସାନ୍ତାଳ, ମୁଣ୍ଡା ବିଦ୍ରୋହ, ବଙ୍ଗର ନୀଳଚାଷୀ ଆନ୍ଦୋଳନ, ଚମ୍ପାରଣ ବିଦ୍ରୋହ, ଏବଂ କେରଳର ମାଲାବାରର ମାପିଲା ବିଦ୍ରୋହ ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ। ଏହିସବୁ ସଂଘର୍ଷର ପଥ ପ୍ରଦର୍ଶକ ଥିଲା ପାଇକ ବିଦ୍ରୋହ।

ପତ୍ରପତ୍ରିକା ପ୍ରଶ୍ନ ଉଠିଲେ, ତତ୍‌କ୍ଷଣାତ୍ ‘ବେଙ୍ଗଲ୍ ଗେଜେଟ୍’ କଥା ମନେପଡ଼ିଯାଏ। ଜନୈକ ଅସନ୍ତୁଷ୍ଟ ବ୍ରିଟିସ୍‌ କର୍ମଚାରୀ ଜେମ୍‌ସ ଅଗଷ୍ଟସ୍ ହିକି ୧୭୮୦ ମସିହାରେ ଇଂରେଜୀ ଭାଷାରେ ଏକ ସାପ୍ତାହିକ ପତ୍ରିକା ପ୍ରଥମେ ପ୍ରକାଶ କରିଥିଲେ। ଏହା ଦୁଇ ବର୍ଷ ଧରି ପ୍ରକାଶ ପାଇଥିଲା। ତେଣୁ ତାକୁ ଭାରତର ପ୍ରଥମ ପତ୍ରିକା ବୋଲି ବିବେଚନା କରାଯାଏ, ଯଦିଓ ସେଥିରେ କୌଣସି ଭାରତୀୟଙ୍କର ଅବଦାନ ନଥିଲା। କିନ୍ତୁ ଏ କଥା ଅନେକଙ୍କୁ ଅଜଣା ଯେ ଚୌଦ୍ୱାର ନିକଟବର୍ତ୍ତୀ କୁଜିବର ମଠର ମହନ୍ତ ସାଧୁ ସୁନ୍ଦର ଦାସ ୧୭୬୯ ମସିହାରୁ ‘କୁଜିବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା କିଛି ଦିନ ଧରି ନିୟମିତ ଭାବରେ ପ୍ରକାଶ କରିଥିଲେ। ସେଥିରେ ଥିଲା ଶାସନ ପ୍ରତି କଟୁ କଟାକ୍ଷ, ଯେଉଁଥି ପାଇଁ ସେ ବ୍ରିଟିସ ସରକାରଙ୍କ କ୍ରୋଧର ଶିକାର ହୋଇଥିଲେ। ନବ ପତ୍ରର ଜନନୀ ଯେ ଏ ପୁଣ୍ୟ ଉତ୍କଳ, ଏଥିରେ ଦ୍ୱିରୁକ୍ତି ନାହିଁ।

‘ସ୍ୱଦେଶୀ’ର ପ୍ରାରମ୍ଭିକ ସ୍ୱର ପୁଣି ଶୁଭିଥିଲା ଏହି ମହତୀ ମାଟିରୁ। ବଙ୍ଗଭଙ୍ଗ ବିରୋଧରେ ବଙ୍ଗପ୍ରଦେଶରେ ସ୍ୱଦେଶୀ ଆନ୍ଦୋଳନ ଅନୁଷ୍ଠିତ ହେବା ପୂର୍ବରୁ ସ୍ୱଦେଶୀର ମହତ୍ତ୍ୱ ବିଷୟରେ ଦେଶକୁ ପ୍ରଥମ ସନ୍ଦେଶ ଦେଇଥିଲେ ଜାତିପ୍ରାଣ ମଧୁସୂଦନ ପୁରୀ ଜଗନ୍ନାଥ ବଲ୍ଲଭ ଠାରେ, ଯାହାର ପ୍ରତ୍ୟକ୍ଷଦର୍ଶୀ ଟିପ୍ପଣୀ ବାଢ଼ିଛନ୍ତି ପଣ୍ଡିତ ନୀଳକଂଠ ଦାସ। କେବଳ ଚେତନା ସ୍ତରରେ ନୁହେଁ, କାର୍ଯ୍ୟକ୍ଷେତ୍ରରେ ମଧ୍ୟ ମଧୁବାବୁ ସ୍ୱଦେଶୀର ଅଗ୍ରଣୀ କର୍ଣ୍ଣଧାର। ଉତ୍କଳ ଟ୍ୟାନେରି ବୋଧହୁଏ ଭାରତର ପ୍ରଥମ ସ୍ୱଦେଶୀ ଶିଳ୍ପ। ଉତ୍କଳ ଟ୍ୟାନେରି ପରି ସ୍ୱଦେଶୀ ଶିଳ୍ପ କେବଳ ନୁହେଁ, ୧୯୦୩ ମସିହାରେ ମଧୁବାବୁ ‘ଉତ୍କଳ ସମ୍ମିଳନୀ’ ଗଠନ କରିଥିଲେ। ବ୍ରିଟିସ ସରକାରର ଅଜ୍ଞତା ଓ ଐତିହାସିକ ଭୁଲ୍‌ ପାଇଁ ବିଭିନ୍ନ ମହାପ୍ରଦେଶର ଉପାଙ୍ଗ ହୋଇ ରହିଥିବା ଓଡ଼ିଶାକୁ ସେ ହିଁ ନୂଆ ରୂପ ଦେଇଥିଲେ। ଅନ୍ୟ ସତୀର୍ଥମାନଙ୍କ ସହଯୋଗରେ ଅବଶ୍ୟ। ନୂଆ ଓଡ଼ିଶା ଦେଖିବା ପାଇଁ ସେ ସ୍ୱଶରୀରେ ନ ଥିଲେ ବି ତାଙ୍କ ମୌଳିକ ଚିନ୍ତା ଦ୍ୱାରା ସାରା ଭାରତ ଅନୁପ୍ରେରିତ ହୋଇଥିଲା। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଏବଂ ରାଜ୍ୟ ପୁନର୍ଗଠନର ଦିଶା-ନିର୍ଦ୍ଦେଶକ ଯେ ଓଡ଼ିଶା, ଏହାର ଉଲ୍ଲେଖ ବାହୁଲ୍ୟ ମାତ୍ର।

ଦେଶୀୟ ରାଜ୍ୟ ବା ଗଡ଼ଜାତ ମିଶ୍ରଣ କ୍ଷେତ୍ରରେ ଓଡ଼ିଶା ବି ଭାରତରେ ନମ୍ବର ୱାନ୍। ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ମାଧ୍ୟମରେ ଗଡ଼ଜାତ ଅଞ୍ଚଳରେ କେବଳ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା ତା’ ନୁହେଁ, ତାଙ୍କ ଉଦ୍ୟମରେ ନୀଳଗିରି ରାଜ୍ୟ (ଅଧୁନା ବାଲେଶ୍ୱର ଜିଲ୍ଲାର ଏକ ଉପଖଣ୍ଡ) ପ୍ରଥମେ ଓଡ଼ିଶାରେ ପ୍ରକାରାନ୍ତରେ ଭାରତରେ ବିଲୀନ ହୋଇଥିଲା। ଦେଶୀୟ ରାଜ୍ୟ ମିଶ୍ରଣ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କର ଘନିଷ୍ଠ ସହଯୋଗୀ ଥିଲେ ଡକ୍ଟର ମହତାବ।

‘ମୁକ୍ତାକାଶ ବିଦ୍ୟାଳୟ’ର ଅବଧାରଣା ଓ ସର୍ଜନା ଓଡ଼ିଶାର ଅତ୍ୟନ୍ତ ନିଜସ୍ୱ। ଉତ୍କଳମଣି ଗୋପବନ୍ଧୁଙ୍କ ଜାତୀୟତାବାଦୀ ଚେତନାର ଏହା ନିତ୍ୟ ଉଦ୍‌ଭାସ। ତାଙ୍କ ପ୍ରତିଷ୍ଠିତ (୧୯୦୯ ମସିହା) ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତାକାଶ ବିଦ୍ୟାଳୟ। ଆମ୍ବ, ବକୁଳ ଓ ଛୁରିଅନା ବିତାନରେ ଅଧ୍ୟୟନ ଓ ଅଧ୍ୟାପନାର ପରିକଳ୍ପନା ଭାରତରେ ଅବିକଳ୍ପ। ଜାତୀୟ ମମତା, ବିଶ୍ୱ-ଜନ ପ୍ରୀତି ପ୍ରଚାର ନିମନ୍ତେ ଜୀବନ୍ୟାସ ପାଇଥିଲା ଅଭୂତପୂର୍ବ ସେହି ଶିକ୍ଷାୟତନ, ଯାହା ତତ୍କାଳୀନ ଭାରତର କୋବିଦ ଓ କର୍ଣ୍ଣଧାରଙ୍କ ସ୍ୱତଃ ଦୃଷ୍ଟି ଆକର୍ଷଣ କରିଥିଲା। ଆଶୁତୋଷ ମୁଖାର୍ଜି, ଗୁରୁଦେବ ରବୀନ୍ଦ୍ରନାଥଙ୍କ ଠାରୁ ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ଅନେକ ମନୀଷୀଙ୍କ ପାଦ ପଡ଼ିଥିଲା ସେହି ତପୋଭୂମିରେ।

ହିମାଚଳ ତଳେ ଆମ୍ଭ ପ୍ରିୟ ଉତ୍କଳ ଅନନ୍ୟ, ବହୁ କ୍ଷେତ୍ରରେ ଅଗ୍ରଗଣ୍ୟ। କିନ୍ତୁ ଆମ୍ଭମାନଙ୍କୁ କି ଏସବୁ ଜଣା? ନିଜ ନାଭିରେ ଥିବା କସ୍ତୁରୀର କେବେ ସନ୍ଧାନ ପାଇବ ଏ ଜାତି?

ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର