ବାହାନଗାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିବାର ଏ ଭିତରେ ଦଶ ଦିନ ବିତିଗଲାଣି। ଯାଜପୁର ରୋଡ୍‌ଠାରେ ପୁଣି ଏକ ଟ୍ରେନ୍‌ ଚକା ତଳେ କଟି ଛ’ ଜଣଙ୍କର ଜୀବନଦୀପ ଲିଭିସାରିଲାଣି। କିନ୍ତୁ ବିଗତ ତିନି ଦଶକର ସବୁଠୁ ଭୟାବହ ବାହାନଗା ରେଳ ଦୁର୍ଘଟଣା ସମ୍ବନ୍ଧୀୟ କେତୋଟି ବିଷୟ ଏବେଯାଏଁ ମନକୁ ଉଦ୍‌ବେଳିତ କରି ଚାଲିଛି। ଯେମିତି ଭାବରେ ମିଥ୍ୟା ଓ କପୋଳକଳ୍ପିତ କାହାଣୀକୁ ନେଇ ଘଟଣାଟିକୁ ଏକ ସାମ୍ପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରାଗଲା ତାହା ଆମ ସମାଜରେ କ୍ରମବର୍ଦ୍ଧିଷ୍ଣୁ ଅସହିଷ୍ଣୁତାର ପରିଚାୟକ ଥିଲା। ଏହି ଗୁଜବ ପ୍ରଚାରରେ ହାତଗଣତି ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥାଇ ପାରନ୍ତି, କିନ୍ତୁ ସାମାଜିକ ଗଣମାଧ୍ୟମ ଭଳି ଏକ ଅନିୟନ୍ତ୍ରିତ ମଞ୍ଚର ବିଦ୍ବେଷପୂର୍ଣ୍ଣ ଅପବ୍ୟବହାରର ପରିଣତି ଦିନେ ଟ୍ରେନ୍‌ ଦୁର୍ଘଟଣାର ଭୟାବହତାକୁ ଟପି ଯାଇପାରେ। ପ୍ରସଙ୍ଗଟି ପ୍ରଚ୍ଛନ୍ନ ହୋଇଥିବାରୁ ଏହାର ମାରତ୍ମକତା ଭୀଷଣ।

Advertisment

ପୁଣି ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତିନିଦିନ କାଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ଯୋଗୁଁ ଜନସାଧାରଣ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ବୈଷ୍ଣବଙ୍କ ଦୁର୍ଦ୍ଦଶାଗ୍ରସ୍ତ ମଣିଷଙ୍କ ପ୍ରତି ସମବେଦନା ପ୍ରଶଂସାଯୋଗ୍ୟ, ହେଲେ ପ୍ରଶ୍ନ ଉଠେ, ରେଳମନ୍ତ୍ରୀ ଖୋଦ ଘଟଣାସ୍ଥଳରେ ଏତେ ସମୟ ରହି ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବାର କ’ଣ କିଛି ବିକଳ୍ପ ନ ଥିଲା? ଆମେ ଜାଣୁ ସେ ରେଳ ବିଭାଗ ବ୍ୟତୀତ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମଧ୍ୟ ସର୍ବେସର୍ବା। ଉଦ୍ଧାର କାର୍ଯ୍ୟରେ ବନ୍ଧା ପଡ଼ି ସେ କ’ଣ ସେହି ଦୁଇ ବିଭାଗର ଜରୁରୀ କାର୍ଯ୍ୟରେ ଅବା ରେଳ ବିଭାଗର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମରେ ଧ୍ୟାନ ଦେଇପାରିଥିବେ? ଯଦି ସବୁ କାର୍ଯ୍ୟ ସେ ନିଜେ କରିବେ ତେବେ ରେଳ ବିଭାଗରେ ବହୁ ଉଚ୍ଚ ପଦଧାରୀ ଅଧିକାରୀମାନେ ଅଛନ୍ତି କାହିଁକି, ଉଦ୍ଧାର କାର୍ଯ୍ୟ ଯେଉଁମାନଙ୍କର ଦାୟିତ୍ୱ ପରିସରଭୁକ୍ତ? ହୁଏତ ମନ୍ତ୍ରୀଙ୍କର ନିଜ ଅଧୀନସ୍ଥ ଅଧିକାରୀମାନଙ୍କ ଉପରେ ଆସ୍ଥା ନାହିଁ ବା ସେମାନଙ୍କୁ ଦାୟିତ୍ୱ ଅର୍ପଣ କରି ଅଧିନାୟକତ୍ୱ ପାଳନ କରିବାର ବ୍ୟବସ୍ଥା କରାଯାଇ ନାହିଁ। ମନ୍ତ୍ରୀଙ୍କର ଏହି ଚିନ୍ତାଧାରା ଅଧସ୍ତନଙ୍କର ନିଷ୍ପତ୍ତି ନେବାର କ୍ଷମତା ଓ କାର୍ଯ୍ୟ ଦକ୍ଷତାକୁ ପ୍ରତିହତ କରିପାରେ।

ଉପରୋକ୍ତ ଦୁଇଟି ପ୍ରସଙ୍ଗ ଛଡ଼ା ସାମୂହିକ ବିବେକକୁ ଉଦ୍‌ବିଗ୍ନ କରୁଥିବା ସମ୍ବେଦନଶୀଳ ବିଷୟଟି ଏୟା ଯେ ଅଘଟଣର ସପ୍ତାହେ ପରେ ମଧ୍ୟ ମୃତକଙ୍କ ଶବକୁ ନେଇ ଗଣିତ ଅଛିଣ୍ଡା ଅବସ୍ଥାରେ ଥିଲା। ଏତେ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ୮୨ ଜଣଙ୍କର ମୃତ ଶରୀରକୁ କେହି ଆତ୍ମୀୟସ୍ୱଜନ ଦାବି କରିବାକୁ ଆଗେଇ ଆସିନଥିଲେ। ଏହାର ଅର୍ଥ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣଙ୍କ ଭିତରୁ ପ୍ରତ୍ୟେକ ଚାରି ଜଣରେ ଜଣଙ୍କଠୁଁ ଅଧିକଙ୍କ ଶବ ଦାବିହୀନ ହୋଇ ପଡ଼ିରହିଛି। ଏହି ଚିତ୍ର ଆମ ସମାଜରେ ମୃତ ଶରୀର ପ୍ରତି ଆତ୍ମୀୟସ୍ୱଜନ ଓ ବନ୍ଧୁବର୍ଗ ଦେଖାଉଥିବା ସମ୍ମାନ ଓ ଲୌକିକତାଠୁ ସଂପୂର୍ଣ୍ଣ ବିପରୀତ, ତେଣୁ ଅବିଶ୍ୱାସନୀୟ ମନେ ହେଉଛି।

ମୃତ ଶରୀର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଏହା ପାଇଁ ସ୍ମାରକୀ ସୃଷ୍ଟି କରିବା ମାନବ ଜାତିର ଏକ ପୁରାତନ ପ୍ରଥା। ନିକଟରେ ନୃତତ୍ତ୍ୱବିତ୍‌ମାନେ ଏକ ନିର୍ଯାସରେ ପହଞ୍ଚିଛନ୍ତି ଯେ ଏକ ଲକ୍ଷ ବର୍ଷ ଆଗରୁ ମଣିଷର ଏକ ସମ୍ପର୍କୀୟ ଜାତି ‘ହୋମୋ ନାଲେଡି’ର ସଦସ୍ୟମାନେ ମଧ୍ୟ ତାଙ୍କ ମୃତ ପରିଜନମାନଙ୍କୁ କବର ଦେଉଥିଲେ। ମୃତ ସମ୍ପର୍କୀୟର ପାର୍ଥିବ ଶରୀରକୁ ସମ୍ମାନ ଦେବା ପଶୁଜଗତରେ ମଧ୍ୟ ବେଳେ ବେଳେ ଦେଖାଯାଇଥାଏ। କୌଣସି ସଦସ୍ୟର ମୃତ୍ୟୁ ପରେ ହାତୀ ଦଳ ମୃତ ପରିଜନର ଅସ୍ଥି ପଡ଼ିଥିବା ସ୍ଥାନକୁ ସମୟ ସମୟରେ ଫେରି ସେଠାରେ ସ୍ମୃତି ଚାରଣ କରିବାର ବିଶାରଦମାନେ ପ୍ରମାଣ ପାଇଛନ୍ତି।
ମାନବ ସମାଜରେ ଧର୍ମ ଅନୁସାରେ ମୃତ ଶରୀର ସହ ଜଡ଼ିତ ରୀତିନୀତି ଭିନ୍ନ ହୋଇପାରେ କିନ୍ତୁ ଦିବଂଗତର ନିଷ୍ପ୍ରାଣ ଶରୀରଟିକୁ ଖୋଜି, ଲୋଡ଼ି ନିଷ୍ଠାର ସହ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କରିବା ଧର୍ମ ନିର୍ବିଶେଷରେ ସାର୍ବଜନୀନ। ଅନ୍ତ୍ୟେଷ୍ଟି କ୍ରିୟା ମାଧ୍ୟମରେ ମୃତକ ତା’ର ମୃତ୍ୟୁ ପରର ଅବସ୍ଥିତିରେ ଶାନ୍ତି ଓ ମୋକ୍ଷ ଲାଭ କରୁ ଏହା ପ୍ରାର୍ଥନା କରିଥାନ୍ତି ଶୋକାହତମାନେ। ଯୁଦ୍ଧକ୍ଷେତ୍ରରେ ନିହତ ଅଜ୍ଞାତ ସୈନିକର ସ୍ମୃତିରେ ଅଧିକାଂଶ ଦେଶରେ ‘ଅମର ଯବାନ ଜ୍ୟୋତି’ ଭଳି ସ୍ମାରକୀ ନିର୍ମିତ ହୋଇଥାଏ।

ଏକ ପ୍ରାଣହୀନ ଶରୀରର ଦୃଶ୍ୟ ଜୀବିତ ମଣିଷ ମନକୁ ତୀବ୍ର ଭାବରେ ଆନ୍ଦୋଳିତ ଓ ପ୍ରଭାବିତ କରିଥାଏ। ନିଜର ପ୍ରିୟ ପିତାକୁ ମୁଖାଗ୍ନି ଦେବାବେଳେ ନିରୀହ ପୁତ୍ରଟି ଜୀବନ-ମୃତ୍ୟର ଅନେକ ସୂକ୍ଷ୍ମ ଦିଗଗୁଡ଼ିକ ପ୍ରତି ସଚେତନ ହେବା ସହ ସେ ପିଲାଟିଏରୁ ଦାୟିତ୍ୱବାନ ବଯସ୍କଟିଏରେ ପରିଣତ ହୋଇଯାଏ ଆପଣାଛାଏଁ। କିଂବଦନ୍ତି କୁହେ ଯେ ଚଣ୍ଡାଶୋକର ନିଷ୍ଠୁର ମନକୁ ବିଗଳିତ କରିଥିଲା ଯୁଦ୍ଧ ଭୂଇଁରେ ପଡ଼ିଥିବା ବିପୁଳ ମୃତାହତଙ୍କ ଦୃଶ୍ୟ। ବୁଦ୍ଧଙ୍କୁ ଦୁଃଖମୟ ଜୀବନର ସତ୍ୟ ଉପଲବ୍ଧି କରାଇଥିବା ଦୃଶ୍ୟଗୁଡ଼ିକର ତୃତୀୟ ଦୃଶ୍ୟଟି ଥିଲା ଶ୍ମଶାନମୁଖୀ ଶବଯାତ୍ରାର। ମହାଭାରତ ଯୁଦ୍ଧ ପରେ ଦୁର୍ଯ୍ୟୋଧନ ରକ୍ତନଦୀରେ ଶବଟିଏ ଉପରେ ବସି ଆତ୍ମରକ୍ଷା କଲାପରେ ଯେତେବେଳେ ଶବକୁ ଓଲଟାଇ ନିଜ ପୁତ୍ର ଲକ୍ଷ୍ମଣ କୁମାରର ମଲା ମୁହଁ ଦେଖିଛନ୍ତି ତତ୍‌କ୍ଷଣାତ ତାଙ୍କର ସମସ୍ତ ଅହଂକାର ଚୂର୍ଣ୍ଣ ହୋଇଛି ଓ ଜୀବନ ପ୍ରତି ଆଭିମୁଖ୍ୟ ବଦଳିଯାଇଛି।

ଏହି ପରିପ୍ରେକ୍ଷୀରେ ରେଳ ଦୁର୍ଘଟଣାରେ ମୃତ ଯାତ୍ରୀମାନଙ୍କର ଦେହାବଶେଷ ପ୍ରତି ପରିବାର ସଦସ୍ୟମାନଙ୍କର ଏ ଉଦାସୀନତା କାହିଁକି? ଆଜିର ସ୍ମାର୍ଟଫୋନ ଯୁଗରେ ସମସ୍ତେ ଏତେ ବଡ଼ ଦୁର୍ଘଟଣା ବିଷୟରେ ଅବଗତ ଥିବେ ଏହା ସ୍ୱାଭାବିକ ଲାଗୁଥିଲେ ହେଁ ସଠିକ୍‌ ସୂଚନା ଅଭାବରୁ କିଛି ପରିବାର ଯେ ଏବେ ଯାଏଁ ଅନ୍ଧାରରେ ରହିଛନ୍ତି ଏ ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ଅନେକ ପରିବାର ଏମିତି ବି ଥିବେ ଯେଉଁମାନେ ଆର୍ଥିକ କାରଣରୁ ଓ ସାମାଜିକ ସହାୟତା ଅଭାବରୁ ଭୁବନେଶ୍ୱର ଆସି ମୃତ ଶରୀର ଦାବି କରିବାକୁ ଅସମର୍ଥ। ତୀବ୍ର ଶୋକ, ମାନସିକ ଧକ୍କା ଓ ଅଭିଘାତ ପରବର୍ତ୍ତୀ ଚାପ ବ୍ୟାଧି (ପିଟିଏସ୍‌ଡି) ଭୋଗୁଥିବା ପରିବାର ପକ୍ଷରେ ମୃତ ଶରୀର ଦାବି କରିବାର ପ୍ରକ୍ରିୟା ପାଇଁ ପଦକ୍ଷେପ ନେବା କ’ଣ ସହଜ କଥା? ଏ ସବୁର ସାମୂହିକ ସମାଧାନ ଖୋଜିବା ବୃଥା, କାରଣ ପ୍ରତ୍ୟେକଟି ସ୍ଥିତି ଅଲଗା ହୋଇଥିବାରୁ ଏହା ପୃଥକ ଓ ବ୍ୟକ୍ତି-କୈନ୍ଦ୍ରିକ ସହାୟତାର ଦାବି ରଖେ। ଏଥିପାଇଁ ଆମର ଶାସନ ଓ ସାମାଜିକ ବ୍ୟବସ୍ଥା ପ୍ରସ୍ତୁତ ଥିଲା ଭଳି ଲାଗୁ ନାହିଁ।

ମୋ: ୯୪୩୭୦୮୯୬୫୫