ଭଗବାନ ତାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ମନୁଷ୍ୟକୁ ବୁଦ୍ଧି ଦେଲେ, ଯାହା ତାକୁ ସମସ୍ତଙ୍କ ଠାରୁ ସ୍ବତନ୍ତ୍ର କଲା। ତେଣୁ ମନୁଷ୍ୟର ଅହ˚କାର ବଢ଼ିଗଲା।
ଗୋଲାପ ଫୁଲକୁ ମନୁଷ୍ୟ ପସନ୍ଦ କଲା ସିନା ପ୍ରଶ୍ନ କଲା ଗୋଲାପ ଗଛରେ ଏତେ କଣ୍ଟା କାହିଁକି? ସମୁଦ୍ରର ଅଗାଧ ନୀଳ ଜଳରାଶି ଦେଖି ପଚାରିଲା- ଏ ପାଣି ଏତେ ଲୁଣିଆ କାହିଁକି? ମହୁ ଖାଉଥିବା ବେଳେ ପ୍ରଶ୍ନ କଲା ମହୁମାଛି ପାଖରେ ବିଷାକ୍ତ ନାହୁଡ଼ କାହିଁକି?
ଏଭଳି ପ୍ରଶ୍ନରେ ସମସ୍ତେ ଜର୍ଜରିତ ହେଲେ। ଏଣୁ ଫଳ ଏୟା ହେଲା, ଯେତେବେଳେ ମନୁଷ୍ୟ ଗୋଲାପ ଫୁଲ ତୋଳିବାକୁ ଗଲା, ଫୁଲ ମଉଳି ଗଲା। ସମୁଦ୍ର ପାଖକୁ ଗଲା ତ ସମୁଦ୍ର ବେଳାଭୂମିରୁ ଦୂରେଇ ଗଲା। ମନୁଷ୍ୟ ଏହା ଦେଖି ବ୍ୟଥିତ ହୋଇ ଈଶ୍ବରଙ୍କ ନିକଟରେ ଅଭିଯୋଗ କଲା।
ଈଶ୍ବର ସବୁ କିଛି ଜାଣନ୍ତି। ସେ ସବୁ କିଛି ଜାଣିପାରିଥିଲେ। ସେ କହିଲେ- ତୁ ଯେହେତୁ ସମସ୍ତଙ୍କ ଠାରେ ଖୁଣ ବାହାର କରୁଛୁ, ସେଥି ଲାଗି ସମସ୍ତେ ତୋ ପ୍ରତି ଅସନ୍ତୁଷ୍ଟ।
ଏହା ଶୁଣି ମନୁଷ୍ୟ କହିଲା- ପ୍ରଭୁ ଆପଣ ମୋତେ ଏଭଳି ବୁଦ୍ଧି ଦେଇଛନ୍ତି ଯେ ମୁଁ ତର୍ଜମା କରିବାକୁ ସମର୍ଥ। ସେଇ ଆଧାରରେ ମୁଁ ଯଦି ତ୍ରୁଟି ବାହାର କଲି ସେଥିରେ ଭୁଲ୍ ରହିଲା କେଉଁଠି?
ଭଗବାନ କହିଲେ- ତୁମେ ନିଜ ବୁଦ୍ଧି ବଳରେ ସ୍ରଷ୍ଟାଙ୍କ ସୃଷ୍ଟିର ଖୁଣ ବାହାର କରୁଛ। କିନ୍ତୁ ସ୍ରଷ୍ଟାଙ୍କ ସୃଷ୍ଟିକୁ ତୁମ ଛଡ଼ା ଅନ୍ୟ ସମସ୍ତେ ସ˚ପୂର୍ଣ୍ଣ ଭାବେ ବିନା ପ୍ରଶ୍ନରେ ଗ୍ରହଣ କରିନେଇଛନ୍ତି। ତେଣୁ ଖୁଣ ଅନ୍ୟ ସମସ୍ତଙ୍କ ଠାରେ ଅଛି ନା ତୁମ ଦୃଷ୍ଟିରେ ଅଛି ତାହା ବିଚାରଯୋଗ୍ୟ। ତୁମକୁ ଏ ପର୍ଯ୍ୟନ୍ତ ମୁଁ କେବଳ ବୁଦ୍ଧି ଦେଇଥିଲି। ଏବେ ବିବେକ ଦେଉଛି। ବିବେକ ହିଁ ତୁମ ଦୃଷ୍ଟିକୁ ମାର୍ଜିତ କରିବ। ସେଇ ଦୃଷ୍ଟିରେ ଦେଖିଲେ ତୁମେ ସ୍ରଷ୍ଟାଙ୍କ ସୃଷ୍ଟିର ଉଦ୍ଦେଶ୍ୟ ବୁଝିପାରିବ। ଏମିତି ଭାବେ ମନୁଷ୍ୟ ବୁଦ୍ଧି ସହିତ ବିବେକ ବି ପାଇଲା। ଯାହାର ଏ ଦୁଇଟି ଯାକ ଉନ୍ନତ ସେ ସେତେ ଉତ୍ତମ ମନୁଷ୍ୟ।