ନଭେମ୍ବର ୨୨, ୨୦୨୨। ମୋର ପରମ ସମ୍ମାନନୀୟ ସର୍ ଜନ୍ ବୋର୍ନଙ୍କର ଦେହାନ୍ତ ହୋଇଯାଇଥିଲା। ଏହି ଶାଳପ୍ରାଂଶୁ ବ୍ୟକ୍ତି ଥିଲେ ଦୀର୍ଘ କୋଡ଼ିଏ ବର୍ଷ ଧରି ଇଂଲାଣ୍ଡର ଅଡିଟର ଜେନେରାଲ୍ ତଥା ଲଣ୍ଡନ୍ ସ୍କୁଲ ଅଫ୍ ଇକୋନୋମିକ୍ସର ପ୍ରଫେସର୍। ବ୍ରିଟିସ ସିଭିଲ୍ ସର୍ଭିସର ବରିଷ୍ଠ ସଦସ୍ୟ, ସର୍ ଜନ୍ ଥିଲେ ଜଣେ ନିଓ-ଲିବେରାଲ୍ ନବ୍ୟ ଉଦାରବାଦୀ ଚିନ୍ତକ। ସେ ଥିଲେ ଘରୋଇକରଣର ମାନକୁ ସ୍ଥାପନା ପାଇଁ ଗଠିତ ଗୋଟିଏ ଆନ୍ତର୍ଜାତିକ କମିଟିର ଅଧ୍ୟକ୍ଷ।
ସୌଭାଗ୍ୟକ୍ରେମ ଅନ୍ୟ ନ’ଜଣଙ୍କ ଭିତରେ ମୁଁ ବି ଥିଲି ସେହି କମିଟିର ସଦସ୍ୟ। ବୁଏନୋସଆୟର୍ସ (ଆର୍ଜେଣ୍ଟିନା) ଓ ୱାର୍ସ (ପୋଲାଣ୍ଡ)ରେ ଦୁଇଟି ଦୀର୍ଘ ବୈଠକରେ ମାନକ ସ୍ଥାପନା ଚୂଡ଼ାନ୍ତ ହୋଇଥିଲା। ଦୀର୍ଘ ଆଲୋଚନାମାନଙ୍କ ଭିତରୁ ମୁଁ ସେତେବେଳେ ଏ ନିଷ୍କର୍ଷରେ ପହଞ୍ଚିଥିଲି ଯେ ପଶ୍ଚିମର ଉଦାରବାଦୀ ଚିନ୍ତନ ଗୋଟିଏ ସୁଚିନ୍ତିତ ରଣକୌଶଳ ପୁଞ୍ଜିବାଦର ପୁନଃପ୍ରତିଷ୍ଠା ପାଇଁ। ମୋର ସନ୍ଦେହ ବି ଥିଲା ଯେ ସବୁ ଉଦାରବାଦୀ ଚିନ୍ତାନାୟକ ସେଇ ଗୋଟିଏ ଅଭୀଷ୍ଟ ନେଇ ଆକ୍ରାମକ ବୌଦ୍ଧିକ ବିଚାରର ପ୍ରସାରଣରେ ଆଗ୍ରହୀ। ଘରୋଇକରଣରେ ରାଷ୍ଟ୍ରୀୟ ସମ୍ପତ୍ତିର ମୂଲ୍ୟାୟନକୁ ନେଇ ସର୍ ଜନ୍ଙ୍କ ସହିତ ମୋର ମତ ପାର୍ଥକ୍ୟ ଥିଲା। ମୁଁ ରାଷ୍ଟ୍ରୀୟ ସଂପତ୍ତିର ମୂଲ୍ୟାୟନରେ ‘ବିଶ୍ବସନୀୟତା’ ବା ‘ଗୁଡୱିଲ୍’କୁ ଉଚ୍ଚ ପ୍ରାଥମିକତା ଦେବା ପାଇଁ ତର୍କ କଲା ବେଳେ ସର୍ ଜନ୍ ୟାକୁ ନିମ୍ନତମ ପ୍ରାଥମିକତା ଦେବାରେ ଆଗ୍ରହୀ ଥିଲେ। ବସ୍ତୁତଃ, ଏ ତର୍କକୁ ଇଂରେଜସୁଲଭ କୂଟନୈତିକ ଭେଦନୀତି ପ୍ରୟୋଗ କରି ସେ ଏଡ଼ାଇ ଯାଇଥିଲେ।
ଏଠାରେ ଯେଉଁମାନେ ମୋ ସହିତ ଏକମତ ଥିଲେ, ସେମାନେ ପୋଲାଣ୍ଡ ଅଧ୍ୟାୟରେ ନିଜ ସ୍ଥାନରୁ ଓହରି ଯାଇଥିଲେ। ମାନକ ସ୍ଥାପନା ଚୂଡ଼ାନ୍ତ ହୋଇଯାଇଥିଲା। ମୋ ଲାଗି ଅସ୍ବସ୍ତିକର ଥିଲା ଘରୋଇ ପୁଞ୍ଜି ଉପରେ ୟୁରୋ-ଆମେରିକାନ୍ ରାଷ୍ଟ୍ରମାନଙ୍କର ଅବାଧ ବିଶ୍ବାସ ଓ ନିର୍ଭରଶୀଳତା। କମିଟିର କାର୍ଯ୍ୟ ସମାପ୍ତ ହେବା ପରେ ସର୍ ଜନ୍ଙ୍କ ସହିତ ଆଉ ସାକ୍ଷାତ ହୋଇ ନ ଥିଲା, କିନ୍ତୁ ଅପେକ୍ଷା ଥିଲା ସେ ଲେଖୁଥିବା ‘ନବ୍ୟ ଉଦାରବାଦ’ ଉପରେ ଗୋଟିଏ ବହିର ଓ ୨୦୨୩ରେ ଲଣ୍ଡନ୍ରେ ଆୟୋଜିତ ହେବାକୁ ଥିବା ଗ୍ଲୋବାଲାଇଜେସନ୍-ଲିବେରାଲାଇଜେସନ୍ ବିଚାର ମଞ୍ଚର। କିନ୍ତୁ ସର୍ ଜନ୍ଙ୍କ ତିରୋଧାନ ସହିତ ବିଚାର ମଞ୍ଚର ସମ୍ଭାବନା ନିର୍ବାପିତ ହୋଇଗଲା।
୨୦୨୦ ବେଳକୁ ଭାରତରେ ଲୋକକ୍ଷେତ୍ରରେ ଉଦାରବାଦ ଓ ନବ୍ୟ ଉଦାରବାଦର ସଂଜ୍ଞାଗତ ଅର୍ଥ ବିଚାର ବୌଦ୍ଧିକ ସଂକଟରେ ପଡ଼ିଗଲା। ଉଦାରବାଦୀ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ଓ ଉଦାରବାଦୀ ବିଚାର-କୌଶଳ ଆପଣେଇଥିବା ଭାରତୀୟ ଚିନ୍ତକମାନେ ଭାରତୀୟ ଜନତା ପାର୍ଟିର ଭାରତୀୟତାର ମଞ୍ଚକୁ ସନ୍ଦିଗ୍ଧ କରି ଠିଆ କରାଇବାର ପ୍ରୟାସ କଲେ। ତେଣେ ଶକ୍ତିଶାଳୀ କେନ୍ଦ୍ରୀୟ ସତ୍ତାର ପକ୍ଷ ନେଉଥିବା ସେହି ଦଳକୁ ପୁଞ୍ଜିବାଦୀ ପ୍ରୟୋଗର ଏକ ଉଦାହରଣ ଭାବେ ଚିତ୍ରଣ କରାଗଲା। ଏ ଦୁଇଟି ଯାକ ଅପବାଦ ମାତ୍ର। କିନ୍ତୁ କଥା ହେଲା, ୟାକୁ ପ୍ରମାଣ କରିବା କେମିତି?
ଆପଣ ବିସ୍ମିତ ହେବେ ଯେ ବର୍ତ୍ତମାନ ଆଉ ଉଦାରବାଦ ଓ ନବ୍ୟ ଉଦାରବାଦକୁ ନେଇ ବିଶ୍ବସ୍ତରୀୟ ଚିନ୍ତନ ନାହିଁ। ଏ ଚିନ୍ତନ ଏବେ ହେଉଚି ଗୁପ୍ତ ବୌଦ୍ଧିକ ଚକ୍ରାନ୍ତ ଭଳି, ବଡ଼ ଦେଶର ବଡ଼ ଚିନ୍ତକମାନଙ୍କ ଭିତରେ। ଏ ସବୁର ଗୋଟିଏ ଲକ୍ଷ୍ୟ ‘ବିଶ୍ବ-ଦଖଲ’ ବା ‘ୱର୍ଲଡ୍ ଡମିନେସନ୍’! ଏ ଚକ୍ରାନ୍ତ ସଫଳ ହେଲେ ଇତିହାସ ପୁଣି କଡ଼ ଲେଉଟେଇବ ଓ ବିଶ୍ବ ପୁଞ୍ଜି, ବଜାର, ମୁନାଫା ଓ କୁବେରୀରେ ଲିପ୍ତ ହୋଇଯିବ। ୟାର ପ୍ରତିରୋଧ ପାଇଁ ଲୋକକ୍ଷେତ୍ରରେ ସ୍ପଷ୍ଟ ବିଚାର ଓ ସେଥି ଲାଗି ତର୍କର ଉପାଦାନମାନଙ୍କର ଶୁଦ୍ଧତା ଦରକାର। କହିବାରେ ଦ୍ବିଧା ନାହିଁ ଯେ ଉଦାରବାଦ ଓ ନବ୍ୟ ଉଦାରବାଦକୁ ନେଇ ବିଚାରରେ ଉପାଦାନମାନଙ୍କ ଅସ୍ପଷ୍ଟତା ଓ ଅଶୁଦ୍ଧି ଇଚ୍ଛାକୃତ। ୟାର ଗୋଟିଏ କାରଣ ହେଲା ୟା ବ୍ୟତୀତ ପାଶ୍ଚାତ୍ୟ ଶକ୍ତି ତନ୍ତ୍ର ହାତରେ ବିଶ୍ବକୁ ବଶୀଭୂତ ଓ ପଥଭ୍ରଷ୍ଟ କରିବାର ଆଉ କୌଣସି ବୌଦ୍ଧିକ ଅସ୍ତ୍ର ନାହିଁ। ଉଦାରବାଦ ହିଁ ପୁଞ୍ଜିର ବାହନ। ନବ୍ୟ ଉଦାରବାଦରେ ରାଷ୍ଟ୍ରର ଭୂମିକା ବିପନ୍ନ। ଏଭଳି ସ୍ଥିତିରେ ସଭ୍ୟତା ଓ ରାଷ୍ଟ୍ରୀୟତାକୁ ନେଇ କେବଳ ପ୍ରତିନିଧିମୂଳକ ବ୍ୟବସ୍ଥା ଜରିଆେର ଗଣତନ୍ତ୍ର ଚଳିବ ନା ନାହିଁ? ପାଶ୍ଚାତ୍ୟ ଚିନ୍ତକ ଭାବନ୍ତି େଯ ତାହା ସମ୍ଭବ ନୁହେଁ। ଆମେ କହୁଁ ଯେ ତାହା ସମ୍ଭବ। ଭାରତ ଠିକ୍ ସମୟରେ ଭାରତକୁ ଫେରିଚି, ଭାରତୀୟତାକୁ ଏକ ରାଜନୈତିକ ଅର୍ଥଗୌରବ ଦେଇଚି ଓ ସଭ୍ୟତାଭିତ୍ତିକ ଇତିହାସର ପୁନର୍ବାଚନ ସମ୍ଭବ କରାଇଚି। ‘ଉଦାରବାଦୀ’, ‘ଲିବେରାଲ୍’ର ଠିକ୍ ଅନୁବାଦ ନୁହେଁ। ‘ପୁଞ୍ଜିବାଦ’ର ଲିବେରାଲ୍ ନାମରେ ପ୍ରତ୍ୟାବର୍ତ୍ତନ, ‘ଲେସେ ଫେଆର୍’ ବା ବ୍ୟକ୍ତି ଉଦ୍ୟୋଗର ମହତ୍ତ୍ବ ବା ସ୍ବେଚ୍ଛା ବେପାର ବା ଅବାଧ ଅର୍ଥନୀତି ଏଭଳି ବହୁ ଅର୍ଥରେ ବ୍ୟବହୃତ ହୋଇ ଭାରତରେ କେଜାଣି କୋଉ ଦୁର୍ଯୋଗରେ ‘ଉଦାରବାଦ’ ଭାବରେ ଚଳିଲା। ଏହା ଶୁଣିଲା ମାତ୍ରେ ଭଲ ଲାଗିଲା, େତଣୁ ୟାର ପ୍ରଶଂସକ ଓ ସାଧାରଣ ଜନସ୍ବୀକୃତି ଦୁଇଟାଯାକ ବଢ଼ିଗଲା। ଆମେ ରେଶମର ଘୋଡ଼ଣି ତଳେ ମାରଣାସ୍ତ୍ର ଥିବା କଥା ଭାବି ପାରିଲେ ନାହିଁ। ଉଦାରବାଦୀ ସଂସ୍କାର ବସ୍ତୁତଃ ଗଣତନ୍ତ୍ରର ସଂସ୍କାର ଭାବରେ ଗୃହୀତ ହୋଇଗଲା।
‘ଲିବେରାଲ୍’କୁ ‘ଲିବେର୍ଟାରିଆନ୍’ ବୋଲି ତର୍ଜମା କରି ‘ଲିବେରାଲିଜ୍ମ୍’କୁ ‘ମାନବ ମୁକ୍ତି’ ବୋଲି ବୁଝାଇ ଦିଆଗଲା। କିନ୍ତୁ, ‘ଲିବେରାଲିଜ୍ମ୍’ର ଉତ୍ପତ୍ତି ଓ ତର୍ଜମା ଉଭୟରେ ଗୁଡ଼ିଏ ପରସ୍ପର ବିରୋଧୀ ତତ୍ତ୍ବଙ୍କୁ ମିଶେଇ ସଂଜ୍ଞାଗତ ଅନିର୍ଦ୍ଦିଷ୍ଟତା ସୃଷ୍ଟି କରାଗଲା। ଏତେ ଭଲ କଥା କୁହାଗଲା ଯେ ସଂଘର୍ଷଶୀଳ ଦୁର୍ବଳ ଅର୍ଥନୀତିକୁ ନେଇ ଚିନ୍ତିତ ରାଷ୍ଟ୍ରମାନଙ୍କରେ ଏ ଶବ୍ଦଗୁଡ଼ିକ ଗୋଟେ ‘ଫିଲ୍ଗୁଡ୍’ ପ୍ରଭାବ ସୃଷ୍ଟି କଲେ। ଏମିତିକି ‘ସମାଜ’କୁ ବି ‘ଲିବେରାଲ୍’ କହିବାରେ ମୁକ୍ତ ଆଧୁନିକତାର ଆନନ୍ଦ ମିଳିଲା। ପରିଣତି ଏଇଆ ହେଲା ଯେ ପ୍ରାୟ ସମଗ୍ର ବିଶ୍ବ ଆଗରୁ ପ୍ରସ୍ତୁତ ୟୁେରା-ଅାମେରିକାନ୍ ଯନ୍ତାରେ ଯାଇ ପଡ଼ିଲା। ସେଥିରୁ ଏଯାଏଁ ଆମେ କେହି ମୁକୁଳିନେ। କିନ୍ତୁ ଏହି ଚକ୍ରାନ୍ତ ସହିତ ଯେଉଁ ଦୁଇଟି ରାଜନୈତିକ ଓ ଅର୍ଥନୈତିକ ଦର୍ଶନ ମୁଖ୍ୟେସ୍ରାତରୁ ବାହାରି ଗଲେ ସେ ଦୁଇଟି ଦର୍ଶନ ହେଲେ ‘ରାଷ୍ଟ୍ରବାଦ’ ଓ ‘ସମାଜବାଦ’। ଭାରତର ସଂବିଧାନ ସଂଶୋଧିତ ହୋଇ ହୋଇ ଆଜି ଯେଉଁଠି ପହଁଚିଚି, ସେଠି ୟାକୁ ‘ଲିବେରାଲ୍ ମଡେଲ୍’ର ସଂବିଧାନ ହିଁ କୁହାଯିବ। ଏଥିରେ ରାଷ୍ଟ୍ରବାଦର ଉପକ୍ରମ ଅଛି ଏହିପରି ଯେ ଆମେ ଭାରତୀୟମାନେ ଆମ ସଂକଳ୍ପ ଦ୍ବାରା ଏ ରିପବ୍ଲିକ୍ ବା ଗଣରାଷ୍ଟ୍ରର ନିର୍ମାଣ କରି, ଏ ସଂବିଧାନ ନିଜକୁ ହିଁ ଅର୍ପଣ କରୁଚୁ। କିନ୍ତୁ ‘ଗଣରାଷ୍ଟ୍ର’ ହେଲା ପରେ ରାଷ୍ଟ୍ରର ସାର୍ବଭୌମତା, ଅଖଣ୍ଡତା, ଅଲଂଘ୍ୟତା ଓ ପବିତ୍ରତା ବଜୟା ରଖିବା ପାଇଁ ଆଗକୁ କ’ଣ କରିବାକୁ ହେବ ତା’ର ବିଚାର ନାହିଁ।
ଆମର ସଂବିଧାନ ନିର୍ମାତାମାନେ ଭାରତୀୟ ସଭ୍ୟତା, ଐତିହ୍ୟ, ପରଂପରା, ଆଧ୍ୟାତ୍ମିକ ମାନବିକତା, ବସୁଧା-କୁଟୁମ୍ବ ଦୃଷ୍ଟିକୋଣ ଓ ଉପନିଷଦୀୟ ‘ବିତରଣ-ନ୍ୟାୟ’ (ଡିଷ୍ଟ୍ରିବ୍ୟୁଟିଭ୍ ଜଷ୍ଟିସ୍) ଇତ୍ୟାଦି ବିଷୟରେ ଆଲୋକପାତ କରିନାହାନ୍ତି, କାରଣ ସେମାନେ ଏସବୁ କଥାର ସାଂବିଧାନିକ ଭାଷା ନିର୍ମାଣ ବିଷୟରେ ସେତେବେଳେ ଆଦୌ ଚିନ୍ତା କରିନଥିଲେ। ସଂବିଧାନ ସଭାର ‘ଡିବେଟ୍’ ମାନଙ୍କରେ ଭାରତ ପାଇଁ ସଂବିଧାନର ନୂଆ ଭାଷା ଦରକାର ଥିଲା। କିନ୍ତୁ ଆମକୁ ମିଳିଲା ବିଶ୍ବର ଶ୍ରେଷ୍ଠ ‘ସିନ୍ଥେସାଇଜ୍ଡ୍’ ପାଠ, ଏଥିରେ ୟୁରୋ-ଆମେରିକାନ୍ ସଂବିଧାନମାନଙ୍କର ଶ୍ରେଷ୍ଠ ମାନବୀୟ ଅଧିକାର ଓ ଉତ୍କର୍ଷର ଭାଷା ଥିଲା, ଯାହାକୁ ଆମ ସଂବିଧାନକୁ ଉଠେଇ ଅଣାଗଲା। ଆମେରିକାନ୍ ଓ ଆଇରିସ୍ ସଂବିଧାନକୁ ନେଇ ତାଙ୍କ ଦେଶର ରାଜନୀତିବିଜ୍ଞାନୀମାନେ କହନ୍ତି ସେଥିରେ କୁଆଡ଼େ ତାଙ୍କ ରାଷ୍ଟ୍ରର ଆତ୍ମା ବିଦ୍ୟମାନ। କିନ୍ତୁ, ମୋ ଭାରତର ସଂବିଧାନରେ ମୋ ରାଷ୍ଟ୍ରର ଆତ୍ମା କେଉଁଠି? ଅନେକ ଭଲ କଥା ଥାଇପାରନ୍ତି ଆମ ସଂବିଧାନରେ, କିନ୍ତୁ ସେଗୁଡ଼ିକ ତ ସବୁ ରାଷ୍ଟ୍ରଙ୍କ ସବୁ ଲୋକଙ୍କ କଥା! ମୋ ରାଷ୍ଟ୍ର ଭିତରେ ମୋ ଦେଶ, କେତେ ମାତ୍ରାରେ ଅଛି? ଦେଶରୁ ରାଷ୍ଟ୍ରରେ ପରିଣତ ହେଉଥିବା ଗୋଟେ ବିଶାଳ ସଭ୍ୟତାସଂପନ୍ନ ଲୋକ ସଂପ୍ରଦାୟ ତା’ର ଦେଶର ଆତ୍ମାକୁ ନେଇ ରାଷ୍ଟ୍ରରେ ପ୍ରତିଷ୍ଠିତ କଲେ ହିଁ ତ ରାଷ୍ଟ୍ର ‘ଗଣରାଷ୍ଟ୍ର’ ହେବ?
ଆମର ସଂବିଧାନ ସଭାରେ ବହୁ ଜ୍ଞାନୀ, ଗୁଣୀ ଓ ଚିନ୍ତାଶୀଳ ବ୍ୟକ୍ତି ଥିଲେ, କିନ୍ତୁ କୌଣସି କାରଣରୁ ସଂବିଧାନ ଦ୍ବାରା ଶାସିତ ସ୍ବାଧୀନ ଭାରତର ସ୍ବତନ୍ତ୍ର ଗଣତାନ୍ତ୍ରିକ ଅସ୍ତିତ୍ବ ବିଚାର ପାଇଁ ମୌଳିକ ଚିନ୍ତାକୁ ବ୍ୟବସ୍ଥାରେ ବଦଳାଇବାର ଭାଷା ତାଙ୍କ ପାଖରେ ନ ଥିଲା। ତା’ର କାରଣ ଥିଲା, ସେମାନେ ସମସ୍ତେ ପୁଞ୍ଜିବାଦୀ ବା ଲିବେରାଲ୍ ଶିକ୍ଷା ବ୍ୟବସ୍ଥାରୁ ମାନବିକ ଅଧିକାର ଓ ସେ ଅଧିକାରର ପ୍ରତିଷ୍ଠା ବିଷୟରେ ଅବଗତ ହୋଇଥିଲେ। ଭାରତକୁ ଏକ ‘ବ୍ୟତିକ୍ରମ’ ବୋଲି ଭାବିବାର େବୗଦ୍ଧିକ ବିଚାର ମଞ୍ଚ ନିର୍ମିତ ହେବା ଆଗରୁ ଇଂରେଜଙ୍କ କୂଟନୀତି ତାକୁ ଭ୍ରଷ୍ଟ କରି ଦେଇଥିଲା। ମୋ ବିଚାରରେ ୧୯୩୫ର ଆକ୍ଟ, ଯାହା ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାର ଖସଡ଼ା ଭାରତୀୟଙ୍କ ଉପରେ ଲଦି ଦେଲା, ତାହା ଗଣତନ୍ତ୍ରର ନିର୍ବାଚନୀ ଯାଦୁ କ୍ରିୟାରେ ହିଁ ଦେଶବାସୀ ଓ ସଂଗ୍ରାମୀ ନେତାଙ୍କୁ ଲିପ୍ତ କରି ରଖିଲା। ସାରା ଦେଶରେ, ଦେଶର ଗଣତାନ୍ତ୍ରିକ ଭବିଷ୍ୟତକୁ ନେଇ ଯେଉଁ ବୌଦ୍ଧିକ ବିଚାର ହେବା କଥା, ତାହା ହେଲା ନାହିଁ।
ଗାନ୍ଧୀ ତାଙ୍କର ବିପୁଳ ରଚନା ସ୍ରୋତ ଜାରି ରଖିଲେ, ବିଶାଳ ଜନସଭା କଲେ, ଜାତୀୟ ସହମତିର ଉତ୍ତାଳ ତରଙ୍ଗ ସୃଷ୍ଟି କଲେ, କିନ୍ତୁ ଭାରତର ଶିକ୍ଷାନୁଷ୍ଠାନ, ବିଶିଷ୍ଟ ଚିନ୍ତାନାୟକଙ୍କ ରଚନା ଓ ଗୋଷ୍ଠୀ ଚିନ୍ତନରେ ନୂଆ ଭାରତର ରୂପକଳ୍ପ ମିଳିଲା ନାହିଁ। ଗାନ୍ଧୀଙ୍କ ଭାରତ-କଳ୍ପନାରେ ସ୍ବାବଲମ୍ବନ ଓ ଗ୍ରାମୀଣତାର ଯେଉଁ ମେଟାଫର୍ଗୁଡ଼ିକ ପରବର୍ତ୍ତୀ କାଳରେ ଗାନ୍ଧୀ ଦର୍ଶନରେ ପରିଣତ ହେଲେ, ସେଥିରେ ସମସ୍ୟା ଥିଲା। ଗାନ୍ଧୀଙ୍କ ଗ୍ରାମ ସ୍ବରାଜ ସ୍ଥାନରେ ଆମ୍ବେଦକରଙ୍କ ‘ସହରୀକରଣ’ ଦର୍ଶନ ଅଧିକ ଗ୍ରହଣୀୟ ହୋଇଗଲା। ଏହାର କାରଣ ଗାନ୍ଧୀଙ୍କ ତତ୍ତ୍ବ କେବଳ ଗାନ୍ଧୀ ହିଁ ବୁଝେଇ ପାରିଥାନ୍ତେ, ଯେତେବେଳେ ଆମ୍ବେଦକରଙ୍କ ସହରୀ ଭାରତ (ଅର୍ବାନ୍ ଇଣ୍ଡିଆ) ପାଇଁ ତଥ୍ୟ ଓ ପ୍ରମାଣ ଧରି ଠିଆ ହୋଇଥିଲା ସମଗ୍ର ୟୁରୋ-ଆମେରିକାନ୍ ‘ଲିବେରାଲ୍’ ବ୍ୟବସ୍ଥା। ଯଦି ସଂବିଧାନ ସଭାରେ ଗାନ୍ଧୀ ତତ୍ତ୍ବକୁ ସହାନୁଭୂତି ଓ ସମ୍ମାନର ସହିତ ବିଚାର କରା ଯାଇଥାଆନ୍ତା, ତେବେ, ଗାନ୍ଧୀଙ୍କ ପରିକଳ୍ପନାର ଭାରତ ଏକ ନୂଆ ରାଷ୍ଟ୍ରବାଦୀ ଭାରତ ହୋଇପାରିଥାନ୍ତା। ରାଷ୍ଟ୍ରବାଦୀ ଭାରତର ଯେଉଁ ପରିକଳ୍ପନା ସୁଭାଷ ବୋଷଙ୍କ ‘ଆଜାଦ୍ ହିନ୍ଦ୍’ ଅଭିଯାନରେ ଥିଲା ଓ ଭାରତୀୟଙ୍କ ଭାରତର ଯେଉଁ ସ୍ବପ୍ନ ସନାତନୀ ଧର୍ମବୋଧରେ ଥିଲା, ତା’ ସହିତ ଗାନ୍ଧୀଙ୍କ ସ୍ବନିର୍ଭର ଗ୍ରାମ ସ୍ବରାଜ ମିଶିଥିଲେ କି ରାଜନୈତିକ ରସାୟନ ନିର୍ମିତ ହୋଇଥାନ୍ତା ଜଣା ନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ପଶ୍ଚିମରେ ବିକଶିତ ପ୍ରକୃତି-ବିଧ୍ବଂସକ ଯନ୍ତ୍ର ନିର୍ଭର ସହରୀ ବିକାଶର ‘ଉଦାରତତ୍ତ୍ବ’ (ଲିବେରାଲିଜ୍ମ୍), ଭାରତୀୟ ଚିନ୍ତନ ଦ୍ବାରା ଅଧିକ ମାନବୀୟ, ପ୍ରକୃତି-ସଂରକ୍ଷକ ଓ ସଭ୍ୟତାମୁଖୀ ହୋଇଥାନ୍ତା। ଏହି ବୋଧେ ହୋଇଥାନ୍ତା ସଂବିଧାନରେ ନୂଆ ଭାରତର ରୂପକଳ୍ପନା। କିନ୍ତୁ ସେତେବେଳକୁ ଉଦାରବାଦୀ ଦର୍ଶନ ଉଦାରବାଦୀ ଅର୍ଥନୀତିରେ ସାକ୍ଷ୍ୟ-ପ୍ରମାଣ ପ୍ରସ୍ତୁତ କରି ଏକ ବିଚିତ୍ର ସ୍ଥିତିରେ ଆସି ପହଞ୍ଚି ଥିଲା।
୧୯୨୯ରୁ ୧୯୩୯, ଏହି ଦଶ ବର୍ଷ ଥିଲା ୟୁରୋ-ଆମେରିକାନ୍ ଉଦାରବାଦ (ମୁକ୍ତ ବଜାର)ର ପତନର ସମୟ (ଦ ଗ୍ରେଟ୍ ଡିପ୍ରେସନ୍) ଓ ଏହି ସମୟେର ଭାରତୀୟ ନେତୃତ୍ବର ବୌଦ୍ଧିକ ନିର୍ମାଣ ଚାଲିଥିଲା। ଉଦାରବାଦୀ ଅର୍ଥନୀତିର କେନ୍ସିଆନ୍ ମଡେଲ ବିଫଳ ହେବା ସହିତ ପାଶ୍ଚାତ୍ୟ ସଭ୍ୟତା, ସମାଜ, ଅର୍ଥନୀତି ଓ ବଜାରକୁ ରକ୍ଷା କରିବା ପାଇଁ ‘ନବ୍ୟ ଉଦାରବାଦ’ ‘ନିଓ ଲିବେରାଲ୍’ ଚିନ୍ତନ ଆରମ୍ଭ ହୋଇ ଯାଇଥିଲା। ଏହି ଚିନ୍ତନ ବିପକ୍ଷରେ ସମାଜବାଦୀ-ସାମ୍ୟବାଦୀ ବ୍ୟବସ୍ଥାରେ ‘ରାଷ୍ଟ୍ରୀକରଣ’ ବା ‘ରାଷ୍ଟ୍ରାୟତ୍ତ’ ଉଦ୍ୟୋଗ ବା ନିୟନ୍ତ୍ରିତ ବଜାରର ପରିକଳ୍ପନା ଆରମ୍ଭ ହୋଇଥିଲା। ସ୍ବାଧୀନ ଭାରତ ତା’ର ଭାଗ୍ୟକୁ ୟୁରୋ-ଆମେରିକାନ୍ ବିଶ୍ବ ସହିତ ଯୋଡ଼ି ଦେଇ ‘ଲିବେରାଲ-ନିଓ ଲିବେରାଲ୍’ ସଂକଟରେ ପଡ଼ିଗଲା। ‘ଗ୍ରେଟ୍ ଡିପ୍ରେସନ୍’ ଫଳରେ ପୁଞ୍ଜିବାଦୀ ବ୍ୟବସ୍ଥା ଉପରେ ସନ୍ଦେହ ଥିଲା, ତେବେ ସମାଜବାଦୀ ବ୍ୟବସ୍ଥାର ରାଷ୍ଟ୍ରୀକରଣ ରୁଷରୁ ଆସି ଅନ୍ୟତ୍ର ସଫଳ ହେବାର ତନ୍ତ୍ର ବିକଶିତ ହୋଇ ନ ଥିଲା। ଭାରତ ଏକ ମିଶ୍ର ବ୍ୟବସ୍ଥା ଗ୍ରହଣ କରିବା ବ୍ୟତୀତ ଉପାୟ ନ ଥିଲା। ଏ ବ୍ୟବସ୍ଥା ସ୍ବାଭାବିକ ନ ଥିଲା। ନୂଆ ଭାରତର ପରିକଳ୍ପନାକୁ ନେଇ ଯଥେଷ୍ଟ ବୌଦ୍ଧିକ ଓ ବ୍ୟବହାରଯୋଗ୍ୟ ବିଚାର ନ ଥିଲା, ତେଣୁ ଆମେରିକାନ୍ ପ୍ୟାଣ୍ଟ, ରୁଷୀୟ ଜାକେଟ୍ ଓ ଗାନ୍ଧୀ ଟୋପି ମୁକ୍ତ ଭାରତର ପ୍ରଥମ ‘ଡ୍ରେସ୍ େକାଡ୍’ ହୋଇଗଲା। ଏବେ ଭାରତ ଯେତେବେଳେ ନିଜ ପରିଧାନ, ନିଜ ଶୈଳୀରେ ବ୍ୟକ୍ତିତ୍ବ ପ୍ରତିଷ୍ଠାରେ ଆଗ୍ରହୀ ଓ ଭାରତୀୟ ନେତୃତ୍ବର ଏକ ବିସ୍ମୟକର ନୂଆ ପ୍ରସ୍ଥ ଭାରତ ଠାରୁ ଅଧିକ ଦମ୍ଭ, ଚିନ୍ତାଶୀଳତା ଓ ସ୍ଥିରତା ଚାହେଁ, ସେତେବେଳେ ଆମର ରାଷ୍ଟ୍ର ଦର୍ଶନ ଓ ଆନ୍ତର୍ଜାତିକ ଦୃଷ୍ଟିକୋଣ ଦୁଇଟା ଯାକ କିଭଳି ଏକାଠି ଚାଲିବେ ତା’ର ସ୍ପଷ୍ଟ ବିଚାର ଆବଶ୍ୟକ। ଉଦାରବାଦର ଛଦ୍ମ ଆଗକୁ ଆହୁରି ନ ଫିଟିଲେ ଏ ବିଚାର ସମ୍ଭବ ନୁହେଁ।
ମୋ:୯୪୩୭୦୩୯୮୫୮