ଯୌବନର ଉଷ୍ମ ରକ୍ତ ଧମନୀରେ ପ୍ରବାହିତ ହେଉଥିବା ସମୟରେ ବିଶ୍ୱର ସମସ୍ତ ସ୍ଥାନ, କୋଣ ଉପକୋଣ ମନୋରମ ମନେହୁଏ। କିନ୍ତୁ ଜୀବନର ଅପରାହ୍‌ଣେ କ୍ଲାନ୍ତ ଶରୀର, ଅବସନ୍ନ ମନ ଖୋଜେ ଏକ ଏପରି ସହର, ଯେଉଁଠି ଜୀବନ ଚଳଚ୍ଚିତ୍ରର ଶେଷ କିଛି ‘ରିଲ୍‌’ ଆନନ୍ଦ ତଥା ନିରାପଦରେ ବ୍ୟତୀତ ହୋଇପାରନ୍ତା। ଆମ ପ୍ରିୟ ସହର ଭୁବନେଶ୍ୱର କ’ଣ ବୃଦ୍ଧ ବରିଷ୍ଠ ନାଗରିକ, ପରିଣତ ବୟସରେ ଉପନୀତ ବ୍ୟକ୍ତିଙ୍କ ନିମନ୍ତେ ଅନୁକୂଳ?

Advertisment

ଏ କଥା ନିର୍ବିବାଦ ଯେ ଅନ୍ୟ ରାଜ୍ୟର ରାଜଧାନୀଗୁଡ଼ିକ ତୁଳନାରେ ଆମ ସହର ଅଧିକ ନିରାପଦ। ଏହାର କାରଣ ଆମ ଓଡ଼ିଆଙ୍କ ଶାନ୍ତିପ୍ରିୟ ସ୍ୱଭାବ ନା ପୁଲିସ ବିଭାଗର ସୁଶାସନ; ତାହା ତର୍କଯୋଗ୍ୟ। କିନ୍ତୁ ବିଗତ କିଛି ବର୍ଷ ହେଲା ସ୍ଥିତି ବିଗିଡ଼ିବା ଆରମ୍ଭ ହେଲାଣି। ଆପାର୍ଟମେଣ୍ଟର ସୁରକ୍ଷିତ ଫାଟକ ପଛରେ ରହୁଥିବା ପରିବାର ମାନେ ସୁରକ୍ଷିତ ଅଛନ୍ତି। କିନ୍ତୁ ଏକକ ଗୃହରେ ରହୁଥିବା ବୃଦ୍ଧ ଦଂପତିମାନେ ନିରାପଦ ନୁହନ୍ତି। ଏହାର ସମାଧାନ ଦୁରୂହ, କିନ୍ତୁ ହୁଏତ ଦିଲ୍ଲୀ ସହର ପରି ଅଗଣିତ ‘ସିସି ଟିଭି’ ସ୍ଥାପନ କରାଗଲେ ତଥା କିଛି ସ୍ଥାନୀୟ ‘ଏନ୍‌.ଜି.ଓ.’ ଇତ୍ୟାଦି ଦ୍ୱାରା ନିୟମିତ ବରିଷ୍ଠ ନାଗରିକମାନଙ୍କ ସହ ଯୋଗାଯୋଗ ରକ୍ଷା କରାଗଲେ ସମସ୍ୟାଟି ଆଂଶିକ ସଂକୁଚିତ ହୁଅନ୍ତା।

ବରିଷ୍ଠ ନାଗରିକମାନଙ୍କୁ ଅନେକ ସମୟରେ ଡାକ୍ତରଖାନା ବା ବ୍ୟାଙ୍କ ବା କୌଣସି ଦପ୍ତରକୁ ଯିବାକୁ ପଡ଼େ। ପାଣି ବା ବିଜୁଳି ବିଲ୍‌ ଆଦି ଦେବାକୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼େ। ଯଦିଓ, ଏବେ ମୋବାଇଲ୍‌ ଫୋନ୍‌ ଦ୍ୱାରା ଡିଜିଟାଲ୍‌ ପଦ୍ଧତିରେ ପଇସା ପଇଠ କରି ହେଉଛି, ଅନେକ ବୟସ୍କ ବ୍ୟକ୍ତି ଏ ସମ୍ବନ୍ଧରେ ଅଜ୍ଞ ବା ସେମାନଙ୍କ ଲାଗି ଏକ କଠିନ ବ୍ୟାପାର। ତା’ ଛଡ଼ା ଏଥିରେ ଠକାମିର ଭୟ ରହିଛି। ଶଠମାନେ ବରିଷ୍ଠ ନରାଗିକମାନଙ୍କୁ ହିଁ ପ୍ରଥମେ ଶିକାର କରନ୍ତି। ସରକାର ଯଦି କେବଳ ବରିଷ୍ଠ ନାଗରିକଙ୍କ ସକାଶେ କିଛି ସହାୟତା ବା ସେବା କେନ୍ଦ୍ର ଖୋଲନ୍ତେ, ତେବେ ଏହି ବର୍ଷୀୟାନମାନେ ଉପକୃତ ହୁଅନ୍ତେ। କିଛି ସ୍ୱତନ୍ତ୍ର ‘ମୋ ବସ’ କେବଳ ବରିଷ୍ଠ ନାଗରିକମାନଙ୍କୁ ନେଇ ଏହି କେନ୍ଦ୍ର ଗୁଡ଼ିକୁ ସଂଯୋଗ କରିପାରନ୍ତା। କିଛି ‘ଏନ୍‌.ଜି.ଓ.’ ଚାହିଁଲେ ବରିଷ୍ଠ ନାଗରିକମାନଙ୍କୁ ଏ କାର୍ଯ୍ୟରେ ସହାୟତା କରିପାରନ୍ତେ।

ଦୁଃଖର ବିଷୟ ଯେ ଆମ ରାଜଧାନୀ ସହରରେ କୌଣସି ଆଦର୍ଶ ବୃଦ୍ଧାଶ୍ରମ ନାହିଁ। ବୃଦ୍ଧାଶ୍ରମ ବିଭିନ୍ନ ଶ୍ରେଣୀର ହେବ ଆବଶ୍ୟକ।

ଯେଉଁ ସ୍ବଚ୍ଛଳ ପରିବାରର ସନ୍ତାନ ସନ୍ତତି ବିଦେଶରେ ଅଛନ୍ତି; ସେମାନେ ନିଜ ପିତାମାତାଙ୍କ ନିମନ୍ତେ ଅର୍ଥ ବ୍ୟୟ କରିବାକୁ ପ୍ରସ୍ତୁତ, କିନ୍ତୁ ବିଶ୍ବାସ୍ୟଯୋଗ୍ୟ ସଂସ୍ଥାର ଅଭାବ। ସେମାନଙ୍କ ନିମନ୍ତେ ଚିକିତ୍ସା ସୁବିଧା, ବ୍ୟକ୍ତିଗତ ପରିଚାରକ ବା ସେବା ପ୍ରଦାନକାରୀର ବ୍ୟବସ୍ଥା ତଥା ଅନ୍ୟାନ୍ୟ ସ୍ବାଚ୍ଛନ୍ଦ୍ୟ ଉପଲବ୍‌ଧ କରାଯାଇ ପାରନ୍ତା। ସରକାର ସୁଲଭ ମୂଲ୍ୟରେ ଜମି ପ୍ରଦାନ କଲେ ହୁଏତ କେତେକ ଘରୋଇ କଂପାନି ଏ ଦିଗରେ ଆଗ୍ରହୀ ହୁଅନ୍ତେ। ସେମିତି ମଧ୍ୟମ ଆୟକାରୀ ବର୍ଗଙ୍କ ଲାଗି ମଧ୍ୟ ସ୍ବତନ୍ତ୍ର ବୃଦ୍ଧାଶ୍ରମମାନ ଗଢ଼ା ଯାଇପାରନ୍ତା। ସେମିତି ନିଃସଂଗ, ଭିନ୍ନକ୍ଷମ, ପରିତ୍ୟକ୍ତ ଏବଂ ନିତାନ୍ତ ଅସହାୟ ବରିଷ୍ଠ ନାଗରିକମାନଙ୍କ ସକାଶେ ସ୍ବତନ୍ତ୍ର ବୃଦ୍ଧାଶ୍ରମ ଆଦିର ବ୍ୟବସ୍ଥା କରାଯାଇ ପାରନ୍ତା।

ବିମାନ ବନ୍ଦର ବା ରେଳ ଷ୍ଟେସନ ବା ବ୍ୟାଙ୍କ ଆଦିରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟର ରହିବା ନିହାତି ଆବଶ୍ୟକ। ସେମିତି ବସ୍‌, ଟ୍ରେନ୍‌ ବା ପାର୍କିଂ ଜାଗାରେ ବରିଷ୍ଠ ନାଗରିକଙ୍କ ଲାଗି ସ୍ବତନ୍ତ୍ର ଭାବେ ସ୍ଥାନ ଚିହ୍ନିତ ‌େହାଇ ରହିବା ଆବଶ୍ୟକ। ଏ ସବୁର ବ୍ୟବସ୍ଥା ହେଲେ ଆମ ସହରର ଏକ ସମ୍ବେଦନଶୀଳ ସହରରେ ପରିଣତ ହୋଇଛି ବୋଲି ବୁଝିବାକୁ ହେବ।

ଆଜିକାଲି ଗଳିକନ୍ଦିରେ ଛତୁ ଫୁଟିଲା ପରି ରେସ୍ତୋରାଁ ଓ ଡିସ୍‌କୋ ଆଦି ଖୋଲି ଯାଉଛି। ସେଠି ସଂଗୀତ ନାମରେ ବିକଟାଳ ଓ ଶ୍ରୁତିକଟୁ ଗୀତମାନ ବଜାଯାଉଛି। ଏଥିରେ ଯୁବକଯୁବତୀମାନେ ଉନ୍ମାଦଗ୍ରସ୍ତ, କିନ୍ତୁ ବରିଷ୍ଠ ନାଗରିକଙ୍କ ଲାଗି ଏହା ଯମ ଯନ୍ତ୍ରଣା ଠାରୁ କିଛି କମ୍‌ ନୁହେଁ। କିନ୍ତୁ ଏଥି ପ୍ରତି ଆମ ସହର କେବେ ଧ୍ୟାନ ଦେଇଛି କି? ସେମିତି ଆଉ ଗୋଟିଏ କଥା ହେଲା ପ୍ରଦୂଷଣ ମୁକ୍ତ ପରିବେଶ। ଚଣ୍ଡୀଗଡ଼ ପରି ସହରର ପ୍ରାୟ ଚାଳିଶ ଭାଗ ଉଦ୍ୟାନ, ଜଙ୍ଗଲ ତଥା ଜଳାଶୟ ଦ୍ୱାରା ଅଧିକୃତ। ଏକ ବିଶାଳ ସୁଖନା ହ୍ରଦ, ଶହେ ସରିକି ଉଦ୍ୟାନ ଇତ୍ୟାଦି ସହର ମଧ୍ୟରେ ରହି କଳକାରଖାନା ତଥା ବହୁତଳ ପ୍ରସାଦର ପ୍ରାଦୁର୍ଭାବକୁ ପ୍ରଶମିତ କରିଛନ୍ତି। ଆଜି ଚଣ୍ଡୀଗଡ଼ ସହର ସବୁଜତମ ରାଜଧାନୀର ଆଖ୍ୟା ପାଇଛି। ମହାବାତ୍ୟା ପରେ ଭୁବନେଶ୍ବର ତା’ର ସବୁଜ ବଳୟର ଅନେକ ଅଂଶ ହରାଇ ବସିଛି। ଏବେ ସମୟ ଆସିଛି ସହରର ସବୁଜିମା ହସି ଉଠିବା ପ୍ରାଥମିକତା ଲାଭ କରୁ।

ଆମ ସହରରେ ଅଧିକାଂଶ ବରିଷ୍ଠ ନାଗରିକ ଶୂନ୍ୟ ନୀଡ଼ରେ ଏକାକୀ ଅଥବା କେବଳ ବୃଦ୍ଧା ପତ୍ନୀଙ୍କ ସହ ବସବାସ କରୁଛନ୍ତି। ସହର ବାସିନ୍ଦାଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଦ୍ରୁତ ଗତିରେ ବୃଦ୍ଧି ହେଉଛି। ଏହି ପରିସ୍ଥିତିରେ ଏହି ସହରରେ ଜୀବନର ଅପରାହ୍‌ଣ ଦୁର୍ବିଷହ। ଏହାକୁ ସାମାନ୍ୟ ସହନୀୟ କରିବା ନିମନ୍ତେ କିଛି ପରିବର୍ତ୍ତନ ଅଣାଯିବା ଉଚିତ।

ମୋ: ୯୫୬୦୦୯୯୯୯୬