‘ପ୍ରବାସୀ’ ଶ୍ରମିକଙ୍କ ଘର ବାହୁଡ଼ାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତରେ ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା ଭଳି ଅନେକ ଘଟଣା ଦେଖିବାକୁ ମିଳିଥିଲା। ସେମାନଙ୍କ ପ୍ରତି ‘ଦାଦନ’ ଶବ୍ଦର ପ୍ରୟୋଗ ମଧ୍ୟ କରାଯାଇଥିଲା, ଯାହା କେତେ ଦୂର ସମୀଚୀନ ସେ ବିଷୟରେ ଏକ ଆଲୋଚନା ଜରୁରୀ।
ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଏବ˚ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ହିଁ ସର୍ବାଧିକ ଲୋକଙ୍କ ଲାଗି ନିଯୁକ୍ତିର ମାଧ୍ୟମ ହୋଇଥାଏ। କିନ୍ତୁ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଲୋକଙ୍କ କୃଷି କାର୍ଯ୍ୟରେ ଉପସ୍ଥିତି ସେହି କ୍ଷେତ୍ରକୁ ଚାପଗ୍ରସ୍ତ କରିଥିବାରୁ ଏହି ଉଦ୍ବୃତ୍ତ ମାନବ ସମ୍ବଳ କୃଷି କ୍ଷେତ୍ରରୁ ବାହାରି ଅନ୍ୟ କ୍ଷେତ୍ରରେ ନିଯୁକ୍ତ ହୁଅନ୍ତୁ ବୋଲି ବିଶେଷଜ୍ଞମାନେ ଜୋର ଦେଇଥାନ୍ତି। ତେବେ ଏମାନଙ୍କୁ ଅନ୍ୟ କୌଣସି କ୍ଷେତ୍ରରେ ନିଯୁକ୍ତି ଦେବା ଲାଗି ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇ ନ ଥିବାରୁ ବାଧ୍ୟ ହୋଇ ବର୍ଷ ବର୍ଷ ଧରି ଏଠାରୁ ଲକ୍ଷ ଲକ୍ଷ ସ˚ଖ୍ୟାରେ ଶ୍ରମିକ ରୋଜଗାର ସନ୍ଧାନରେ ବାହାର ରାଜ୍ୟକୁ ଯିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଏମାନଙ୍କ ସ˚ଖ୍ୟା ଠିକ ଭାବେ ଜଣା ନ ଥିଲେ ମଧ୍ୟ ସରକାରୀ ଆକଳନ ଅନୁସାରେ ତାହା ପ୍ରାୟ ୧୨ ଲକ୍ଷ ବୋଲି କୁହାଯାଉଥିବା ବେଳେ ବେସରକାରୀ ଆକଳନରେ ତାହା ପ୍ରାୟ ୨୦ ଲକ୍ଷରୁ ଅଧିକ ବୋଲି କୁହାଯାଉଛି। ଏହି ଶ୍ରମିକମାନେ ସେମାନଙ୍କ ରୋଜଗାରରୁ ଓଡ଼ିଶାର ଗାଁମାନଙ୍କରେ ରହୁଥିବା ସେମାନଙ୍କ ପରିବାର ନିକଟକୁ ଟଙ୍କା ପଠାଇଥାନ୍ତି। ସେମାନଙ୍କ ଦ୍ବାରା ପ୍ରେରିତ ଅର୍ଥର ପରିମାଣ ସମ୍ପର୍କରେ ଠିକ ତଥ୍ୟ ଉପଲବ୍ଧ ନଥିଲେ ବି କେବଳ ଗଂଜାମ ଜିଲ୍ଲାର ପ୍ରବାସୀ ଶ୍ରମିକମାନେ ପ୍ରତି ମାସ ହାରାହାରି ୨୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଉଥିବା କଥା ହିସାବ କରାଯାଏ ା ଏହି ଅର୍ଥ ସେମାନଙ୍କ ପରିବାରର ଆର୍ଥିକ ସ୍ବଚ୍ଛଳତାରେ ସହାୟକ ହେବା ସହ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବାରେ ମଧ୍ୟ ପରୋକ୍ଷରେ ସହାୟକ ହୋଇଛି। ଏହି ଅର୍ଥ ଗ୍ରାମା˚ଚଳର ବିଭିନ୍ନ କ୍ଷେତ୍ରରେ ବିଶେଷ କରି କୃଷି କ୍ଷେତ୍ରରେ ପୁଂଜି ନିର୍ମାଣରେ ସହାୟକ ହୋଇଛି। ସେହି ଟଙ୍କାରେ ଗାଁମାନଙ୍କରେ ବାସଗୃହ ତିଆରି ହୋଇ ଏଠାକାର ନିର୍ମାଣ ଶ୍ରମିକଙ୍କୁ କାମ ଦେଇଛି। ସେମାନଙ୍କ ଭିତରୁ ଅନେକଙ୍କ ପରିବାର ଆଉ ସରକାରୀ ଆବାସ ପାଇଁ ଚାପ ସୃଷ୍ଟି କରୁ ନଥିବାରୁ ତାହା ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇ ପାରୁଛି। ଏଭଳି ସେମାନଙ୍କର ଅବଦାନ ଅନେକ।
ଓଡ଼ିଆରେ ‘ଦାଦନ’ ଶବ୍ଦର ଅର୍ଥ ବଇନା। ଭବିଷ୍ୟତରେ ଚାଷ କାମ କରିବାକୁ ମୂଲିଆମାନଙ୍କୁ ହାତରେ ରଖିବା ପାଇଁ ଆଗତୁରା ଅର୍ଥ ବା ଶସ୍ୟ ଦେବାର ପ୍ରଥା ଏଠାରେ ପ୍ରଚଳିତ, ଯାହାକୁ ‘ଦାଦନ ଦେବା’ କୁହାଯାଏ। ଦେଶାନ୍ତରୀ ହୋଇ କେହି କାମ କରିବାକୁ ବାହାରକୁ ଯାଉଥିଲେ ତାକୁ ଏବେ ଯେପରି ‘ଦାଦନ’ର ଆଖ୍ୟା ଦିଆଯାଉଛି, ତାହା ଭ୍ରମାତ୍ମକ। କାରଣ କୌଣସି ଅଗ୍ରିମ ଅର୍ଥ ନ ରଖି ମଧ୍ୟ ଅସଂଖ୍ୟ ଶ୍ରମିକ ରୋଜଗାର ଲାଗି ସ୍ଥାନାନ୍ତରିତ ହୋଇଥାଆନ୍ତି।
ତେବେ ପୂର୍ବେ ଆମ ରାଜ୍ୟରେ ଏଭଳି ପ୍ରଥା ପ୍ରଚଳିତ ନ ଥିଲା। ବସ୍ତୁତଃ, ଅତୀତରେ ଓଡ଼ିଶାର ଲୋକେ ଆର୍ଥିକ ସ୍ବଚ୍ଛଳତା ଲାଗି ବେପାର ବଣିଜ ପାଇଁ ଦେଶାନ୍ତରୀ ହେଉଥିଲେ। ଶ୍ରମିକ ଭାବେ ବିଶେଷ କେହି ବାହାରକୁ ଯିବା ପରିଲକ୍ଷିତ ହେଉ ନଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ପ୍ରାଣ ବିକଳରେ ବହୁ ସ˚ଖ୍ୟାରେ ମାଲୁଙ୍ଘ (ମଲାଙ୍ଗି) ଦେଶାନ୍ତରୀ ହୋଇଥିବାର ସୂଚନା ଥିଲେ ବି ସେତେବେଳେ ମଧ୍ୟ ଦାଦନ ଶ୍ରମିକ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଦାସତ୍ବ ପ୍ରଥା ଉଠିଯିବା ପରେ ବ୍ରିଟିସ ଶାସନ କାଳରେ ଚା’ ବଗିଚା, ରେଳବାଇ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଚୁକ୍ତିବଦ୍ଧ ଶ୍ରମ (ଇନ୍ଡେ˚ଚରଡ ଲେବର) ପ୍ରଥା ମାଧ୍ୟମରେ ଓଡ଼ିଶାର ମାଳ ଅ˚ଚଳଗୁଡ଼ିକରୁ ବହୁ ସ˚ଖ୍ୟାରେ ଆଦିବାସୀଙ୍କୁ ରାଜ୍ୟ ବାହାରକୁ ପଠା ଯାଇଥିଲା। ବ୍ରହ୍ମଦେଶ ଭାରତରୁ ଅଲଗା ହେବା ପରେ ରେଙ୍ଗୁନରେ କାମ କରୁଥିବା ଓଡ଼ିଆ ଲୋକେ ସେଠାରୁ ଫେରି ସୁରତ ଯାଇଥିଲେ ମଧ୍ୟ ସେମାନେ ଦାଦନ ଶ୍ରମିକ ଭାବେ ଯାଇ ନ ଥିଲେ। ବ୍ରିଟିସ ଶାସନ କାଳର ଶେଷ ପର୍ଯ୍ୟନ୍ତ ଦାଦନ ପ୍ରଥା ମୁଣ୍ତ ଟେକି ନଥିଲା। ଦେଶ ସ୍ବାଧୀନତା ପରେ କିଛି ସର୍ଦ୍ଦାର (ଲେବର କ˚ଟ୍ରାକ୍ଟର)ଙ୍କର ଆବିର୍ଭାବ ଘଟି ଗାଁ ଗଣ୍ତାରେ ଦାଦନ ପ୍ରଥାର ଆରମ୍ଭ ହେଲା। ଏହି ଶ୍ରମିକମାନେ ମୁଖ୍ୟତଃ ରାସ୍ତାଘାଟଠାରୁ ଆରମ୍ଭ କରି ସୁଡଙ୍ଗ ଖୋଳା ଭଳି ବିପଦସଙ୍କୁଳ ନିର୍ମାଣ କାର୍ଯ୍ୟଗୁଡ଼ିକରେ ନିୟୋଜିତ ହେବାକୁ ଲାଗିଲେ। କୁହାଯାଏ, କାଶ୍ମୀରଠାରୁ ଉତ୍ତର-ପୂର୍ବା˚ଚଳର ପ୍ରାୟ ଅଧିକା˚ଶ ସୁଡଙ୍ଗ ତିଆରିରେ ଏହି ଓଡ଼ିଆ ଦାଦନ ଶ୍ରମିକମାନଙ୍କ ଅବଦାନ ରହିଛି।
ତେବେ, ବାହାର ରାଜ୍ୟରେ ଏହି ଦାଦନ ଶ୍ରମିକମାନଙ୍କ ଦୁଃଖ ଓ ଶୋଷଣର କରୁଣ କାହାଣୀମାନ ନିୟମିତ ଶୁଣିବାକୁ ମିଳିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉପକୂଳ ଜିଲ୍ଲାମାନଙ୍କରୁ ଆରମ୍ଭ ହୋଇଥିବା ଏହି ଦାଦନ ଶ୍ରମିକ ପ୍ରଥା ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ତି ଓ ଅନ୍ୟାନ୍ୟ ଜିଲ୍ଲାକୁ ମଧ୍ୟ ପରିବ୍ୟାପ୍ତ ହୋଇ ଉତ୍କଟ ରୂପ ଧାରଣ କଲା। ଏହି ଦାଦନ ଶ୍ରମିକମାନେ ମୁଖ୍ୟତଃ ଅଣକୁଶଳୀ ହୋଇଥିବାରୁ ଘରୋଇ କାର୍ଯ୍ୟ, ଇଟାଭାଟି ଓ ନିର୍ମାଣ କାର୍ଯ୍ୟ ଭଳି ଅଣସ˚ଗଠିତ କ୍ଷେତ୍ରରେ ସ୍ବଳ୍ପ ମଜୁରିରେ ନିୟୋଜିତ ହୋଇ ବିଭିନ୍ନ ଭାବେ ଶୋଷଣର ଶିକାର ହୋଇଥାନ୍ତି। କିନ୍ତୁ ଏମାନଙ୍କ ବ୍ୟତୀତ ବାହାର ରାଜ୍ୟରେ ନିୟୋଜିତ ଅସଂଖ୍ୟ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଦାଦନ ଶ୍ରମିକ ପର୍ଯ୍ୟାୟବାଚୀ ନୁହନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କ ଆର୍ଥିକ ଅବସ୍ଥା ବେଶ ସ୍ବଚ୍ଛଳ। ସୁରତ ସହରରେ ସୂତା କଳରେ କାମ କରୁଥିବା କଲର ମାଷ୍ଟର ହୁଅନ୍ତୁ ବା ହୀରା ଶିଳ୍ପରେ ନିୟୋଜିତ କଟି˚ ମାଷ୍ଟର, ପଲିସ ମାଷ୍ଟର ହୁଅନ୍ତୁ, ସେମାନେ ନିଜ ଦକ୍ଷତାକୁ ଏଭଳି ପ୍ରତିପାଦନ କରି ପାରିଛନ୍ତି ଯେ ପ୍ରତ୍ୟେକେ ମାସିକ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସମର୍ଥ ହେବା ସହ ସେମାନଙ୍କ ଅଧୀନରେ ହଜାର ହଜାର ଶ୍ରମିକ କାମ କରୁଛନ୍ତି। ସେହିପରି ଦେଶର ଛୋଟ ବଡ଼ ସବୁ ସହରରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ପାଣି ମିସ୍ତ୍ରିଙ୍କଠାରୁ ଆରମ୍ଭ କରି ହୋଟେଲ ଶିଳ୍ପ ଭଳି ଅନେକ କ୍ଷେତ୍ରରେ କାମ କରୁଥିବା କୁଶଳୀ ଓ ଅର୍ଧକୁଶଳୀ ଶ୍ରମିକମାନେ ବେଶ ଦି ପଇସା ଭଲ ରୋଜଗାର କରି ପାରୁଛନ୍ତି। ସେହିପରି ୨୦୧୭ରେ ଭାରତରୁ ଯାଇ ବିଭିନ୍ନ ଦେଶରେ କାମ କରୁଥିବା ପ୍ରାୟ ୮୧ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୨% ବା ୧.୬୦ ଲକ୍ଷ ଓଡ଼ିଶାର, ଯେଉଁମାନେ ମୋଟା ଅଙ୍କ ରୋଜଗାର କରିବା ସହିତ ଓଡ଼ିଶାରେ ଥିବା ସେମାନଙ୍କ ପରିବାର ନିକଟକୁ ଅର୍ଥ ପ୍ରେରଣ କରିଥାନ୍ତି। ଓଡ଼ିଶା ନିର୍ମାଣରେ ଏହି ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଅବଦାନ କୌଣସି ମତେ ଓଡ଼ିଶାରେ ରହୁଥିବା ଲୋକଙ୍କଠାରୁ ନ୍ୟୂନ ବୋଲି ମନେ ହୁଏ ନାହିଁ।
ଏକ ଆକଳନ ଅନୁସାରେ ଭାରତର ପ୍ରାୟ ୧୨ କୋଟି ଏଭଳି ଶ୍ରମିକ ଅଛନ୍ତି ଯେଉଁମାନେ ନିଜ ରାଜ୍ୟ ବାହାରେ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକା˚ଶ ଅଣସ˚ଗଠିତ କ୍ଷେତ୍ରରେ କାମ କରୁଥିବା ବେଳେ ପ୍ରାୟ ୪ କୋଟି ବା ଏକ-ତୃତୀୟା˚ଶ ନିର୍ମାଣ ଶ୍ରମିକ ରୂପେ, ୨ କୋଟି ଘରୋଇ ସହାୟକ ଭାବେ ଓ ୨ କୋଟି ପରିବହନ ଶିଳ୍ପରେ ନିୟୋଜିତ। ଓଡ଼ିଶାର ଏଭଳି ଶ୍ରମିକଙ୍କ ମଧ୍ୟରୁ କିଛି ସ˚ଖ୍ୟକ ଶିକ୍ଷିତ ଓ ସ୍ଥଳ ବିଶେଷରେ କୁଶଳୀ ହୋଇଥିବାରୁ ସେମାନେ ଅନ୍ୟ କେତେକ କାମ କରିବା ପାଇଁ ନିଯୁକ୍ତି ଯୋଗ୍ୟ ହୋଇ ପାରୁଛନ୍ତି।
କେରଳ ରାଜ୍ୟର ଅର୍ଥନୀତି ଦେଶ ଓ ଦେଶ ବାହାରେ ରହୁଥିବା ପ୍ରବାସୀ କେରଳୀ ଶ୍ରମିକଙ୍କ ପ୍ରେରିତ ଅର୍ଥ ଉପରେ ନିର୍ଭରଶୀଳ ବୋଲି କୁହାଯାଇଥାଏ। ଓଡ଼ିଶାର ଶ୍ରମବଳ ରୂପୀ ମାନବ ସମ୍ବଳକୁ ରାଜ୍ୟର ସବୁଠାରୁ ବଡ଼ ସମ୍ପଦ ବୋଲି ମନେ କରି କାର୍ଯ୍ୟ କରିବା ଆରମ୍ଭ କଲେ ଓଡ଼ିଶାର ଅର୍ଥନୀତି ବି ଅଧିକ ଗତିଶୀଳ ହୋଇପାରିବ। ଏଥିପାଇଁ ଶ୍ରମର ଗରିମାକୁ ଧ୍ୟାନରେ ରଖି ପ୍ରତିଟି କାର୍ଯ୍ୟ ଓ ବୃତ୍ତି ପ୍ରତି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନ ପ୍ରଦର୍ଶନ କରାଯିବା ହେବ ପ୍ରଥମ ଆବଶ୍ୟକତା।
ଇତିମଧ୍ୟରେ ‘ଦାଦନ’ ଶବ୍ଦଟି ଏକ ତାଚ୍ଛଲ୍ୟମୂଳକ ଶବ୍ଦରେ ପରିଣତ ହୋଇ ସାରିଥିବାରୁ ଏହି ପରିପ୍ରେକ୍ଷୀରେ ଅନୁରୋଧ ଯେ ସର୍ବତ୍ର, ଏପରିକି ଗଣମାଧ୍ୟମରେ, ଦାନନ ଶ୍ରମିକ ଭଳି ଅଭିବ୍ୟକ୍ତିର ପ୍ରୟୋଗ କରା ନ ଯାଉ। ଏପରିକି ‘ପ୍ରବାସୀ’ ଶବ୍ଦର ବ୍ୟବହାର ମଧ୍ୟ ଅଯଥାର୍ଥ। ଆମ ସମ୍ବିଧାନ ସମସ୍ତଙ୍କୁ ଦେଶର ଯେ କୌଣସି ପ୍ରାନ୍ତରେ ଅବାଧରେ କାମ କରିବାର ସ୍ବାଧୀନତା ଦେଇଛି। ଯଦି ବେଙ୍ଗାଲୁରୁରେ କାମ କରୁଥିବା ଓଡ଼ିଆ ଇଂଜିନିଅର ପ୍ରବାସୀ ଇଂଜିନିଅର ବୋଲି ସମ୍ବୋଧିତ ନ ହେବ, ତେବେ ଶ୍ରମିକକୁ କାହିଁକି ‘ପ୍ରବାସୀ’ ବିଶେଷଣ ଦିଆଯିବ?
ଭୁବନେଶ୍ବର
ମୋ-୯୪୩୭୦୩୮୦୧୫
www.saraljatil.com