ଟାଟା କନ୍ସଲଟାନ୍ସି ସର୍ଭିସେସ (ଟିସିଏସ୍) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସର୍ବାଧିକ ମହିଳାଙ୍କୁ ନିଯୁକ୍ତି ଦେଇଥିବା କଥା ଗର୍ବର ସହ ପ୍ରକାଶ କରିଥାଏ। ତାହାର ୬ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୩୫% ହେଉଛନ୍ତି ମହିଳା। ଏହା ମଧ୍ୟ ସଚେତନତାପୂର୍ବକ ମହିଳାଙ୍କୁ ନେତୃ ସ୍ଥାନୀୟ ପଦରେ ଆସୀନ ହେବା ଲାଗି ପ୍ରୋତ୍ସାହିତ କରୁଛି। ଏହାର ବ୍ୟବସାୟ ବିକାଶ ଓ ବିତରଣ ପରିଚାଳକଙ୍କ ଭିତରୁ ପ୍ରାୟ ୩୦% ହେଉଛନ୍ତି ମହିଳା। ମାତ୍ର ଶିଳ୍ପ କ୍ଷେତ୍ରରେ ଏହା ଏକ ସ୍ବାଭାବିକ ଦୃଶ୍ୟ ନୁହେଁ।
ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍ଡିପି)ର ଏକ ଅନୁଧ୍ୟାନ ଅନୁସାରେ, ଭାରତର ଶିଳ୍ପ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୨୦୧୬ରେ ୩୨% ଥିଲା ବେଳେ ୨୦୧୮ରେ ତାହା ୨୩%କୁ ଖସି ଆସିଥିଲା। ତେବେ ୨୦୧୯ରେ ତାହା ୨୫%କୁ ବୃଦ୍ଧି ପାଇଥିଲା, ଯାହା ତଥାପି ୨୦୧୬ ସଂଖ୍ୟାର ୭% ତଳେ ରହିଥିଲା। ଏହା ପ୍ରାୟତଃ ପାକିସ୍ତାନ ଓ ଆରବ ଦେଶଗୁଡ଼ିକ ସହ ସମାନ, ଯେଉଁଠି ମହିଳାଙ୍କ ଶିକ୍ଷା ଓ ନିଯୁକ୍ତିକୁ ରୂଢ଼ିବାଦର ଉଚ୍ଚ ପ୍ରାଚୀର ଅବରୋଧ କରିଥାଏ। ଅପର ପକ୍ଷେ, ବାଂଲାଦେଶର କାର୍ଯ୍ୟସ୍ଥଳମାନଙ୍କରେ ମହିଳାଙ୍କ ଭାଗ ୫୭ ପ୍ରତିଶତ ଏବଂ ଚୀନ୍ରେ ତାହା ୬୪ ପ୍ରତିଶତ। ସୁତରାଂ, ଭାରତୀୟ ଶିଳ୍ପକ୍ଷେତ୍ର ନିଯୁକ୍ତିରେ ମହିଳାମାନେ ଯଥେଷ୍ଟ ପଛରେ ରହିଛନ୍ତି। ଏପରି କାହିଁକି?
ପ୍ରଥମତଃ, ଉତ୍ପାଦନ, ଖଣି, ତୈଳ, ଗ୍ୟାସ୍, ନିର୍ମାଣ ଓ ଯାନ୍ତ୍ରିକ କ୍ଷେତ୍ରରେ ଖୁବ୍ କମ୍ ମହିଳା ନିଯୁକ୍ତ ହୋଇଥା’ନ୍ତି। ଏହି କ୍ଷେତ୍ରମାନଙ୍କରେ ନିଯୁକ୍ତିଦାତାଙ୍କ ପାରମ୍ପରିକ ଚିନ୍ତାଧାରା ହେଉଛି ଯେ, ଏଭଳି କାର୍ଯ୍ୟ ଲୋଡୁଥିବା ଶାରୀରିକ ସାମର୍ଥ୍ୟ ମହିଳାମାନଙ୍କ ଠାରେ ମିଳିବା କଷ୍ଟକର। ଏହାର ଅର୍ଥ ହେଉଛି, ଶିଳ୍ପ ପରି ଏକ ବିସ୍ତୃତ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ନିଯୁକ୍ତି ବନ୍ଦ ଅଛି। ସ୍ବିଜରଲାଣ୍ଡର ଶକ୍ତି ଉତ୍ପାଦନ କମ୍ପାନି ‘ଏବିବି’ର ଭାରତୀୟ ଶାଖାର ଶ୍ରମ ବଳରେ ମାତ୍ର ୯% ମହିଳା ଥିଲେ (୨୦୧୮ ମସିହା)।
ଦ୍ବିତୀୟରେ, ଭାରତୀୟ ବ୍ୟବସାୟରେ ସମାବେଶୀ ଅଭିବୃଦ୍ଧି ପାଇଁ ନିଷ୍ଠାର ଅଭାବ ରହିଛି। ଉଦ୍ୟୋଗଗୁଡ଼ିକର ଦୃଷ୍ଟିକୋଣ କେବଳ ନିଜ ଅଭିବୃଦ୍ଧିରେ ସୀମିତ। ଉନ୍ନତ ସାଂସ୍କୃତିକ ବୁନିଆଦି, ଶିକ୍ଷା, ସହରୀ ଚାଲିଚଳନ ଓ ଭାଷା ଦକ୍ଷତା ଥିବା ଉଚ୍ଚ ବା ସଂଭ୍ରାନ୍ତ ବର୍ଗର ପୁରୁଷମାନେ ଯଦି ସେମାନଙ୍କ ବ୍ୟବସାୟ ପାଇଁ ନିଜକୁ ଯଥେଷ୍ଟ ବୋଲି ଭାବିବେ, ତେବେ, ସେମାନେ କାହିଁକି ନିଜ ବର୍ଗ ବା ବଞ୍ଚିତ ବର୍ଗର ପୁରୁଷ ଓ ମହିଳାଙ୍କୁ ଖୋଜିବାକୁ ଯିବେ? ତାହା ହିଁ ପ୍ରଚଳିତ ମାନସିକତା।
କହିବା ବାହୁଲ୍ୟ ଯେ ଏହା ଏକ ସଂକୀର୍ଣ୍ଣ ମାନସିକତା। ଉଭୟ ମହିଳା ଓ ତଳ ଜାତି ଐତିହାସିକ ଭାବରେ ଅବହେଳିତ ହୋଇ ରହିଛନ୍ତି। ଦେଶର ଲକ୍ଷ୍ୟ ହେଉଛି ସାମାଜିକ ଓ ଲିଙ୍ଗଗତ ସାମ୍ୟ ସ୍ଥାପନ କରିବା। ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ସରକାର, ରାଜନୈତିକ ଦଳ, ନ୍ୟାୟପାଳିକା, ସାମାଜିକ ସଂସ୍କାରମୁଖୀ ଆନ୍ଦୋଳନ, ଏନ୍.ଜି.ଓ., ଗଣମାଧ୍ୟମ ଏବଂ ସଂସ୍କାରବାଦୀ ନାଗରିକ କାର୍ଯ୍ୟ ଓ ଉଦ୍ୟମ କରୁଛନ୍ତି। ଶିଳ୍ପ କ୍ଷେତ୍ର ଏହି ସାମୂହିକ ପ୍ରୟାସରେ ସାମିଲ ହେବା ଉଚିତ। ସେମାନେ ମହିଳା ଓ ତଳ ଜାତିର ବିକାଶକୁ ନିଜ ଔଦ୍ୟୋଗିକ ବିକାଶର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ଆବଶ୍ୟକ। କହିବା ବାହୁଲ୍ୟ ଯେ ଭେଦଭାବ ବିହୀନ ସମାଜ ଶାନ୍ତିପୂର୍ଣ୍ଣ, ସୁଖୀ ଓ ସ୍ଥିର ହୋଇଥାଏ। ଏପରି ଏକ ସମାଜର ପ୍ରତିଷ୍ଠା ସମସ୍ତଙ୍କ ସ୍ବାର୍ଥ ଅନୁକୂଳ ହୋଇଥାଏ। ଏହା ଏକ ଦୀର୍ଘମିଆଦୀ ଦୃଷ୍ଟିକୋଣ।
ତୃତୀୟତଃ, ବ୍ୟବସାୟ କ୍ଷେତ୍ରରେ ପରିଚାଳନା ଦାୟିତ୍ବ ଉଚ୍ଚ ଜାତିର ଲୋକଙ୍କ ହାତରେ ଅଛି। ୨୦୧୮ରେ ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ଧାରଣକ୍ଷମ ବିକାଶ କେନ୍ଦ୍ର ଦ୍ବାରା ପ୍ରକାଶିତ ‘କର୍ମଶୀଳ ଭାରତର ସ୍ଥିତି’ ରିପୋର୍ଟ ଅନୁଯାୟୀ ଅଧିକାଂଶ ପେସାଦାର ଓ ବରିଷ୍ଠ ପରିଚାଳକ ହେଉଛନ୍ତି ଉଚ୍ଚ ଜାତିର। ନିମ୍ନ ପାହ୍ୟାର ଅଧିକାଂଶ କର୍ମଚାରୀ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଏକାଧିକ ଅଧ୍ୟୟନ ଅନୁଯାୟୀ ମହିଳାମାନଙ୍କୁ ମଧ୍ୟ ନେତୃତ୍ବ ପ୍ରଦାନରେ ପ୍ରାଥମିକତା ଦିଆଯାଏ ନାହିଁ। ଏଭଳି ସ୍ଥିତିକୁ କଦାପି ସମାବେଶୀ ଅଭିବୃଦ୍ଧି ବୋଲି କୁହାଯାଇପାରିବ ନାହିଁ।
ତେଣୁ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଯେଉଁ ପ୍ରଥମ ପଦକ୍ଷେପ ନେବା ଉଚିତ, ତାହା ହେଲା ନିଯୁକ୍ତି ନୀତିର ପୁନର୍ବିନ୍ୟାସ। ଦେଶର ଉଦ୍ଦେଶ୍ୟ ଯାହା, ସେମାନଙ୍କ ନୀତିର ଉଦ୍ଦେଶ୍ୟ ସେଇଆ ହେବା ବାଞ୍ଛନୀୟ ଏବଂ ତାହା ହେଉଛି: ସାମାଜିକ ନ୍ୟାୟ ସହିତ ଅଭିବୃଦ୍ଧି। ନିଯୁକ୍ତି ପ୍ରଦାନ ସମୟରେ ସଂସ୍ଥାଗୁଡ଼ିକ ସର୍ବଦା ପଚାରିଥାନ୍ତି: ଏହା ‘ବ୍ୟବସାୟ ଅଭିବୃଦ୍ଧି’କୁ ଆଗେଇନେବ କି? ସେମାନେ ଏବେ ଦ୍ବିତୀୟ ପ୍ରଶ୍ନ ପଚାରିବା ଆବଶ୍ୟକ: ଏହା ସାମାଜିକ ନ୍ୟାୟକୁ ପ୍ରୋତ୍ସାହନ ଦେବ କି? ଆମେ ଏଠାରେ ଆରକ୍ଷଣ ପାଇଁ ସୁପାରିସ କରୁନାହୁଁ। ଆମେ କେବଳ ସାମାଜିକ ନ୍ୟାୟର ଉଦ୍ଦେଶ୍ୟ ସହିତ ବ୍ୟବସାୟ ଅଭିବୃଦ୍ଧିର ଉଦ୍ଦେଶ୍ୟକୁ ସନ୍ତୁଳିତ କରିବାକୁ ଚାହୁଁଛୁ। ଏହାକୁ ଏଡ଼ାଇ ଯିବା ମଧ୍ୟ ଅସମ୍ଭବ, କାରଣ ଏହା ଉଭୟ ଦେଶ ଓ ଔଦ୍ୟୋଗିକ ସଂସ୍ଥାର ହିତ ପାଇଁ ଉଦ୍ଦିଷ୍ଟ।
ନିଯୁକ୍ତି ନୀତିର ମୂଳ ନୈତିକତା ଏପରି ହେବା ଦରକାର ଯେମିତି ଚୟନ ଟିମ୍ରେ ଥିବା ମ୍ୟାନେଜର୍ମାନେ ସମସ୍ତ ପ୍ରକାର ଭେଦଭାବରୁ ଊର୍ଦ୍ଧ୍ବରେ ରହିଥିବେ। ବ୍ୟାବସାୟିକ ସଂସ୍ଥାଗୁଡ଼ିକ ସେମାନଙ୍କ ମ୍ୟାନେଜର୍ମାନଙ୍କ ମନକୁ ପକ୍ଷପାତିତା ଓ ପୁରୁଷପ୍ରାଧାନ୍ୟ ମାନସିକତାରୁ ମୁକ୍ତ ରଖିବା ଦରକାର। କୁସଂସ୍କାରମୁକ୍ତ ‘ଲିଡର’ ଭାବରେ ସେମାନେ ସାମାଜିକ ନ୍ୟାୟ ପ୍ରଦାନ ସହିତ ଅଭିବୃଦ୍ଧି ପଥରେ ବ୍ୟବସାୟଟିକୁ ଆଗେଇ ନେବା ଲାଗି ନିୟମିତ ସଚେତନତା ମୂଳକ ବୈଠକ ଆୟୋଜନ କରିବା ଦରକାର। କମ୍ପାନିର ପୁରୁଷ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ନିୟମିତ ଭାବେ ସଚେତନତା ମୂଳକ ବୈଠକ ଆଦିର ଆୟୋଜନ କରାଯିବା ଦରକାର, ଯଦ୍ଦ୍ବାରା ମହିଳା ଓ ତଳ ଜାତିର କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ସ୍ଥଳରେ ଏକ ଅତିଥିପରାୟଣ ତଥା ବନ୍ଧୁଭାବାସଂପନ୍ନ ପରିବେଶ ପାଇବେ। କାର୍ଯ୍ୟ କ୍ଷେତ୍ରରେ ପକ୍ଷପାତିତାର ପ୍ରାଚୀରକୁ ହଟାଇବା ସହ ଏକ ଅନ୍ତର୍ଭୁକ୍ତୀ ସଂସ୍କୃତିର ନିର୍ମାଣ ଲାଗି ନିୟମିତ ଭାବରେ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଆଦିର ଆୟୋଜନ ପାଇଁ ମଞ୍ଚ ଗଠିତ ହେବା ଉଚିତ। ଯେତେବେଳେ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ଏକ ସମାବେଶୀ ସଂସ୍କୃତିକୁ ଆପଣେଇବେ, ନିଜ ପରିବାର ଓ ସମାଜରେ ମଧ୍ୟ ଅନୁରୂପ ସଂସ୍କୃତିର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେଇ ପାରିବେ।
ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଦ୍ବିତୀୟ ଆବଶ୍ୟକ ପଦକ୍ଷେପଟି ହେଲା ଅବହେଳିତ ବର୍ଗର କର୍ମଚାରୀମାନଙ୍କୁ ମଧ୍ୟ ନେତୃତ୍ବ ପ୍ରଦାନର ଏକ ଅଂଶରେ ପରିଣତ କରିବା। ଏକ ଭୁଲ୍ ଧାରଣା ରହି ଆସିଛି ଯେ, ମହିଳା ଓ ତଳ ଜାତିର ବ୍ୟକ୍ତିମାନଙ୍କ ପାଖରେ ନେତୃତ୍ବ ନେବାର ଦକ୍ଷତାର ଅଭାବ ଥାଏ। ମାତ୍ର, ବାସ୍ତବତା ହେଉଛି, ଉଚ୍ଚ ଜାତିର ପୁରୁଷ କର୍ମଚାରୀଙ୍କ ତୁଳନାରେ ସେମାନେ ଅଧିକ ଆହ୍ବାନପୂର୍ଣ୍ଣ ପରିବେଶରେ ବଢ଼ିଥାଆନ୍ତି। ସୁତରାଂ ସେମାନେ ସମସ୍ୟା ସମାଧାନରେ ନିଜସ୍ବ ସର୍ଜନାଶୀଳତା ତଥା ବ୍ୟାବହାରିକ କୌଶଳର ବିକାଶ କରିଥା’ନ୍ତି।
ବ୍ୟାବସାୟିକ ସଂସ୍ଥାଗୁଡ଼ିକଠାରୁ ଆଶା କରାଯାଉଥିବା ତୃତୀୟ ପଦକ୍ଷେପଟି ହେଲା ଶୀର୍ଷ ସ୍ତରରେ ବିବିଧତାକୁ ପ୍ରୋତ୍ସାହନ ଦେବା। ଯଦି ଅବହେଳିତ ବର୍ଗର ବ୍ୟକ୍ତିଙ୍କୁ ଏପରି ପଦରେ ରଖାଯାଏ, ଯେଉଁଠାରେ ସେମାନେ କମ୍ପାନି ନୀତି ଉପରେ ପ୍ରଭାବ ପକାଇପାରିବେ, ତେବେ ସଂସ୍ଥାଗୁଡ଼ିକ ନ୍ୟାୟସଂଗତ ସମାଜ ଗଠନ ରାସ୍ତାରେ ଗତିଶୀଳ ହୋଇପାରିବେ। କମ୍ପାନିଜ୍ ଆକ୍ଟ- ୨୦୧୩ରେ ସମସ୍ତ ‘ପବ୍ଲିକ୍’ ତାଲିକାଭୁକ୍ତ କଂପାନିଗୁଡ଼ିକ ପାଇଁ ଅତି କମ୍ରେ ଜଣେ ମହିଳା ନିର୍ଦ୍ଦେଶକ ରଖିବା ବାଧ୍ୟତାମୂଳକ କରାଯାଇଛି। ତେବେ ମିଳିଥିବା ସୂଚନାନୁଯାୟୀ, ଏ ଯାଏ ଦୁଇ-ତୃତୀୟାଂଶରୁ ଅଧିକ କମ୍ପାନି ମହିଳା ନିର୍ଦ୍ଦେଶକ ନିଯୁକ୍ତ କରିନାହାନ୍ତି। ଏପରିକି ଯେଉଁଠି ମହିଳାମାନଙ୍କୁ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି, ସେମାନଙ୍କୁ ପ୍ରମୁଖ ବୋର୍ଡ କମିଟିଗୁଡ଼ିକରେ ରଖାଯାଇନାହିଁ। ଏହିପରି ଭାବରେ କମ୍ପାନି ପରିଚାଳନାରେ ମହିଳାମାନଙ୍କୁ କୌଣସି ପ୍ରଭାବଶାଳୀ ଭୂମିକା ଦିଆଯାଇନାହିଁ।
୨୦୦୦ ମସିହାର ପ୍ରାରମ୍ଭ ବେଳକୁ ଯେତେବେଳେ ବେସରକାରୀ ଚାକିରି କ୍ଷେତ୍ରରେ ଆରକ୍ଷଣ ଲାଗୁ କରିବା ପାଇଁ ଦାବି ବଢ଼ିବାକୁ ଲାଗିଲା, ସେତେବେଳେ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ‘ସକାରାତ୍ମକ ଭେଦଭାବ’ର ଏକ ସ୍ବେଚ୍ଛାକୃତ ନୀତିର ପ୍ରସ୍ତାବ ଦେଇଥିଲା। ‘ସିଆଇଆଇ’ ତାହାର ସଦସ୍ୟମାନଙ୍କ ପାଇଁ ଚାରିଟି ଏଜେଣ୍ଡା ସ୍ଥିର କରିଥିଲା। ସେଗୁଡ଼ିକ ହେଲା: ଶିକ୍ଷା, ରୋଜଗାରକ୍ଷମତା, ନିଯୁକ୍ତି ଓ ଉଦ୍ୟମିତା। ସେମାନେ ସାମାଜିକ ଅନଗ୍ରସର ବର୍ଗର ଯୁବକଯୁବତୀମାନଙ୍କ ଶିକ୍ଷା ଓ ଦକ୍ଷତା ପାଇଁ ପାଣ୍ଠି ଆବଣ୍ଟନ କରିବେ ବୋଲି କହିଥିଲେ। କିନ୍ତୁ ଏହି ଏଜେଣ୍ଡାଗୁଡ଼ିକ କେବଳ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ବର ଏକ ସଂପ୍ରସାରଣ ବୋଲି ପ୍ରମାଣିତ ହୋଇଛି। କମ୍ପାନିଗୁଡ଼ିକ ସେମାନଙ୍କର ଆଭ୍ୟନ୍ତରୀଣ ଶାସନ, ପରିଚାଳନା ଓ ମାନବ ସମ୍ବଳ ନୀତିରେ ପରିବର୍ତ୍ତନ ଆଣିବା ପାଇଁ ସେଗୁଡ଼ିକୁ ବ୍ୟବହାର କରିନାହାନ୍ତି। କିନ୍ତୁ ସଂଖ୍ୟାଧିକ ବିଶ୍ବସ୍ତରୀୟ ଅନୁଧ୍ୟାନ ଦର୍ଶାଇଛି ଯେ ଏକ ବହୁବିଧ ଶ୍ରମବଳ ହେଉଛି ଅଭିନବ, ଅଧିକ ଉତ୍ପାଦକ ଓ ଗ୍ରାହକ ଅନୁକୂଳ ଏବଂ ଏହା କୌଣସି ବି କମ୍ପାନିର ଅଭିବୃଦ୍ଧିରେ ଯଥେଷ୍ଟ ଉନ୍ନତି ଆଣିଥାଏ।