ସମ୍ବିଧାନିକ ଭାବରେ ନ ହେଲେ ବି ସାମାଜିକ ଦିଗରୁ ଆଜି ସାରାଦେଶ ପାଇଁ ଏକ ଶୁଭେଚ୍ଛାର ସମୟ।
ଭାରତର ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ସାରାଦେଶର କାର୍ଯ୍ୟନିର୍ବାହୀ କ୍ଷମତା ବା କାର୍ଯ୍ୟପାଳିକା ଶକ୍ତି ତାଙ୍କଠାରେ ନିହିତ। ସମଗ୍ର ସାମରିକବାହିନୀର ସେ ହେଉଛନ୍ତି ମୁଖ୍ୟ।
ପୃଥିବୀରେ ଭାରତ କେବଳ ବୃହତ୍ତମ ଗଣତନ୍ତ୍ର ନୁହେଁ, ବୃହତ୍ତମ ସାଧାରଣତନ୍ତ୍ର ମଧ୍ୟ। ଲୋକସ˚ଖ୍ୟା ଦିଗରୁ ସବୁଠାରୁ ଅଧିକ ଜନବହୁଳ ରାଷ୍ଟ୍ର। ଏହାର ସମ୍ବିଧାନ ସର୍ବବୃହତ୍ ସମ୍ବିଧାନ। କେବଳ ସେତିକି ନୁହେଁ ‘‘ଲଣ୍ତନ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଏଣ୍ତ୍ ପଲିଟିକାଲ୍ ସାଇନ୍ସ’’ର ଦିବ˚ଗତ ପ୍ରଫେସର୍ ସାର୍ ଅର୍ନେଷ୍ଟ୍ ବାକର୍ଙ୍କ ଉକ୍ତିକୁ ଉଦ୍ଧାର କଲେ ଆମ ସମ୍ବିଧାନରେ ଥିବା ପ୍ରିଆମ୍ବଲ୍ ବା ମୁଖବନ୍ଧ ଏକ ଶ୍ରେଷ୍ଠ ମୁଖବନ୍ଧ। ଅନୁପମ ଓ ଅନନ୍ୟ ସାଧାରଣ ମଧ୍ୟ। ସେଥିରେ ଏ କଥା ପ୍ରାଞ୍ଜଳ ଭାବରେ ଉଲ୍ଲିଖିତ ଯେ ଏ ସମ୍ବିଧାନକୁ ଆମେ ଭାରତୀୟ ଲୋକେ ଗମ୍ଭୀର ସ˚କଳ୍ପର ସହ ଅଙ୍ଗୀକୃତ ହୋଇ, ନିଜେ ଗଢ଼ି, ଆପଣାକୁ ଅର୍ପିତ କରିଛୁ।
ଭାରତବାସୀ ଏ ଶେଷଧାଡ଼ିଟିକୁ ପଢ଼ିବା ଆବଶ୍ୟକ। ଆମକୁ ଏ ସମ୍ବିଧାନ କେହି ଦେଇନାହିଁ କି ଏହା ଆମ ଉପରେ ଲଦା ହୋଇନାହିଁ। ଏହା ଏକ ଆତ୍ମାର୍ପିତ ମୌଳିକ ଆଇନଗ୍ରନ୍ଥ ଯାହା ଉପରେ ଠିଆ ହୋଇଛି ସ୍ବର୍ଗାଦପି ଗରୀୟସୀ ଭାରତବର୍ଷ।
ଏତେ ସବୁ ଅବତାରଣାର ମୂଳ କଥାଟି ହେଲା ଯେ ଆମ ରାଷ୍ଟ୍ରପତି, ଆମ ଗଢ଼ା ସମ୍ବିଧାନର ଫଳଶ୍ରୁତି। ୫୨ ଧାରାରେ ଛୋଟ ଧାଡ଼ିଟିଏ ଅଛି- ‘‘ଭାରତରେ ଜଣେ ରାଷ୍ଟ୍ରପତି ରହିବେ।’’ ଏହାର ଅର୍ଥ ରାଷ୍ଟ୍ରପତି, ଲୋକଗଢ଼ା ଆଇନଗ୍ରନ୍ଥରୁ ସୃଷ୍ଟ ଲୋକ-ରାଷ୍ଟ୍ରପତି।
ଏଯାବତ୍ ଆମ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ୧୫ ଜଣ ମହାମହିମ ବ୍ୟକ୍ତିବିଶେଷ। ପ୍ରାୟତଃ ଜନସ˚ଖ୍ୟାର ପ୍ରଧାନ ପ୍ରଧାନ ବର୍ଗକୁ ପ୍ରତିନିଧିତ୍ବ ପ୍ରଦାନ କରୁଥିବା ତଥା ସୁନିର୍ବାଚିତ ହୋଇଥିବା ମନୀଷୀଗଣ ଏ ମହାପଦ ମଣ୍ତନ କରିଛନ୍ତି।
ସ˚ପ୍ରତି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆସନ-ଆରୂଢ଼ା ଅଛନ୍ତି ମହାମାନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଜୁନ୍ ୨୦ ହେଉଛି ଇ˚ରେଜ କ୍ୟାଲେଣ୍ତର୍ ଅନୁସାରେ ତାଙ୍କର ଜନ୍ମ ତାରିଖ। ୧୯୫୮ରେ ଜନ୍ମିତ ଶ୍ରୀମତୀ ମୁର୍ମୁ ୨୫ ଜୁଲାଇ, ୨୦୨୨ରୁ ଏ ସାମ୍ବିଧାନିକ ଶ୍ରେଷ୍ଠ ସ୍ଥାନରେ ଅଧିଷ୍ଠିତା। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଅଖ୍ୟାତ ‘ଉପରବେଡ଼ା’ ଗ୍ରାମରେ ଜନ୍ମହୋଇ ଆଳଙ୍କାରିକ ଅର୍ଥରେ ଆଜି କେବଳ ଲୋକ-ରାଷ୍ଟ୍ରପତି ନୁହନ୍ତି, ଯଥାର୍ଥରେ ଶାସନଗତ ଭାବେ ଲୋକମାତା।
ସାନ୍ତାଳୀ ସମ୍ପ୍ରଦାୟ ସହ ଯୋଡ଼ା ଶ୍ରୀମତୀ ମୁର୍ମୁ ପ୍ରଥମ ଥର ପାଇଁ ସାରାଭାରତର ଆଦିବାସୀ ସମ୍ପ୍ରଦାୟକୁ ମହିମାନ୍ବିତ କରିଛନ୍ତି ଏଭଳି ପଦ ମଣ୍ତନ କରି। ସେ ସର୍ବକନିଷ୍ଠ ରାଷ୍ଟ୍ରପତି, ପ୍ରଥମ ଆଦିବାସୀ ରାଷ୍ଟ୍ରପତି ପୁଣି ଜଣେ ମାନନୀୟା ମହିଳା ଭାବରେ ଦେଶର ଦ୍ବିତୀୟ ରାଷ୍ଟ୍ରପତି।
ସ˚କଳ୍ପ ଓ ସ˚ଘର୍ଷର ହୋମାନଳରୁ ତାଙ୍କର ଜନ୍ମ। କାହିଁ ଅନ୍ଧାରୀ ଉପରବେଡ଼ା, କାହିଁ ଏ ସକଳ ଭାରତାବାସୀଙ୍କ ସର୍ବମାନ୍ୟ ଆସନ!
ଗାଁର ସାଧାରଣ ଚାଷୀ ପରିବାରରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର। ହଷ୍ଟେଲ୍ରେ ରହି ପାଠପଢ଼ା। ସେଇଠୁ ରମାଦେବୀ କଲେଜ। ପାଠପଢ଼ା ପରେ ରାଜ୍ୟ ଜଳସେଚନ ଓ ଶକ୍ତି ବିଭାଗରେ ୪ ବର୍ଷ କିରାଣି ଚାକିରି, ରାଇରଙ୍ଗପୁର ଫେରିଯାଇ ୩ ବର୍ଷର ଶିକ୍ଷକତା। ତା’ପରେ ରାଜନୀତିରେ ଯୋଗଦେଇ ଆଞ୍ଚଳିକ ସ୍ତରରେ ଆରମ୍ଭ ହୁଏ ପ୍ରତ୍ୟକ୍ଷ ସମ୍ପୃକ୍ତି। ସେତେବେଳକୁ ବୟସ ୪୦। ୧୯୮୦ରୁ ବିବାହ ହୋଇସାରିଥାଏ।
ଆରମ୍ଭରୁ ନାଆଁ ଥିଲା ‘ପୁଟି ଟୁଡୁୁ’। ନାଆଁ ବଦଳେଇ ସ୍କୁଲ୍ ଶିକ୍ଷକ କରିଦେଇଥିଲେ ‘ଦ୍ରୌପଦୀ ଟୁଡୁ’। ଶ୍ରୀ ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ସେ ପାଲଟିଥିଲେ, ଦ୍ରୌପଦୀ ମୁର୍ମୁ। ୨୦୦୦ ମସିହାରେ ଶ୍ରୀମତୀ ମୁର୍ମୁ ନିର୍ବାଚିତ ହୁଅନ୍ତି ଓଡ଼ିଶା ବିଧାନସଭାକୁ। ମନ୍ତ୍ରୀ ପଦରେ ଅଭିଷିକ୍ତ ହୁଅନ୍ତି। ୨୦୦୦ରୁ ୨୦୦୯ ସେ ଥିଲେ ରାଇରଙ୍ଗପୁରର ବିଧାୟିକା। ୨୦୦୯ରୁ ଆସେ ସ˚ଘର୍ଷର ସମୟ। ମାତ୍ର ୬ ବର୍ଷ ଭିତରେ ସେ ହରାଇବସନ୍ତି ସ୍ବାମୀ ଓ ଦୁଇ ଯୁବକପୁତ୍ରଙ୍କୁ। ଘୋଟିଆସେ ଦୁଃଖର କରାଳ ଚକ୍ରବ୍ୟୂହ। ଯେ କୌଣସି ବ୍ୟକ୍ତି ଭାଙ୍ଗିପଡ଼ିବ ସେ ଝଞ୍ଜାଘାତରେ।
ହେଲେ ପୁଣି ଆସେ ଶାସନର ଆହ୍ବାନ। ସ˚କଳ୍ପର ଅବସର। ଯେ ସମୂହ ପ୍ରତି ସମର୍ପିତ ତା’ ପାଇଁ ସବୁ ଆହ୍ବାନ ଏକ ଐଶ୍ବରୀୟ ସୁଯୋଗ। ୨୦୧୫ରେ ସେ ପାଲଟନ୍ତି ଝାଡ଼ଖଣ୍ତ ରାଜ୍ୟର ରାଜ୍ୟପାଳ। ୨୦୨୧ ଯାଏ ପାଞ୍ଚବର୍ଷ ଧରି ସୁଶାସନର ବୈଜୟନ୍ତୀ ଉଡ଼ାଇ ପୁଣି ପ୍ରତିପାଦିତ କରନ୍ତି ଦୁଃଖଯଜ୍ଞରୁ ଉତ୍ଥିତ ଯଜ୍ଞକନ୍ୟାର ମହତୀଭାବ। ୨୦୨୨ରୁ ଭାରତର ରାଷ୍ଟ୍ରପତି।
ଅଦ୍ଭୁତ ସ˚ଘର୍ଷର ଯାତ୍ରା। ମହିମାମଣ୍ତିତ ସ˚କଳ୍ପ।
ସେ ଯେ କେବଳ ସର୍ବୋଚ୍ଚ ଆସନରେ ଅଭିଷିକ୍ତ ହୋଇଛନ୍ତି ସେ କଥା ନୁହେଁ, ଅଳ୍ପ କେତୋଟି ମାସ ଭିତରେ ନିଜକୁ ସମର୍ପି ଦେଇଛନ୍ତି ଲୋକଧାରାରେ। ବିଚାର ବିଭାଗରେ ସାଧାରଣ ଦରିଦ୍ର ବ୍ୟକ୍ତିଟି କିଭଳି ଜର୍ଜରିତ ଓ ନ୍ୟାୟଭୋକୀ ତାହା ସେ ଖୋଲାଖୋଲି ଆଲୋଚନା କରିଛନ୍ତି। ସର୍ବସମକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ ବି କରିଛନ୍ତି। ୭୫ ବର୍ଷର ସ୍ବାଧୀନତା ପରେ ଅବହେଳିତ ଜନଜାତିର ସର୍ବାଙ୍ଗୀନ ବିକାଶ ପାଇଁ ଉନ୍ମୁଖତା ଜନସାଧାରଣଙ୍କ ନିକଟରେ ତାଙ୍କୁ ଅଧିକ ଗ୍ରହଣୀୟ କରିଛି। ବୁଲି ବୁଲି ଭାରତୀୟ ସଂସ୍କୃତି ଓ ଐତିହ୍ୟର ବାର୍ତ୍ତା ପ୍ରଚାର ପ୍ରସାରରେ ସେ ସମଧିକ ସମର୍ପିତା। ସୀମାନ୍ତରେ ସାମରିକ ଶକ୍ତି ସହ ନିଜକୁ ମିଶାଇ ସାମରିକ ପୋଷାକ ପିନ୍ଧି ସେ ପ୍ରମାଣ କରିଛନ୍ତି ଆପଣା କର୍ତ୍ତବ୍ୟନିଷ୍ଠା।
ଆଜି ମହୋଦୟାଙ୍କର ଆବିର୍ଭାବ ଦିବସ। ସମଗ୍ର ଭାରତବାସୀଙ୍କ ଲାଗି ଏକ ପ୍ରଣିଧାନଗତ ଅବସର। ସେଥିପାଇଁ ଦେଶଗତ ଶୁଭେଚ୍ଛାର ସମୟ।
ଆଧ୍ୟାତ୍ମିକ ଭାବେ ବ୍ରହ୍ମକୁମାରୀମାନଙ୍କ ଅଧ୍ୟାତ୍ମ ଆନ୍ଦୋଳନରେ ବିଶ୍ବାସ ରଖନ୍ତି ଶ୍ରୀମତୀ ମୁର୍ମୁ। ଜବାହରଲାଲ ନେହରୁ, ମହାତ୍ମା ଗାନ୍ଧୀ ଓ ବି.ଆର୍. ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ଉଦାରବାଦୀ, ସତ୍ୟ-ଅହି˚ସାବ୍ରତୀ ଓ ଦଳିତ-ବିକାଶପ୍ରାଣ ଜଣେ ଲୋକ-ରାଷ୍ଟ୍ରପତି ଭାବରେ ସେ ଅତ୍ୟନ୍ତ ସଚେତନ।
ଭାରତୀୟ ସମ୍ବିଧାନ ତାଙ୍କୁ ସର୍ବୋଚ୍ଚ କ୍ଷମତା ଦେଇଛି। ସେ ରାଷ୍ଟ୍ରମୁଖ୍ୟ ହେଲେ ବି ସରକାର-ମୁଖ୍ୟ ନୁହନ୍ତି। ବ୍ରିଟିଶ୍ ବିଦ୍ବାନ୍ ବେଜ୍ହଟ୍ଙ୍କ ଭାଷାରେ ସେ ଶାସନର ଉତ୍ସବାତ୍ମକ ଅ˚ଶ (ସେରିମୋନିଆଲ୍ ପାର୍ଟ), ପ୍ରାୟୋଗିକ ଅ˚ଶ (ଫଙ୍କ୍ସନାଲ୍ ପାର୍ଟ) ନୁହନ୍ତି। ଅଥଚ ଦେଶର ବିକାଶ ଓ ବିପତ୍ତିରେ ସେ ହିଁ ଧ୍ରୁବତାରା। ତାଙ୍କ ଅନୁମୋଦନ ବିନା କୌଣସି ଆଇନ ସିଦ୍ଧ ନୁହେଁ। କୌଣସି ଦେଶୋତ୍ସବ, ଉତ୍ସବ ନୁହେଁ।
ମହନୀୟା ଶ୍ରୀମତୀ ମୁର୍ମୁଙ୍କର ଶାସନପଥ ଭାରତବାସୀଙ୍କ ଲାଗି ଯେ ସର୍ବତୋଭାବେ ସମର୍ପିତ ଏଥିରେ ଦ୍ବିମତର ଅବକାଶ ନାହିଁ।
ଜନ୍ମଦିନରେ ମହାଶୟାଙ୍କୁ ଅନନ୍ତ ଶୁଭ-ଅଭିନନ୍ଦନ।