ପ୍ରାଚୀନ ଚୀନର ପ୍ରସିଦ୍ଧ ଦାର୍ଶନିକ ଲାଓତ୍ ସୁଙ୍କୁ ବିଚାରପତି ଭାବେ ନିଯୁକ୍ତ କରାଗଲା। ଗଭୀର ଭାବେ ମନନଶୀଳ ଏବଂ ମୌଳିକ ଚିନ୍ତନର ଅଧିକାରୀ ଭାବେ ଲାଓତ୍ ସୁଙ୍କୁ ଚୀନରେ ସର୍ବତ୍ର ସମ୍ମାନ ପ୍ରଦର୍ଶନ କରାଯାଉଥିଲା।
ପ୍ରଥମ ଦିନ ଗୋଟିଏ ଚୋରି ମାମଲା ତାଙ୍କ ନିକଟକୁ ଆସିଲା। ଗାଁର ସବୁଠାରୁ ବଡ଼ ଧନୀ ଲୋକଙ୍କ ଘରୁ ଚୋରି ହୋଇ ଯାଇଥିଲା। ଚୋର ମଧ୍ୟ ଧରା ପଡ଼ି ଦୋଷ ସ୍ବୀକାର କରିଥିଲା। ଲାଓତ୍ ସୁ ସବୁ କଥା ଶୁଣିବା ପରେ ଧନୀ ଲୋକଙ୍କୁ ଛଅ ମାସ ଏବଂ ଚୋରକୁ ଛଅ ମାସର ଦଣ୍ଡାଦେଶ ଶୁଣାଇଲେ।
ଏହା ଶୁଣି ଧନୀ ଲୋକ ଜଣକ ଘୋର ପ୍ରତିବାଦ କଲେ। ସେ କହିଲେ- ମୋର ଚୋରି ହୋଇଛି, ଅଥଚ ମୋେତ ଦଣ୍ଡ ମିଳୁଛି। ଏହା କି ପ୍ରକାରର ବିଚାର?
ଏହା ଶୁଣି ଲାଓତ୍ ସୁ କହିଲେ- ତୁମେ ହେଉଛ ଗାଁର ସବୁଠାରୁ ବଡ଼ ଧନୀ। ଗାଁ ଯାକର ସବୁତକ ଧନ ତୁମେ ଜମା କରିଛ। ସେହି କାରଣରୁ ତୁମେ ପ୍ରକୃତରେ ସେହି ଲୋକ ମନରେ ଧନ ହରଣ କରିବାର ଲାଳସା ଜାତ କଲ। ଯେହେତୁ ଚୋରିର ବୀଜ ତୁମେ ହିଁ ବୁଣିଲ, ଏହି ଦୋଷର ଉତ୍ସ ହେଉଛ ତୁମେ। ତୁମେ ଏମିତି ଧନୀ ହୋଇ ନ ଥିଲେ େଚାରି ହିଁ ହୋଇ ନ ଥାଆନ୍ତା! ତେଣୁ ଏହି ଚୋରିରେ ତୁମେ ସମ ଭାବରେ ଦୋଷୀ।
ଏଥିରେ ଧନୀ ଲୋକ ଜଣକ କିଂକର୍ତ୍ତବ୍ୟବିମୂଢ଼ ହୋଇ ରାଜାଙ୍କ ପାଖକୁ ଦୌଡ଼ିଲା। ରାଜା ଏହା ଶୁଣି ମୁଣ୍ଡରେ ହାତ ଦେଲେ ଓ କହିଲେ- କଥାଟା ଖାଣ୍ଟି ଷୋହଳ ଅଣା ସତ ଓ ଉଚିତ ଶୁଭୁଛି। ହେଲେ, ଏମିତି ବିଚାର ହେଲେ ରାଜ୍ୟରେ ବିଭ୍ରାଟ ହୋଇଯିବ।
ସୁତରାଂ, ଲାଓତ୍ ସୁଙ୍କୁ ସେହି ଗୋଟିଏ ବିଚାର ପରେ ସସମ୍ମାନେ ଦାୟିତ୍ବରୁ ଅବ୍ୟାହତି ଦିଆଗଲା।