ଯେତେବେଳେ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜିତ ହେଲେ, ସେତେବେଳେ ଏମାନଙ୍କ ମଧ୍ୟରେ ସେମିତି କିଛି ଫରକ ନାହିଁ ବୋଲି ଅନ୍ତତଃ ପାକିସ୍ତାନ ଭାବୁଥିଲା। ସ୍ୱାଧୀନତା ପୂର୍ବରୁ ମୁସ୍‌ଲିମ୍ ଲିଗ୍ ନେତା ମହମ୍ମଦ ଅଲ୍ଲି ଜିନ୍ନା ଭାରତର ମୁସଲମାନମାନଙ୍କୁ ବୁଝାଇ ଦେଲେ ଯେ ଇଂରେଜମାନେ ଭାରତକୁ ମୋଗଲମାନଙ୍କ ଠାରୁ ଦଖଲ କରିଥିଲେ। କାରଣ ଶହ ଶହ ବର୍ଷ ଧରି ମୋଗଲ, ଅଫଗାନ, ତୁର୍କ ଆଦିଙ୍କ ଦ୍ୱାରା ଭାରତ ଶାସିତ ହେଉଥିଲା। ଏମାନେ ସମସ୍ତେ ମୁସଲମାନ ଥିଲେ। ଏମାନଙ୍କ ଶାସନରେ ହିନ୍ଦୁମାନେ ଥିଲେ ପ୍ରଜା। ଇଂରେଜମାନେ ଭାରତକୁ ଛାଡ଼ିବା ବେଳେ ସେମାନେ ଯେଉଁ ମୁସଲମାନମାନଙ୍କ ଠାରୁ ଏହି ଦେଶର ଶାସନ ଭାରକୁ ନେଇଥିଲେ, ସେହି ମୁସଲମାନମାନଙ୍କୁ କ୍ଷମତା ହସ୍ତାନ୍ତର କରାଯିବା କଥା, ବ୍ରିଟିସ ସରକାରଙ୍କ ପରେ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା ହେବା କଥା କୁହାଗଲା। ଗଣତନ୍ତ୍ରର ଅର୍ଥ ହେଲା ସଂଖ୍ୟା ଗରିଷ୍ଠଙ୍କ ଶାସନ। ଭାରତରେ ସଂଖ୍ୟାଗରିଷ୍ଠ ହେଲେ ହିନ୍ଦୁ। ମୁସଲମାନମାନଙ୍କ ପକ୍ଷରୁ କୁହାଗଲା, ବ୍ରିଟିସମାନେ ଚାଲିଗଲା ପରେ ସେମାନେ ପ୍ରଜା ହୋଇ ରହି ଆସିଥିବା ହିନ୍ଦୁମାନଙ୍କ ଶାସନରେ ରହିବେ କେମିତି? ତେଣୁ ପାକିସ୍ତାନ ଗଠିତ ହେଉ, ଯେଉଁଠି ମୁସଲମାନମାନେ ନିଜ ନିୟନ୍ତ୍ରଣରେ ରହିପାରିବେ ଏବଂ ସେମାନଙ୍କୁ ଆଉ ହିନ୍ଦୁମାନଙ୍କ ଶାସନରେ ରହିବାର ଅପମାନ ସହ୍ୟ କରିବାକୁ ପଡ଼ିବ ନାହିଁ।
ପାକିସ୍ତାନ ହେବା ପରେ ୧୯୭୧ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ମଧ୍ୟରେ ତିନି ଥର ଯୁଦ୍ଧ ହେଲା। ସେତେବେଳେ ପାକିସ୍ତାନର ସେନାଧ୍ୟକ୍ଷମାନେ ଦାବି କରୁଥିଲେ ଯେ ପାକିସ୍ତାନୀ ସୈନ୍ୟମାନଙ୍କ ଶକ୍ତି ଭାରତୀୟ ସୈନ୍ୟମାନଙ୍କ ଅପେକ୍ଷା ଅଧିକ। ସେତେବେଳେ ପାକିସ୍ତାନର ମୁଣ୍ଡପିଛା ଆୟ ମଧ୍ୟ ଭାରତ ଅପେକ୍ଷା ଅଧିକ ଥିଲା।

Advertisment

ଏ ସବୁ ମାନସିକତାର କିଛିଟା ପରିବର୍ତ୍ତନ ହେଲା ୧୯୭୧ରେ ଯେତେବେଳେ ପାକିସ୍ତାନ ବିଭାଜିତ ହେଲା ଓ ନୂଆ ବଙ୍ଗଳାଦେଶ ସୃଷ୍ଟି ହେଲା। ସେହି ସମୟରେ ବଙ୍ଗଳାଦେଶରେ ଥିବା ୯୨ ହଜାର ପାକିସ୍ତାନୀ ସୈନ୍ୟ ପରାସ୍ତ ହୋଇ ଭାରତ ଆଗରେ ଆତ୍ମସମର୍ପଣ କରି ଯୁଦ୍ଧବନ୍ଦୀ ହୋଇ ରହିଥିଲେ। ଏହା ପ୍ରଥମ ଥର ପାଇଁ ପାକିସ୍ତାନକୁ ଘୋର ଅପମାନିତ କରିଥିଲା। ସେତେବେଳେ ଭାରତ ପାକିସ୍ତାନ ମଧ୍ୟରେ ହକି ବା କ୍ରିକେଟ୍ ଖେଳକୁ ଦର୍ଶକମାନେ ଦୁଇ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧ ପରି ମନେକରୁଥିଲେ। କ୍ରମେ ପାକିସ୍ତାନ, ଆତଙ୍କବାଦୀମାନଙ୍କର ସୃଷ୍ଟି କେନ୍ଦ୍ରରେ ପରିଣତ ହେଲା। ଅଷ୍ଟମ ଦଶକରେ ପାକିସ୍ତାନରେ ସାମରିକ ବିଦ୍ରୋହ ଦ୍ୱାରା କ୍ଷମତା ଦଖଲ କରିଥିବା ଜେନେରାଲ ଜିଆ ଉଲ୍ ହକ୍ କହିଥିଲେ ସେ ଭାରତ ଦେହରେ ସହସ୍ର କ୍ଷତ ସୃଷ୍ଟି କରି ସେଥିରୁ ରକ୍ତ ଝରାଇ ଝରାଇ ଏ ଦେଶକୁ ମାରିଦେବେ। ସେତେବେଳେ ହିନ୍ଦୁ ସଭ୍ୟତାକୁ ନଷ୍ଟ କରିବା ପାକିସ୍ତାନର ମୁଖ୍ୟ ମାନସିକତା ଥିଲା। ଓସାମା ବିନ୍ ଲାଦେନଙ୍କ ନେତୃତ୍ୱରେ ଯେଉଁ ଆତଙ୍କବାଦୀମାନେ ଆମେରିକାର ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରକୁ ଧ୍ବଂସ କରି ପ୍ରାୟ ୩,୫୦୦ ଲୋକଙ୍କର ମୃତ୍ୟୁର କାରଣ ହୋଇଥିଲେ, ସେମାନେ ଥିଲେ ମୁଖ୍ୟତଃ ପାକିସ୍ତାନୀ। ପାକିସ୍ତାନ କ୍ରମେ ଆତଙ୍କବାଦୀ ଉତ୍ପାଦନ କେନ୍ଦ୍ର ଭାବେ ବିଶ୍ବରେ କୁଖ୍ୟାତି ପାଇଲା।

ସ୍ୱାଧୀନତା ପରେ ଗୋଟିଏ ସମୟ ଥିଲା ଯେତେବେଳେ ପାକିସ୍ତାନର ମୁଣ୍ଡ ପିଛା ଆୟ ଭାରତଠାରୁ ଅଧିକ ଥିଲା। କିନ୍ତୁ ନବମ ଦଶକ ବେଳକୁ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ରରେ ଭାରତର ବେଙ୍ଗାଲୁରୁ ସହର ମୁଣ୍ଡ ଟେକି ଉଠିଲା ଓ ସେଠାରେ ଇନ୍‌ଫୋସିସ, ଟିସିଏସ୍‌, ଉଇପ୍ରୋ ଆଦି କମ୍ପାନିମାନେ ବିଶ୍ୱ ବିଖ୍ୟାତ ହୋଇ ଉଠିଲେ ଓ ସେଠାରେ କାମ କରୁଥିବା ଭାରତୀୟ ଯୁବପିଢ଼ି କ୍ରମେ ଆମେରିକାର ସିଲିକନ ଭେଲି, କାନାଡା, ଜର୍ମାନି ଆଦି ଦେଶମାନଙ୍କୁ ଯାଇ ସେଠାରେ ଯଥେଷ୍ଟ ସୁନାମ ଅର୍ଜନ କଲେ ଓ ରୋଜଗାର ମଧ୍ୟ କଲେ। ୨୦୦୬ ମସିହାରେ ଏହି ଲେଖକ ଥରେ ଆମେରିକାରୁ ଭାରତ ଆସୁଥିଲା ବେଳେ ଜର୍ମାନିର ଫ୍ରାଙ୍କଫର୍ଟ ବିମାନ ବନ୍ଦରର ଗୋଟିଏ ହୋଟେଲରେ ରହିବାକୁ ଗଲା ବେଳେ ଅଭ୍ୟର୍ଥନା କାଉଣ୍ଟରରେ ଥିବା ପରିଚାରକ ମୋତେ ଭାରତୀୟ ବୋଲି ଜାଣି ସ୍ୱଗତୋକ୍ତି କରିଥିଲେ, ‘ଓ ଇଣ୍ଡିଆ, ଆଇଟି, ଆଇଟି’। ସୁତରାଂ, ଭାରତୀମାନେ ଆଇଟି ଇଞ୍ଜିନିୟର ଭାବେ ବିଶ୍ବ ବିଖ୍ୟାତ ହୋଇଯାଇଥିଲେ। ଇତିମଧ୍ୟରେ ୧୭ ବର୍ଷ ବିତିଗଲାଣି ଓ ଭାରତୀୟମାନଙ୍କ ମର୍ଯ୍ୟାଦା ଅନେକ ବଢ଼ିଗଲାଣି।

ଅନ୍ୟ ପକ୍ଷରେ ପାକିସ୍ତାନର ଆର୍ଥିକ ବ୍ୟବସ୍ଥା ଏବେ ଏତେ ଶୋଚନୀୟ ଯେ ଆନ୍ତର୍ଜାତିକ ମୁଦ୍ରାକୋଷ (ଆଇଏମ୍‌ଏଫ୍‌) ଠାରୁ ଋଣ ନ ଆଣିଲେ ଏ ଦେଶ ଅନ୍ୟ ଦେଶରୁ ଆଣିଥିବା ଋଣର କିସ୍ତି ମଧ୍ୟ ପରିଶୋଧ କରିପାରିବ ନାହିଁ। ଆନ୍ତର୍ଜାତିକ କ୍ଷେତ୍ରରେ କିସ୍ତି ଖିଲାପ ଗୋଟିଏ ଗୁରୁତର ବ୍ୟାପାର। ଏହା ହେଲେ ସେ ଦେଶକୁ ଆଉ କେହି ଋଣ ଦିଅନ୍ତି ନାହିଁ। ଆଇଏମ୍‌ଏଫ୍‌ରୁ ୬୦୦ କୋଟି ଡଲାର (୧ ଡଲାର ଏବେ ପ୍ରାୟ ୮୧ ଟଙ୍କା ୫୦ ପଇସା) ଋଣ ଆଣିବା ପାଇଁ ପାକିସ୍ତାନ ଉଦ୍ୟମ କରୁଛି। କିନ୍ତୁ ଋଣ ଦେବା ପାଇଁ ଆଇଏମ୍‌ଏଫ୍ ଯେଉଁ ସର୍ତ୍ତ ରଖିଛି ତାହାକୁ ପୂରଣ କରିବାକୁ ପାକିସ୍ତାନ ସକ୍ଷମ ହେଉନାହିଁ।

ଏବେ ଭାରତରେ ମୁଦ୍ରାସ୍ଫୀତି ୫.୯% ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୪.୫%କୁ ଖସିଯିବ ବୋଲି ଆକଳନ କରାଯାଉଥିବା ବେଳେ ପାକିସ୍ତାନର ମୁଦ୍ରାସ୍ଫୀତି ଏବେ ୩୮%ରେ ପହଞ୍ଚିଛି। ଗୋଟିଏ ଆମେରିକୀୟ ଡଲାର ବଦଳରେ ଏବେ ଭାରତୀୟ ମୁଦ୍ରା ହିସାବରେ ୮୧ ଟଙ୍କା ୫୦ ପଇସା ମିଳୁଥିବା ବେଳେ ପାକିସ୍ତାନୀ ମୁଦ୍ରା ହୋଇଛି ୨୮୭ ପାକିସ୍ତାନୀ ଟଙ୍କା। ଏହା ଦର୍ଶାଏ ବିଶ୍ୱ ବଜାରରେ ପାକିସ୍ତାନୀ ମୁଦ୍ରା କେତେ ଦୁର୍ବଳ ହୋଇପଡ଼ିଲାଣି।

ଗତ ବର୍ଷ ଜୁନ୍ ମାସରେ ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ହୋଇ ସେ ଦେଶର ଏକ-ତୃତୀୟାଂଶ ଡୁବି ଯାଇଥିଲା। ନିକଟ ଅତୀତରେ ବାତ୍ୟା ହୋଇ ମଧ୍ୟ ସେ ଦେଶରେ ବହୁ କ୍ଷୟକ୍ଷତି କରିଛି। ଏତିକି ବେଳେ ସେ ଦେଶରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୁର୍ନୀତି ଅଭିଯୋଗରେ ଆଜୀବନ କାରା ଦଣ୍ଡାଦେଶ ପାଇଥିବାରୁ ଲଣ୍ଡନରେ ରହୁଛନ୍ତି ସିନା ଦେଶକୁ ଫେରୁନାହାନ୍ତି। ଆଉ ଜଣେ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲ ଯିବାରୁ ତାଙ୍କ ଯୁବ ସମର୍ଥକମାନେ ସାରା ଦେଶରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି କରି ରାୱଲପିଣ୍ଡି ଓ ଆବୋଟାବାଦରେ ଥିବା ସେନା ପ୍ରତିଷ୍ଠାନମାନଙ୍କୁ ଭାଂଗିରୁଜି ପକାଇଥିଲେ। କ୍ରମେ ଅରାଜକତା ସୀମା ଟପି ଯାଇଥିଲା।

କ୍ଷୁବ୍‌ଧ ସେନାବାହିନୀ ଏବେ ସେନା ଆଇନ ଅନୁସାରେ ଇମରାନଙ୍କ ସମର୍ଥକମାନଙ୍କୁ ଗିରଫ କରି ବିଚାର ଆରମ୍ଭ କଲାଣି।

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ ପରଭେଜ ବାଜୱା ପ୍ୟାରିସରେ ତାଙ୍କ ପତ୍ନୀଙ୍କ ସହ ମଉଜ କରୁଥିବାର ଦେଖାଯାଇଛି। ପାକିସ୍ତାନର ଆର୍ଥିକ ଓ ରାଜନୈତିକ ବ୍ୟବସ୍ଥା ଶୋଚନୀୟ ଥିବା ବେଳେ ପୂର୍ବତନ ସେନଧ୍ୟକ୍ଷଙ୍କ ଏଭଳି ଗମାତ ପ୍ରତିକ୍ରିୟା ସୃଷ୍ଟି କରୁଛି। କେବଳ ସେନାପତିମାନେ ନୁହନ୍ତି, ସେଠାକାର ରାଜନେତାମାନେ ବିଭିନ୍ନ ବିଦେଶୀ ରାଷ୍ଟ୍ରମାନଙ୍କରେ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଇଂଲାଣ୍ଡରେ ଗୋଟିଏ ରାଜପ୍ରାସାଦ ରଖିଥିବାର ଚିତ୍ର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ବେନଜୀରଙ୍କ ସ୍ୱାମୀ ଓ ପୂର୍ବତନ ରାଷ୍ଟ୍ରପତି ଆସିଫ ଜରଦାରୀ ପ୍ରତ୍ୟେକ କାମ ପାଇଁ ୪% ଲାଂଚ ନେଉଥିଲେ ବୋଲି ଅଭିଯୋଗ ହୋଇଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମେକ୍‌ସିକୋ ଭଳି ଦେଶରେ ବିପୁଳ କଳାଧନ ରଖିଛନ୍ତି ବୋଲି ପାନାମା ପେପର୍ସରେ ପ୍ରକାଶିତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଲଣ୍ଡନର ଅତି ଆଭିଜାତ୍ୟପୂର୍ଣ୍ଣ ଅଂଚଳରେ ତାଙ୍କର ଅନେକ ସମ୍ପତ୍ତି ଓ କୋଠା ରହିଛିି। ସେଠାକାର ସେନାପତିମାନେ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ବୋଲି ସେଠାକାର ଲୋକଙ୍କ ଧାରଣା। ସେଥିପାଇଁ ସେଠାକାର ଆଂଚଳିକ ସେନାପତି ‘କୋର୍ କମାଣ୍ଡର’ମାନଙ୍କୁ ସେମାନେ ‘କ୍ରୋର କମାଣ୍ଡର’ (କୋଟିପତି କମାଣ୍ଡର) ବୋଲି ପରିହାସ କରି କହିଥାନ୍ତି। ସୁତରାଂ, ପାକିସ୍ତାନର ଶାସକମାନେ ହିଁ ସେ ଦେଶକୁ ସବୁଠୁଁ ବେଶି ଲୁଟୁଛନ୍ତି।

ଯେତେବେଳେ ପାକିସ୍ତାନ ସୃଷ୍ଟି ହେଲା, ସେତେବେଳେ ମୁସଲିମ ଲିଗ ଧର୍ମ ପ୍ରସଂଗକୁ ନେଇ ଏକ ଧାରଣା କଲା ଯେ ହିନ୍ଦୁ ମୁସଲମାନ ଏକା ସାଂଗରେ ରହିପାରିବେ ନାହିଁ। ସେତେବେଳେ ମୁସଲମାନ ଜମିଦାରମାନେ ଭାବିଲେ ଯେ ବ୍ରିଟିସ ରାଜତ୍ୱରୁ ଭାରତ ମୁକ୍ତ ହେଲେ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା ହେବ; ଫଳରେ ଜମିଦାରୀ ଚାଲିଯିବ। ଜମିଦାରଙ୍କ ହାତରେ ଥିବା ବିପୁଳ ଜମି ରହିବ ନାହିଁ। ତେଣୁ ସେମାନେ ମଧ୍ୟ ପାକିସ୍ତାନ ଚାହିଁଥିଲେ। କାରଣ ପାକିସ୍ତାନରେ ଜମିଦାରୀ ରହିବ। ମୁଖ୍ୟତଃ ଏହି ମନୋବୃତ୍ତି ଯୋଗୁଁ ଏ ଯାଏ ମଧ୍ୟ ପାକିସ୍ତାନ ଏକ ସାମନ୍ତବାଦୀ ଦେଶ ହୋଇ ରହିଛି ଓ ସେଠାକାର ସେନା, ରାଜନେତା ଓ ଉଚ୍ଚ ଅଧିକାରୀମାନେ ସେ ଦେଶକୁ ବସ୍ତୁତଃ ଦଖଲ କରି ରଖିଛନ୍ତି। ଯେଉଁ କୃଷକ ଓ ଶ୍ରମିକଙ୍କ ପରିଶ୍ରମ ଯୋଗୁଁ ସେ ଦେଶ ଏଯାଏ ବଞ୍ଚିଛି, ସେମାନଙ୍କର ଦେଶ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଯେଉଁ ପ୍ରବାସୀ ପାକିସ୍ତାନୀମାନେ ମୁଖ୍ୟତଃ ମଧ୍ୟପ୍ରାଚ୍ୟର ଦେଶମାନଙ୍କରେ କାମ କରି ଦେଶକୁ ପଇସା ପଠାଉଛନ୍ତି, ସେମାନଙ୍କ ପଇସାରେ ଦେଶ ଚଳୁଛି। କିନ୍ତୁ ଏହି ପ୍ରବାସୀ ପାକିସ୍ତାନୀମାନଙ୍କ ଭିତରୁ ଅନେକ ଅନ୍ୟ ଦେଶରେ ଡ୍ରଗ୍‌ ବେପାରୀ ଓ ଗୁଣ୍ଡା ଭାବରେ ପରିଚିତ। ଅନ୍ୟ ପକ୍ଷରେ ଯେଉଁ ନୂଆ ନୂଆ ଚିନ୍ତାଧାରା ଓ ସଫଳତା ଭାରତରେ ଷ୍ଟାର୍ଟଅପ୍‌ମାନଙ୍କ ଦ୍ୱାରା ହେଉଛି, ପାକିସ୍ତାନରେ ତାହା ନାହିଁ। ନୂଆ ସୃଷ୍ଟି କରିବାର ପରିବେଶ ବା ମନୋବୃତ୍ତି ସେଠାରେ ନାହିଁ, ଯାହା ଭାରତରେ ଅଛି ଏବଂ ସେହି କାରଣରୁ ପାକିସ୍ତାନ କେବେ ଭାରତ ଭଳି ହୋଇ ପାରିବ ନାହିଁ।

ମୋ: ୯୪୩୭୦୨୦୨୯୦