ରାଜ୍ୟର ଜଙ୍ଗଲର ସ୍ଥିତି କ’ଣ ତାହା ବୁଝିବା ଲାଗି ଏକ ଉଦ୍ୟମର ଫଳଶ୍ରୁତି ହେଉଛି ଏହି ନିବନ୍ଧ। ଏଥିରେ ପ୍ରା‌କୃତିକ, ଆଂଶିକ ପ୍ରାକୃତିକ ଏବଂ ମନୁ‌ଷ୍ୟକୃତ ଜଙ୍ଗଲ ଧ୍ବଂସ ଲୀଳା‌ ଉପରେ ଦୃଷ୍ଟିପାତ କରାଯିବ।

Advertisment

ଏହି ସଂଦର୍ଭରେ ଏକ ଦୁଷ୍ଟ ଚକ୍ର ଭଳି ଯାହା ଦିଶିଥାଏ, ତାହା ହେଲା ଅରଣ୍ୟ କ୍ଷୟ ହେତୁ ପରିବେଶ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନ ଘଟି ଉପକୂଳରେ ବିରାଟକାୟ ବାତ୍ୟାମାନ ଦେଖିବାକୁ ମିଳୁଛି ସତ, ସେହି ବାତ୍ୟାଗୁଡ଼ିକ ଦ୍ବାରା ମଧ୍ୟ ଜଙ୍ଗଲ ବିଧ୍ବସ୍ତ ହେଉଛି।

୧୯୯୯ ମସିହାର ମହାବାତ୍ୟା ପରେ ଓଡ଼ିଶା ଉପକୂଳ ୧୦ଟି ଛୋଟ ବଡ଼ ବାତ୍ୟା ଦେଖିଛି, ଯହିଁରୁ କେତେକ ଓଡ଼ିଶାକୁ ଆଘାତ ଦେଇଥିଲା ବେଳେ ଆଉ କେତେକ ସୂତାଖିଅରେ ଓଡ଼ିଶାକୁ ଛାଡ଼ି ଦେଇଛନ୍ତି। ଫାଇଲିନ ରାଜ୍ୟର ପ୍ରାୟ ୨୬ ଲକ୍ଷ ଛୋଟବଡ଼ ଗଛକୁ ଧରାଶାୟୀ କରି ଦେଇଥିଲା ବୋଲି ସରକାରୀ ତଥ୍ୟ କହିଥାଏ। ସେହି ସମୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ସୂଚନା ଅନୁଯାୟୀ ଏଥିରୁ ୨୧ ଲକ୍ଷ ଗଛ ମୂଳପୋଛ ହୋଇଥିଲେ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ। ସେହିପରି ବାତ୍ୟା ଫନିରେ ପ୍ରାୟ ୨୩ ଲକ୍ଷ ଗଛ ନଷ୍ଟ ହୋଇଥିଲେ। ରାଜ୍ୟର ଉପକୂଳ ଅଞ୍ଚଳରେ ୨୧.୯ ଲକ୍ଷ ଗଛ ନଷ୍ଟ ହେଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ୧ ଲକ୍ଷ ଗଛ ଧରାଶାୟୀ ହୋଇଥିଲେ। ଅନ୍ୟାନ୍ୟ ବାତ୍ୟାଗୁଡ଼ିକ ଦ୍ବାରା ମଧ୍ୟ ଲକ୍ଷ ଲକ୍ଷ ବୃକ୍ଷ ମରିଛନ୍ତି।

ଏବେ ଆସିବା ଏକ ଆଂଶିକ ପ୍ରାକୃତିକ ବିପର୍ଯ୍ୟୟକୁ। ଏହାକୁ ଆଂଶିକ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିବାର କାରଣ ହେଲା ଏହା କେତେକ ସ୍ଥଳରେ ମନୁଷ୍ୟକୃତ ନିଆଁରୁ ଘଟୁଥିବା ବେଳେ କେତେକ ସ୍ଥଳରେ ବଜ୍ରପାତ ଯୋଗୁଁ ମଧ୍ୟ ହୋଇଥାଏ। ଗଲା ମାର୍ଚ୍ଚ ୧୩ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ପୂର୍ବ ଚାରି ମାସ ମଧ୍ୟରେ ଲାଗିଥିବା ଜଙ୍ଗଲ ନିଆଁ ଓଡ଼ିଶାର ୪,୦୦୦ ହେକ୍ଟର ପରିମିତ ଆୟତନର ଜଙ୍ଗଲ ଜାଳି ଦେଇଛି। ଏହା ପୂର୍ବରୁ ୨୦୨୧ ମସିହାରେ ୫୧,୯୬୮ଟି ଜଙ୍ଗଲ ଅଗ୍ନିକାଣ୍ଡ ଦ୍ୱାରା ପ୍ରାୟ ୨୮,୬୫୩ ହେକ୍ଟର ଆୟତନର ଜଙ୍ଗଲ ଭସ୍ମୀଭୂତ ହୋଇଥିଲା। ଜଙ୍ଗଲ ଅଗ୍ନିକାଣ୍ଡ ଦ୍ବାରା କେବଳ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କର ଯେ କ୍ଷତି ଘଟୁଛି, ତାହା ନୁହେଁ; ଜଙ୍ଗଲରେ ରହୁଥିବା ଆଦିବାସୀ ଜଙ୍ଗଲ ନିକଟସ୍ଥ ଗ୍ରାମର କୃଷକଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ଚଳିତ ବର୍ଷ ଜାନୁଆରି ପହିଲାରୁ ମାର୍ଚ୍ଚର ଅର୍ଧାଂଶ ସୁଦ୍ଧା ରାଜ୍ୟରେ ୨୩,୮୬୦ଟି ଜଙ୍ଗଲ ନିଆଁ ଘଟଣା ଘଟିଥିଲା। ମୁଖ୍ୟ ଶାସନ ସଚିବ ଏ ନେଇ ବ୍ୟାପକ ପଦକ୍ଷେପର ସୂଚନା ଦେବା ସହିତ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ‌୍ ଗଠନ କରାଯିବା କଥା କହିଥିଲେ। ପ୍ରକାଶ ଥାଉ କି ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୨୧ ମସିହାରେ ଓଡ଼ିଶାର ବନାଗ୍ନି ବିପତ୍ତି ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ସ୍ଥିତି ବଦଳି ନାହିଁ କି ପରିସ୍ଥିତି ବଦଳୁ ବୋଲି କୌଣସି ଫଳପ୍ରଦ ପଦ‌େକ୍ଷପ ନିଆଯାଇନାହିଁ। ୨୦୧୦ରୁ ୨୦୧୬ ମସିହା ମଧ୍ୟରେ ରାଜ୍ୟରେ ୮୦୦୦ ହେକ୍ଟର ଆୟତନର ଜଙ୍ଗଲ ନିଆଁ ଦ୍ବାରା ପ୍ରଭାବିତ ହୋଇଛି। ‘ଗ୍ଲୋବାଲ ଫରେଷ୍ଟ ୱାଚ୍‌’ ନାମକ ଏକ ବିଶ୍ବ ସ୍ତରୀୟ ଅନୁଷ୍ଠାନର ରିପୋର୍ଟ ଅନୁସାରେ ଓଡ଼ିଶାର ୧୮୦ ବର୍ଗ କିଲୋମିଟର ଆୟତନର ଏକ ବିଶାଳ ପ୍ରାକୃତିକ ଜଙ୍ଗଲ ବନାଗ୍ନି ଦ୍ବାରା ସମ୍ପୂର୍ଣ୍ଣ ସଫା ହୋଇ ଯାଇଛି।

ଏବେ ଆସିବା ସଂପୂର୍ଣ୍ଣ ମନୁଷ୍ୟକୃତ ବୃକ୍ଷ ସଂପଦ ବିନାଶ ସଂଦର୍ଭକୁ। ୨୦୧୦ରୁ ୨୦୨୧ ମଧ୍ୟରେ ରାଜ୍ୟରେ ସଡ଼କ ସଂପ୍ରସାରଣ ପାଇଁ ୧ କୋଟି ୮୫ ଲକ୍ଷ ଗଛ କଟାଯାଇଛି। ୩୦ ମାର୍ଚ୍ଚ ୨୦୨୧ରେ ଏକ ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହା କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହା ବଦଳରେ ୬୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ୨୯ ଲକ୍ଷ ଗଛ ଲଗାଯାଇଛି; ଯହିଁରୁ ପାଞ୍ଚ ପ୍ରତିଶତ ଗଛ ବଞ୍ଚିଥିବାର ଆଶା ମଧ୍ୟ କ୍ଷୀଣ। ବିଜୁ ଏକ୍‌ସପ୍ରେସ ହାଇୱେ ନିର୍ମାଣ ସହିତ ୨ଟି ଅନ୍ୟ ସଡ଼କ ସଂପ୍ରସାରଣରେ ୨୦.୬ ହଜାର ଗଛ ଛେଦନ କରାଯାଇଛି। ତେବେ ଉଦ୍‌ବେଗର କଥା ହେଲା ୨୦ ହଜାର ସଂଖ୍ୟକ ବିଶାଳ ଓ ପୁରୁଣା ବର, ଆମ୍ବ, ଶାଳ, ପଣସ ଆଦି ଗଛ କଟାଯାଇଥିଲେ ବି ସେହି ଜାତିର ଗୋଟିଏ ଗଛ ଲଗା ଯାଇନାହିଁ। ଅଭିଯୋଗ ଆସିଥାଏ ଯେ ସଡ଼କ ପ୍ରଶସ୍ତ କରିବାକୁ ଯେତିକି ସଂଖ୍ୟକ ଗଛ କଟାଯିବାର ଅନୁମତି ମିଳିଥାଏ, ତାହାର ପ୍ରାୟ ଦେଢ଼ ଗୁଣ ଗଛ କଟା ଯାଇଥାଏ। ପୁଣି କେବଳ ସଡ଼କ ନୁହେଁ, ଶିଳ୍ପ ଓ ଖଣି ଖନନ ପାଇଁ ମଧ୍ୟ ଲକ୍ଷ ଲକ୍ଷ ଗଛ କଟାଯାଉଛି।

ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଂଚାୟତର ୯ଟି ଗ୍ରାମରେ ପୋସ୍କୋ ପ୍ରକଳ୍ପ ପାଇଁ ପ୍ରାୟ ୬ ଲକ୍ଷ ଗଛ କଟାଯିବା ବିଷୟ ସେହି ସମୟରେ ଚର୍ଚ୍ଚାରେ ପରିଣତ ହୋଇଥିଲା। ପୋସ୍କୋ ପ୍ରକଳ୍ପ ହୋଇ ପାରିଲା ନାହିଁ, କିନ୍ତୁ ଗଛ କଟାର କ୍ଷତ ସେମିତି ରହିଗଲା। ସେମିତି ୨୦୧୯ ଡିସେମ୍ବରରେ ସମ୍ବଲପୁର ତଳାବିରା ଜଙ୍ଗଲରୁ ୪୦ ହଜାର ସଂଖ୍ୟାର ବହୁ ମୂଳ୍ୟବାନ ବୃକ୍ଷ କାଟି ଦିଆଯାଇଥିଲା, ଯାହା ଆଲୋଡ଼ନ ସୃଷ୍ଟି କରିଥିଲା। ସେହି ବର୍ଷ ମାର୍ଚ୍ଚ ୨୮ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଖଣି ଖନନ ପାଇଁ ୧୦୩୮.୧୮୭ ହେକ୍ଟର ଜଙ୍ଗଲ ଜମିର ‘ଷ୍ଟେଜ ୨’ ଅନୁମତି ମିଳିଥିଲା, ଯଦ୍ଦ୍ବାରା ୧.୩୦ ଲକ୍ଷରୁ ଅଧିକ ଗଛ କଟିବାର ଆଶଙ୍କା କରାଯାଇଥିଲା। ଏହା ଦ୍ବାରା ୩ ହଜାର ପରିବାର କ୍ଷତିଗ୍ରସ୍ତ ହେବା ଭଳି ସ୍ଥିତି ଉପୁଜିବାରୁ ‘ସେଭ୍ ତଳାବିରା’ ଆନ୍ଦୋଳନ ମଧ୍ୟ ଦାନା ବାନ୍ଧିଥିଲା। ସେମିତି ଢେଙ୍କାନାଳ ବଳରାମପୁରରେ ଏକ ମଦ କାରଖାନା ପାଇଁ ୫ ଶହରୁ ଅଧିକ ଗଛ କଟାଯିବାର ସରକାରୀ ଅନୁମୋଦନ ବ୍ୟାପକ ପ୍ରତିକ୍ରିୟା ଏବଂ ଆନ୍ଦୋଳନକୁ ଜନ୍ମ‌ ଦେଇଥିଲା। ଯଦିଓ ଏହା ପରେ ସେହି ପ୍ରସ୍ତାବିତ କାରଖାନାର ନିର୍ମାଣ ବନ୍ଦ ହେଲା।

ଏହି ପ୍ରସଙ୍ଗରେ ପରିବେଶବିତ୍‌ ବିମଲ ପାଣ୍ଡିଆଙ୍କ ୨୦୨୨ ମଇ ୨୭ ତାରିଖର ଟ୍ୱିଟ୍‌ ଚମକାଇ ଦେଲା ଭଳି। ସେ କହିଥିଲେ ୨୦୧୮ ମସିହାରେ ସୁବର୍ଣ୍ଣପୁରର ସିନ୍ଧୋଳ ଗ୍ରାମ ପଞ୍ଚାୟତର ସାହାନଡିିହ ଗ୍ରାମରେ ଏକ ଧାନ କଳ ଲାଗି ନିଘଞ୍ଚ ଶାଳ ଜଙ୍ଗଲକୁ କାଟି ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ୨୦୨୨ ମସିହାରେ ‘ସି.ଏ.ଜି.’ (କଂପ୍‌ଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ)ଙ୍କ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯାହା ଅନୁସାରେ ରାଜ୍ୟ ସରକାରଙ୍କର ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟରୁ ୧୯୧ଟି ବିଫଳ ହୋଇଛି। ଏହା ଦ୍ୱାରା ୧୩ କୋଟି ୧୭ ଲକ୍ଷ ଟଙ୍କା କ୍ଷତି ହୋଇଛି। ଗଛ ପାଇଁ ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ୧୪ କୋଟି ୮୨ ଲକ୍ଷର ଅନିୟମିତତାକୁ ମଧ୍ୟ ସିଏଜିଙ୍କ ରିପୋର୍ଟ ସାମନାକୁ ଆଣିଛି।

ଏହି ପରିପ୍ରେକ୍ଷୀରେ ଏତିକି କୁହାଯିବ ଯେ ରାଜ୍ୟର ଜଙ୍ଗଲ ଛତାର ସ୍ଥିତିକୁ ନେଇ ସରକାରୀ ସ୍ତରରେ ଯେତେ ଆଶ୍ବାସନାମୂଳକ କଥା କୁହାଯାଉଥିଲେ ମଧ୍ୟ ପରିସ୍ଥିତି ଯେ ଉଦ୍‌ବେଗଜନକ ତହିଁରେ ସନ୍ଦେହ ନାହିଁ।

ମୋ: ୯୮୬୧୨୪୦୨୨୮