ପ୍ରଶ୍ନ ହେଲା- ଈଶ୍ବର କ’ଣ ଦୟାଳୁ?
ୟୁଜିକେ କହିଲେ- ଦୟାଳୁ ନିଶ୍ଚୟ। କିନ୍ତୁ କଥାଟା ଏମିତି। ଏବେ ଗପଟିଏ ଶୁଣ।
ଗୋଟିଏ ଗାଁରେ ଦୁଇ ଜଣ ଚାଷୀ ଥିଲେ। ଫସଲ ଅମଳ ସରିଯାଇଥାଏ। ଜଣେ ଚାଷୀ ଖାଲି ଜମିରେ କିଛି ଶସ୍ୟ ମଞ୍ଜି ବୁଣିଦେଇ ଭଗବାନଙ୍କୁ କହିଲେ- ହେ ପ୍ରଭୁ ଅସରାଏ ବର୍ଷା କରି ଦିଅନ୍ତ ନାହିଁ? ନ ହେଲେ ପାଣି ତେଣ୍ଡିବାକୁ ପଡ଼ିବ।
କିଛି ଘଣ୍ଟା ଭିତରେ ଆକାଶରେ କାହୁଁ ଆସି କଳାହାଣ୍ଡିଆ ମେଘ ଘୋଟିଗଲା ଏବଂ ଭଲ କରି ବର୍ଷା ହୋଇଗଲା। ଚାଷୀ ଜଣକ ଭଗବାନଙ୍କୁ କୃତଜ୍ଞତା ଜଣାଇ କହିଲେ- ଯାହା ହେଉ ମୋ ଡାକ ଶୁଣିଲ।
ସଂଧ୍ୟା ବେଳେ ସେହି ଚାଷୀ ନିଜ ପରମ ମିତ୍ରଙ୍କ ଘରକୁ ବୁଲିବାକୁ ଗଲେ। ମନ ଦୁଃଖରେ ଥିବା ବନ୍ଧୁ କହିଲେ- ଭାଇ, କ’ଣ କହିବି କହ? ଭଗବାନ କେଡ଼େ ନିର୍ଦୟ! ପାଚିଲା ଶସ୍ୟ କଟା ହୋଇ ଜମିରେ ଗଦା ହୋଇଛି ବର୍ଷା ହୋଇଗଲା। ମେଘ ଦେଖି ଭଗବାନଙ୍କୁ ବିକଳରେ କେତେ ଗୁହାରି କଲି, ହେଲେ ସେ କ’ଣ ଶୁଣିଲେ?
କଥାଟି ସାରି ୟୁଜିକେ କହିଲେ- ବର୍ଷା ଚାହୁଁଥିବା ଚାଷୀ ଭଗବାନଙ୍କୁ ଯେଉଁ ଭଳି ଲୋଡ଼ିଥିଲେ, ସେମିତି ଲୋଡ଼ିଥିବେ ସେଇ ଚାଷୀ ଯାହାଙ୍କ ଶସ୍ୟ ବିଲରେ ଗଦା ହୋଇଥିଲା। ଈଶ୍ବର ଏମିତି କେଲ କାହିଁକି?
ୟୁଜିକେଙ୍କ ଗପ ପରେ ଏଭଳି ପ୍ରଶ୍ନରେ କେବଳ ନିରବତା ଖେଳିଗଲା।
ୟୁଜିକେ ତା’ ପରେ କହିଲେ- କଥା ହେଲା, ଈଶ୍ବର ଏ ସବୁର ବହୁ ଊର୍ଦ୍ଧ୍ବରେ। ସେ ଯାହା ଦିଅନ୍ତି ନିଜ ଇଚ୍ଛାରେ ଦିଅନ୍ତି। ସବୁଠି ସମାନ ଭାବେ ଦିଅନ୍ତି। ତଦ୍ଦ୍ବାରା କାହାର ଲାଭ ହୋଇପାରେ ବା କାହାର କ୍ଷତି! ତୁମେମାନେ ଚିନ୍ତା କଲ ଦେଖି ପ୍ରତ୍ୟେକ ମନୁଷ୍ୟର ମଙ୍ଗଳ ପାଇଁ ଭିନ୍ନ ଭିନ୍ନ ସ୍ଥିତି ସୃଷ୍ଟି କରିବା କ’ଣ ସମ୍ଭବ? ଯେଉଁଠି ଓ ଯାହାର ଦରକାର ସେଠି ଓ ତା’ ପାଇଁ ବର୍ଷା ଓ ଯେଉଁଠି ବା ଯାହାର ଦରକାର ସେଠି ବା ତା’ ପାଇଁ ଖରା କରିବା କ’ଣ ସମ୍ଭବ?