ପ୍ରତି ବର୍ଷ ଜୁଲାଇ ମାସ ଆସିଲେ ବନ ମହୋତ୍ସବମାନ ଆୟୋଜିତ ହୋଇ ଜନସାଧାରଣଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ ପ୍ରତି ଆଗ୍ରହ ଓ ତତ୍ପରତା ପ୍ରକାଶ ପାଇଥାଏ, ଯାହା ସ୍ୱାଗତଯୋଗ୍ୟ। ତେବେ ଚାରା ରୋପଣ ପରେ ସେଗୁଡ଼ିକର ଯତ୍ନ ନେବା ପାଇଁ ସେତିକି ଆଗ୍ରହ ପ୍ରକାଶ ପାଉ ନଥିବାରୁ ସେଥିରୁ କେତେ ଗଛ ବଞ୍ଚିଲା କି ମଲା ତା’ର ହିସାବ ଆଉ ପ୍ରାୟ କାହା ପାଖରେ ନଥାଏ। ଅନେକଙ୍କ ପାଇଁ ଏହା ଏକ ଫଟୋ ଉଠା କାର୍ଯ୍ୟକ୍ରମ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରଚାରର ବିଷୟ ଭାବେ ସୀମିତ ହୋଇ ରହିଯାଏ। ବସ୍ତୁତଃ, ପୃଥିବୀ ସାରା ପ୍ରାୟ ୯୯ ପ୍ରତିଶତ ଗଛ ଆପେ ଆପେ ଉଠୁଥିବାରୁ ମଣିଷର ବିନା ହସ୍ତକ୍ଷେପରେ ବି ମଞ୍ଜି ପଡ଼ି ଗଛ ସୃଷ୍ଟି ହୋଇ ପ୍ରାକୃତିକ ଉପାୟରେ ସବୁଜ ବଳୟର ରକ୍ଷା ହୋଇପାରନ୍ତା। କିନ୍ତୁ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ଗଛ ଓ ଜଙ୍ଗଲ ତୁଳନାରେ ମଣିଷ ଅଧିକ ସଂଖ୍ୟକ ଗଛ କାଟି ଚାଲିଥିବାରୁ ଜଙ୍ଗଲର ଦ୍ରୁତ କ୍ଷୟ ହୋଇ ବୃକ୍ଷରୋପଣର ଆବଶ୍ୟକତା ଉପୁଜେ। ବିକାଶ ନାମରେ ନିତିପ୍ରତି ଯଥାଅଯଥାରେ ଲକ୍ଷ ଲକ୍ଷ ବୃକ୍ଷ ବଳି ପଡୁଥିବାର ଦେଖାଯାଏ। ସାରା ବିଶ୍ୱରେ କେବଳ ଗତ ୧୪ ବର୍ଷ ମଧ୍ୟରେ ୪.୩ କୋଟି ହେକ୍ଟର ଜଙ୍ଗଲ କ୍ଷୟ ହେବା ଉଦ୍ବେଗଜନକ। ଭୂପୃଷ୍ଠ ଏହିପରି ଭାବେ ବୃକ୍ଷଶୂନ୍ୟ ହୋଇଯାଉଥିବା ବେଳେ କେବଳ ଚାରା ରୋପଣ କରି ସେହି କ୍ଷତିକୁ ଭରଣା କରିବା ଏକ ପ୍ରକାର ଅସମ୍ଭବ। ତେଣୁ ଦ୍ରୁତ ପୁନଃ ବନୀକରଣ ପାଇଁ ବିହନ ଗୁଳାକୁ ଉପଯୋଗରେ ଅଣାଯାଇପାରିଲେ ଏହା ଆଦୃତି ଲାଭ କରିବାର ସମ୍ଭାବନା ବେଶୀ ହୋଇଥିବାରୁ ସେ ନେଇ ଅଧିକ ବିମର୍ଶର ଆବଶ୍ୟକତା ରହିଛି।
ମଞ୍ଜିଟିଏ ପଡ଼ି ଗଛ ଉଠିବା ଏକ ସାଧାରଣ ଘଟଣା। ତେବେ ମଞ୍ଜିଟିକୁ ମାଟି ଓ ଖାଦ୍ୟ ସହ ଅନୁକୂଳ ବାତାବରଣ ମିଳିଗଲେ ତାହା ଗଜା ମାରିବାକୁ ସକ୍ଷମ ହୋଇଥାଏ। ବିହନ ଗୁଳା ସେହିପରି ଗୋଟିଏ ମଞ୍ଜି, ଯାହା ମାଟି ଓ ଖତ, ନଡ଼ିଆ କତା ଗୁଣ୍ଡ (କୋକୋ ପିଟ), ବା ଶିଉଳି ଭଳି ଖାଦ୍ୟର ଆବରଣ ଭିତରେ ଗୁଳା ଆକାରରେ ଶୁଖିଲା ଅବସ୍ଥାରେ ରହିଥାଏ। କିଛି କାଦୁଅ ଓ ଖତର ଗୁଳାଟିଏ ଭିତରେ ଏକ ବା ଏକାଧିକ ମଞ୍ଜିକୁ ରଖି ତାକୁ ଶୁଖାଇ ଦେଲେ ବିହନ ଗୁଳା ପ୍ରସ୍ତୁତ ହୋଇଯାଏ। ଏହାକୁ ବୃକ୍ଷରୋପଣ ପାଇଁ ନିକ୍ଷେପ ବା ପୋତି କରି ବ୍ୟବହାର କରିହୁଏ। ମଞ୍ଜିକୁ ସିଧାସଳଖ ବୁଣାଗଲେ ତାହା ପକ୍ଷୀ ଓ ଗୁଣ୍ଡୁଚି ମୂଷାଙ୍କ ଭଳି ଜୀବଜନ୍ତୁଙ୍କ ଦ୍ୱାରା ନଷ୍ଟ ହେବାର ଆଶଙ୍କା ଥିଲା ବେଳେ ବିହନ ଗୁଳାରେ ତାହା ସୁରକ୍ଷିତ ଭାବେ ଦୀର୍ଘ ଦିନ ଧରି ରହିଥାଏ ଓ ଅନୁକୂଳ ବାତାବରଣ ପାଇଲେ ସେଥିରୁ ଗଛ ଉଠିଥାଏ। ବର୍ଷା ଋତୁରେ ବିହନ ଗୁଳାର ଉପଯୋଗିତା ସର୍ବାଧିକ ହୋଇଥିଲେ ବି ଏହାକୁ ବର୍ଷର ଯେ କୌଣସି ସମୟରେ ବ୍ୟବହାର କରିହୁଏ। ଏହି ପଦ୍ଧତିର ଅନୁସରଣରେ ପ୍ରାୟ ୫୦ ପ୍ରତିଶତ ଗଛ ବଞ୍ଚିଥାଏ। ଚାରାରୋପଣ ପଦ୍ଧତି ଅପେକ୍ଷା ବିହନ ଗୁଳା ମାଧ୍ୟମରେ ବୃକ୍ଷରୋପଣରେ ଅଧିକ ଗଛ ବଞ୍ଚି ରହେ ଓ ୮୦ ପ୍ରତିଶତ ଅଧିକ ସଫଳତା ମିଳିଥାଏ। ଏଥିପାଇଁ ଗାତ ଖୋଳିବାର ବା ହଳ କରିବାର ପ୍ରୟୋଜନ ହେଉ ନଥିବାରୁ ସେ ସମ୍ପର୍କିତ ଶ୍ରମ ଓ ବ୍ୟୟ ସଞ୍ଚୟ କରାଯାଇପାରେ। ପାହାଡ଼, ତୀଖ ଉଠାଣି ଓ ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳ, ଯେଉଁଠାରେ ଚାରାରୋପଣ କରିବା କଷ୍ଟକର, ସେ ସବୁ ସ୍ଥାନକୁ ବିହନ ଗୁଳା ନିକ୍ଷେପ କରି ସେହି କାର୍ଯ୍ୟଟିକୁ ସହଜରେ କରାଯାଇପାରେ। ପରିବ୍ୟାପ୍ତ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ବିହନ ଗୁଳାର ଉପଯୋଗରେ ଖୁବ୍ କମ୍ ଦିନ ମଧ୍ୟରେ ଜଙ୍ଗଲ ସୃଷ୍ଟି କରି ହୋଇଥାଏ। ଅଳ୍ପ ବୃଷ୍ଟି ହେଉଥିବା ଶୁଷ୍କାଞ୍ଚଳଗୁଡ଼ିକରେ ଏହା ବେଶ୍ ଉପଯୋଗୀ ହୋଇଥାଏ। ତେବେ ବିହନ ଗୁଳାରେ ବ୍ୟବହୃତ ମଞ୍ଜି ସ୍ଥାନୀୟ ଅଞ୍ଚଳ ବା ଜଙ୍ଗଲରେ ଥିବା ଗଛର ହୋଇଥିଲେ ତାହା ସହଜରେ ବଢ଼ିପାରିଥାଏ।
ଅନ୍ୟ ପକ୍ଷରେ ଚାରା ରୋପଣ ଏକ ଅପେକ୍ଷାକୃତ ବ୍ୟୟବହୁଳ ପଦ୍ଧତି। ସେଥିରେ ପୁଣି ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳିଥାଏ। ତେଣୁ ସରକାରୀ ସ୍ତରରେ ଚାରା ରୋପଣକୁ କମ୍ କରି ବିହନ ଗୁଳା ମାଧ୍ୟମରେ ବନୀକରଣକୁ ଅଗ୍ରାଧିକାର ଦିଆଗଲେ ଖୁବ୍ କମ୍ ସମୟ ମଧ୍ୟରେ ଜଙ୍ଗଲଗୁଡ଼ିକର ସାନ୍ଦ୍ରତା ବଢ଼ାଇବା ସହିତ ନୂତନ ଜଙ୍ଗଲ ସୃଷ୍ଟି କରିହେବ। ବିହନ ଗୁଳା ନିକ୍ଷେପ ମାଧ୍ୟମରେ ବନୀକରଣ ପାଇଁ ଏବେ ଡ୍ରୋନ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ହେବାକୁ ଲାଗିଲାଣି। ପ୍ରଥମେ ଡ୍ରୋନ ଓ କୃତ୍ରିମ ବିଦ୍ୱତ୍ତା (ଏଆଇ)କୁ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସର୍ଭେ କରାଯାଇ ସେଥିରୁ କେଉଁ ସ୍ଥାନରେ ବନୀକରଣର ଆବଶ୍ୟକତା ରହିଛି ତାହା ଚିହ୍ନଟ ହୋଇ ମ୍ୟାପଟିଏ ପ୍ରସ୍ତୁତ ହୋଇଥାଏ। ବୃକ୍ଷର ସାନ୍ଦ୍ରତା, ଜଙ୍ଗଲର ସ୍ତର ଓ ମାଟିର ଗୁଣକୁ ଆଧାର କରି କେଉଁ ସ୍ଥାନରେ କେଉଁ ମଞ୍ଜି ପୋତାଯିବା ଦରକାର, ତାହା ସ୍ଥିର ହୋଇଥାଏ।
ଚାରା ରୋପଣ ମାଧ୍ୟମରେ ବନୀକରଣ ବେଳେ ପ୍ରାୟତଃ ଗୋଟିଏ ପ୍ରଜାତିର (ମନୋକଲଚର) ଚାରାରୋପଣ ହେଉଥିବାବେଳେ ଡ୍ରୋନ ମାଧ୍ୟମରେ ନିମ, ତେନ୍ତୁଳି, ମହୁଲ, ପଣସ, ଆତ, ବରଗଛ, ବବୁଲ ଭଳି ସ୍ଥାନୀୟ ଜଙ୍ଗଲରେ ଉପଲବ୍ଧ ବିଭିନ୍ନ ପ୍ରକାର ଗଛର ମଞ୍ଜି ନିକ୍ଷେପ କରାଯାଇଥାଏ। ଡ୍ରୋନର ବ୍ୟବହାର କରି ସେହି ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ନିର୍ଭୁଲ୍ ଭାବେ ବିହନ ଗୁଳା ନିକ୍ଷେପ କରାଯାଇଥାଏ। ଡ୍ରୋନର ଗତିପଥକୁ ଜିଓଟାଗିଂ କରାଯାଉଥିବାରୁ ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦିଷ୍ଟ ଗତିପଥରେ ଡ୍ରୋନ ମାଧ୍ୟମରେ ପୁନଶ୍ଚ ଗଛଗୁଡ଼ିକର ସ୍ଥିତି ନିରୀକ୍ଷଣ କରାଯାଇପାରିଥାଏ। ଏପରିକି ଗଛ ଉଠି ନଥିଲେ ବା ମରି ଯାଇଥିଲେ ଡ୍ରୋନ ମାଧ୍ୟମରେ ତାହାର ପରିପୂରଣ କରାଯାଇଥାଏ। ଫଳରେ ଗଛଗୁଡ଼ିକ ବଞ୍ଚି ରହିବା ସହ ଦ୍ରୁତ ବନୀକରଣର ଲକ୍ଷ୍ୟ ହାସଲ ହୋଇପାରିଥାଏ। ଦେଶରେ ‘ସିଡ୍କପ୍ଟର’ ନାମକ କମ୍ପାନି ଦ୍ୱାରା ଏହି ‘ମାନବରହିତ ବ୍ୟୋମଯାନ ମାଧ୍ୟମରେ ବିହନ ଗୁଳା ନିକ୍ଷେପ’ ସେବା ଉପଲବ୍ଧ ହେଲାଣି। ତେଲେଙ୍ଗାନା, ରାଜସ୍ଥାନ, ଆସାମ ଆଦି ରାଜ୍ୟରେ ବନୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ଡ୍ରୋନ ମାଧ୍ୟମରେ ବିହନଗୁଳା ନିକ୍ଷେପକୁ ଗୁରୁତ୍ୱ ଦିଆଯାଉଛି।
୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ସହ ଓଡ଼ିଶା ଏକ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ସମୁଦ୍ର ନିକଟରେ ଏକ ଘଞ୍ଚ ସବୁଜ ବଳୟର ଆବଶ୍ୟକତା ରହିଛି। ପରିବେଶର ସୁରକ୍ଷା ତଥା ସମୁଦ୍ର ଜନିତ କ୍ଷୟକ୍ଷତିକୁ ରୋକିବା ଲାଗି ଓଡ଼ିଶା ସରକାର ୨୦୧୫ରେ ବିସ୍ତୀର୍ଣ୍ଣ ବେଳାଭୂମି ନିକଟସ୍ଥ ଲୁଣାବନ୍ଧକୁ ଲାଗି ଏକ ସବୁଜ ବଳୟ ସୃଷ୍ଟି କରିବା ପାଇଁ ସ୍ଥିର କରିଥିଲେ। ‘ଜାତୀୟ ବାତ୍ୟା ବିପଦ ପ୍ରଶମନ ପ୍ରକଳ୍ପ’ (ଏନ୍ସିଆର୍ଏମ୍ପି) ଅଧୀନରେ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାଗୁଡ଼ିକରେ ଲୁଣାବନ୍ଧ କଡ଼ରେ ବୃକ୍ଷରୋପଣ କରି ଏକ ସବୁଜ ବଳୟ ସୃଷ୍ଟି କରାଯିବ ବୋଲି କୁହାଯାଇଥିଲା, ଯାହା ସମୁଦ୍ର ଲହରୀ ଓ ପବନକୁ ପ୍ରତିହତ କରିବା ପାଇଁ ପ୍ରଥମ ଧାଡ଼ିର ସୁରକ୍ଷା ପ୍ରଦାନକାରୀ ଭାବେ କାର୍ଯ୍ୟ କରିଥାନ୍ତା। ବିଶ୍ୱ ବ୍ୟାଙ୍କ ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ବିପତ୍ତି ପରିଚାଳନା କର୍ତ୍ତୃପକ୍ଷଙ୍କ (ଓଏସ୍ଡିଏମ୍ଏ) ଦ୍ୱାରା କରାଯିବାର ଥିଲା। ୧୯୯୯ର ମହାବାତ୍ୟା ପରେ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଯେଉଁ ସଂଖ୍ୟାରେ ଗଛ ନଷ୍ଟ ହୋଇଥିଲା ତାହା ବୃକ୍ଷ ରୋପଣ ମାଧ୍ୟମରେ ପୂରଣ କରିବା ଲାଗି ସେଭଳି ଉଦ୍ୟମ ହୋଇନଥିବାରୁ ସବୁଜ ବଳୟର ଅନୁପସ୍ଥିତି ଜନିତ ବିପଦ ସମ୍ପର୍କରେ ଫାଇଲିନ, ହୁଡ଼ହୁଡ଼, ଫନି ଭଳି ବାତ୍ୟାଗୁଡ଼ିକରେ ଅନୁଭୂତ ହୋଇଆସିଛି।
ଅବଶ୍ୟ ଭିତରକନିକା ସମେତ ଅଳ୍ପ କିଛି ସ୍ଥାନରେ ଥିବା ହେନ୍ତାଳ ବଣ ପ୍ରକୃତିର ବରଦାନ ସଦୃଶ ରହିଆସିଛି। ଉପରୋକ୍ତ ପ୍ରକଳ୍ପର କାର୍ଯ୍ୟକାଳ ସରିଯାଇଥିଲେ ବି ଅସମାପ୍ତ ସବୁଜ ବଳୟ ସମ୍ପର୍କରେ ଆଉ ଆଲୋଚନା ନ ହେବା ଦୁର୍ଭାଗ୍ୟଜନକ। ତେଣୁ ଡ୍ରୋନ୍କୁ ଉପଯୋଗ କରି ଏହି ସବୁଜ ବଳୟର ଅସମାପ୍ତ କାର୍ଯ୍ୟକୁ ପୂରା କରାଯିବା ସହ ନୂଆ ହେନ୍ତାଳ ବଣ ସୃଷ୍ଟି ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମ୍ୟାନମାରରେ ହେନ୍ତାଳ ବଣର ପୁନରୁଦ୍ଧାର ପାଇଁ ଡ୍ରୋନ ସହାୟତାରେ ଏକ ବଡ଼ ଧରଣର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ଏ ଯାଏ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୬୦ ଲକ୍ଷ ଗଛ ସୃଷ୍ଟି ହୋଇସାରିଲାଣି। ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଡ୍ରୋନ ମାଧ୍ୟମରେ ହେନ୍ତାଳ ବଣର ପୁନରୁଦ୍ଧାର କଥା ଚିନ୍ତା କରାଯାଇପାରେ।
ସେହିପରି ୨୦୧୮ରେ ମନ୍ତ୍ରିମଣ୍ଡଳ ବୈଠକରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ପରି ଓଡ଼ିଶାର ବଡ଼ ବଡ଼ ନଦୀଗୁଡ଼ିକୁ ପ୍ରାଣବନ୍ତ କରିବା ପାଇଁ ସେଗୁଡ଼ିକର କୂଳେ କୂଳେ ସବୁଜ ବଳୟ ସୃଷ୍ଟି କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ଏପରିକି ‘ଗ୍ରିନ ମହାନଦୀ ମିସନ’ ଅଧୀନରେ ସରକାରୀ ଜମି ଓ ଘରୋଇ ଜମିରେ ବୃକ୍ଷରୋପଣ ପାଇଁ ୨ କୋଟି ଚାରା ଯୋଗାଇ ଦିଆଯାଇଥିଲା। ଅବଶ୍ୟ ପରିବେଶ ଓ ଜୈବ ବିବିଧତାର ସୁରକ୍ଷା ଦୃଷ୍ଟିରୁ ସେଭଳି ମିଶନର ଉପାଦେୟତା ନେଇ ପରିବେଶବିତ୍ମାନେ ପ୍ରଶ୍ନ ଉଠାଇଥିଲେ ବି ଏହି ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଆଉ ବିଶେଷ କିଛି ଶୁଣିବାକୁ ମିଳୁନାହିଁ। ପରିବେଶଗତ ପ୍ରସଙ୍ଗଗୁଡ଼ିକୁ ଧ୍ୟାନରେ ରଖି ଡ୍ରୋନ୍ର ସହାୟତାରେ ବିହନ ଗୁଳା ମାଧ୍ୟମରେ ଉପଯୁକ୍ତ ପ୍ରଜାତିର ବୃକ୍ଷରୋପଣ କରି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା କଥା ଚିନ୍ତା କରାଯାଇପାରେ। ଏପରିକି ଚାରା ରୋପଣ ମାଧ୍ୟମରେ ହେଉଥିବା ବନୀକରଣର ଅଗ୍ରଗତିକୁ ଡ୍ରୋନ ମାଧ୍ୟମରେ ନିରୀକ୍ଷଣ କରିବା ବାଧ୍ୟତାମୂଳକ କରାଗଲେ ଏ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ହ୍ରାସ କରାଯିବା ସହ ବନୀକରଣର ସଫଳତାକୁ ସୁନିଶ୍ଚିତ କରି ହୁଅନ୍ତା।
ବିହନ ଗୁଳା ମାଧ୍ୟମରେ ବୃକ୍ଷରୋପଣକୁ ସାଧାରଣରେ ଆଦୃତ କରାଇବା ଲାଗି ନିମ୍ନ କେତୋଟି ଦିଗ ପ୍ରତି ଧ୍ୟାନ ଦିଆଯାଇପାରେ। ଏଣିକି ସଭାସମିତିରେ ଅତିଥି ଅଭ୍ୟାଗତମାନଙ୍କୁ ସ୍ୱାଗତ ଜଣାଇଲା ବେଳେ ପୁଷ୍ପଗୁଚ୍ଛ ବଦଳରେ ବିହନ ଗୁଳା ପ୍ରଦାନର ପ୍ରଥା ଆରମ୍ଭ କରାଯାଇପାରେ। ବିହନ ଗୁଳାଟିକୁ ପୋତିବା ପାଇଁ ସ୍ଥାନାଭାବ ଥିଲେ ଯାତ୍ରା ସମୟରେ ସେଇଟିକୁ ଉପଯୁକ୍ତ ଜାଗାକୁ ନିକ୍ଷେପ କରିଦେଇ ହେବ। ସେହିପରି ଜନ୍ମଦିନ, ବାହାଘର ଭଳି ପାରିବାରିକ ଉତ୍ସବମାନଙ୍କରେ ବିହନ ଗୁଳାକୁ ଉପହାର ଆକାରରେ ପ୍ରଦାନ କରିବାର ବିଧି ଆରମ୍ଭ କରାଯାଇପାରେ। ତଦ୍ଦ୍ୱାରା ଗଛ ଓ ପ୍ରକୃତି ପ୍ରତି ପିଲାଟି ଦିନରୁ ମମତା ସୃଷ୍ଟି କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଯେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଏହି ପ୍ରଥା ଆରମ୍ଭ ହୋଇଗଲାଣି। ବର୍ଷା ଋତୁରେ ପ୍ରତି ଗାଁର ରାସ୍ତା ଧାରରେ, ମନ୍ଦିର ବେଢ଼ାରେ ଓ ଅନ୍ୟ ଖାଲି ଜାଗାରେ ଅନ୍ତତଃ ପଚାଶଟି ଲେଖାଏଁ ନିମ, ବେଲ ଭଳି ସ୍ୱାସ୍ଥ୍ୟ ପ୍ରତି ହିତକର ବୃକ୍ଷର ବିହନ ଗୁଳା ପୋତାଯାଇପାରିଲେ ଗଛ ବଡ଼ ହୋଇ ପବନରୁ ପ୍ରଦୂଷଣ ହ୍ରାସ କରିବା ସହ ଗାଁ ଲୋକଙ୍କୁ ନୀରୋଗ ରଖିବାରେ ସହାୟକ ହେବ। ଏହାକୁ ଏକ ଆନ୍ଦୋଳନର ରୂପ ଦେବାକୁ ମଧ୍ୟ ଚିନ୍ତା କରାଯାଇପାରେ।
ଯାତ୍ରା ସମୟରେ, ବାହାର ଜାଗାକୁ ବୁଲିବାକୁ ବା ପିକ୍ନିକ୍ରେ ଗଲା ବେଳେ ସାଙ୍ଗରେ ସବୁବେଳେ କିଛି ବିହନଗୁଳା ନେଇ ସେଗୁଡ଼ିକୁ ଉପଯୋଗ କରିବାକୁ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ। ଆମେରିକା, ଥାଇଲାଣ୍ଡ, କେନିଆ ଭଳି ଅନେକ ଦେଶରେ ଏବେ ବିହନ ଗୁଳାର ବହୁଳ ଉପଯୋଗ ହେଉଛି। ସେଗୁଡ଼ିକୁ ଆକାଶ ମାର୍ଗରୁ ବୋମା ଭଳି ନିକ୍ଷେପ କରି ଜଙ୍ଗଲ ସୃଷ୍ଟି କରାଯାଉଛି। ଜଙ୍ଗଲ ଖଣ୍ଡିତ ବା ପତଳା ହୋଇଗଲେ ମାଟି ଶୁଷ୍କ ହୋଇ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଯାଇଥାଏ। ବନାଗ୍ନି ପ୍ରବଣ ଓଡ଼ିଶାରେ ଦେଶର ସର୍ବାଧିକ ସଂଖ୍ୟକ ବନାଗ୍ନି ହେଉଥିବାରୁ ଏଠାକାର ଖଣ୍ଡିତ ବା ପତଳା ହୋଇଯାଉଥିବା ଜଙ୍ଗଲଗୁଡ଼ିକୁ ପୁନଃ ଘଞ୍ଚ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବିହନ ଗୁଳାକୁ ଆୟୁଧ ରୂପେ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି। ଢେଙ୍କାନାଳ ଜିଲ୍ଲାର ଯୁବକ ଶୁଭ୍ରାଂଶୁ ଶତପଥୀ ବିହନ ଗୁଳା ମାଧ୍ୟମରେ ସବୁଜ ବଳୟର ପୁନରୁଦ୍ଧାର କରି ଜାତିସଂଘ ଦ୍ୱାରା ପୁରସ୍କୃତ ହେବା ବାସ୍ତବିକ ଆମ ପାଇଁ ଗର୍ବର ବିଷୟ। ଚାରା ରୋପଣ ହେଉ; ଏଥି ସହିତ ବିହନ ଗୁଳା ଉପଯୋଗର ଚଳଣି ଆରମ୍ଭ ହେଲେ କେବଳ ଜୁଲାଇ ମାସକୁ ଅପେକ୍ଷା ନ କରି ବର୍ଷ ତମାମ ବୃକ୍ଷରୋପଣ ପ୍ରକ୍ରିୟା ଜାରି ରହିପାରିବ। ଆମ ହୃତ ସବୁଜ ବଳୟର ପୁନରୁଦ୍ଧାର ଦିଗରେ ପାହୁଣ୍ଡେ ଆଗକୁ ବଢ଼ିବାରେ ତାହା ସହାୟକ ହେବା ନିଃସନ୍ଦେହ।
ମୋ: ୯୪୩୭୦୩୮୦୧୫