ନିକଟରେ ଆମେରିକାର ବିବାଦସ୍ପଦ ପ୍ରାକ୍ତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାଥରୁମ୍ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ନଥିପତ୍ର ଜବତ ହୋଇଥିବାର ଖବର ଶୁଣିବାକୁ ମିଳିଥିଲା। ପୁଣି ଏ ଘଟନାର କିଛି ମାସ ଆଗରୁ ଓଡ଼ିଶାର ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ଗୋଟିଏ ତଥାକଥିତ ଗୁରୁତ୍ୱପୂର୍ଣ୍ଣ ହାତଲେଖା କାଗଜକୁ ଏକ ବାଥରୁମ୍ରେ ଭସେଇ ଦେବାକୁ ଚେଷ୍ଟା କରିଥିଲା। ଉଭୟ ଟ୍ରମ୍ପ ଓ ଗୋପାଳ ଦାସ ନିଜସ୍ୱ ଓ ଗୋପନୀୟ କାଗଜ ପତ୍ରଗୁଡ଼ିକୁ ଲୁଚାଇବା ପାଇଁ ବାଥରୁମ୍ ଭଳି ଗୋପନୀୟ ଅନ୍ୟ ସ୍ଥାନ ହୁଏତ ପାଇନଥିଲେ।
ଯଦିଓ ଜଣେ ମଣିଷ ନିଜ ବାସଗୃହଟିରେ ସବୁଠୁ ସ୍ୱଚ୍ଛନ୍ଦ ଓ ସୁରକ୍ଷିତ ଅନୁଭବ କରିଥାଏ, ନିଜ ବାଥରୁମ୍ରେ ସେ ଯେଉଁ ନିରଙ୍କୁଶ ଗୋପନୀୟତା ଓ ଏକାନ୍ତତା ପାଇଥାଏ ତାହା ଆଉ କେଉଁଠି ପାଏ ନାହିଁ। ଚାରିକାନ୍ଥ ପରିବେଷ୍ଟିତ ଅଣଓସାରିଆ କୋଠରିଟିଏ ହୋଇଥିଲେ ହେଁ ତା’ ଭିତରେ ଥିବା ସମୟରେ ମଣିଷ ହୋଇଯାଏ ସେ ସ୍ଥାନର ଅଧୀଶ୍ୱର, ନିଜ ମର୍ଜିର ମାଲିକ ଏବଂ ନିତ୍ୟକର୍ମ ତାଡ଼ନାରେ ଶରୀରର ଆଭ୍ୟନ୍ତରୀଣ ଚାପ ସତ୍ତ୍ୱେ ସମ୍ପୂର୍ଣ୍ଣ ରୂପେ ବାହ୍ୟିକ ଚାପମୁକ୍ତ। ସେଠି ନ ଥାଏ କାହାର ଝିକ ଝିକ ଅବା କିଛି ପ୍ରକାରର କଟକଣା। ସେଇଥିପାଇଁ ଅନେକ ମଣିଷ ବାଥରୁମ୍ରେ ପଶିବା କ୍ଷଣି ଉଲ୍ଲସିତ ହୋଇ ନିଜର ଗାୟକ ହେବାର ଅବଦମିତ ଇଚ୍ଛାକୁ ଜୀବନ୍ୟାସ ଦେଇ ଛାଡ଼ିଦିଅନ୍ତି ବିଭିନ୍ନ ଖାପଛଡ଼ା ସୁରର ରାଗିଣୀ। ଏହି କାରଣରୁ ‘ବାଥରୁମ ସିଙ୍ଗର’ ନାମରେ ଏକ ସ୍ୱତନ୍ତ୍ର ଗାୟକ ଗୋଷ୍ଠୀର ସୃଷ୍ଟି।
ଅବଶ୍ୟ ଆଧୁନିକ ମଣିଷ ତା’ର ବାଥରୁମ୍ରେ ଅବସ୍ଥାନ ସମୟଟିକୁ ମଧ୍ୟ ସ୍ମାର୍ଟଫୋନ ଓ ସାମାଜିକ ଗଣମାଧ୍ୟମ ପାଇଁ ସମର୍ପିତ କରିସାରିଲାଣି। ସେଠି ଥିବା ସମୟରେ ସାଙ୍ଗସାଥୀଙ୍କ ନିବେଦନ ଗୁଡ଼ିକୁ ପ୍ରୋତ୍ସାହିତ କରିବା କିମ୍ବା କିଛି ଭିଡିଓର ମନୋରଞ୍ଜନ ନେବା ତା’ର ଦିନଚର୍ଯ୍ୟାର ଅଂଶବିଶେଷ ହୋଇସାରିଲାଣି। ପୁଣି ମାନସ ମନ୍ଥନ ପାଇଁ ଏହି ବାଥରୁମ୍ ଠାରୁ ଅଧିକ ପ୍ରକୃଷ୍ଟ ସ୍ଥାନ ମିଳିବା କଷ୍ଟ। ଆଜି ଅନେକେ ବାଥରୁମ୍ରେ ଥିବା ସମୟକୁ ସେ ଦିନର ସାମାଜିକ ଗଣମାଧ୍ୟମର ବିତର୍କ ପାଇଁ ନିଜକୁ ପ୍ରସ୍ତୁତିରେ ଲଗାଉଥିବା ବେଳେ କିଛି ଧୀସମ୍ପନ୍ନ ବ୍ୟକ୍ତି ସେ ସମୟରେ ଜୀବନ ତଥା ବିଶ୍ୱର ଅସ୍ତିତ୍ୱ ସମ୍ବନ୍ଧୀୟ ଗୂଢ଼ ସମସ୍ୟାର ସମାଧାନ ଖୋଜିଥାଆନ୍ତି। ବେଳେବେଳେ ଏହି ମନନ ଓ ଚିନ୍ତନ ଯୁଗାନ୍ତକାରୀ ସିଦ୍ଧାନ୍ତର ବାଟ ଦର୍ଶାଉଥିବାର ପ୍ରମାଣ ମଧ୍ୟ ରହିଛି। ପ୍ରାଚୀନ ଗ୍ରୀସ୍ର ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ଆର୍କମିଡିସ୍ ଜଳକୁଣ୍ଡରେ ଗାଧୋଉଥିବା ସମୟରେ ରାଜାଙ୍କ ସ୍ୱର୍ଣ୍ଣ ମୁକୁଟରେ ଖାଦ ମିଶିଥିବା କଥାର ପ୍ରମାଣ ପାଇଯାଇଥିଲେ ଓ ସେଥିରୁ ଅନିୟମିତ ଆକାରରେ କୌଣସି ବସ୍ତୁର ଆୟତନ ମାପିବା ପାଇଁ ସେ ଉପାୟ ଆବିଷ୍କାର କରିଥିଲେ। ସେ ନିଜ ସଫଳତାର ଆହ୍ଲାଦରେ ‘ଇଉରେକା, ଇଉରେକା’ ବୋଲି ଚିତ୍କାର କରି ରାଜରାସ୍ତାରେ ଦୌଡ଼ିଥିଲେ, ଯଦିଓ ସେତେବେଳେ ନିଜର ବସ୍ତ୍ର ବିବର୍ଜିତ ଅବସ୍ଥା ପ୍ରତି ତାଙ୍କର ଧ୍ୟାନ ନ ଥିଲା।
ବାଥରୁମ୍ରେ ମିଳୁଥିବା ସମସ୍ତ ସଫଳତା ଏମିତି କିଂବଦନ୍ତି ସ୍ତରର ହୋଇ ନ ପାରେ, କିନ୍ତୁ ଏ କଥା ନିଶ୍ଚୟ ଜୋର ଦେଇ କୁହା ଯାଇପାରେ ଯେ ଅନେକ ଅଭିନବ ଓ ଆବେଗମୟ ଭାବନାର ଉତ୍ପତ୍ତିସ୍ଥଳ ସେହି ବାଥରୁମ୍।
ମନକୁ ନିରୁଦ୍ବିଗ୍ନ କରୁଥିବାରୁ ଓ ନୂତନ ଚିନ୍ତା ନିମିତ୍ତ ଖୋରାକ ଯୋଗାଉଥିବାରୁ ବୋଧହୁଏ କ୍ଷମତାର ଅଳିନ୍ଦରେ ବାଥରୁମ୍ର ଦୁର୍ବାର ଆକର୍ଷଣ। ଭାରତର ତଦାନୀନ୍ତନ ଯୋଜନା କମିସନ ମୁଖ୍ୟ ମଣ୍ଟେକ ସିଂହ ଆଲୁୱାଲିଆ ନିଜ ଦପ୍ତରର ଦୁଇଟି ବାଥରୁମ୍ର ସୌନ୍ଦର୍ଯ୍ୟୀକରଣ ବାବଦରେ ୨୦୧୨ ମସିହାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିବାଦ ଭିତରକୁ ଟାଣି ହୋଇଯାଇଥିଲେ। ମନୋଜ ଦାସ ତାଙ୍କର ‘କେତେ ଦିଗନ୍ତ’ ପୁସ୍ତକରେ ବିଳାସପୂର୍ଣ୍ଣ ବାଥରୁମ୍ ପ୍ରତି କ୍ଷମତାସୀନ ମାନଙ୍କର ଏକ ଅହେତୁକ ଦୁର୍ବଳତା ରହିଥିବା କଥା ଅନୁମାନ କରିଛନ୍ତି ମଧ୍ୟପ୍ରଦେଶ ଓ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର କକ୍ଷକୁ ଲାଗି ଦାମୀ ବାଥରୁମ୍ ନିର୍ମାଣ କରିବାର ଦୃଷ୍ଟାନ୍ତରୁ (ନିବନ୍ଧ: “ବାଥରୁମ ଦେଖିବେ ନାହିଁ?”)। ଅବଶ୍ୟ ଉଭୟ କ୍ଷେତ୍ରରେ ସେହି ଦୁଇ ରାଜନୀତିଜ୍ଞ ନିଜପାଇଁ ସୌଖୀନ ପ୍ରସାଧାନ ଗୃହ ତିଆରି କରି ସାରିବା ଆଗରୁ କ୍ଷମତାଚ୍ୟୁତ ହୋଇଥିଲେ। ଏଣେ ଓଡ଼ିଶାର ଜଣେ କ୍ଷମତାଶୀଳ ରାଜନୀତିଜ୍ଞ ତାଙ୍କର ବାଥରୁମ୍-ଉଦାସୀନତା ପାଇଁ ଏକ ଲଜ୍ଜାକର ପରିସ୍ଥିତିରେ ପଡ଼ିଯାଇଥିଲେ। କିଛିମାସ ତଳେ କଟକର ମେୟର ଅର୍ଥରାଶି ଅଭାବରୁ ନିଜର କାର୍ଯ୍ୟାଳୟ ପ୍ରକୋଷ୍ଠର ବାଥରୁମ୍ କବାଟ ମରାମତି କରିପାରୁ ନାହାନ୍ତି ବୋଲି ଏକ ମିଟିଂରେ ଦାବି କରିଥିଲେ। ପ୍ରତିକ୍ରିୟା ସ୍ୱରୂପ ଜଣେ ବିରୋଧୀ ନେତା ମେୟରଙ୍କ ବାଥରୁମ୍ ପାଇଁ ଏକ ନୂଆ କବାଟ ଓ ବଢ଼େଇ ଖର୍ଚ୍ଚ ବାବଦକୁ ପାଞ୍ଚ ଶହ ଟଙ୍କା କମିସନରଙ୍କୁ ଦାନ କରିଥିଲେ। ଏହି ଅଭିନବ ପ୍ରତିବାଦର ଅର୍ଥ ଆଉ ଯାହା ହେଉନା କାହିଁକି ଏତିକି ଶିକ୍ଷା ମିଳୁଛି ଯେ ନିଜ ବାଥରୁମ୍ ପ୍ରତି ଅବହେଳା ଏକ ଅର୍ବାଚୀନ ଆଚରଣ।
ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ବାଥରୁମ୍ ସହ ତିକ୍ତ-ମଧୁର ସମ୍ପର୍କର ଆଉ ଏକ ଦୃଷ୍ଟାନ୍ତ ହେଲା ସେହି ବାଥରୁମ୍କୁ ଲୋକଙ୍କ ଚାପରୁ ବଞ୍ଚିବା ପାଇଁ ଏକ ବାହାନା ହିସାବରେ ବ୍ୟବହାର କରିବା। ନିଜର ସେବାକାରୀ ଦ୍ୱାରା ଫୋନରେ “ବାବୁ ବାଥରୁମ୍ରେ ଅଛନ୍ତି” ବୋଲି କୁହାଇଦେଲେ ଅନେକ ଅବାଂଛିତ ସାକ୍ଷାତକାର ଓ କଥୋପକଥନରୁ ନିବୃତ୍ତି ମିଳିଯାଏ। ହେଲେ ଏହି ସାମୟିକ ଉପଶମ ବେଳେ ବେଳେ ଭୟଙ୍କର ରୂପ ନିଏ। ପ୍ରତିଭା ରାୟଙ୍କ ‘ବାବୁ ବାଥରୁମ୍ରେ ଅଛନ୍ତି’ କ୍ଷୁଦ୍ରଗଳ୍ପରେ ଏହା ମର୍ମେ ମର୍ମେ ଅନୁଭବ କରିଛନ୍ତି ଜଣେ ହତଭାଗ୍ୟ ବାପା। ସେହି ଭଦ୍ରବ୍ୟକ୍ତିଙ୍କର ପୁଅ ବିପଦରେ ପଡ଼ିଥିବାର ଖବର ଜଣେ ସହୃଦୟ ବ୍ୟକ୍ତି ତାଙ୍କ ପାଖକୁ ପହଞ୍ଚାଇବା ପାଇଁ ଚେଷ୍ଟା କଲାବେଳକୁ ଫୋନ ସେପଟୁ ବାରମ୍ବାର ଶୁଣିବାକୁ ମିଳିଥିଲା, “ବାବୁ ବାଥରୁମ୍ରେ ଅଛନ୍ତି”।
ମୋ: ୯୪୩୭୦୮୯୬୫୫