ଜଣେ ବୃଦ୍ଧ ବେପାରୀଙ୍କ ଶେଷ ସମୟ ଆସିଗଲା। ସେ ଥିଲେ ମହା କୃପଣ। ତାଙ୍କ ଚାରି ପୁଅ ଜାଣିଥିଲେ ଯେ ବାପା ଅମାପ ଧନସଂପତ୍ତି କେଉଁଠି ଗୋଟାଏ ଲୁଚାଇ ରଖିଛନ୍ତି। ତେଣୁ ମୃତ୍ୟୁ ପୂର୍ବରୁ ତାଙ୍କ ଠାରୁ କଥା ଆଦାୟ କରିବାକୁ ପୁଅମାନେ ତାଙ୍କୁ ଘେରି ଯାଇ କେବଳ ସେହି କଥା ପଚାରିବାରେ ଲାଗିଥିଲେ। କିନ୍ତୁ ବାପାଙ୍କ ପାଟି ପଡ଼ି ଯାଇଥିଲା। ସେ କେବଳ ଡବଡବ ହୋଇ ଚାହିଁ ରହିଥିଲେ।
ପିଲାମାନେ ଏମିତି କାକୁତିମିନତି ହେଉଥିବା ବେଳେ ହଠାତ୍ ବୃଦ୍ଧଙ୍କ ପାଟିରୁ ବା.......ମା........ ଭଳି କିଛି ବାହାରିବା ଦେଖାଗଲା। ପିଲାମାନେ ଉତ୍କର୍ଣ୍ଣ ହୋଇ ଉଠିଲେ। ବାପା କ’ଣ କହୁଛନ୍ତି ଜାଣିବା ଲାଗି ଗାଁ ବାହାରେ ରହୁଥିବା ଜଣେ ସାଧୁଙ୍କୁ ଘରକୁ ନେଇ ଆସି କହିଲେ- ବାପା କ’ଣ କହୁଛନ୍ତି ବୁଝି କୁହନ୍ତୁ।
ସାଧୁ କହିଲେ- ବ୍ୟସ୍ତ ହୁଅନା। ଗୋଟିଏ ଔଷଧ ଅଛି, ଯାହାର ଦୁଇ ଟୋପା ପାଟିରେ ପଡ଼ିଲେ ଟିକିଏ ବଳ ଆସିଯିବ ଏବଂ ଏଭଳି ଅବସ୍ଥାରେ ଜଣେ ଗୋଟିଏ ବା ଦୁଇଟି ବାକ୍ୟ କହି ଦେଇପାରେ। କିନ୍ତୁ ପରେ ପ୍ରାଣ ରହିବ କି ଯିବ କହି ହେଉନାହିଁ।
ପିଲାଏ କହିଲେ- ପ୍ରାଣ ଚାଲିଯାଉ ପଛକେ, ବୁଢ଼ା ଗୁପ୍ତ ଧନ କଥାଟି କହି ଦେଉ।
ତେଣୁ ସେମାନେ ଔଷଧ ଆଣି ବୃଦ୍ଧଙ୍କ ଜିଭରେ ଦୁଇ ଟୋପା ପକାଇ ଦେଲେ। ସାଙ୍ଗେ ସାଙ୍ଗେ ବେପାରୀ ଖନି ମାରି କହି ଉଠିଲେ- ଆରେ ଅପଦାର୍ଥ, ମୋତେ କ’ଣ ସମସ୍ତେ ଘେରି ବସିଛ? ଦୋକାନରେ ବସିଛି କିଏ?
ଏହା ପରେ ବୃଦ୍ଧ ବେପାରୀଙ୍କ ପ୍ରାଣ ଚାଲିଗଲା। ପିଲାମାନେ ମଧ୍ୟ କାନ୍ଦି ଉଠିଲେ। କେବଳ ସେମାନେ ଓ ସାଧୁ ଜାଣୁଥିଲେ ଯେ ପିଲାଏ କାହିଁକି କାନ୍ଦୁଛନ୍ତି!