‘ଅନ୍ଧର ପୁଅ ଅନ୍ଧ’- ଉତ୍ସର ସନ୍ଧାନ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଇନ୍ଦ୍ରପ୍ରସ୍ଥ ରାଜସଭାରେ ସତରେ କ’ଣ ଦ୍ରୌପଦୀ ‘ଅନ୍ଧର ପୁଅ ଅନ୍ଧ’ ବୋଲି ଦିଅର ଦୁର୍ଯ୍ୟାଧନଙ୍କୁ ଆକ୍ଷେପ କରିଥିଲେ? ସେହି ଆକ୍ଷେପ ମାଧ୍ୟମରେ ସେ ସତରେ କ’ଣ ନିଜର ଜ୍ୟେଷ୍ଠ ଶ୍ୱଶୁର ଧୃତରାଷ୍ଟ୍ରଙ୍କୁ ବି ତାଚ୍ଛଲ୍ୟ କରିଥିଲେ? ବ୍ୟାସଦେବଙ୍କ ମୂଳ ‘ମହାଭାରତ’ରେ ଏହା ନଥିବା ବେଳେ, ବି. ଆର୍‌. ଚୋପ୍ରା ତାଙ୍କ ‘ମହାଭାରତ’ ଧାରାବାହିକରେ ଏ ପ୍ରସଙ୍ଗଟିକୁ ଆଣିଲେ କେଉଁଠୁ?

ଏବେ ତାହାର ଉତ୍ସର ସନ୍ଧାନ କରାଯାଉ।

ତେବେ, ସେ ସନ୍ଧାନକୁ ଯିବା ଆଗରୁ ସ୍ମରଣରେ ରଖିବା ଯେ ସାରଳା ଦାସଙ୍କ ‘ମହାଭାରତ’ ବ୍ୟତୀତ, ଆମ ଓଡ଼ିଆ ଭାଷାରେ ଆଉ ଗୋଟିଏ ଲୋକପ୍ରିୟ ‘ମହାଭାରତ’ ବି ଅଛି। ସେଇଟି ହେଉଛି କୃଷ୍ଣ ସିଂହଙ୍କ ‘ମହାଭାରତ’।

ଅଷ୍ଟାଦଶ ଶତାବ୍ଦୀ (୧୭୩୯-୧୭୮୮)ର କୃଷ୍ଣ ସିଂହ ଥିଲେ ଗଞ୍ଜାମ ଜିଲା ଧରାକୋଟର ରାଜା। ‘ମହାଭାରତ’ ବ୍ୟତୀତ ସେ ‘ହରିବଂଶ’, ‘ରାମ ରସାୟନ’ ଓ ଅନ୍ୟ କେତେକ ଚଉପଦୀ, ଚଉତିଶା ରଚନା କରିଥିଲେ। ତାଙ୍କ ‘ମହାଭାରତ’ ବ୍ୟାସଦେବକୃତ ‘ମହାଭାରତ’ର ଆକ୍ଷରିକ ଅନୁବାଦ ନୁହେଁ। ତଥାପି ବି, ସାରଳା ଦାସଙ୍କ ‘ମହାଭାରତ’ ପରି, ତାହାକୁ ମୌଳିକ କୃତି କୁହା ନଯାଇ ଅନୂଦିତ କୃତି କୁହାଯାଏ। କାବ୍ୟତୀର୍ଥ ପଣ୍ଡିତ ଆକୁଳ ମିଶ୍ରଙ୍କ ଦ୍ୱାରା ସଂଶୋଧିତ ସେହି ‘ମହାଭାରତ’ର ‘ସଭାପର୍ବ’ରେ ଏ ପ୍ରସଙ୍ଗର ବର୍ଣ୍ଣନା ଅଛି। ବର୍ଣ୍ଣନାରୀତି ତ୍ରୟୋଦଶାକ୍ଷରୀ। ‘ରାଜସୂୟ ପ୍ରସଙ୍ଗ’ ଅଧ୍ୟାୟରେ, ଧୃତରାଷ୍ଟ୍ରଙ୍କୁ ମନର ଦୁଃଖକଥା କହିବା ବେଳେ, ଦୁର୍ଯ୍ୟୋଧନ ‘ଦ୍ରୌପଦୀ ବି ହସିଥିଲେ’ କଥାଟିକୁ ଯୋଡ଼ିଦେଇଛନ୍ତି। ମୂଳ ‘ମହାଭାରତ’ରେ ବି ତାହା ହିଁ ଅଛି। ଧୃତରାଷ୍ଟ୍ରଙ୍କୁ ପ୍ରଭାବିତ କରି ‘ଦ୍ୟୁତକ୍ରୀଡ଼ା’ ନିମନ୍ତେ ତାଙ୍କୁ ରାଜି କରାଇବା ପାଇଁ ଦ୍ରୌପଦୀଙ୍କ ନାଆଁଟି ସେଠି ଚତୁରତାର ସହ ସେ ବ୍ୟବହାର କରିଛନ୍ତି।

କୃଷ୍ଣ ସିଂହଙ୍କ ‘ମହାଭାରତ’ର ସେହି ବର୍ଣ୍ଣନା ଏହିପରି-
“ଦୁର୍ଯ୍ୟୋଧନ ବୋଇଲେ ଶୁଣ ଆହେ ତାତ
ଏଥିର ଯେ କାରଣ କହୁଅଛି ତା ତ।
× × ×
ପାଣ୍ଡବମାନଙ୍କର ସଂପତ୍ତିକି ଦେଖି
ପୁରୁଷ ହୋଇ କେବା ନୋହିବଟି ଦୁଃଖୀ।
ବିନ୍ଦୁ ସରୁ ରତ୍ନ ଆଣି ଯେ ମୟାସୁର
କରିଥିଲା ପୋଖରୀଟାଏ ମନୋହର।
ତଳଯାକେ ସ୍ଫଟିକ ବନ୍ଧା ହୋଇଥିଲା
ଏଣୁ ମୋର ତହିଁରେ ଜଳଭ୍ରମ ହେଲା।
ସେହି ସଭାକୁ ଯିବାବେଳେ ମୁହିଁ ତହିଁ
ବସ୍ତ୍ର ଟେକିଦେଲି ହସିଲା ଭୀମ ଚାହିଁ।
ତେତେବେଳେ ମୋତେ ମାଡ଼ିଲା ବଡ଼ ଲାଜ
ଭୀମକୁ ମାରିବାକୁ ଥାଆନ୍ତା ଯେବେ ଓଜ।
ତେବେ ମୁଁ ସେହିକ୍ଷଣି ତାକୁ ପ୍ରତିଫଳ
ଦେଇଥାନ୍ତି ସତ କହୁଛି ନରପାଳ।
ସେ ହାସ ଅଗ୍ନି ହୋଇ ମୋର ହୃଦବନ
ଦେଉ ଅଛଇ ପୋଡ଼ି ଏବେ ଅବିଚ୍ଛିନ୍ନ।
ସେହି ରୂପେ ପୁଣି ଦେଖିଲି ବାମ୍ଫୀଟାଏ
ସ୍ଥଳ ବୋଲି ପଡ଼ିଲି ତହିଁରେ ମୁଁ ରାୟେ।
ବୁଝ ତ ଅର୍ଜୁନର କେମନ୍ତ ନଷ୍ଟ ରୀତି
ଭୀମ ସଙ୍ଗେ ହସିଲା ମୋତେ ସେ ସେମିତି।
ଦ୍ରୁପଦ ରାଜାଙ୍କର ଝିଅ ତା ଦେଖିଲେ
ସେ ମଧ୍ୟ ସେ ଦୁହିଁଙ୍କ ସହିତେ ହସିଲେ।
ତାଙ୍କ ତୁଲେ ଥିଲେ ସହସ୍ର ସଂଖ୍ୟା ଦାସୀ
ମୋତେ ସେହି କାଳେ ଉଡ଼ାଇଦେଲେ ହସି।”

ମୂଳତଃ ଏହା ହେଉଛି ମୂଳ ସଂସ୍କୃତ ‘ମହାଭାରତ’ର ଉତ୍ସ- ଯେଉଁଠୁ “ଦ୍ରୌପଦୀ ବି ହସିଥିଲେ” କଥାଟିର ସୃଷ୍ଟି। କିନ୍ତୁ ମୂଳ ଘଟଣା ବେଳେ ଦ୍ରୌପଦୀ ସେଠି ଉପସ୍ଥିତ ନଥିଲେ। ତେଣୁ “ଅନ୍ଧର ପୁଅ ଅନ୍ଧ” ପରି ତୁଚ୍ଛ, ତାଚ୍ଛଲ୍ୟଭରା ଆକ୍ଷେପ ସେ କରିଥିବାର ପ୍ରଶ୍ନ ହିଁ ଉଠୁନାହିଁ।

ଅନେକଙ୍କୁ ହୁଏତ ଜଣା ନଥାଇ ପାରେ ଯେ ପିତୃତ୍ୱ ସଂଶୟାଚ୍ଛନ୍ନ ହେଲେ ମଧ୍ୟ, ନବାକ୍ଷରୀ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସଙ୍କ ନାଆଁରେ ବି ଗୋଟିଏ ‘ମହାଭାରତ’ ପ୍ରଚଳିତ ଅଛି। ୨୦୦୩ ମାଘ ପୂର୍ଣ୍ଣିମାରେ, ପୁରୀର ଅଭିଜିତ୍ ପ୍ରକାଶନ ତାହାକୁ ପ୍ରକାଶ କରିଛନ୍ତି। କପିଳେଶ୍ୱରପୁର, ପୁରୀର ଭଗବାନ ଦାସ ତାହାର ମୂଳ ପୋଥିର ସଂଗ୍ରାହକ ଏବଂ ପୋଥିଟି ଦୀର୍ଘଦିନ ଧରି ପୁରୀର ବଡ଼ ଓଡ଼ିଆ ମଠରେ ସାଇତା ହୋଇ ରହିଥିଲା ବୋଲି ପ୍ରକାଶିତ ଗ୍ରନ୍ଥରେ ସୂଚନା ଦିଆଯାଇଛି। ସେଥିରେ କିନ୍ତୁ ମୂଳ ପ୍ରସଙ୍ଗରେ ଏ କଥାର ବର୍ଣ୍ଣନା ଅଛି। “ବାପ ଅନ୍ଧ ଓ ପୁଅ କଣା” ବୋଲି କୁହାଯାଇଛି। ସେହି ନବାକ୍ଷରୀ ‘ମହାଭାରତ’ର ବର୍ଣ୍ଣନା (ପୃଷ୍ଠା-୪୪୨) ଏହିପରି-

ଯୁଧିଷ୍ଠି ଆଜ୍ଞା ପାଇ ଭୀମ। ସଭାରେ ବସୁ ଦୁର୍ଯ୍ୟୋଧନ।।
ସ୍ତମ୍ଭ ବୋଲିଣ ଆଉଜିଲା। ଆସ୍ଥାନୁ ଢଳିଣ ପଡ଼ିଲା।।
ପଡ଼ିଲା ଚାରିବେଳ ଯାଏ। ଲଜ୍ଜା ପାଇଣ ଉଠି ରାୟେ।।
ହସି ବୋଲଇ ଭୀମସେନ। ବାପ ଯା ଅନ୍ଧ ପୁଅ କାଣ।।
ତା’ ଶୁଣି ହସିଲେ ଦ୍ରୌପଦୀ। ଲଜ୍ଜା ପାଇଲା କୁରୁପତି।।

ଏଥିରୁ ମନେହୁଏ, ଧୃତରାଷ୍ଟ୍ରଙ୍କୁ ପ୍ରଭାବିତ କରି ତାଙ୍କୁ ଦ୍ୟୁତକ୍ରୀଡ଼ା ନିମନ୍ତେ ରାଜି କରାଇବାପାଇଁ, ଶକୁନିଙ୍କ ପରାମର୍ଶରେ ଦୁର୍ଯ୍ୟୋଧନ ଯେଉଁ ଚତୁର କୌଶଳ ଅବଲମ୍ବନ କରିଛନ୍ତି, ତାହା ପରବର୍ତ୍ତୀ କାଳର ଅନେକ ସ୍ରଷ୍ଟାଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ଏପରିକି, ଭି. ମଣି ଯେଉଁ ‘ପୌରାଣିକ ବିଶ୍ୱକୋଷ’ (ପୁରାନିକ୍ ଏନ୍‌ସାଇକ୍ଲୋପିଡ଼ିଆ, ମୋତିଲାଲ ବନାରସୀ ଦାସ, ୧୯୭୫) ପ୍ରଣୟନ କରିଛନ୍ତି, ସେଥିରେ ମଧ୍ୟ ଏ ପ୍ରସଙ୍ଗରେ ଲେଖିଛନ୍ତି, “Draupadi hid her face with hands and smiled.”। କିନ୍ତୁ ବ୍ୟାସକୃତ ‘ମହାଭାରତ’ର ମୂଳ ପ୍ରସଙ୍ଗରେ ଦ୍ରୌପଦୀ ହସିବା ତ ଦୂରର କଥା, ସେଠାରେ ଉପସ୍ଥିତ ଥିବାର ବର୍ଣ୍ଣନା ବି ନାହିଁ। କିନ୍ତୁ ଇରାବତୀ କର୍ବେଙ୍କ ପରି ‘ମହାଭାରତ’ର ବିଖ୍ୟାତ ଆଲୋଚିକା ମଧ୍ୟ ଏହାର ବ୍ୟତିକ୍ରମ କରିଛନ୍ତି। ପ୍ରସିଦ୍ଧ କୃତି ‘ଯୁଗାନ୍ତ’ର ‘ଦ୍ରୌପଦୀ’ ଅଧ୍ୟାୟରେ ସେ ଲେଖିଛନ୍ତି, “Draupadi also laughed at a person she should have treated with respect. In front of everyone she had laughed when Duryodhan got confused in the pandavas’ marvellous palace, the mayasabha, mistaking water for land, and dryland for water. Her rude laughter was the wrost insult Duryodhan had to bear.” ଅର୍ଥାତ୍‌, ଦ୍ରୌପଦୀ ମଧ୍ୟ ହସିଥିଲେ ଏବଂ ତାଙ୍କର ସେହି କ୍ରୂର ପରିହାସ ଦୁର୍ଯ୍ୟୋଧନଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇଉଠିଥିଲା।।

କିନ୍ତୁ, ଭଣ୍ଡାରକର ଓରିଏଣ୍ଟାଲ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଯେଉଁ ‘ମହାଭାରତ’ ଉପରେ ବି. ଆର୍‌. ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକ ମୌଳିକ ଭାବରେ ଆଧାରିତ, ତାହାର ମୂଳ ପ୍ରସଙ୍ଗରେ ଦ୍ରୌପଦୀଙ୍କର ହସିବା କଥାଟି ନାହିଁ। ତାହାର ୪୩ ଅଧ୍ୟାୟର ଶୀର୍ଷକ ହେଉଛି ‘ଦ୍ୟୁତପର୍ବ’। ତାହାର ବର୍ଣ୍ଣନା (ଶ୍ଳୋକ ୫-୭) ଏହିପରି-
ତତଃ ସ୍ଫାଟିକତୋୟାଂ ବୈ ସ୍ଫାଟିକାମ୍ବୁଜଶୋଭିତାମ୍।
ବାପୀଂ ମତ୍ୱା ସ୍ଥଳମିତି ସବାସାଃ ପ୍ରାପତଜ୍ଜଳେ।।
ଜଳେ ନିପତିତଂ ଦୃଷ୍ଟ୍ୱା କିଙ୍କରା ଜହସୁର୍ଭୃଶମ୍।
ବାସାଂସି ଚ ଶୁଭାନ୍ୟସ୍ମୈ ପ୍ରଦଦୁ ରାଜଶାସନାତ୍।।
ତଥାଗତଂ ତୁ ତଂ ଦୃଷ୍ଟ୍ୱା ଭୀମସେନୋ ମହାବଳଃ।
ଅର୍ଜୁନଶ୍ଚ ଯମୌ ଚୋଭୌ ସର୍ବେ ତେ ପ୍ରାହସଂସ୍ତଦା।।

ଏଣୁ ସେଠାରେ ଦ୍ରୌପଦୀ ନଥିଲେ କି ସେ ହସି ନଥିଲେ। ହସିଥିଲେ ଭୀମସେନ ଓ ଅର୍ଜୁନ ଆଦି ଏବଂ ଅନ୍ୟ କିଙ୍କରମାନେ। କିନ୍ତୁ ଅଧ୍ୟାୟ-୪୬ରେ ଧୃତରାଷ୍ଟ୍ରଙ୍କୁ ତାହାର ବିବରଣୀ ଦେବାବେଳେ, ଶକୁନିଙ୍କ ପରାମର୍ଶରେ, ଦ୍ରୌପଦୀ ହସିଥିଲେ ବୋଲି ଦୁର୍ଯ୍ୟୋଧନ ଲଗାଇ କରି କହିଛନ୍ତି। ଏପରିକି କୃଷ୍ଣ ମଧ୍ୟ ହସିଥିଲେ ବୋଲି ସେ ସେଥିରେ ଯୋଡ଼ି ଦେଇଛନ୍ତି। ତାହାର ବର୍ଣ୍ଣନା (ଶ୍ଳୋକ-୨୯-୩୦) ଏହିପରି-
ପୁନଶ୍ଚ ତାଦୃଶୀମେବ ବାପୀଂ ଜଳଜଶାଳିନୀମ୍।
ମତ୍ୱା ଶିଳାସମାଂ ତୋୟେ ପତିତୋସ୍ମି ନରାଧିପ।।
ତତ୍ର ମାଂ ପ୍ରାହସତ୍ କୃଷ୍ଣଃ ପାର୍ଥେନ ସହ ସସ୍ୱନମ୍।
ଦ୍ରୌପଦୀ ଚ ସହ ସ୍ତ୍ରୀଭିର୍ବ୍ୟଥୟନ୍ତୀ ମନୋ ମମ।।

ଏଣୁ ଏହା ମାତୁଳ ଶକୁନିଙ୍କର ପରାମର୍ଶରେ ଦୁର୍ଯ୍ୟୋଧନଙ୍କର ଏକ ମନଗଢ଼ା କଥା। ପ୍ରକୃତରେ କିନ୍ତୁ ଦ୍ରୌପଦୀ ସେଠାରେ ଉପସ୍ଥିତ ନଥିଲେ କି ହସି ନଥିଲେ। “ଅନ୍ଧର ପୁଅ ଅନ୍ଧ” ପରି ଇତର ଓ ତୁଚ୍ଛ ତାଚ୍ଛଲ୍ୟପୂର୍ଣ୍ଣ ଆକ୍ଷେପ ତ ଆହୁରି ଏକ ଅକଳ୍ପନୀୟ କଥା।

ତା’ ହେଲେ ଏ କଥାଟିକୁ କେଉଁଠୁ ତୋଳି ଆଣିଲେ ‘ମହାଭାରତ’ ଧାରାବାହିକର ନିର୍ମାତା ବି. ଆର. ଚୋପ୍ରା?

୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ, ଦୂରଦର୍ଶନର ରାଷ୍ଟ୍ରୀୟ ଚ୍ୟାନେଲ୍‌ରେ ଏହି ୯୪ ଅଧ୍ୟାୟ ବିଶିଷ୍ଟ ‘ମହାଭାରତ’ ଧାରାବାହିକ ପ୍ରଥମେ ପ୍ରସାରିତ ହେବାବେଳେ ମଧ୍ୟ ଏ ପ୍ରଶ୍ନ ଉଠିଥିଲା। ଦ୍ରୌପଦୀଙ୍କ ପରି ତେଜସ୍ୱିନୀଙ୍କ ମୁହଁରେ ଏପରି ଆକ୍ଷେପ ଦେଇ ଏବଂ ତାହାକୁ ମହାଭାରତ ଯୁଦ୍ଧର ଏକ ପ୍ରମୁଖ କାରଣ ଭାବରେ ଉପସ୍ଥାପିତ କରି, ଶ୍ରୀ ଚୋପ୍ରା ବ୍ୟାସଦେବଙ୍କ ମୂଳ ‘ମହାଭାରତ’ର ଅବମାନନା ତଥା ଦ୍ରୌପଦୀ ଚରିତ୍ରର ଅପମାନ କରିଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା। ସେତେବେଳେ ତାହାର ଆଲୋଚନା ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଥିଲା ୧୯୫୫ରେ ପ୍ରଥମେ ପ୍ରକାଶିତ ଧର୍ମବୀର ଭାରତୀଙ୍କ ହିନ୍ଦୀ ଗୀତିନାଟ୍ୟ ‘ଅନ୍ଧାଯୁଗ’। କେହିକେହି କହିଥିଲେ ଯେ ସେହି ନାଟକରେ ଏ କଥାଟି କୁହାଯାଇଛି ଏବଂ ତାହା ଏପରି ଚର୍ଚ୍ଚିତ ଓ ଲୋକପ୍ରିୟ ହୋଇଥିଲା ଯେ ଦ୍ରୌପଦୀ ତାହା କହିଛନ୍ତି ବୋଲି ଗୋଟିଏ ଧାରଣା ବଦ୍ଧମୂଳ ହୋଇଯାଇଛି। ହୁଏତ ତାହା ଦ୍ୱାରା ବି. ଆର୍‌. ଚୋପ୍ରା ଏବଂ ତାଙ୍କ ଧାରାବାହିକର ପଟକଥା ଓ ସଂଳାପ ଲେଖକ ରାହୀ ମାସୁମ ରଜା ପ୍ରଭାବିତ ହୋଇଛନ୍ତି।

କିନ୍ତୁ ଧର୍ମବୀର ଭାରତୀଙ୍କ ‘ଅନ୍ଧାଯୁଗ’ରେ ବି ଏ କଥାଟି ନାହିଁ। ଏପରିକି, ସେଥିରେ ଅଶ୍ୱତ୍‌ଥାମା, ମାନ୍ଧାତା, ଧୃତରାଷ୍ଟ୍ର, କୃତବର୍ମା, ସଂଜୟ, ବ୍ୟାସ, ବିଦୁର, ଯୁଧିଷ୍ଠିର, କୃପାଚାର୍ଯ୍ୟ, ଯୁଯୁତ୍ସୁ, ବଳରାମ ଓ କୃଷ୍ଣ ଏବଂ ଦୁଇଜଣ ପ୍ରହରୀ ଓ ଜଣେ ଘୁଙ୍ଗା ଯାଚକ ଚରିତ୍ର ରୂପେ ଥିଲେ ମଧ୍ୟ, ଦ୍ରୌପଦୀ ନାହାନ୍ତି।

ଏ ନାଟକର ପୃଷ୍ଠଭୂମି କୌରବ ନଗରୀ। ଏହାର ଆରମ୍ଭ ହୋଇଛି ମହାଭାରତ ଯୁଦ୍ଧର ଅଷ୍ଟାଦଶ ଦିନର ସଂଧ୍ୟାରୁ ଏବଂ ଶେଷ ହୋଇଛି ପ୍ରଭାସ ତୀର୍ଥରେ ଶ୍ରୀକୃଷ୍ଣଙ୍କର ମୃତ୍ୟୁରେ। ସମଗ୍ର ନାଟକରେ ଅନ୍ଧପଣ, ଅନ୍ଧ ଆଚରଣ ବା ଅନ୍ଧଯୁଗର କଥା ଅନେକବାର କୁହାଯାଇଛି; କିନ୍ତୁ ‘ଅନ୍ଧର ପୁଅ ଅନ୍ଧ’ କଥାଟି ଅବିକଳ ଭାବରେ କେଉଁଠି କୁହାଯାଇ ନାହିଁ। ନାଟକର ପ୍ରଥମ ଅଙ୍କରେ, ଦୁଇ ପ୍ରହରୀଙ୍କ ମଧ୍ୟରେ କଥୋପକଥନ ବେଳେ ଦ୍ୱିତୀୟ ପ୍ରହରୀ କହିଛି-
“ରକ୍ଷଣୀୟ କୁଛ୍ ଭୀ ନହିଁ ଥା ୟହାଁ …
ସଂସ୍କୃତି ଥୀ ୟହ ଏକ ବୁଢ଼େ େଔର ଅନ୍ଧେ କୀ
ଜିସକୀ ସନ୍ତାନୋଁ ନେ
ମହାଯୁଦ୍ଧ ଘୋଷିତ କିୟେ,
ଜିସ୍‌କୋ ଅନ୍ଧେପନ ମେଁ ମର୍ଯ୍ୟାଦା
ଗଲିତ ଅଙ୍ଗ ବେଶ୍ୟା-ସୀ
ପ୍ରଜାଜନୋଁ କୋ ଭୀ ରୋଗୀ ବନାତୀ ଫିରୀ
ଉସ ଅନ୍ଧୀ ସଂସ୍କୃତି
ଉସ ରୋଗୀ ମର୍ଯ୍ୟାଦା କୀ
ରକ୍ଷା ହମ୍ କରତେ ରହେ
ସତ୍ରହ ଦିନ୍।”

ଏଣୁ ଏଥିରେ ବି କେଉଁଠି କୁହାଯାଇଛି “ଅନ୍ଧର ପୁଅ ଅନ୍ଧ”? ପୁଣି ଦ୍ରୌପଦୀଙ୍କ ପରି ତେଜସ୍ୱିନୀଙ୍କ ମୁହଁରେ? ଦ୍ରୌପଦୀ ତ ମୂଳରୁ ଏଠି ନାହାନ୍ତି!

ଏଣୁ ବ୍ୟାସଦେବଙ୍କ ‘ମହାଭାରତ’ର ଏହି ତେଜସ୍ୱିନୀଙ୍କୁ ବିକୃତ ଭାବେ ଉପସ୍ଥାପିତ କରି, କରୋନା ବିଷାଣୁର ସଂକ୍ରମଣଠାରୁ ବି ଅଧିକ ଘାତକ ଏକ ସାଂସ୍କୃତିକ ସଂକ୍ରମଣ କରିଛନ୍ତି ବି. ଆର୍‌. ଚୋପ୍ରା ତଥା ଦୂରଦର୍ଶନର ରାଷ୍ଟ୍ରୀୟ ପ୍ରସାରଣ କର୍ତ୍ତୃପକ୍ଷ। ଏଣୁ ଭାରତବର୍ଷର ଅଗଣିତ ଜନସାଧାରଣଙ୍କ ନିକଟରେ ସେମାନେ ଏବେ ଉତ୍ତରଦାୟୀ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର