୧୯୨୬ ମସିହା ଏପ୍ରିଲ ୨୨ ତାରିଖ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ଗାନ୍ଧୀଙ୍କର ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏହାର ଶିରୋନାମା ଥିଲା ‘ଡ୍ରଗସ୍, ଡ୍ରିଂକ୍ ଆଣ୍ଡ ଡେଭିଲ’- ନିଶା, ମଦ ଓ ଅସୁର। ଉକ୍ତ ପ୍ରବନ୍ଧରେ ଗାନ୍ଧୀ ଲେଖିଥିଲେ, ନିଶା ଓ ମଦ ହେଉଛି ଗୋଟିଏ ଅସୁରର ଦୁଇଟି ହାତ। ଅସୁର ତା’ର ଦୁଇ ହାତକୁ ପ୍ରସାରିତ କରି ଜଣେ ବ୍ୟକ୍ତିକୁ ନିଶାସକ୍ତ ଓ ବୁଦ୍ଧିଭ୍ରଷ୍ଟ କରାଏ। ଦେବତାରୁ ଜଣକୁ ସେ ସୈତାନ କରିଦିଏ। ଜେନିଭା ଅଫିମ ସମ୍ମିଳନୀରେ ପ୍ରକାଶ ପାଇଥିବା ଏକ ସର୍ଭେର କିଛି ତଥ୍ୟ ଗାନ୍ଧୀ ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ। ସର୍ଭେର ତଥ୍ୟ ଅନୁସାରେ, ପ୍ରଥମ ବିଶ୍ୱ ଯୁଦ୍ଧ ପରେ ମଦ ଅପେକ୍ଷା ବେଆଇନ ନିଶାଦ୍ରବ୍ୟ (ଡ୍ରଗ୍)ର ବ୍ୟବହାର ପୃଥିବୀ ସାରା ବଢ଼ି ଯାଇଥିଲା। ଏଥିରେ ଅଫିମ, କୋକେନ୍, ମର୍ଫିନ୍ ସାମିଲ ଥିଲା। ଅନେକ ବ୍ୟକ୍ତି ଯୁଦ୍ଧ ପରାଜୟ ଜନିତ ବିଷାଦରୁ ମୁକ୍ତି ପାଇଁ ଏବଂ ଅନେକ ଯୁଦ୍ଧ ବିଜୟର ଆନନ୍ଦ ଅନୁଭବ ପାଇଁ ମଦ ସହ ନିଶା ସେବନ ବି କରିଥିଲେ। ନିଶା କାରବାର ପାଇଁ ବୃହତ୍ ବଜାର ସୃଷ୍ଟି କରି ଦେଇଥିଲେ ନିଶା ବ୍ୟବସାୟୀମାନେ। ସମଗ୍ର ମାନବ ସମାଜର ଜୀବନ ଓ ଆତ୍ମାର ମୃତ୍ୟୁ ନିମନ୍ତେ ନିଶା ଦୈତ୍ୟର ଏ ଦୁଇ ହାତ ସମ୍ପ୍ରତି ଏକ ମାରାତ୍ମକ ପ୍ରକ୍ରିୟା ସୃଷ୍ଟି କରିଛି।
୧୯୨୪ ମସିହାରେ ୟେରୱାଡ଼ା ଜେଲରୁ ମୁକ୍ତ ହେବା ପରେ ଗାନ୍ଧୀ ନିଶା ନିବାରଣ ତଥା ଖଦିର ପ୍ରସାର ନିମନ୍ତେ ଭାରତ ସାରା ଭ୍ରମଣ କରିଥିଲେ। ମଦ୍ୟପାନ ବିରୋଧରେ ସେ ଭାଷଣ ଦେଉଥିଲେ ଏବଂ ପ୍ରବନ୍ଧ, ପାମ୍ପଲେଟ୍ ଆଦି ଲେଖୁଥିଲେ। ଅନେକ ସ୍ଥାନରେ ନିଜର କର୍ମୀ ଓ ସାଧାରଣ ଲୋକଙ୍କୁ ମଦ ନ ପିଇବାକୁ ଏବଂ ଖଦି ପିନ୍ଧିବାକୁ ସେ ସାମୂହିକ ଶପଥ କରାଉଥିଲେ।
୧୯୨୫ ମାର୍ଚ୍ଚ ୨୪ରେ ନିଶା ଓ ମଦ ବିରୋଧରେ ଗାନ୍ଧୀ ଏକ ଚମତ୍କାର ଭାଷଣ ଦେଇଥିଲେ ମାଡ୍ରାସରେ। ମାଡ୍ରାସର ‘ଗୋଖଲେ ହଲ’ରେ ସେଦିନ ନିଶା ନିବାରଣ କର୍ମୀମାନଙ୍କର ଏକ ଅଧିବେଶନ ଅନୁଷ୍ଠିତ ହେଉଥିଲା। ଗାନ୍ଧୀ ସେଥିରେ ମୁଖ୍ୟ ଅତିଥି ଥିଲେ। ନିଶା ନିବାରଣ ନେଇ ଇଂଲାଣ୍ଡ୍ ଓ ଦକ୍ଷିଣ ଆଫ୍ରିକାରେ ସେ ହାସଲ କରିଥିବା କିଛି ଅନୁଭୂତି ବର୍ଣ୍ଣନା କରି ଏହା ଭାରତୀୟ ଯୁବକଯୁବତୀଙ୍କ ପାଇଁ ନିଶ୍ଚୟ ଶିକ୍ଷାଦାୟକ ହେବ ବୋଲି ଗାନ୍ଧୀ କହିଥିଲେ।
ଗାନ୍ଧୀଙ୍କ ବକ୍ତବ୍ୟ ଥିଲା, ‘୧୮୮୮ ମସିହାରେ ମୁଁ ଆଇନ ପାଠ ପଢ଼ିବାକୁ ଇଂଲାଣ୍ଡ୍ ଗଲାବେଳେ ମୋ ମା’ ପୁତୁଲିବାଈ ମୋ ବେକରେ ତୁଳସୀ ମାଳାଟିଏ ପିନ୍ଧେଇଦେଇ ବିଦେଶରେ ମଦ ନ ଖାଇବାକୁ ତୁଳସୀ ଛୁଇଁ ଶପଥ କରିବାକୁ କହିଥିଲେ। ଅବଶ୍ୟ ମଦ୍ୟପାନର ଅପକାର ସମ୍ପର୍କରେ ସେ ବିଶେଷ କିଛି ଜାଣି ନ ଥିଲେ। ରାଜକୋଟରେ ସେବେ ଅଳ୍ପ ଲୋକ ମଦ ପିଉଥିଲେ। ତଥାପି ମଦ ବିରୋଧରେ ମା’ ଅନେକ କଥା ବାହାରୁ ଶୁଣିଥିଲେ। ମୁଁ ମଦ ନ ପିଇବାକୁ ଏବଂ ମାଂସ ନ ଖାଇବାକୁ ମା’ଙ୍କୁ କଥା ଦେଇଥିଲି। ସେ ଶପଥ ମୋର ଏକ ବ୍ରତ ହୋଇ ଯାଇଥିଲା।
ଲଣ୍ଡନକୁ ଜାହାଜ ଯାତ୍ରା ବେଳେ ବହୁତ ଥଣ୍ଡା ହୁଏ। ମଦ ନ ପିଇଲେ ବଂଚିବା ସେଠି କଷ୍ଟ। ମୋର ବ୍ରତ କଥା ଶୁଣି ମୋର ଜଣେ ଗୁଜୁରାଟୀ ସହଯାତ୍ରୀ କହିଲେ, ‘ମିଷ୍ଟର ଗାନ୍ଧୀ, ବିସ୍କେ ସାଗରରେ ତୁମେ ମଦ ନ ପିଇଲେ ମୃତ୍ୟୁ ବରଣ କରିପାର।’ ମଦ ନ ପିଇ ମୁଁ କିନ୍ତୁ ବିସ୍କେ ସାଗର ଅକ୍ଷତ ପାର ହୋଇ ଯାଇଥିଲି। ମୋର ଇଚ୍ଛା ଶକ୍ତି ପାଇଁ ଈଶ୍ୱର ମୋର ସହାୟ ହୋଇଥିଲେ।’’
ଗୋଖଲେ ହଲରେ ଅସଂଖ୍ୟ କରତାଳି ଭିତରେ ଗାନ୍ଧୀ ତାଙ୍କ ଅନୁଭୂତିର ବର୍ଣ୍ଣନା କରି ପୁଣି କହିଲେ, “ଲଣ୍ଡନ ସହରରେ ପାଠ ପଢ଼ିବାକୁ ଗଲାବେଳେ ବାଟରେ କିଛି ମଦ ବାର୍ ପଡୁଥିଲା। ତା’ ସମ୍ମୁଖରେ ଛିଡ଼ା ହୋଇ ବାର୍କୁ ଲୋକଙ୍କର ଯିବା ଆସିବା ଦୃଶ୍ୟ ମୁଁ ଦେଖିଛି। ଭିତରକୁ ଗଲାବେଳେ ସେମାନେ ଶାନ୍ତ ସ୍ୱାଭାବିକ ଦେଖା ଯାଆନ୍ତି; ଫେରିବା ବେଳେ କିନ୍ତୁ ଅଧା ଚେତାଶୂନ୍ୟ ହୋଇ ଫେରନ୍ତି। ଇଂଲାଣ୍ଡ୍କୁ ପାଠ ପଢ଼ିବାକୁ ଆସିଥିବା ଅନେକ ଭାରତୀୟ ଛାତ୍ର ବି ନିଜକୁ ପାଶ୍ଚାତ୍ୟ ଓ ଆଧୁନିକ କରିବା ନିଶାରେ ମଦ୍ୟପାନକୁ ଏକ ଫେସନ ବୋଲି ଧରି ନେଇଥିଲେ। ପ୍ରଶ୍ନ କଲେ ଉତ୍ତର ଦେଉଥିଲେ ଯେ ସେମାନେ ଅଳ୍ପ ମଦ ପିଉଥିଲେ। ପ୍ରକୃତରେ ମଦ ପିଆରେ ଅଳ୍ପ ବହୁତର ପରିମାଣ ନ ଥାଏ। ମଦ ପିଇ ନିଜ ସ୍ତ୍ରୀ ଭଉଣୀ ଓ ମା’ଙ୍କୁ ଅସମ୍ମାନ କରିଥିବା କଥା ସେମାନେ ମୋ ଆଗରେ ସ୍ୱୀକାର କରିଛନ୍ତି। ମୋର କିନ୍ତୁ ଏଥିନେଇ ଲଣ୍ଡନରେ କିଛି କରିବାର ସୁଯୋଗ ନ ଥିଲା।’’
ଗାନ୍ଧୀଙ୍କର ଅନୁଭବ ଆବେଗଭରା ଥିଲା। ଦକ୍ଷିଣ ଆଫ୍ରିକାର ଅନୁଭୂତି ନେଇ ଗାନ୍ଧୀ କହିଥିଲେ, “ଦକ୍ଷିଣ ଆଫ୍ରିକାରେ ଥିବା କୁଲି ଶ୍ରମିକ ଭାରତୀୟମାନେ ବେଶୀ ମଦ ପିଉଥିଲେ। ମଦ୍ୟପାନ ଯୋଗୁଁ ସେମାନଙ୍କର ଘର ଉଜୁଡ଼ି ଯାଇଥିଲା। ମଦ ବିକ୍ରି ବନ୍ଦ ନିମନ୍ତେ ମୁଁ ଦକ୍ଷିଣ ଆଫ୍ରିକୀୟ ସରକାରଙ୍କୁ ପତ୍ର ଲେଖିଥିଲି। କିନ୍ତୁ ବିଡ଼ମ୍ବନା ହେଲା, ମୋର ଏ ମଦ ବନ୍ଦ ଦାବିକୁ ଆମ ଭାରତୀୟମାନେ ହିଁ ବେଶୀ ବିରୋଧ କରିଥିଲେ। ସେମାନଙ୍କର ଯୁକ୍ତି ଥିଲା, ଯଦି ୟୁରୋପୀୟମାନେ ମଦ ପିଇ ପାରିବେ, ଭାରତୀୟମାନେ କାହିଁକି ମଦ ପିଇବେ ନାହିଁ? ତାଙ୍କୁ ମୁଁ ଅନେକ ଥର କହିଛି, ମଦ୍ୟପାନ କୌଣସି ପ୍ରତିଯୋଗିତା ବା ଗୌରବର କଥା ନୁହେଁ। ସ୍ୱାଦରେ ବେଶ୍ କଟୁ ଲାଗୁଥିବା ମଦ ପରି ପାନୀୟ ପିଇ ଏବଂ ନିଜ ପରିବାର ଓ ସ୍ୱାସ୍ଥ୍ୟ ଧ୍ବଂସ କରି ଆପଣମାନେ କି ସୁଖ ପାଆନ୍ତି, ମୁଁ ତାଙ୍କୁ ପ୍ରଶ୍ନ କରିଛି। କିଛି ଲୋକ ବୁଝିଥିଲେ, କିଛି ଲୋକ ବୁଝି ନ ଥିଲେ। ଦକ୍ଷିଣ ଆଫ୍ରିକାରେ କୋଡ଼ିଏ ବର୍ଷର ରହଣି ଭିତରେ ମଦ ବିରୋଧରେ ନିରନ୍ତର ପ୍ରଚେଷ୍ଟା କରିଛି। ସେଠି ‘ବୋଅର ଯୁଦ୍ଧ’ ବେଳେ ମୋ ସହ ଆମ୍ବୁଲାନ୍ସ ବାହିନୀରେ ଥିବା ସ୍ବେଚ୍ଛାସେବୀମାନେ ପ୍ରଥମେ ମଦ ପିଇବାକୁ ଜିଦ କରିଥିଲେ ବି ମୋ ମଦ ସ୍ପର୍ଶ ନ କରିବାର ବ୍ରତକୁ ସମ୍ମାନ ଦେଇ ସେମାନେ ମଦ ପିଇବା ଶେଷରେ ଛାଡ଼ି ଦେଇଥିଲେ।’’
ଗାନ୍ଧୀ ତାଙ୍କ ଭାଷଣର ଉପସଂହାରରେ ସ୍ପଷ୍ଟ କରି ଦେଇଥିଲେ, ଭାରତ ମଦମୁକ୍ତ, ନିଶାମୁକ୍ତ ହେବା ଦରକାର। ନିଶା ନିବାରଣ କିନ୍ତୁ ଏଠି ଜଣକର କାର୍ଯ୍ୟ ନୁହେଁ। ଏଥିପାଇଁ ସାମୂହିକ ଉଦ୍ୟମ ଲୋଡ଼ା। କେବଳ ଭାଷଣ ବା ବିିଜ୍ଞାପନରେ ନିଶା ନିବାରଣ ହୋଇ ଯିବନି। ଏହା ଏକ ନିରନ୍ତର ଅଭିଯାନ। ଲୋକ ପ୍ରତିନିଧିମାନେ ଓ ସରକାର ମଦ ବିକ୍ରି ବନ୍ଦ କରିବା ଉଚିତ। ଯୁଦ୍ଧାସ୍ତ୍ର କିଣା ଖର୍ଚ୍ଚ କମ୍ କରି ସରକାର ମଦ ରାଜସ୍ବ ହାନିକୁ ଭରଣା କରି ପାରିବେ। କର୍ମୀଙ୍କ ସହ ସାଧାରଣ ଜନତା ବି ମଦ ନ ପିଇବା ପାଇଁ ଶପଥ ନେବା ଆବଶ୍ୟକ। ଗାନ୍ଧୀଙ୍କ ଏହି ବକ୍ତବ୍ୟ ୧୯୨୫ ମସିହା ମାର୍ଚ୍ଚ ୨୪ ତାରିଖ ଇଂରେଜୀ ଖବରକାଗଜ ‘ହିନ୍ଦୁ’ରେ ବିସ୍ତୃତ ଭାବେ ପ୍ରକାଶିତ ହୋଇଥିଲା।
ନିଶା ଅସୁରର ସେ ଦି ହାତ ଏବେବି ପ୍ରସାରିତ ହୋଇ ରହିଛି।
ମୋ: ୯୮୬୧୪୬୯୩୨୮