ଭାରତୀୟ ସମ୍ବିଧାନ ଉପରେ ଆସ୍ଥା ରଖିଥିବା କୌଣସି ବି ବ୍ୟକ୍ତି ପାଇଁ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ୍) ହେବା ଦରକାର କି ନାହିଁ, ସେଭଳି ପ୍ରଶ୍ନ ଉଠିବାର ଆବଶ୍ୟକତା ନାହିଁ। ପ୍ରକୃତ ପ୍ରଶ୍ନ ହେଉଛି, ସମାନ ନାଗରିକ ସଂହିତା କିପରି, କେବେ ଓ କେଉଁ ସିଦ୍ଧାନ୍ତ ଆଧାରରେ ଲାଗୁ କରାଯିବ। ମାତ୍ର ସରକାରଙ୍କ ମନୋଭାବରୁ ଯାହା ଜଣାପଡୁଛି, ୨୦୨୪ ନିର୍ବାଚନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ସେହି ପ୍ରସଙ୍ଗର ଅସଲ ପ୍ରଶ୍ନକୁ ପୁଣି ଥରେ ଆଡ଼ କରି ଦିଆଯାଉଛି।
ଦେଶର ଆଇନ ଆୟୋଗ (ଲ’ କମିସନ୍) ପୂର୍ବ ସପ୍ତାହରେ ଏ ବିଷୟରେ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲେ। ଉଲ୍ଲେଖନୀୟ ଏହି କି, ଏହା ପୂର୍ବରୁ ୨୦୧୬ ନଭେମ୍ବରରେ ବିଜେପି ସରକାରଙ୍କ ଦ୍ବାରା ନିଯୁକ୍ତ ପ୍ରାକ୍ତନ ଆଇନ ଆୟୋଗ ମଧ୍ୟ ସମାନ ପ୍ରସଙ୍ଗରେ ଜନମତ ଲୋଡ଼ିଥିଲେ। ଅଧିକ ନହେଲେ ବି ସେ ୭୫,୩୭୮ଟି ପରାମର୍ଶ ପାଇଥିଲେ ଯାହାକୁ ଭିତ୍ତି କରି ଆଇନ ଆୟୋଗ ୨୦୧୮ ମସିହାରେ ୧୮୫ ପୃଷ୍ଠାର ଏକ ସୁଦୀର୍ଘ ରିପୋର୍ଟ ଉପସ୍ଥାପନ କରିଥିଲେ। ଉକ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଥିଲା କି ସାମ୍ପ୍ରତିକ ସ୍ଥିତିରେ ସମସ୍ତ ସମ୍ପ୍ରଦାୟର ବିଭିନ୍ନ ପାରିବାରିକ ନିୟମ ପରିବର୍ତ୍ତେ ଏକ ସଂହିତା ତିଆରି କରିବାର ଆବଶ୍ୟକତା ନାହିଁ କି ତାହା ମଧ୍ୟ ବାଞ୍ଛନୀୟ ନୁହେଁ। ତାହା ପରେ ୨୦୨୩ରେ ଉକ୍ତ ପ୍ରକ୍ରିୟାକୁ ଦୋହରାଇବା ଦ୍ବାରା କେଉଁଠି ନା କେଉଁଠି ସନ୍ଦେହ ହେଉଛି କି ପୂର୍ବ ରିପୋର୍ଟ ବିଜେପିର ରାଜନୀତି ପାଇଁ ଅନୁକୂଳ ନଥିଲା। ତେଣୁ ସେହି ବିବାଦକୁ ପୁଣି ଥରେ ଖୋଲି ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି।
ସୈଦ୍ଧାନ୍ତିକ ରୂପରେ ସମାନ ନାଗରିକ ସଂହିତା ଆମ ସମ୍ବିଧାନର ଆଦର୍ଶ ସହିତ ଠିକଣା ଦିଗରେ ଏକ ଠିକଣା ପଦକ୍ଷେପ ହେବ। ସିଦ୍ଧାନ୍ତ ହେଉଛି, ସମସ୍ତ ନାଗରିକଙ୍କର ସମାନ ଅଧିକାର ରହିବ ଏବଂ କେବଳ ଧର୍ମ ବା ପନ୍ଥ ଆଧାରରେ ସେହି ଅଧିକାରରୁ ବଞ୍ଚିତ ପ୍ରତ୍ୟେକ ନାଗରିକଙ୍କର ଅନ୍ତଃକରଣର ସ୍ବାଧୀନତା ରହିଛି, ମାତ୍ର କୌଣସି ଧାର୍ମିକ ସମ୍ପ୍ରଦାୟ ଏହି ଆଧାରରେ ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ କରିପାରିବେ ନାହିଁ। ଏହି ଧାରଣାକୁ ଧ୍ୟାନରେ ରଖି ସମ୍ବିଧାନ ନିର୍ମାତାମାନେ ଦୀର୍ଘ ଦିନର ବିତର୍କ ପରେ ରାଷ୍ଟ୍ର ନୀତିର ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ବିଧାନର ଧାରା ୪୪ରେ ସରକାରଙ୍କ ପାଇଁ ଏକ ପରାମର୍ଶ ରଖିଥିଲେ କି, ‘ଭାରତର ସମସ୍ତ ରାଜ୍ୟର ଅଞ୍ଚଳରେ ନାଗରିକମାନଙ୍କ ପାଇଁ ଏକ ସମାନ ନାଗରିକ ସଂହିତା ପ୍ରାପ୍ତ ହେବାର ପ୍ରୟାସ’ କରାଯାଇ ପାରିବ। ସମ୍ବିଧାନ ସଭାରେ ଜବାହରଲାଲ ନେହରୁ ଓ ବାବାସାହେବ ଆମ୍ବେଦକର ଏବଂ ପରେ ରାମ ମନୋହର ଲୋହିଆ ବି ଏହି ସିଦ୍ଧାନ୍ତ ସପକ୍ଷରେ ଯୁକ୍ତି କରିଥିଲେ।
ପ୍ରଶ୍ନ ହେଉଛି, ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ‘ସମାନ ନାଗରିକ ସଂହିତା’ର ଅର୍ଥ କ’ଣ? ଏହାର ଏକ ଆକ୍ଷରିକ ଅର୍ଥ ଏପରି ହୋଇପାରେ କି, ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପାରିବାରିକ ସମ୍ପତ୍ତି ପରି ବିଷୟରେ ହିନ୍ଦୁ, ମୁସଲମାନ, ପାର୍ସୀ ଓ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ପାଇଁ ଯେଉଁ ସବୁ ଆଇନ କାନୁନ ରହିଛି, ତାହାକୁ ରଦ୍ଦ କରି ସମସ୍ତ ଭାରତୀୟ ନାଗରିକମାନଙ୍କ ପାଇଁ ଏହି ସବୁ ବିଷୟରେ ଏକ ପ୍ରକାର ଆଇନ ପ୍ରଣୟନ ହେଉ। ଯେପରି ଆପରାଧିକ ମାମଲା, ଟିକସ ଓ ଅନ୍ୟାନ୍ୟ ଆଇନରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ପାଇଁ କୌଣସି ପୃଥକ୍ ଆଇନ ନାହିଁ, ସେହିଭଳି ପାରିବାରିକ ମାମଲା ପାଇଁ ଦେଶରେ କେବଳ ଗୋଟିଏ ପ୍ରକାର ଆଇନ ରହିବା ଉଚିତ। ପ୍ରଥମ ନଜରରେ ସୁନ୍ଦର ଲାଗୁଥିବା ଏହି ବ୍ୟାଖ୍ୟାରେ ସମସ୍ୟା ହେଉଛି କି, ଆମ ଦେଶରେ ବିବାହ, ଛାଡ଼ପତ୍ର ଓ ଉତ୍ତରାଧିକାର ବାବଦରେ ଭିନ୍ନ ଭିନ୍ନ ପ୍ରଥା ଚଳି ଆସୁଛି। ବିଭିନ୍ନ ଧର୍ମାବଲମ୍ବୀମାନଙ୍କ କଥାକୁ ଛାଡ଼ି ଦିଆଗଲେ ବି ଖୋଦ ହିନ୍ଦୁ ସମାଜରେ ଶହ ଶହ ପାରମ୍ପରିକ ରୀତିନୀତି ଚଳିଆସୁଛି।
ଏକଥା ସ୍ପଷ୍ଟ ଭାବେ ଜଣାପଡୁଛି କି, ସେ ସବୁ ଆଇନକୁ ଶେଷ କରି ‘ସ୍ବତନ୍ତ୍ର ବିବାହ ଆଇନ’ ପରି କୌଣସି ଆଇନ ସବୁ ଲୋକଙ୍କ ପାଇଁ ଲାଗୁ କରିଦେବା ଏକ ଅସମ୍ଭବ କାର୍ଯ୍ୟ ହେବ, ଯାହା ସାରା ଦେଶକୁ ଖାଲିଟାରେ ହୁଲସ୍ତୁଲ କରିଦେବ। ଏହା ମଧ୍ୟ ସନ୍ଦେହ ସୃଷ୍ଟି କରାଇବ କି, କୌଣସି ଗୋଟିଏ ସମ୍ପ୍ରଦାୟର ସଂହିତାକୁ ବାକି ସମସ୍ତ ସମ୍ପ୍ରଦାୟ ଉପରେ ଥାପିବାକୁ ଚେଷ୍ଟା କରାଯାଉଛି। ତେଣୁ ନୂତନ ଆଇନ ଆୟୋଗଙ୍କ ନିଯୁକ୍ତିର ନବୀନତମ ଆରମ୍ଭରୁ ସନ୍ଦେହ ଓ ବିବାଦ ସୃଷ୍ଟି ହୋଇଛି। ଏପରି ବିବାଦ ଛିଡ଼ା କରାଇବା ବୋଧେ ଏହାର ଉଦ୍ଦେଶ୍ୟ ହୋଇଥାଇପାରେ।
ମାତ୍ର ଏକକ ନାଗରିକ ସଂହିତା ସିଦ୍ଧାନ୍ତର ଅନ୍ୟ ଏକ ବ୍ୟାଖ୍ୟା ଅଧିକ ଯୁକ୍ତିଯୁକ୍ତ, ସାମ୍ବିଧାନିକ ଓ ଆମ ପରିସ୍ଥିତି ପାଇଁ ଉପଯୁକ୍ତ ମନେହୁଏ। ଏହି ବ୍ୟାଖ୍ୟା ଅନୁଯାୟୀ, ନାଗରିକ ସଂହିତାକୁ ସମାନ କରିବା ପାଇଁ ବିଭିନ୍ନ ଧର୍ମର ଭିନ୍ନ ଭିନ୍ନ ରୀତିନୀତି ଓ ପ୍ରଣାଳୀକୁ ହଟାଇବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେମାନଙ୍କ ଭିତରେ ସମନ୍ବୟ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଭିନ୍ନ ଭିନ୍ନ ପାରିବାରିକ ଆଇନରେ ଯେଉଁ ସବୁ ଅଂଶ ସମ୍ବିଧାନର ମୂଲ୍ୟ ଓ ମୌଳିକ ଅଧିକାର ସହ ଖାପ ଖାଉନାହିଁ, ସେଗୁଡ଼ିକୁ ବଦଳାଇଦେବା ଦରକାର। ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ପାରମ୍ପରିକ ରୀତିନୀତି ଓ ନିୟମଗୁଡ଼ିକରେ ଅନେକ ବ୍ୟବସ୍ଥା ରହିଛି, ଯାହା ମହିଳାଙ୍କ ସହ ଭେଦଭାବ ସୃଷ୍ଟି କରେ, ସନ୍ତାନସନ୍ତତିଙ୍କର କଲ୍ୟାଣକୁ ଅଣଦେଖା କରେ ଏବଂ ତୃତୀୟ ଲିଙ୍ଗୀ ତଥା ବିବାହ ବାହାରେ ଜନ୍ମିତ ସନ୍ତାନଙ୍କୁ ଅବୈଧ କରିଥାଏ। କୌଣସି ଧାର୍ମିକ ସମ୍ପ୍ରଦାୟର ସଂହିତା ନିର୍ବିଶେଷରେ ସେଭଳି ନିୟମଗୁଡ଼ିକର ପରିବର୍ତ୍ତନ କରାଯିବା ଉଚିତ।
ଉଦାହରଣ ସ୍ବରୂପ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମୁସଲିମ୍ ସମାଜରେ ତିନି ତଲାକ୍ ଓ ତଲାକ୍-ଇ-ବିଦ୍ଦତ ଭଳି ପ୍ରଥା ଅତ୍ୟନ୍ତ ଅମାନବୀୟ ଏବଂ ତାହା କେବଳ ମହିଳାଙ୍କ ବିରୋଧରେ ହିଁ କାର୍ଯ୍ୟ କରିଥାଏ। ଏହି ପ୍ରଶ୍ନ ଉପରେ ଜାତୀୟ ବିତର୍କ ହେବା ପୂର୍ବରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଏହି ପ୍ରଥାକୁ ଅସାମ୍ବିଧାନିକ ଓ ଅଣଇସଲାମୀୟ କହି ତାହାକୁ ଅମାନ୍ୟ ଘୋଷଣା କରିଦେଲେ। ସେହିପରି ହିନ୍ଦୁ ସମାଜରେ ବାଲ୍ୟ ବିବାହ, ସତୀଦାହ ଓ ଦେବଦାସୀ ଭଳି ପ୍ରଥାକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି। ତଥାପି ସମସ୍ତ ପରିବାର ନିୟମରେ ମହିଳା ବିରୋଧୀ ଉପାଦାନ ଭରି ରହିଛି। ଭାରତୀୟ ଆଇନ ମୁସଲମାନ ପୁରୁଷଙ୍କୁ ବହୁବିବାହ କରିବାକୁ ଅନୁମତି ଦେଇଥିବା ବେଳେ ପାକିସ୍ତାନ, ଇଜିପ୍ଟ ଓ ଆଲଜେରିଆ ପରି ଅନେକ ମୁସଲମାନବହୁଳ ଦେଶରେ ଏହି ବ୍ୟବସ୍ଥା ଉପରେ କଡ଼ାକଡ଼ି କଟକଣା ଲଗାଯାଇଛି। ଯଦିଓ ମୁସଲମାନଙ୍କ ଭିତରେ ତିନି ତଲାକ୍ ପରି ବହୁପତ୍ନୀ ବ୍ୟବସ୍ଥା ଏବେ ନାମକୁ ମାତ୍ର ରହିଛି (ହିନ୍ଦୁମାନଙ୍କ ପାଇଁ ଏହା ବେଆଇନ), ତଥାପି ତାହା ଅନ୍ୟାୟପୂର୍ଣ୍ଣ ନିଶ୍ଚୟ। ଆମ ଦେଶରେ ମଧ୍ୟ ଆଇନରେ ପରିବର୍ତ୍ତନ ଆଣି ତାହାକୁ ମର୍ଯ୍ୟାଦାପୂର୍ଣ୍ଣ କରିବା ଉଚିତ। ସେହି ଭଳି, ହିନ୍ଦୁ ସମୁଦାୟ ପାଇଁ ପ୍ରଯୁଜ୍ୟ ନିୟମରେ ଆଜି ବି କନ୍ୟା ସନ୍ତାନକୁ ଉତ୍ତରାଧିକାରର ସମାନ ଅଧିକାର ସଂପୂର୍ଣ୍ଣ ରୂପେ ମିଳିନାହିଁ, ବାଲ୍ୟ ବିବାହକୁ ବାତିଲ କରିବାର କୌଣସି ଅଧିକାର ନାହିଁ ଏବଂ ଅବିବାହିତା କନ୍ୟାକୁ ନାବାଳିକା ଭାବେ ବ୍ୟବହାର କରାଯାଏ। ଉତ୍ତରାଧିକାର ପ୍ରସଙ୍ଗରେ, ମିତାକ୍ଷରା ନିୟମ ଅନୁଯାୟୀ, ପୈତୃକ ସମ୍ପତ୍ତିରେ ଅଂଶୀଦାର ଆଇନର ପରିବର୍ତ୍ତନ କରାଯିବା ଉଚିତ ଏବଂ ଟିକସ ଉଦ୍ଦେଶ୍ୟରେ ‘ହିନ୍ଦୁ ଅବିଭକ୍ତ ପରିବାର’ (ଏଚ୍ୟୁଏଫ୍) ପରି ବ୍ୟବସ୍ଥା ପାଇଁ କୌଣସି ଯଥାର୍ଥତା ବାକି ନାହିଁ। ଶିଖ୍ ସମୁଦାୟ ଉପରେ ହିନ୍ଦୁ ପରିବାର ନିୟମର ପ୍ରୟୋଗକୁ ନେଇ ଗୁରୁତର ଆପତ୍ତି ରହିଛି। ସେହିପରି ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଆଇନରେ ଛାଡ଼ପତ୍ର ବିରୋଧୀ ବ୍ୟବସ୍ଥା ଓ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ।
ଯଦି ଏହି ପ୍ରସଙ୍ଗରେ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ, ତେବେ ଏହା ମଧ୍ୟ ସ୍ପଷ୍ଟ କରିବା ଉଚିତ କି, ସଂଖ୍ୟାଲଘୁମାନଙ୍କ ଉପରେ ସଂଖ୍ୟାଗରିଷ୍ଠ ସମାଜର ପାରିବାରିକ ଆଇନ ଲାଗୁ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଏହି ପ୍ରଶ୍ନ ଉପରେ ଏକ ନୂତନ ବିବାଦ ଛିଡ଼ା କରାଇବା ପରିବର୍ତ୍ତେ ଯଦି ମୋଦୀ ସରକାର ନିଜ ଦ୍ବାରା ନିଯୁକ୍ତ ପୂର୍ବ ଆଇନ ଆୟୋଗଙ୍କ ସୁପାରିସକୁ ଗ୍ରହଣ କରନ୍ତି ଏବଂ ସମସ୍ତ ସମ୍ପ୍ରଦାୟର ପରିବାର ଆଇନରେ ଯୁକ୍ତିଯୁକ୍ତ ତଥା ସାମ୍ବିଧାନିକ ପରିବର୍ତ୍ତନ ଆରମ୍ଭ କରନ୍ତି, ତେବେ ତାହା ସମସ୍ତଙ୍କ ପାଇଁ ମଙ୍ଗଳକର ତଥା ଗ୍ରହଣୀୟ ହେବ।