୨୦୦୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ମୁଁ ଦିଲ୍ଲୀରୁ ପ୍ରକାଶିତ ଏକ ପତ୍ରିକାରେ ଗୋଟିଏ ପ୍ରବନ୍ଧ ଲେଖିଥିଲି। ସେଥିରେ ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଳଶାଳୀ କରିବା ଲାଗି ମୋର ଚାରିଟି ଆଶା ସମ୍ବଳିତ ତାଲିକାଟିଏ ସ୍ଥାନ ପାଇଥିଲା।
ସେହି ତାଲିକାର ସର୍ବାଗ୍ରେ ମୁଁ ଏମିତି ଏକ କଂଗ୍ରେସ ଦଳ ଚାହୁଁଥିଲି ଯାହା ସଂପୂର୍ଣ୍ଣ ରୂପେ ପରିବାରବାଦର ଆଶ୍ରିତ ହୋଇ ନଥିବ। ଦ୍ବିତୀୟରେ ମୁଁ ଆଶା କରିଥିଲି ଯେ ବିଜେପି ଆର୍ଏସ୍ଏସ୍ ତଥା ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ଠାରୁ ଦୂରେଇ ଯିବ। ତୃତୀୟରେ ମୁଁ ଏଭଳି ଏକ ଏକତ୍ରିତ ତଥା ସଂସ୍କାର-ମନସ୍କ ବାମ ସାମ୍ମୁଖ୍ୟ ଦେଖିବାକୁ ଚାହୁଁଥିଲି ଯାହା ହିଂସାରୁ ସମ୍ପୂର୍ଣ୍ଣ କ୍ଷାନ୍ତ ରହିବା ସଙ୍ଗେ ସଙ୍ଗେ ସରକାରଙ୍କ ନିୟନ୍ତ୍ରିତ ଅର୍ଥନୀତି ଉପରୁ ଆସ୍ଥା ତୁଟାଇ ଦେଇଥିବ। ମୋର ଶେଷ ଆଶାଟି ଥିଲା, ଏକ ଅରଖ ନୂଆ ଦଳର ସୃଷ୍ଟି ହେବ, ଯାହା ମଧ୍ୟବିତ୍ତ ଶ୍ରେଣୀର ଆକାଂକ୍ଷା ଚରିତାର୍ଥ କରିବା ଲାଗି ଗଢ଼ି ଉଠିବ। ସେହି ଦଳ ଜାତି ଓ ଧର୍ମ ନିର୍ବିଶେଷର ସଭିଙ୍କୁ ସ୍ବାଗତ କରୁଥିବ ଏବଂ ଏଭଳି ନୀତିଗୁଡ଼ିକୁ ପ୍ରୋତ୍ସାହିତ କରୁଥିବ ଯାହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଅଥବା ଜାତି ପାଇଁ ପ୍ରଯୁଜ୍ୟ ହୋଇ ନଥିବ।
ପନ୍ଦର ବର୍ଷ ଓ ତିନିଟି ସାଧାରଣ ନିର୍ବାଚନ ପରେ, ସେହି ଆଶା ସମ୍ବଳିତ ତାଲିକାଟିକୁ ପୁଣି ମନେ ପକାଇ ଏହା ବାସ୍ତବତାରେ ରୂପାନ୍ତରିତ ହେବା ଠାରୁ କେତେ ଦୂରରେ ଅଛି, ତାହା ଭାବିଲା ବେଳକୁ ମୁଁ ବିନମ୍ର ହେବାକୁ ବାଧ୍ୟ ହେଉଛି। ଜଣେ ଅଣ-ଗାନ୍ଧୀ ଶେଷରେ କଂଗ୍ରେସ ସଭାପତି ହୋଇଛନ୍ତି ସତ, କିନ୍ତୁ ଦଳ ଏବେ ବି ଗାନ୍ଧୀ ପରିବାର ନିୟନ୍ତ୍ରଣରେ ଅଛି। ତେଣୁ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ନିର୍ବାଚିତ ହେବା କ୍ଷଣି ସେ ‘ଭାରତ ଯୋଡ଼ୋ ଯାତ୍ରା’କୁ ଯାଇ କହିଲେ ଯେ ରାହୁଳ ଗାନ୍ଧୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଉଚିତ। ଏହି ଯାତ୍ରା ସମୟରେ ସାମାଜିକ ଗଣମାଧ୍ୟମରେ ‘ରାହୁଳ ଫର୍ ପିଏମ୍’ ନାମ ବହନ କରୁଥିବା ଅଗଣିତ ଆକାଉଣ୍ଟ୍ ସୃଷ୍ଟି କରାଗଲା। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏହି ଆକାଉଣ୍ଟଗୁଡ଼ିକ ଅଧିକ ସକ୍ରିୟ ହେବା ଦେଖାଯାଇଥିଲା। ଏହା ସତ ଯେ କଂଗ୍ରେସ ସଂଗଠନ ଭିତରେ ଭିନ୍ନ ମତ ପ୍ରକାଶ କରୁଥିବା ସ୍ବର ମଧ୍ୟ ଉପସ୍ଥିତ ଅଛି, ଯାହା ବେଳେ ବେଳେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଉ ଜଣେ ପ୍ରାର୍ଥୀଙ୍କ ନାମ ଉଠାଇଥାନ୍ତି। ସେ ପ୍ରାର୍ଥୀ ଜଣକ ହେଉଛନ୍ତି ରାହୁଳଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ।
ଭାରତୀୟ ଜନତା ପାର୍ଟି ଆର୍ଏସ୍ଏସ୍ ଓ ହିନ୍ଦୁତ୍ବ ଆଦର୍ଶରୁ ଦୂରେଇ ଯିବାର କୌଣସି ସଂକେତ ନାହିଁ, ବରଂ ଆର୍ଏସ୍ଏସ୍ ଏହାକୁ ଅଧିକ ଶକ୍ତିଶାଳୀ ଢଙ୍ଗରେ ନିୟନ୍ତ୍ରଣ କରୁଛି। ବିଜେପିର ୩୦୦ ସରିକି ଲୋକସଭା ସାଂସଦଙ୍କ ମଧ୍ୟରୁ ଜଣେ ବି ମୁସଲମାନ ନ ଥିବା ସଂଖ୍ୟାଲଘୁ ଗୋଷ୍ଠୀ ପ୍ରତି ଏହାର ଦୃଷ୍ଟିଭଙ୍ଗୀକୁ ପରିପ୍ରକାଶ କରୁଛି। ଏହି ଦର୍ଶନ ମୁଖ୍ୟତଃ ମୁସଲମାନମାନଙ୍କୁ ଦେଶର ସମାନ ନାଗରିକ ରୂପେ ଦେଖି ନ ଥାଏ। ପାଠ୍ୟପୁସ୍ତକ ପୁନର୍ଲିଖନ ଏବଂ ନୂତନ ପାଠ୍ୟକ୍ରମ ପ୍ରସ୍ତୁତି ଆଦି ଶାସକ ଦଳର ବହୁସଂଖ୍ୟକବାଦ ମାନସିକତାର ପରିଣାମ।
୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନ୍ଡିଏର ପ୍ରଥମ ପାଳିରେ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ଗୁଡ଼ିକ ହିନ୍ଦୁତ୍ବ ପ୍ରଭାବରୁ ମୁକ୍ତ ନ ଥିଲେ। କିନ୍ତୁ ସେ କାଳର ପ୍ରଭାବ ଅପେକ୍ଷାକୃତ ନିରବ ଥିଲା, ଯେତେବେଳେ କି ଦ୍ବିତୀୟ ପାଳିରେ ୨୦୧୪ରେ ଏନ୍ଡିଏ କେନ୍ଦ୍ରର କ୍ଷମତାକୁ ଆସିବା ପରେ ହିନ୍ଦୁତ୍ବର ପ୍ରଭାବ ଅଧିକ ସ୍ପଷ୍ଟ ହେବାକୁ ଲାଗିଲା। ଅଧିକନ୍ତୁ, ବିଜେପି ଯେତିକି ପରିମାଣରେ ହିନ୍ଦୁତ୍ବ କବଳିତ ହୋଇଛି, ସେତିକି ବ୍ୟକ୍ତି ପୂଜାର ଅଧୀନସ୍ଥ ହେବାରେ ଲାଗିଛି। ଅତୀତରେ ଏହି ଦଳ ନିଜକୁ ସ୍ପଷ୍ଟ ରୂପେ ବ୍ୟକ୍ତି ପୂଜାର ବିରୋଧୀ ଭାବେ ଛିଡ଼ା କରାଇଥିଲା, ଯାହା ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ଠାରୁ ନିଜକୁ ଭିନ୍ନ ଦର୍ଶାଇବା ରଣନୀତିର ଅଂଶବିଶେଷ ଥିଲା। ଏବେ କିନ୍ତୁ ସେହି ନୈତିକତାକୁ ତ୍ୟାଗ କରାଯାଇଛି ଏବଂ ସାଂସଦ ଓ କ୍ୟାବିନେଟ୍ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ତୋଷାମଦ ଓ ସ୍ତୁତି ଗାନ କରିବାରେ ପରସ୍ପରଙ୍କ ସହ ପ୍ରତିଯୋଗିତା କରୁଛନ୍ତି।
ଧାର୍ମିକ ବହୁସଂଖ୍ୟକବାଦ ଓ ବ୍ୟକ୍ତି ପୂଜାର ଏହି ସମ୍ମିଶ୍ରଣର ଏକ ପ୍ରଭାବଶାଳୀ ରୂପ ଦେଖିବାକୁ ମିଳିଥିଲା ନୂତନ ସଂସଦ ଭବନର ଉଦ୍ଘାଟନ ବେଳେ ଅନୁଷ୍ଠିତ ଉତ୍ସବମାନଙ୍କରେ। ଏଥିରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଅନୁପସ୍ଥିତ ଥିବା ବେଳେ ଉଦ୍ଘାଟନ ଉତ୍ସବକୁ ଏଭଳି ଭାବେ ପରିଚାଳିତ କରାଯାଇଥିଲା ଯେମିତି କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଯଥାସମ୍ଭବ କମ୍ ଦୃଶ୍ୟମାନ ହେବେ। ଲକ୍ଷ୍ୟ ଥିଲା ଜଣେ ମାତ୍ର ବ୍ୟକ୍ତିଙ୍କୁ ଦେଖାଇବା ଏବଂ ବଶମ୍ବଦ ପୂଜକମାନଙ୍କ ଜରିଆରେ ଉକ୍ତ ଉତ୍ସବକୁ ହିନ୍ଦୁତ୍ବ ଆଧାର ପ୍ରଦାନ କରିବା। ତାଙ୍କ ଦଳର ସଦସ୍ୟ ଓ ସଂପ୍ରସାରିତ ସଂଘ ପରିବାର ପ୍ରଧାନମନ୍ତ୍ରୀଙ୍କୁ ଜଣେ ହିନ୍ଦୁ ଶାସକର ପଦକୁ ଉନ୍ନୀତ କରିଦେଇଛନ୍ତି।
ଏବେ ବାମ ଦଳମାନଙ୍କ ପାଖକୁ ଆସିବା। ଏହି ରାଜନୈତିକ ଗୋଷ୍ଠୀ ମଧ୍ୟ ଏ ଲେଖକ ଆଶା କରିଥିବା ଢଙ୍ଗରେ ନିଜ ଭିତରେ ସଂସ୍କାର ଆଣିପାରିନାହିଁ। ସର୍ବସମ୍ମୁଖକୁ ଆସି ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ସହିତ ଶାନ୍ତି ପ୍ରତିଷ୍ଠା କରିବା ବଦଳରେ ଯେଉଁ ଜିଲ୍ଲାମାନଙ୍କରେ ତାଙ୍କର କିଛିଟା ପ୍ରଭାବ ଅଛି, ନକ୍ସଲବାଦୀମାନେ ସେଠାରେ ଅବିଚାରିତ ହିଂସା ଭିଆଇବା ଜାରି ରଖିଛନ୍ତି। ସଂସଦୀୟ ବାମପନ୍ଥୀମାନେ ଯେଉଁ ଗୋଟିଏ ମାତ୍ର ରାଜ୍ୟର କ୍ଷମତା ଉପଭୋଗ କରୁଛନ୍ତି, ସେହି କେରଳରେ ମଧ୍ୟ ସେମାନେ ନିଜର ଶାସନ ପଦ୍ଧତିରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଉଚ୍ଚ ମାନବ ବିକାଶ ସୂଚି ବୈଦେଶିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା କଥା, କିନ୍ତୁ କେରଳରେ ତାହା ହେଉ ନାହିଁ। ଏହାର କାରଣ ହେଲା ସିପିଆଇ(ଏମ୍) ଅର୍ଥନୀତି ଉପରେ କଠୋର ନିୟନ୍ତ୍ରଣ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ।
ମୋର ପନ୍ଦର ବର୍ଷ ତଳ ତାଲିକାର ଶେଷ ଆଶାଟି ଥିଲା ଏକ ଅରଖ ନୂଆ ଦଳର ଆବିର୍ଭାବ। ଅନ୍ତତଃ ସୈଦ୍ଧାନ୍ତିକ ଭାବେ ଏହି ଆଶାଟି ପୂରଣ ହୋଇଛି, ୨୦୧୨ରେ ଭାରତୀୟ ରାଜନୈତିକ ମଞ୍ଚରେ ଆମ ଆଦମି ପାର୍ଟିର ପଦାର୍ପଣ ସହିତ। କିନ୍ତୁ ବ୍ୟାବହାରିକ ଦୃଷ୍ଟିରୁ ଦେଖିଲେ ଏହାର ସମର୍ଥକମାନେ ଯେଉଁଭଳି ଚାହିଁଥିବେ ସେମିତି ମୌଳିକ ପରିବର୍ତ୍ତନ ପ୍ରଦାନ କରିବାରେ ଆପ୍ ସଫଳ ହୋଇନାହିଁ। ଦିଲ୍ଲୀରେ ସାର୍ବଜନୀନ ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରିବାରେ ଏହାର ଭଲ ରେକର୍ଡ ରହିଛି ସତ, ହେଲେ ଦଳର ଏକ ନକାରାତ୍ମକ ଦିଗ ହେଲା ସେଥିରେ ଅରବିନ୍ଦ କେଜ୍ରିଵାଲଙ୍କୁ କେନ୍ଦ୍ର କରି ବ୍ୟକ୍ତି ପୂଜାର ତନ୍ତ୍ର ଗଢ଼ାଯାଇଛି। ଏହି ଦଳ ଉତ୍ପୀଡ଼ିତ ସଂଖ୍ୟାଲଘୁଙ୍କ ସପକ୍ଷରେ ଛିଡ଼ା ହେବାକୁ ମଧ୍ୟ ଚାହୁଁନାହିଁ।
ପନ୍ଦର ବର୍ଷ ତଳେ ମୁଁ ଏହି ତାଲିକା ପ୍ରସ୍ତୁତ କରିଥିଲି। ଏହି ଅବଧି ଭିତରେ ଦେଶ ତିନିଟି ସାଧାରଣ ନିର୍ବାଚନ ଦେଖିଛି। ମୋର ୨୦୦୯ର ତାଲିକାଟି ବାସ୍ତବ ରୂପ ନେବାରେ ପ୍ରାୟତଃ ସଂପୂର୍ଣ୍ଣ ବିଫଳ ହୋଇଛି। ତେଣୁ ଜଣେ ଏହି ନିଷ୍କର୍ଷରେ ପହଞ୍ଚିପାରେ ଯେ ଏହାର ପ୍ରସ୍ତୁତକର୍ତ୍ତା ଜଣେ ଅନଭିଜ୍ଞ, ଏପରିକି କଳ୍ପନାବିଳାସୀ ଶ୍ରେଣୀର ବ୍ୟକ୍ତି। ମୁଁ ଏବେ ବୁଝିସାରିଛି ଯେ କଂଗ୍ରେସ ଗାନ୍ଧୀ ପରିବାରକୁ ତ୍ୟାଗ କରିବା, ବିଜେପି ନିଜକୁ ଆର୍ଏସ୍ଏସ୍ରୁ ଦୂରେଇ ନେବା, ଭାରତୀୟ ବାମପନ୍ଥୀମାନେ ମାଓ ଓ ଲେନିନଙ୍କୁ ତ୍ୟାଗ କରିଦେବା କିମ୍ବା ଆମ ଆଦମି ପାର୍ଟି ଜର୍ମାନିର ଅଗ୍ରସରମନସ୍କ, ପରିବେଶ ସଚେତନ ଓ ବାମାବାଦୀ ଗ୍ରିନ୍ ପାର୍ଟିର ଏକ ଦେଶୀ ସଂସ୍କରଣରେ ପରିଣତ ହେବା ନେଇ ଆଶା କରିବା ଅନୁଚିତ।
ଆଗାମୀ ସାଧାରଣ ନିର୍ବାଚନକୁ ଏକ ବର୍ଷରୁ କମ୍ ସମୟ ଅଛି। ସେହି ବିରାଟ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ମୁଁ ଏକ ନୂଆ ତାଲିକା ଉପସ୍ଥାପନ କରୁଛି। ଏହା ପୂର୍ବ ତାଲିକା ତୁଳନାରେ କମ୍ ଉଚ୍ଚାକାଂକ୍ଷୀ। ଏବେ ମୋର ଆଶା ହେଲା ଲୋକସଭା ନିର୍ବାଚନରେ କୌଣସି ଦଳ ଏକକ ସଂଖ୍ୟାଗରିଷ୍ଠତା ହାସଲ ନ କରୁ, ଅର୍ଥାତ୍ ସର୍ବାଧିକ ସଂଖ୍ୟକ ଆସନ ପାଇଥିବା ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳୁ। ଆମ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସ୍ବଭାବତଃ ଏକଛତ୍ରବାଦୀ ହୋଇଥିବାରୁ, ବିଗତ ଦୁଇ ପାଳିରେ ତାଙ୍କ ଦଳକୁ ମିଳିଥିବା ସଂଖ୍ୟାଗରିଷ୍ଠତା ତାଙ୍କର ଏହି ସ୍ବଭାବକୁ ଅଧିକ ବଳଶାଳୀ କରିଛି। ମୋଦୀଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ଦଳକୁ ମିଳିଥିବା ବିପୁଳ ଭୋଟ ମଧ୍ୟ ତାଙ୍କ ଏକଛତ୍ରବାଦୀ ସ୍ବଭାବକୁ ବଳ ଦେଇଥିଲା।
ଭାରତ ଏତେ ବିଶାଳ ଓ ବିବିଧ ଯେ ସହଯୋଗ ଓ ବିଚାର ବିମର୍ଶ ବିନା ଏ ଦେଶକୁ ଚଳାଇବା ସମ୍ଭବ ନୁହେଁ। ହେଲେ ସଂସଦରେ ବିଶାଳ ସଂଖ୍ୟାଗରିଷ୍ଠତା ଶାସକ ଦଳର ଅହଂକାର ଓ ଔଦ୍ଧତ୍ୟକୁ ଉତ୍ସାହିତ କରିଥାଏ। ଯେଉଁ ପ୍ରଧାନମନ୍ତ୍ରୀ ଏଭଳି ସଂଖ୍ୟାଗରିଷ୍ଠ ଦଳର ନେତୃତ୍ବ ନିଅନ୍ତି ସେ ନିଜ କ୍ୟାବିନେଟ୍ ସହକର୍ମୀଙ୍କୁ ନିୟନ୍ତ୍ରଣ କରିବା, ବିରୋଧୀଙ୍କୁ ଅପମାନିତ କରିବା, ପ୍ରେସ୍କୁ ଦମନ କରିବା, ସଂସ୍ଥାଗୁଡ଼ିକର ସ୍ବଂୟଶାସନ କ୍ଷମତାକୁ ଅବଜ୍ଞା କରିବା ଓ ସର୍ବୋପରି (ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଦଳରୁ ଭିନ୍ନ ଦଳ ଦ୍ବାରା ଶାସିତ) ରାଜ୍ୟଗୁଡ଼ିକର ଅଧିକାର ଓ ସ୍ବାର୍ଥକୁ ଅଣଦେଖା କରିବା ଦେଖାଯାଇଥାଏ।
ଭବିଷ୍ୟତର ଐତିହାସିକମାନେ ଏକଥା ଉଲ୍ଲେଖ କରିବେ ଯେ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ଠାରୁ ପି. ଭି. ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂହ ଜଣେ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଥିଲେ। ଏହା ଏଥିପାଇଁ ନୁହେଁ ଯେ ତଳ ତିନିଜଣ ଉପର ତିନିଜଣଙ୍କ ଠାରୁ ଅଧିକ ବିଜ୍ଞ ଓ ଯୋଗ୍ୟ ଥିଲେ। ଏହା ଏଥିପାଇଁ ଯେ ରାଓ, ବାଜପେୟୀ ଓ ସିଂହ ଯେଉଁ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ହୋଇଥିଲେ ତାହା ସେମାନଙ୍କୁ ନିଜର କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିବାକୁ, ମେଣ୍ଟରେ ଥିବା ଅନ୍ୟ ଦଳ (ଯେଉଁମାନେ ବ୍ୟାପକ ଗୋଷ୍ଠୀ, ଅଞ୍ଚଳ ଓ ସ୍ବାର୍ଥର ପ୍ରତିନିଧିତ୍ବ କରୁଥିଲେ)ଙ୍କ କଥା ଶୁଣିବାକୁ ବାଧ୍ୟ କରିଥିଲା। ଏଥି ସହିତ ସେମାନେ ନିୟମିତ ବିରୋଧୀ ଦଳର ପରାମର୍ଶ ନେବାକୁ, ସ୍ବାଧୀନ ପ୍ରେସ୍ର କଣ୍ଠରୋଧ ନ କରିବାକୁ, ନ୍ୟାୟପାଳିକା ଉପରେ ଚାପ ନ ପକାଇବାକୁ, ସାର୍ବଜନୀନ ସଂସ୍ଥାଗୁଡ଼ିକର ସ୍ବାୟତ୍ତତାରେ ହସ୍ତକ୍ଷେପ ନ କରିବାକୁ ଓ ରାଜ୍ୟଗୁଡ଼ିକର ଅଧିକାର ଓ ସ୍ବାର୍ଥ ଗୁଡ଼ିକୁ ସମ୍ମାନ କରିବାକୁ ବାଧ୍ୟ ହୋଇଥିଲେ। ମେଣ୍ଟ ସରକାରଗୁଡ଼ିକ କ୍ଷମତାରେ ଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧି, ସଂଘୀୟ ବ୍ୟବସ୍ଥା, ସଂଖ୍ୟାଲଘୁଙ୍କ ଅଧିକାର ଓ ସ୍ବାଧୀନ ସଂସ୍ଥାର ସ୍ବାୟତ୍ତତା ଆଦି ସମସ୍ତେ, ଗୋଟାଏ ଏକକ ସଂଖ୍ୟାଗରିଷ୍ଠ ଦଳର ବିପୁଳ କ୍ଷମତାପ୍ରାପ୍ତ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିର ଲାଭ ପାଇଥିଲେ।
ଯଦି ନରେନ୍ଦ୍ର ମୋଦୀ ଓ ବିଜେପି ଲଗାତାର ତୃତୀୟ ଥର ପାଇଁ ୨୦୨୪ ସାଧାରଣ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରନ୍ତି, ତେବେ ତାହା ଗଣତନ୍ତ୍ର, ବହୁଳତାବାଦ ଓ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବାର ଅନେକ ସମ୍ଭାବନା ରହିଛି। ଏହା ଫଳରେ ବିରୋଧୀ ଦଳ ଆହୁରି ଗୁରୁତ୍ବହୀନ ହୋଇଯିବ, ମୁକ୍ତ ପ୍ରେସ୍ର ସ୍ଥାନ ଆହୁରି ସଂକୁଚିତ ହୋଇଯିବ, ସଂଖ୍ୟାଲଘୁମାନେ ଆହୁରି ଅସୁରକ୍ଷିତ ଅନୁଭବ କରିବେ, ରାଜ୍ୟଗୁଡ଼ିକୁ କେନ୍ଦ୍ର ସମ୍ମୁଖରେ ଅଧିକ ମୁଣ୍ଡ ନୁଆଁଇ ରହିବାକୁ କୁହାଯିବ। ଏଭଳି ପରିଣାମ ଅର୍ଥନୀତି ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। (ମେଣ୍ଟ ସରକାରର ନେତୃତ୍ବ ନେଉଥିବା କୌଣସି ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣ ଭଳି ବିନାଶକାରୀ ପରୀକ୍ଷଣ କଦାପି କରି ନ ଥାନ୍ତି)।
ତେଣୁ ଆଗାମୀ ନିର୍ବାଚନ ନେଇ ମୋର ଏକମାତ୍ର ସରଳ ଆଶା ହେଉଛି କୌଣସି ଦଳ ୨୫୦ରୁ ଅଧିକ ଆସନ ନ ଜିଣୁ। ଏହା ୨୦୦ରେ ସୀମିତ ରହିଲେ ଆହୁରି ଭଲ। ଯଦି ତାହା ହୁଏ, ତେବେ ଭାରତ ଅଧିକ ବିଜ୍ଞତାର ସହ ଶାସିତ ନ ହେଲେ ବି କମ୍ ଅହଂକାରୀ ଢଙ୍ଗରେ ଶାସିତ ହେବ। ଗୋଟିଏ ଦଳ ବା ଜଣେ ବ୍ୟକ୍ତିଙ୍କ ହାତରେ କ୍ଷମତା ନ ରହିଲେ ରାଜନୀତିରେ ଆମ ସଭିଙ୍କୁ ଅଧିକ ଗୁରୁତ୍ବ ମିଳିବ ବୋଲି ଆଶା କରାଯାଇପାରେ।