ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଭୂମି ଶ୍ରୀକ୍ଷେତ୍ର ପୁରୀ ଭାବେ ବିଶ୍ବ ବିଖ୍ୟାତ। କିନ୍ତୁ ଗୋଟିଏ ଧାରାର ବିଶ୍ବାସ ଯେ ମହାପ୍ରଭୁଙ୍କ ଆଦି ଲୀଳା ଭୂମି ହେଉଛି ସମ୍ବଳକ ରାଜ୍ୟ; ଯାହା ଆଜିର ସୁବର୍ଣ୍ଣପୁର ଠାରୁ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଛତିଶଗଡ଼, ରାୟଗଡ଼, ମହାସମୁଦ ଓ ଯଶପୁର ଇତ୍ୟାଦି ପରିମିତ ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ବୋଲି ବିଚାର କରାଯାଏ। ଏ ଅଞ୍ଚଳରେ ବସବାସ କରୁଥିବା ଗଣ୍ତ ଜନଜାତିର ଲୋକେ ଦାବି କରନ୍ତି ଯେ ଜଗନ୍ନାଥ ହେଉଛନ୍ତି ସେମାନଙ୍କ ଆଦି-ଦେବତା। ସେମାନଙ୍କ ମତରେ ଆଜିର ଛତିଶଗଡ଼ ରାଜ୍ୟର ମହାସମୁଦ ଜିଲ୍ଲାରେ ଶବରୀ ନାରାୟଣ ହେଉଛନ୍ତି ମୂଳ ଜଗନ୍ନାଥ। ଗଣ୍ଡ ସଂପ୍ରଦାୟର ଲୋକେ ଦୁଇଟି ଦାରୁକୁ ଶ୍ରୀଜଗନ୍ନାଥଙ୍କ ଜଙ୍ଘ ବୋଲି ବିବେଚନା କରି ‘ଜଙ୍ଘାଲିଙ୍ଗା ବଡ଼ ଦେଵ’ ଭାବରେ ପୂଜା କରନ୍ତି। ଶାମ୍ବ ଦଶମୀ ତିଥିରେ ସେମାନେ ଏହି ‘ବଡ଼ ଦେଵ’ଙ୍କୁ କାନ୍ଧରେ ବହନ କରି ବୁଲାନ୍ତି; ଏବଂ ସେତେବେଳେ ସେମାନଙ୍କ କାନ୍ଧ ନନ୍ଦିଘୋଷ ରଥର ପ୍ରତୀକ ପାଲଟି ଯାଏ।

Advertisment

ପ୍ରାଚୀନ ସମ୍ବଳକର ରାଜା ଇନ୍ଦ୍ରଭୂତି ଓ ପଦ୍ମସମ୍ଭବ (‘ଦ୍ବିତୀୟ ବୁଦ୍ଧ’ ଭାବେ ଖ୍ୟାତ) ଜଗନ୍ନାଥଙ୍କୁ ତାନ୍ତ୍ରିକ ବୁଦ୍ଧ ଭାବରେ ପୂଜା କରୁଥିଲେ। ସାରଳା ଦାସ ଏବଂ ପଞ୍ଚଦଶ ଶତାବ୍ଦୀର ପଞ୍ଚସଖା (ଅନନ୍ତ, ଜଗନ୍ନାଥ, ବଳରାମ, ଅଚ୍ୟୁତ ଓ ଯଶୋବନ୍ତ)ଙ୍କ ବହୁ ପୂର୍ବରୁ ସେ ଅଞ୍ଚଳର କବି ଭବଭୂତି ଏବଂ ଯୁଗ ଦାସଙ୍କ ଦ୍ବାରା ଜଗନ୍ନାଥଙ୍କ ମହିମା ଗାନ କରାଯାଇଛି।

ଏହି ଅଞ୍ଚଳର ରଥଯାତ୍ରାର ପରମ୍ପରା ଅନନ୍ୟ। ଗ୍ରାମାଞ୍ଚଳରେ ଅନେକ ରଥ ବାହାରେ। ଗ୍ରାମ ମୁଖ୍ୟ ବା ଗଉନ୍ତିଆ ରଥରେ ଛେରାପହଁରା କରନ୍ତି; ତେଣିକି ସେ ଯେଉଁ ଧର୍ମାବଲମ୍ବୀ ହୋଇଥାଆନ୍ତୁ ନା କାହିଁକି! ଝାରସୁଗୁଡ଼ା ଜିଲ୍ଲାର ରେମଣ୍ତା ଏବଂ ବରଗଡ଼ ଜିଲ୍ଲାର କତରବଗାରେ ମୁସଲମାନ ଗଉଁନ୍ତିଆ ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ପୋଷର ଠାରେ ଶିଖ ସମ୍ପ୍ରଦାୟର ଗଉଁନ୍ତିଆ ଛେରାପହଁରା କରନ୍ତି। ବରଗଡ଼ ଜିଲ୍ଲାର କାଠଡେରା ଗ୍ରାମ ଠାରେ ଛଅଟି ଗାଁ ଯେମିତିକି ହରଲିପାଲି, ଲଚିଦା, କତାରବଗା, ଭୂର୍ଷିପାଲି, ଲୁରୁପାଲି ଓ ଟିଙ୍ଗିରିପାଲିର ରଥଗୁଡ଼ିକରେ ଠାକୁରମାନେ ଆସି କାଠଡେରା ଠାରେ ମେଳଣ ହୁଅନ୍ତି; ଦୋଳ ସମୟରେ ଉପକୂଳ ଓଡ଼ିଶାରେ ରାଧାକୃଷ୍ଣ ମେଳଣ ଭଳି। ତା’ ପରେ ଦେବତାମାନେ ମାଉସୀ ମା’ ମନ୍ଦିରରେ ନଅ ଦିନ ଅବସ୍ଥାନ କରନ୍ତି। ଯଦି କୌଣସି ଗାଁରେ ଜଗନ୍ନାଥ ମନ୍ଦିର ନ ଥାଏ, ତେବେ ଗାଁ ମୁଖ୍ୟ ପାଖ ଗ୍ରାମର ଜଗନ୍ନାଥ ମହାପ୍ରଭୁଙ୍କୁ ନିଜ ଗାଁକୁ ନିମନ୍ତ୍ରଣ କରନ୍ତି। ମହାପ୍ରଭୁଙ୍କ ସକା‌େଶ ନୂତନ ରଥ ନିର୍ମାଣ କରାଇ ରଥଯାତ୍ରା ସଂପନ୍ନ କରନ୍ତି। ଏହି ଭଳି ରଥଯାତ୍ରା ପନ୍ଦର ଦିନ ବ୍ୟାପୀ ଚାଲିଥାଏ। ଛତିଶଗଡ଼, ରାୟଗଡ଼ ଜିଲ୍ଲାର ଲାରା ଓ ରେଙ୍ଗଲପାଲିର ଠାକୁର ଯଥାକ୍ରମେ ଝାରସୁଗୁଡ଼ାର ସୁଖାସୁଡ଼ ଓ କନକତରା ଗ୍ରାମକୁ ଆସନ୍ତି। ସେମିତି କଣ୍ଟାପାଲିରୁ ଠାକୁର ପାଖ ଗ୍ରାମ ସିରେନପାଲି, ବେଲେରିଆ ଓ ଭୁଲ୍ଲପାଲିକୁ ନିମନ୍ତ୍ରିତ ହୋଇ ଆସନ୍ତି। ଅତାବିରା ଗ୍ରାମର ଠାକୁର ଭିକମ୍‌ପାଲି, ତିଖିଲିପାଲି, ଝାରୁପାଡ଼ ନୂଆଡ଼ିହକୁ ନିମନ୍ତ୍ରିତ ହୁଅନ୍ତି। ଏଭଳି ଆହୁରି ଅନେକ ଉଦାହରଣମାନ ରହିଛି। ଝାରସୁଗୁଡ଼ା ନିକଟ ପଞ୍ଚପଡ଼ାରେ ଦଳିତ ଗଣ୍ଡା ଜାତିର ଲୋକେ ଠାକୁରଙ୍କ ପହଣ୍ତି କରାନ୍ତି। ଗଣଦେବତା ଜଗନ୍ନାଥଙ୍କ ରଥଯାତ୍ରା ପ୍ରକୃତ ଅର୍ଥରେ ଗଣ ସଂପୃକ୍ତି ଥିବା ଗଣପର୍ବରେ ପରିଣତ ହୁଏ। ରଥଯାତ୍ରା ଦିନ ଏ ଅଞ୍ଚଳରେ ଛୋଟ ପିଲାମାନଙ୍କ ଲାଗି ଅନ୍ନପ୍ରସନ୍ନ, ଖଡ଼ିଛୁଆଁ ଆଦି ମଧ୍ୟ କରାଯାଏ।

ପୂର୍ବରୁ ଏହି ଅଞ୍ଚଳରେ ବିଗ୍ରହ ଗୁଡ଼ିକ ପାଷାଣ ନିର୍ମିତ ଥିଲେ ବୋଲି ଇତିହାସକାରମାନେ କହନ୍ତିି। କିନ୍ତୁ କ୍ରମେ ପାଷାଣ ମୂର୍ତ୍ତିଙ୍କୁ ବିସର୍ଜନ କରାଯାଇ ଦାରୁ ନିର୍ମିତ ମୂର୍ତ୍ତି ପୂଜା ପାଇଲେ। ଏବେ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ତେଲେଗି ଠାରେ ମହାପ୍ରଭୁଙ୍କ ତିନି ବିଗ୍ରହ ମଧ୍ୟରୁ ଶ୍ରୀ ଜଗନ୍ନାଥ ପାଷାଣ ନିର୍ମିତ ହୋଇଥିବା ଦେଖାଯାଏ। ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ପର୍ବତ ସେ ଅଞ୍ଚଳରେ ପାତାଳୀ ଶ୍ରୀକ୍ଷେତ୍ର ନାମରେ ମଧ୍ୟ ପ୍ରସିଦ୍ଧ। କାରଣ ସେଠାରେ ମହାପ୍ରଭୁ ପାତାଳୀ ହୋଇଥିଲେ ବୋଲି ବିଶ୍ବାସ କରାଯାଏ।

ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀନ ସମ୍ବଳକ ରାଜ୍ୟ ବା ଆଜିର ପଶ୍ଚିମ ଓଡ଼ିଶାରେ ସୁଦୃଢ଼ ବୈଷ୍ଣବୀୟ ପରଂପରା ବିଦ୍ୟମାନ। ଏ ଅଞ୍ଚଳର ଗ୍ରାମଗୁଡ଼ିକରେ ଜଗନ୍ନାଥ ମନ୍ଦିରର ସାନ୍ଦ୍ରତା ଖୁବ୍‌ ଅଧିକ। ଏ ଅଞ୍ଚଳର ଗ୍ରାମମାନଙ୍କରେ ପୁରୁଷ ଓ ମହିଳାମାନେ ସନ୍ଧ୍ୟାରେ ଏକତ୍ର ହୋଇ ଭାଗବତ ପାଠ କରିବାର ପରଂପରା ରହିଛି। ଶ୍ରୀଚୈତନ୍ୟଙ୍କର ବୈଷ୍ଣବ ଆନ୍ଦୋଳନ ବଙ୍ଗଳାରୁ ଆରମ୍ଭ ହୋଇ ଉପକୂଳ ଓଡ଼ିଶା ଓ ଆନ୍ଧ୍ର ବିଜୟଵାଡ଼ା ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା। ଶ୍ରୀଚୈତନ୍ୟଙ୍କ ପାଦ ଏହି ଅଞ୍ଚଳରେ ପଡ଼ି ନ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଠାରେ ଚୈତନ୍ୟ ପନ୍ଥୀ ବୈଷ୍ଣବୀୟ ଆନ୍ଦୋଳନ ବେଶ୍ ଗଭୀର ଭାବେ ପ୍ରୋତ୍ଥିତ। ଚୈତନ୍ୟ ପନ୍ଥୀ ବୈଷ୍ଣବୀୟ ଆନ୍ଦୋଳନର ଏକ ମୁଖ୍ୟ ବିଭାବ ହେଉଛି କୀର୍ତ୍ତନ; ଯାହା ଏହି ଅଞ୍ଚଳର ଘରେ ଘରେ ପ୍ରିୟ ଏବଂ ଗାଁ ଗାଁରେ ସ˚କୀର୍ତ୍ତନ ମଣ୍ତଳୀ ଅଛନ୍ତି। ଏହି ଅଞ୍ଚଳର ଅଧିକାଂଶ ଲୋକ ଖୋଳ, ମୃଦଙ୍ଗ, ଝାଞ୍ଜ ଆଦି ବଜାଇବାରେ ପୋଖତ। ପୁଣି, କେବଳ ସ˚କୀର୍ତ୍ତନ ନୁହେଁ, କୃଷ୍ଣଗୁରୁ, ସ˚ଚାର, ସଂପ୍ରଦା, ପାଲା ଓ ଦାସକାଠିଆ ଭଳି ବୈଷ୍ଣବୀୟ ସଂସ୍କୃତି ମଧ୍ୟ ଏଠାରେ ଲୋକପ୍ରିୟ। ଏଠାକାର ଗ୍ରାମାଞ୍ଚଳର ଲୋକେ ଭଜନ, ଜଣାଣ, ଚମ୍ପୂ ଏବଂ କୀର୍ତ୍ତନ ଆଦିରେ ମଧ୍ୟ ବେଶ୍ ପାରଙ୍ଗମ।

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ଭାବଧାରା ସମସ୍ତ ଓଡ଼ିଆଙ୍କୁ ଗୋଟିଏ ଭାବାବେଗର ସୂତ୍ରରେ ବାନ୍ଧି ରଖିଛି। ଏହି ଭାବଧାରାର ମହାସ୍ରୋତରେ ବିବିଧ ପ୍ରଥା ଓ ପରଂପରାର ଧାରାମାନ ଆସି ମିଶିଥାଏ, ଯାହା ଜଗନ୍ନାଥ ପରଂପରାକୁ ବହୁବର୍ଣ୍ଣୀ କରିଥାଏ; ଯେମିତି ସମ୍ବଳକ ଅଞ୍ଚଳର ରଥ ଯାତ୍ରା ଓ ଜଗନ୍ନାଥ ପରଂପରା।

ମୋ: ୯୪୩୭୮୧୬୨୩୩