ପିଲାମାନଙ୍କୁ ନେଇ ବାପାମା’ଙ୍କ ଅହଂକାର କିଭଳି ରୂପ ନିଏ, ତାହା ଦେଖାଇବାକୁ ଯାଇ ୟୁଜିକେ କହିଥିଲେ ଏହି କଥାଟିଏ।
ମୁଲ୍ଲା ନସିରୁଦ୍ଦିନ ଚାହୁଁଥିଲେ ଯେ ତାଙ୍କ ପୁଅ କିଛି କରି ଦେଖାଉ। କିନ୍ତୁ ପୁଅର ସେଭଳି କିଛି ଉଦ୍ଦେଶ୍ୟ ନ ଥିଲା। ମୁଲ୍ଲା ଏଥିରେ ଅସନ୍ତୁଷ୍ଟ ହୋଇ ସବୁ ବେଳେ ବକାେଶାଧା କରିବାରୁ ପୁଅ ଘରୁ ପଳାଇଗଲା। ମୁଲ୍ଲା ଏଥିରେ ଆହୁରି ରାଗିଯାଇ କହିଲେ- ପୁଅର ମୁହଁ ଚାହିଁବି ନାହିଁ।
ଦିନେ ମୁଲ୍ଲା ଶୁଣିଲେ ଯେ ପୁଅ ଗୋଟିଏ ପ୍ରସିଦ୍ଧ ନାଟକ କଂପାନିରେ ମିଶି ଅଭିନେତା ହୋଇଯାଇଛି। ମୁଲ୍ଲାଙ୍କ ଏବେ ଟିକିଏ ଆଶା ଜାଗିଲା ଯେ ପୁଅ କିଛି ନା କିଛି ଗୋଟାଏ କରି ଦେଖାଇବ। ତା’ର ପ୍ରତିଭା ଅଛି।
ନାଟକ କଂପାନି ଗାଁକୁ ଆସିଲା। ଏଥିରେ ଉତ୍ସାହିତ ମୁଲ୍ଲା ପ୍ରଥମ ଦିନ ପ୍ରଥମ ସୋ’ରେ ପ୍ରଥମ ଧାଡ଼ିରେ କୋଡ଼ିଏଟି ଟିକେଟ୍ କିଣି ନିଜ ସାଇ ପଡ଼ିଶା ଏବଂ ବନ୍ଧୁବିରାଦରଙ୍କୁ ନେଇ ନାଟକ ଦେଖିବାକୁ ଗଲେ। ସେ ଭାବିଲେ ଏଥର ତାଙ୍କ ପୁଅ କିଛି ଗୋଟାଏ କରି ଦେଖାଇ ଦେବାର ମଉକା ମିଳିଛି।
ନାଟକ ଆରମ୍ଭ ହୋଇ ତିନିଟି ଦୃଶ୍ୟ ପରେ ସରିବାକୁ ଗଲା, ହେଲେ ପୁଅର ଦେଖା ନାହିଁ। ଶେଷ ଦୃଶ୍ୟରେ ପରଦା ପଡ଼ିବାକୁ ଯାଉଛି ମୁଲ୍ଲାଙ୍କ ପୁଅ ଏକ ବନ୍ଧୁକଧାରୀ ପୁଲିସ ବେଶରେ ଆସି ମଞ୍ଚ ଉପରେ ଟହଲି ଦେଇ ଚାଲିଗଲା।
ନାଟକ ସରିଗଲା। ସମସ୍ତଙ୍କୁ ଚକିତ କରି ମୁଲ୍ଲାଙ୍କ ଚିତ୍କାର ଶୁଭିଲା, ମୂର୍ଖ ଅପଦାର୍ଥ, ପଦଟିଏ କଥା ନ କହିଲୁ ନାଇଁ, ବନ୍ଧୁକ ବି ଫୁଟାଇ ପାରିଲୁ ନାହିଁ?