ଜୁଲାଇ ୭ ତାରିଖ ରାଜ୍ୟ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ଟୁଇଟ୍‌ ମାଧ୍ୟମରେ ଲେଖିଲେ, ‘ବଳରାମ ଯୋଜନାରେ ଋଣ ମଞ୍ଜୁରିରେ ଅବହେଳା ଯୋଗୁଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପୁରୁଷୋତ୍ତମପୁର ମୌଜା ଶାଖାକୁ ଆମେ ସିଲ୍ କରିଦେଇଛୁ।’ ଏହି ଟୁଇଟ୍‌ ଭାଇରାଲ୍ ହୋଇଗଲା ଓ ତାକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟାମାନ ପ୍ରକାଶ ପାଇବାକୁ ଲାଗିଲା। ବ୍ୟାଙ୍କ ଶାଖାକୁ ସିଲ୍ କରିବା ତାଙ୍କର କ୍ଷମତା ପରିସରଭୁକ୍ତ କି ନୁହେଁ, ତାହା ଭିନ୍ନ ପ୍ରସଙ୍ଗ ହୋଇପାରେ, ତେବେ ବ୍ୟାଙ୍କ ଶାଖାକୁ ସିଲ୍ କରି ‘ବଳରାମ’ ଯୋଜନାରେ ବ୍ୟାଙ୍କ ଋଣ ପ୍ରଦାନକୁ ଗତି ପ୍ରଦାନ କରିବା ଯେ ଅସମ୍ଭବ, ତାହା ସୁନିଶ୍ଚିତ। ତେବେ ରାଜ୍ୟରେ ବଳରାମ ଯୋଜନାରେ ଋଣ ପ୍ରଦାନ ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ କୁଣ୍ଠିତ ହେବାର କାରଣଗୁଡ଼ିକୁ ଅନୁଧ୍ୟାନ କରି ସେଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରାଗଲେ ହୁଏତ ଯୋଜନାର ଅଗ୍ରଗତି ହୋଇପାରନ୍ତା।

Advertisment

ରାଜ୍ୟ ସରକାରଙ୍କ କୃଷି ଗଣନା ୨୦୧୫-୧୬ର ଆକଳନ ଅନୁଯାୟୀ ରାଜ୍ୟରେ ୪୮.୬୬ ଲକ୍ଷ କାର୍ଯ୍ୟକାରୀ ଚାଷ ଜମି (ଆଗ୍ରିକଲଚରାଲ ହୋଲ୍‌ଡିଂ) ଅଛି। ସେଥି ମଧ୍ୟରୁ ୯.୦୫ ଲକ୍ଷ ଚାଷ ଜମିକୁ ଭାଗ ଚାଷୀଙ୍କୁ ଭାଗ, ବଖରା ବା ଲିଜ୍ ଆକାରରେ ଦିଆଯାଇଛି। ଏଥି ମଧ୍ୟରୁ ୨.୮୩ ଲକ୍ଷ ଚାଷ ଜମିକୁ ସମ୍ପୂର୍ଣ୍ଣ ଭାବେ ବଖରା ଦିଆଯାଇଥିବା ବେଳେ ୬.୨୨ ଲକ୍ଷ ଜମିକୁ ଆଂଶିକ ଭାବେ ବଖରା ଦିଆଯାଇଛି। ଅର୍ଥାତ୍, ରାଜ୍ୟର ପ୍ରାୟ ୧୮.୬ ପ୍ରତିଶତ କାର୍ଯ୍ୟକାରୀ ଚାଷ ଜମି ଭାଗ ଚାଷୀମାନେ ଚାଷ କରିଥାଆନ୍ତି। ଏହି ଭାଗ ଚାଷୀଙ୍କ ମଧ୍ୟରୁ ପ୍ରାୟ ୯୩.୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ବା ନାମମାତ୍ର ଚାଷୀ; ଅବଶିଷ୍ଟ ପ୍ରାୟ ୬.୮ ପ୍ରତିଶତ ଭୂମିହୀନ ଶ୍ରେଣୀର ଅଟନ୍ତି। କ୍ରମେ ବ୍ୟୟବହୁଳ ହୋଇ ଚାଲିଥିବା ଚାଷ କାର୍ଯ୍ୟ ପାଇଁ ଅନେକ ସମୟରେ ସେମାନଙ୍କ ନିକଟରେ ସମ୍ୱଳର ଯଥେଷ୍ଟ ଅଭାବ ଥିବାରୁ ସେମାନେ ମହାଜନ ଓ ଅନ୍ୟମାନଙ୍କ ଠାରୁ ଚଢ଼ା ସୁଧରେ ଋଣ ଆଣି ଶୋଷଣର ଶିକାର ହୁଅନ୍ତି।

ତିନି ବର୍ଷ ତଳେ ଯେତେବେଳେ ରାଜ୍ୟ ସରକାର ଭାଗ ଚାଷୀଙ୍କ ପାଇଁ ବଳରାମ (‘ଭୂମିହୀନ ଆଗ୍ରିକଲଚରିଷ୍ଟ ଲୋନ ଆଣ୍ଡ ରିସୋର୍ସେସ୍ ଅଗମେଣ୍ଟେସନ୍ ମଡେଲ’) ଯୋଜନାର ଅୟମାରମ୍ଭ କଲେ, ସେତେବେଳେ ଦୁଇ ବର୍ଷ ମଧ୍ୟରେ ୫ ଲକ୍ଷ ଭାଗ ଚାଷୀଙ୍କୁ ନେଇ ଏକ ଲକ୍ଷ ମିଳିତ ଦେୟ ଗୋଷ୍ଠୀ (ଜେଏଲଜି) ଗଠନ ସହ ସେଗୁଡ଼ିକୁ ବ୍ୟାଙ୍କ ଋଣ ସଂଯୁକ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତଥ୍ୟ ଅନୁଯାୟୀ ୨୦୨୨-୨୩ ସୁଦ୍ଧା ରାଜ୍ୟରେ ୮୦,୩୪୪ଟି ‘ଜେଏଲଜି’ ଗଠିତ ହୋଇଥିଲା, ତନ୍ମଧ୍ୟରୁ ୨୮,୫୬୭ଟି ଗୋଷ୍ଠୀଙ୍କୁ ୨୩୪.୫୦ କୋଟି ଟଙ୍କା ବ୍ୟାଙ୍କ ଋଣ ମଞ୍ଜୁର ହୋଇଛି। ତେବେ ସେଥିରୁ ୧୩,୯୮୭ଟି ଗୋଷ୍ଠୀଙ୍କୁ ମାତ୍ର ୧୦୭.୮୪ କୋଟି ଟଙ୍କା ଋଣ ବିତରିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଅନେକ ରାଜ୍ୟରେ ‘ଜେଏଲଜି’ଙ୍କୁ ପ୍ରଦାନ କରାଯାଉଥିବା ଋଣ ରାଶି ସମୁଦାୟ ଚାଷ ଋଣ ରାଶିର ଏକ ପ୍ରମୁଖ ଅଂଶ ହୋଇଥିଲା ବେଳେ ଓଡ଼ିଶାରେ ୨୦୨୨-୨୩ରେ ସମୁଦାୟ ଚାଷ ଋଣ ପରିମାଣ ୩୩,୧୩୭ କୋଟି ଟଙ୍କା ମଧ୍ୟରୁ ତାହା ମାତ୍ର ୫୫ କୋଟି ଟଙ୍କା ବା ୦.୧୭ ପ୍ରତିଶତ ଥିଲା। ଏ ପର୍ଯ୍ୟନ୍ତ ମାତ୍ର ୬୪,୯୯୫ ଜଣ ଭାଗଚାଷୀ ବ୍ୟାଙ୍କ ଋଣ ହାସଲ କରିବାକୁ ସମର୍ଥ ହୋଇଛନ୍ତି, ଯାହା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୩ ପ୍ରତିଶତ। ଅର୍ଥାତ୍ ପ୍ରତ୍ୟେକ ଗୋଷ୍ଠୀକୁ ହାରାହାରି ମାତ୍ର ୭୭,୦୦୦ ଟଙ୍କା ଋଣ ମିଳିଥିବା ବେଳେ ସଦସ୍ୟମାନଙ୍କୁ ମିଳିଛି ହାରାହାରି ମାତ୍ର ୧୬,୬୦୦ ଟଙ୍କା। କେବଳ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ୯୦ ପ୍ରତିଶତରୁ ଅଧିକ ଗୋଷ୍ଠୀଙ୍କୁ ଋଣ ଦେଇଥିବାରୁ ‘ଜେଏଲଜି’ଙ୍କୁ ଋଣ ଦେବାରେ ଉଭୟ ସରକାରୀ ଓ ଘରୋଇ ବାଣିଜ୍ୟିକ ବ୍ୟାଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନେ ଯେ ବୀତସ୍ପୃହ, ତାହା ସୁସ୍ପଷ୍ଟ।

ବଳରାମ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଗୋଟିଏ ଗୋଷ୍ଠୀକୁ ସର୍ବାଧିକ ୧.୬୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରା ଯାଇପାରେ। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶିକା ଅନୁଯାୟୀ କୃଷି ଉଦ୍ଦେଶ୍ୟରେ ଗୋଟିଏ ଗୋଷ୍ଠୀକୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ଓ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସର୍ବାଧିକ ୧ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଦିଆଯାଇପାରିବ। ବଳରାମ ଯୋଜନାର ମାର୍ଗଦର୍ଶିକାକୁ ଅନୁସରଣ କଲେ ୧୦ ଜଣିଆ ଗୋଷ୍ଠୀର ଜଣେ ସଦସ୍ୟ ୧୬ ହଜାର ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ପାଇପାରିବନାହିଁ। ବର୍ତ୍ତମାନ ରାଜ୍ୟରେ ଏକ ଏକର ଧାନ ଚାଷ ପାଇଁ ହାରାହାରି ୩୦,୦୦୦ ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଦିଆଯାଉଥିବାରୁ ଗୋଷ୍ଠୀ ସଦସ୍ୟମାନଙ୍କୁ ଉପଲବ୍‌ଧ ଋଣ ଚାଷ ପାଇଁ ଆବଶ୍ୟକ ପରିମାଣ ଠାରୁ ଯଥେଷ୍ଟ କମ୍‌ ହେବ। ତା’ ଛଡ଼ା ମିଳିତ ଦେୟ ଗୋଷ୍ଠୀଙ୍କୁ ବ୍ୟକ୍ତିଗତ (‘କ’ ମଡେଲ) ଓ ଗୋଷ୍ଠୀଗତ (‘ଖ’ ମଡେଲ), ଏହିପରି ୨ ପ୍ରକାରେ ଋଣ ଦେବାର ପ୍ରାବଧାନ ଥିବାରୁ ଅଧିକ ଜମିରେ ଚାଷ କରୁଥିଲେ ଗୋଷ୍ଠୀ ସଦସ୍ୟମାନଙ୍କୁ ‘କ’ ମଡେଲରେ ଜଣକା ୧.୦୦ ଲକ୍ଷ ଟଙ୍କା ଯାଏଁ ବନ୍ଧକବିହୀନ ଚାଷ ଋଣ ଦେବାରେ ଅସୁବିଧା ନାହିଁ। ତେଣୁ ରାଜ୍ୟ ସରକାର ମାର୍ଗଦର୍ଶିକାରେ ଆବଶ୍ୟକ ପରିବର୍ତ୍ତନ କରିବା ଦରକାର। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶିକା ଅନୁଯାୟୀ ୧.୬୦ ଲକ୍ଷ ଟଙ୍କା ଯାଏଁ ଚାଷ ଋଣ ଉପରେ କୌଣସି ବନ୍ଧକର ଆବଶ୍ୟକତା ନଥାଏ, କାରଣ ଚାଷ ଋଣ ପାଇଁ କ୍ଷେତରେ ଠିଆ ହୋଇଥିବା ଫସଲ ହିଁ ବନ୍ଧକ ରୂପେ ଗ୍ରହଣ କରାଯାଇଥାଏ। ତେବେ ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶିକା ବ୍ୟକ୍ତିଗତ ଋଣ ପାଇଁ ପ୍ରଯୁଜ୍ୟ। ସମ୍ଭବତଃ ରାଜ୍ୟ ସରକାର ଏହି ବନ୍ଧକବିହୀନ ଋଣର ସୀମାକୁ ଦୃଷ୍ଟିରେ ରଖି ‘ଜେଏଲଜି’କୁ ସର୍ବାଧିକ ୧.୬୦ ଲକ୍ଷ ଟଙ୍କାର ଋଣ ପ୍ରଦାନ ମଧ୍ୟରେ ସୀମିତ ରଖିବାକୁ ଚାହିଁଛନ୍ତି। ସେହିପରି ବର୍ତ୍ତମାନ ଚାଷ ଋଣ ପାଇବା ପାଇଁ ‘ଜେଏଲଜି’ର ସଦସ୍ୟମାନଙ୍କୁ ଏକ ୧୦୦ ଟଙ୍କିଆ ନନ୍-ଜୁଡିସିଆଲ ଷ୍ଟାମ୍ପ ପେପରରେ ପରସ୍ପର ମଧ୍ୟରେ ଏକ ଚୁକ୍ତି କରିବାକୁ ହୋଇଥାଏ। ରାଜ୍ୟରେ ଭାଗଚାଷୀଙ୍କୁ ‘ଜେଏଲଜି’ ମାଧ୍ୟମରେ ଋଣପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ହେଲେ ସେମାନଙ୍କ ଲାଗି ଷ୍ଟାମ୍ପ ଫି ଦେୟମୁକ୍ତ କରିବା କଥା ଚିନ୍ତା କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ‘ସ୍ୱୟଂ ସହାୟକ ଗୋଷ୍ଠୀ’ କରୁଥିବା ପାରସ୍ପରିକ ଚୁକ୍ତି ମଧ୍ୟ ସମ୍ପୂର୍ଣ୍ଣ ଷ୍ଟାମ୍ପ ଫି’ ମୁକ୍ତ ଅଟେ।

ଓଡ଼ିଶାରେ ଚାଷ ପାଇଁ ବ୍ୟାଙ୍କ ଋଣ ନେଉଥିବା ଅଧିକାଂଶ ‘ଜେଏଲଜି’ର ସଦସ୍ୟ ଫସଲ ବୀମା ଅନ୍ତର୍ଭୁକ୍ତ ନୁହନ୍ତି। ସେମାନଙ୍କ ନାମରେ ଚାଷ ଜମି ନଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ସେମାନଙ୍କୁ ଯୋଗ କରି ହେଉନଥିବା ଦର୍ଶାଇ ସେମାନଙ୍କ ଠାରୁ ବୀମା ପ୍ରିମିୟମ କଟା ଯାଇନଥାଏ। ଫଳରେ ସେମାନେ ଫସଲ ବୀମା ସୁବିଧା ପାଇବାରୁ ବଞ୍ଚିତ ହୋଇଥାନ୍ତି ଓ ଫସଲ ନଷ୍ଟ ହେଲେ କୌଣସି କ୍ଷତିପୂରଣ ପାଇ ନଥାନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଭାଗ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ସମୁଦାୟ ଚାଷ ଋଣ ବାବଦକୁ ଭାଗ ଚାଷୀଙ୍କଠାରୁ କେତେ ପରିମାଣର ଫସଲ ବୀମା ପ୍ରିମିୟମ ଆଦାୟ ହୋଇଛି ଓ ସେମାନେ କେତେ ପରିମାଣରେ କ୍ଷତିପୂରଣ ପାଇଛନ୍ତି, ସେହି ତଥ୍ୟ ସାର୍ବଜନୀନ ହେଲେ ପ୍ରକୃତ ସମସ୍ୟାର ଗମ୍ଭୀରତାକୁ ବୁଝି ହେବ। ତେଣୁ ଏହା ‘ଏକ ପରିଚାଳନାଗତ ପ୍ରସଙ୍ଗ, ଯାହାର ସମାଧାନ କରିହେବ’ କହି ଏଡ଼ାଇ ଦିଆଗଲେ ତାହା ବର୍ଷ ବର୍ଷ ଧରି ଗଡ଼ି ଚାଲିଥିବ ଓ ଭାଗଚାଷୀମାନେ ହିଁ କ୍ଷତିର ସମ୍ମୁଖୀନ ହେଉଥିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଂଶଗ୍ରହଣ ନ କରି ପଶ୍ଚିମବଙ୍ଗ କାର୍ଯ୍ୟକାରୀ କରୁଥିବା ନିଜସ୍ୱ ‘ବାଙ୍ଗଲା ଶସ୍ୟ ବୀମା ଯୋଜନା’ରେ ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବି ‘ଜେଏଲଜି’ ସଦସ୍ୟଙ୍କ ଫସଲ ବୀମାର ପ୍ରାବଧାନ ଥିବାରୁ ରାଜ୍ୟର ପ୍ରତିଟି ଭାଗଚାଷୀ କିପରି ଫସଲ ବୀମା ଯୋଜନା ଅନ୍ତର୍ଭୁକ୍ତ ହୋଇ ଲାଭାନ୍ୱିତ ହୋଇପାରିବେ ସେ ନେଇ ରାଜ୍ୟ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଅଧିକ ତତ୍ପରତା ପ୍ରଦର୍ଶନ କରିବା ଆବଶ୍ୟକ।

ଧାନ ସଂଗ୍ରହ ସମୟରେ ଭାଗଚାଷୀଙ୍କ ନାମ ପଞ୍ଜୀକରଣ ପାଇଁ ପ୍ରାବଧାନ ରହିଛି। ଏଥିପାଇଁ ଜମି ମାଲିକ ଭାଗଚାଷୀ ଚାଷ କରିଥିବା କଥା ସାକ୍ଷ୍ୟ ଦେଲେ ବା ସରପଞ୍ଚ ଭାଗଚାଷୀଙ୍କ ବିବରଣୀ ପ୍ରଦାନ କଲେ ବା କୃଷି ବା ରାଜସ୍ୱ ବିଭାଗ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ରିପୋର୍ଟ ମିଳିଲେ, ତାଙ୍କ ନାମ ପୋର୍ଟାଲରେ ପଞ୍ଜୀକୃତ ହୋଇଥାଏ। କିନ୍ତୁ ବାସ୍ତବତା ହେଉଛି ଠିକ୍ ସମୟରେ ଏହି ତିନିଟି ମଧ୍ୟରୁ ଗୋଟିଏ ବି ସଂଗ୍ରହ କରିପାରୁ ନଥିବାରୁ ଅନେକ ଭାଗଚାଷୀଙ୍କର ନାମ ପଞ୍ଜିକୃତ ହୋଇପାରେ ନାହିଁ କି ସେମାନଙ୍କଠାରୁ ଧାନ ସଂଗ୍ରହ ହୋଇପାରେ ନାହିଁ। ଫଳରେ ସେମାନେ ଅନ୍ୟ ବେପାରୀଙ୍କୁ ଅଭାବୀ ବିକ୍ରି କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି। ଭାଗଚାଷୀଙ୍କଠାରୁ ଧାନ ସଂଗ୍ରହ ବ୍ୟବସ୍ଥିତ ଢଙ୍ଗରେ ନହେବା ଯୋଗୁଁ, ବ୍ୟାଙ୍କଗୁଡ଼ିକ ଋଣ ପରିଶୋଧ ନେଇ ଆଶଙ୍କା ପ୍ରକାଶ କରିଥାନ୍ତି। ଏହା ହିଁ ଭାଗଚାଷୀଙ୍କୁ ବ୍ୟାଙ୍କ ଋଣ ମିଳିବାରେ ଅନ୍ୟତମ ପ୍ରତିବନ୍ଧ ସାଜିଥାଏ।

ପଶ୍ଚିମବଙ୍ଗରେ ‘ଜେଏଲଜି’ଗୁଡ଼ିକୁ ପ୍ରଦାନ କରାଯାଇଥିବା ବ୍ୟାଙ୍କ ଋଣର ପରିମାଣ ଉପରେ ଏକ ନଜର ପକାଯାଉ। ସେଠାରେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ରେ ଯଥାକ୍ରମେ ରେ ୪.୩୫ ଲକ୍ଷ, ୫.୧୮ ଲକ୍ଷ ଓ ୫.୮୬ ଲକ୍ଷ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା ଓ ଋଣର ପରିମାଣ ଥିଲା ଯଥାକ୍ରମେ ୪୬୨୬ କୋଟି, ୪୬୦୨ କୋଟି ଓ ୬୨୪୧ କୋଟି ଟଙ୍କା। ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ‘ବଳରାମ’ ଭଳି କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲି ନଥିଲେ ବି ସେଠାରେ ହୋଇଥିବା ବ୍ୟାପକ ଭୂସଂସ୍କାର ‘ଜେଏଲଜି’ଗୁଡ଼ିକୁ ଅଧିକ ପରିମାଣରେ ଋଣ ପ୍ରଦାନରେ ସହାୟକ ହୋଇଛି। ପ୍ରତ୍ୟେକ ଭାଗଚାଷୀ କିଏ କାହାର କେଉଁ ଜମି ଭାଗରେ ଚାଷ କରୁଛନ୍ତି ତା’ର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ସମ୍ପୃକ୍ତ ତହସିଲ ନିକଟରେ ଲିଖିତ ଆକାରରେ ଉପଲବ୍‌ଧ ଥାଏ। ତେଣୁ ସେଠାରେ ଭାଗଚାଷୀଙ୍କୁ ଓଡ଼ିଶା ପରି ଆଉ ‘ଚାଷୀ ପ୍ରମାଣପତ୍ର’ ସଂଗ୍ରହ କରିବାର ଆବଶ୍ୟକତା ଉପୁଜି ନଥାଏ କି ସେମାନଙ୍କୁ ଋଣ ପ୍ରଦାନରେ ବ୍ୟାଙ୍କଗୁଡ଼ିକର କୌଣସି କୁଣ୍ଠାର ଅବକାଶ ନଥାଏ। ଋଣ ପାଇବା ପାଇଁ ‘ଚାଷ ପ୍ରମାଣପତ୍ର’ ହୁଏତ ଏକ ସାମୟିକ ସମାଧାନ ହୋଇପାରେ, ତେବେ ସ୍ଥାୟୀ ସମାଧାନ ପାଇଁ ଭୂସଂସ୍କାର ଅନିବାର୍ଯ୍ୟ ଅଟେ।

ନିକଟରେ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ ରୁରାଲ ଡେଭଲପମେଣ୍ଟ (ବାର୍ଡ) ଦ୍ୱାରା ୭ଟି ରାଜ୍ୟରେ ହୋଇଥିବା ‘ଜେଏଲଜି’ର କାର୍ଯ୍ୟକାରିତା ସଂକ୍ରାନ୍ତ ଏକ ଅଧ୍ୟୟନରୁ ଜଣାପଡ଼େ ଯେ ‘ଜେଏଲଜି’ର ସଦସ୍ୟମାନେ ସେମାନଙ୍କ ଋଣ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ବ୍ୟାଙ୍କ ଋଣରୁ ଭରଣା କରୁଥିବା ବେଳେ ଅବଶିଷ୍ଟ ୫୦ ପ୍ରତିଶତ ପାଇଁ ଏସ୍‌ଏଜି, ଏମଏଫଆଇ, ମହାଜନ ଓ ବନ୍ଧୁବାନ୍ଧବଙ୍କ ଉପରେ ନିର୍ଭର କରିଥାନ୍ତି। ଓଡ଼ିଶାରେ ୮୭ ପ୍ରତିଶତ ଭାଗଚାଷୀ ଏ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଥିଲା ବେଳେ ସେମାନେ ଘରୋଇ ଭାବେ ଶତ ପ୍ରତିଶତ ଋଣ ନେଇ କିପରି ଶୋଷଣର ଶିକାର ହେଉଥିବେ, ତାହା ସହଜରେ ଅନୁମେୟ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଭାଗଚାଷୀଙ୍କର ‘ଜେଏଲଜି’ ଗଠନ ହେବା ଆବଶ୍ୟକ। ତେବେ ଏତେ ସଂଖ୍ୟକ ଭାଗଚାଷୀଙ୍କର ‘ଜେଏଲଜି’ ତିଆରି କରିବା ପାଇଁ କେବଳ ‘ବିକାଶ ସାଥୀ’ଙ୍କ ଉପରେ ନିର୍ଭର କଲେ ଚଳିବ ନାହିଁ। ‘ଜେଏଲଜି’ ତିଆରି ପାଇଁ ନାବାର୍ଡ ତରଫରୁ ମିଳୁଥିବା ଆର୍ଥିକ ସହାୟତାକୁ ଉପଯୋଗ କରି ପ୍ରାଥମିକ ସେବା ସମବାୟ ସମିତି ସଂପାଦକମାନଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରି ଏହି କାମରେ ଲଗାଇଲେ ‘ଜେଏଲଜି’ ଗଠନ ତ୍ୱରାନ୍ୱିତ ହୋଇପାରିବ।

ଆଧିକାରିକ ଭାବେ ରାଜ୍ୟରେ ପ୍ରାୟ ୭ ଲକ୍ଷ ଭାଗଚାଷୀ ଥିବା କଥା କୁହାଯାଉଥିଲେ ବି ସେହି ସଂଖ୍ୟା ୨୦ ଲକ୍ଷରୁ କମ୍‌ ନୁହେଁ ବୋଲି ଘରୋଇ ଭାବେ ଆକଳନ କରାଯାଇଥାଏ। ଭାଗଚାଷୀମାନେ ନିର୍ଦ୍ଦିଷ୍ଟ ଜମି ଚାଷ କରି ଆସୁଥିଲେ ବି ସେହି ଜମିକୁ ନେଇ କୌଣସି ଦୀର୍ଘମିଆଦୀ ଯୋଜନା କରିପାରନ୍ତି ନାହିଁ। ବ୍ୟାଙ୍କ ଋଣ ସୁବିଧାରୁ ବଞ୍ଚିତ ଭାଗଚାଷୀମାନଙ୍କୁ ଯେତେ ଶୀଘ୍ର ବଳରାମ ଯୋଜନା ମାଧ୍ୟମରେ ବ୍ୟାଙ୍କ ଋଣ ସଂଯୁକ୍ତ କରିହେବ, ତାହା ସେମାନଙ୍କ ବିକାଶ ସହ ରାଜ୍ୟର ୧୮ ପ୍ରତିଶତ ଅତିରିକ୍ତ ଚାଷ ଜମି ଲାଗି ଋଣ ଉପଲବ୍‌ଧତା ବ୍ୟବସ୍ଥିତ କରି କୃଷିର ଉନ୍ନତିକୁ ସୁନିଶ୍ଚିତ କରିବ। ତେଣୁ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଯେପରି ଏକ ମିସନ ମୋଡ୍‌ରେ କରାଯାଇ ସଫଳତା ହାସଲ କରିହେଲା, ଠିକ୍ ସେହିପରି ବଳରାମ ଯୋଜନାର ଗତିଶୀଳତାକୁ ବଢ଼ାଇ ଭାଗଚାଷୀଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଅନୁରୂପ ଭାବେ ଏକ ସ୍ୱତନ୍ତ୍ର ମିସନ କାର୍ଯ୍ୟକାରୀ କରିବା କଥା ରାଜ୍ୟ ସରକାର ଚିନ୍ତା କରିପାରନ୍ତି।

ମୋ: ୯୪୩୭୦୩୮୦୧୫