ଦିଗବିଜୟୀ ସିକନ୍ଦର ଭାରତ ଆକ୍ରମଣ କରି ଫେରିବା ‌େବଳକୁ ମନେ ପଡ଼ିଲା ଯେ ଏହି ଭୂଖଣ୍ଡର ଜଣେ ସାଧୁଙ୍କୁ ସାଙ୍ଗରେ ନିଜ ଦେଶକୁ ଘେନିଯିବାକୁ ହେବ। ଏଥି ଲାଗି ସେ ସୈନିକମାନଙ୍କୁ ପଠା‌ଇଲେ। ସେମାନେ ଗୋଟିଏ ଗାଁରେ ପହଞ୍ଚି ଜଣେ ବୃଦ୍ଧଙ୍କୁ କୌଣସି ସନ୍ନ୍ୟାସୀଙ୍କ ଠିକଣା ଦେବାକୁ କହିଲେ। ବୃଦ୍ଧ କହିଲେ- ଗାଁ ମୁଣ୍ଡରେ ଜଣେ ସନ୍ନ୍ୟାସୀ ଅଛନ୍ତି। କିନ୍ତୁ, ଦେଖ ତୁମେମାନେ ତାଙ୍କୁ ନେଇ ଯାଇ ପାରୁଛ କି ନାହିଁ?

Advertisment

ସେମାନେ ଥିଲେ ସିକନ୍ଦରଙ୍କ ଦୁର୍ଦ୍ଧର୍ଷ ସୈନିକ। ତେଣୁ ସେମାନେ ଏହା ଶୁଣି ଅଟ୍ଟହାସ୍ୟ କରି ଉଠିଲେ।

ସେମାନେ ସନ୍ନ୍ୟାସୀଙ୍କୁ ଦିଗବିଜୟୀ ସିକନ୍ଦରଙ୍କ ଆଦେଶ ବାବଦରେ ଜଣାଇଲେ।

ସନ୍ନ୍ୟାସୀ କହିଲେ- ମୁଁ କାହା ଆଦେଶ ଶୁଣେ ନାହିଁ। ସନ୍ନ୍ୟାସ ନେବା ପରେ ମୁଁ ଅସଲ ମାଲିକତ୍ବ ପାଇଛି ଏବଂ ମୁଁ ଏବଂ ‌େକବଳ ମୁଁ ହେଉଛି ମୋର ମାଲିକ। କେଉଁ ସିକନ୍ଦର ମୋତେ ଏଠାରୁ ନେଇ ଯାଇ ପାରିବ ନାହିଁ।

ସିକନ୍ଦରଙ୍କ ସୈନିକମାନଙ୍କ ହାତରେ ଖଣ୍ଡା ଝଲସି ଉଠିଲା।

ସନ୍ନ୍ୟାସୀ ଏବେ ହସିଲେ ଓ କହିଲେ- ତୁମେମାନେ ସତରେ କେତେ ନିରୀହ। ମୋତେ ଆଉ ଜଣେ ସୈନିକ ବୋଲି ଭାବିଲ କି? ଯିଏ ଭୟ କାରଣରୁ ଆତ୍ମସମର୍ପଣ କରିବ ବା ଆତ୍ମରକ୍ଷା ଲାଗି ଲଢ଼ିବ! ମୁଁ ସନ୍ନ୍ୟାସୀ। ମୋର ମରିବାର ଭୟ ନାହିଁ। ତୁମ ଖଡ୍‌ଗ ମୋ ଶିରଚ୍ଛେଦ କରୁଥିବା ବେଳେ ବି ମୁଁ ଗୋଟିଏ ଦର୍ଶକ ଭଳି ମୋର ମୁଣ୍ଡ କଟାକୁ ଦେଖିବି ଓ ବିଚଳିତ ହେବି ନାହିଁ। ତେଣୁ ସେ ଭୟ ମୋତେ ଦେଖାଅ ନାହିଁ।

ସିକନ୍ଦରଙ୍କୁ ତାଙ୍କ ସୈନିକମାନେ ଏ କଥା କହିଲେ। ଏହା ଶୁଣି ସିକନ୍ଦର କହିଲେ- ବୁଝିଲି। ତାଙ୍କୁ ସତରେ ଜିଣିବା ଅସମ୍ଭବ ବ୍ୟାପାର।