ଆସନ୍ତା ପନ୍ଦର ତାରିଖକୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗାଈ-ଷଣ୍ଢ ବାହାଘର ରାଜଧାନୀବାସୀଙ୍କର ଉତ୍କଣ୍ଠା ଓ କୌତୂହଳକୁ ବଢ଼ାଇ ଚାଲିଛି। କେବଳ ପାତ୍ର-ପାତ୍ରୀ ନୁହନ୍ତି, ଏ ବାହାଘରରେ ସବୁ କିଛି ନିଆରା। ବାହାଘର ପ୍ରୋସେସନରେ ଶହ ଶହ ବାଛୁରୀ, ଗାଈ ଓ ଷଣ୍ଢ ଲାଇନ ବାନ୍ଧି ବର ସହ ରାସ୍ତାରେ ଚାଲିବେ। ଏହି ଦୃଶ୍ୟ ହୁଏତ ଗୋଧୂଳି ବେଳାରେ ଗାଁ ଦାଣ୍ଡରେ ଗୋରୁ ପଲ ଘରକୁ ଫେରିବାର ଭ୍ରମ ସୃଷ୍ଟ କରିବ, ହେଲେ ରାଜଧାନୀର ରାଜରାସ୍ତା ପାଇଁ ତାହା ହେବ ସମ୍ପୂର୍ଣ୍ଣ ନୂଆ। ବର ବେଶରେ ଷଣ୍ଢ ମହାରାଜ ସୁସଜ୍ଜିତ ଟାଟା ଏସି ଗାଡ଼ି ଚଢି କନ୍ୟା ଘରକୁ ଯିବେ। ଦୀର୍ଘ ପାଞ୍ଚ କିଲୋମିଟରର ଦୂରତା ହୁଏତ ବରଯାତ୍ରୀମାନେ କୌଣସିମତେ ଅତିକ୍ରମ କରିପାରନ୍ତେ, ହେଲେ ପ୍ରୋସେସନ ସମୟରେ ବାଜୁଥିବା ଡିଜେ ସଂଗୀତ ଓ ବାଣ ରୋଶଣିର ଶବ୍ଦ ସେମାନଙ୍କ ପାଇଁ କେତେ ସୁଖପ୍ରଦ ହେବ, ତାହା ଚିନ୍ତା କରିବାର ବିଷୟ! ତେବେ, ପଶୁମାନେ ଭୟଭୀତ ହୋଇ ଏଣେତେଣେ ଦଉଡ଼ିବାର ଆଶଙ୍କାକୁ ବିବେକବାନ ଆୟୋଜକମାନେ ନଜରରେ ରଖି ଉପଯୁକ୍ତ ସୁରକ୍ଷାର ବ୍ୟବସ୍ଥା କରିଛନ୍ତି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ପ୍ରଶ୍ନ ଉଠୁଛି, ବିଚରା ପଶୁମାନଙ୍କୁ ପଘାରେ ବାନ୍ଧି ଟାଣିବା ବ୍ୟତୀତ ଆଉ କି ଉପାୟରେ ସେମାନଙ୍କୁ ଏହି ସୋରଶବ୍ଦ ଭିତରେ ନିୟନ୍ତ୍ରିତ କରି ରଖାଯାଇ ପାରିବ?
ବହୁ ପ୍ରତୀକ୍ଷିତ ଏହି ବାହାଘରରେ ଆଧୁନିକ ବିବାହୋତ୍ସବର ସମସ୍ତ ପ୍ରଥା ପ୍ରତି ଦୃଷ୍ଟି ଦିଆଯାଇଛି। ଆଜିକାଲିର ଚାଲିଚଳଣ ଅନୁସାରେ ‘ପ୍ରି-ୱେଡିଂ’ (ବିବାହ ପୂର୍ବର) ଭିଡିଓ ସୁଟିଂ, ନିମନ୍ତ୍ରଣ ପତ୍ର, ଛଅ ଶହ ବରଯାତ୍ରୀଙ୍କ ପାଇଁ ସାତ୍ତ୍ବିକ ଭୋଜନ, ବର ସହ ମାର୍କୁଣ୍ଡି ବାଛୁରୀର ଗମନ ଇତ୍ୟାଦି ସବୁ କିଛିର ବ୍ୟବସ୍ଥା। ଆୟୋଜକଙ୍କ ଘୋଷଣା ଅନୁସାରେ ସଂପୂର୍ଣ୍ଣ ବୈଦିକ ରୀତିରେ ବିବାହ ଉତ୍ସବ ସଂପନ୍ନ ହେବ, ଏପରି କି ବର କନ୍ୟାଙ୍କ ହାତ ଗଣ୍ଠି ମଧ୍ୟ ପଡ଼ିବ। ଅବଶ୍ୟ, ମନକୁ ଆସୁଛି ଯେ ଏଠି ବର-କନ୍ୟାଙ୍କ ହାତର ଅଭାବରୁ ‘ଖୁରା-ଗଣ୍ଠି’ ବା ‘ଗୋଡ଼ଗଣ୍ଠି’ରେ କାମ ଚଳାଇବାକୁ ପଡ଼ିବ।
ଗାଈ-ଷଣ୍ଢଙ୍କ ବାହାଘର ରାଜଧାନୀ ପାଇଁ ନୂଆ କଥା ହୋଇପାରେ, କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ପୂର୍ବରୁ ଏମିତି ବିବାହ ଅନୁଷ୍ଠିତ ହୋଇଛି। ତିନି ବର୍ଷ ତଳେ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲି ଠାରେ ବୃଷଭ ଓ ଗୋମାତାଙ୍କ ବିବାହ ଉତ୍ସବ ଏତେ ଆଡ଼ମ୍ବରପୂର୍ଣ୍ଣ ଭାବେ ହୋଇଥିଲା ଯେ ତାହା କୋଟିପତିଙ୍କ ବାହାଘରକୁ ମଧ୍ୟ ବଳି ଯାଇଥିଲା ବୋଲି ଗଣମାଧ୍ୟମରେ କୁହାଯାଇଥିଲା। ଏହା ଛଡ଼ା କିଛି ପରିବାର ନିଜର ଗୃହପାଳିତ ପଶୁ ଯେମିତି, କୁକୁର ବା ବିଲେଇମାନଙ୍କର ବିବାହକୁ ଧୁମଧାମରେ ପାଳନ କରୁଥିବାର ଖବର ବେଳେ ବେଳେ ଶୁଣିବାକୁ ମିଳିଥାଏ।
ମଣିଷ ମଣିଷ ଭିତରେ ଓ କେବେ କେମିତି ପଶୁମାନଙ୍କ ଭିତରେ ବାହାଘରର ଘଟସୂତ୍ର ସଂପାଦନ କରି ମଣିଷ ତା’ର ଦାୟିତ୍ୱ ଶେଷ ହେଲା ବୋଲି ଭାବନ୍ତା ଭଲା! କିନ୍ତୁ ନା, ଆହୁରି ବୈଚିତ୍ର୍ୟ ଖୋଜି ଚାଲିଥାଏ ସେ। ତେଣୁ ବେଳେ ବେଳେ ମଣିଷ ପଶୁକୁ ବିବାହ କରୁଥିବାର ଖବର ବି ଶୁଣିବାକୁ ମିଳେ। ଏଇ ଯେମିତି ଏହି ମାସ ଆରମ୍ଭରେ ଖବର ବାହାରିଲା ଯେ ମେକ୍ସିକୋର ଏକ ସହରର ମେୟର, ଲୋକଙ୍କ ଭଲ ପାଇଁ ଏକ କୁମ୍ଭୀରକୁ ବାହା ହେଲେ। ଏହି ପରଂପରା କୁଆଡ଼େ ଦୀର୍ଘ କାଳ ହେଲା ସେଠାରେ ରହିଛି। ସମ୍ବାଦଟି ଅନୁସାରେ ବିବାହ ଉତ୍ସବରେ ପାରମ୍ପରିକ ସଙ୍ଗୀତର ତାଳେତାଳେ ଲୋକଙ୍କ ମେଳରେ ମେୟର କୁମ୍ଭୀର ସହିତ ନାଚିଥିଲେ। ହେଲେ, କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ କୁମ୍ଭୀରର ପାଟିକୁ ରଶିରେ ବାନ୍ଧି ଦିଆ ଯାଇଥିଲା। ବିବାହ ଉତ୍ସବ ହେଲେ କ’ଣ ହେଲା, ଯଦି କୁମ୍ଭୀର କନ୍ୟାଟି ଏତେ ଶିକାରଙ୍କୁ ପାଖରେ ପାଇ ହିତାହିତ ଜ୍ଞାନ ହରାଇ ଲୋଭାତୁର ହୋଇ ଉଠିଲା, ତେବେ କଥା ଶେଷ। କୁମ୍ଭୀର ସହ ମଣିଷର ବିବାହ ଉପାଖ୍ୟାନ ଆହୁରି ମନେ ପକେଇଦିଏ, ମନୋଜ ଦାସଙ୍କର ‘କିମ୍ଭୀରିଣୀ’ ଗଳ୍ପ, ଯେଉଁଠି ଏକ ଗ୍ରାମ୍ୟ ବାଳିକାକୁ କୁମ୍ଭୀରଟିଏ ପାଣିକୁ ଟାଣି ନେଇ ତା’ ସହ ଦୀର୍ଘ କାଳ ଧରି ଘରସଂସାର କରିଥିଲା। ମଣିଷର ବିବାହ-ବୈଚିତ୍ର୍ୟର ଆଉ ଏକ ଉଦାହରଣ ହେଲା ଆମ ସମାଜରେ ପ୍ରଚଳିତ ଥିବା ‘ସାହାଡ଼ା’ ଗଛକୁ ବିବାହ କରିବାର ପ୍ରଥା। ଏଣେ ଗତକାଲି ଜଗତସିଂହପୁର ଜିଲ୍ଲାରେ ବର-ଓଶ୍ବତ୍ଥ ଗଛ ଭିତରେ ବିବାହର ରୋଚକ ଖବର ଶୁଣିବାକୁ ମିଳିଛି।
ଏକା ସମୟରେ ଖରା ଓ ବର୍ଷା ହେଉଥିଲେ ଛୋଟ ପିଲାଙ୍କ ମୁହଁକୁ ଆପଣା ଛାଏଁ ଆସିଯାଏ ‘ଖରା ହେଉଛି, ବର୍ଷା ହେଉଛି, ବିଲୁଆ ନନା ବାହା ହେଉଛି।’ ଭଳି ଲାଳିକାଟି। ସେମିତି ବେଙ୍ଗ-ବେଙ୍ଗୁଲୀ ବାହାଘର ବି ପିଲାଙ୍କ ପାଇଁ ରୋଚକ ବିଷୟ।
ବିବାହ ମଣିଷ ଜାତିର ଏକ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଓ ସାମାଜିକ ଉତ୍ସବ- ଅନେକ ଆନନ୍ଦ ଓ ଉଚ୍ଛ୍ୱାସ ଭିତରେ ଉତ୍ସବଟି ଅନୁଷ୍ଠିତ ହୋଇଥାଏ। ମଣିଷ ତା’ର ଦେବଦେବୀ ଓ ସମସ୍ତ ପ୍ରାଣୀ ଜଗତ୍କୁ ନିଜ ଢଙ୍ଗରେ ଚିତ୍ରିତ କରିଥାଏ। ତେଣୁ ତା’ର ପ୍ରିୟ ଠାକୁରମାନଙ୍କର ବିବାହ ଉତ୍ସବ ପାଳନ କଲା ଭଳି ସେ ପଶୁ ଓ ଗଛବୃଚ୍ଛମାନଙ୍କୁ ମଧ୍ୟ ବର-କନ୍ୟା ରୂପରେ ସଜାଇ ଆତ୍ମସନ୍ତୋଷ ପାଇଥାଏ।
ଆଧୁନିକ ମଣିଷ ସମାଜରେ ବିବାହ ଅନୁଷ୍ଠାନଟି କ୍ରମେ ତା’ର ଗୁରୁତ୍ୱ ହରାଇବାରେ ଲାଗିଛି। ଆଜିର ଯୁବ ଗୋଷ୍ଠୀ ସତେ ଯେମିତି ବିବାହ ପ୍ରତି ପରାଙ୍ମୁଖ। ବିବାହ-ବିଚ୍ଛେଦ ବି ବଢ଼ି ଚାଲିଛି ଓ ନିଜ ସ୍ୱାଧୀନତାକୁ ଭଲ ପାଉଥିବା ପିଲାମାନେ ବିବାହକୁ ଅନେକ ସମୟ ଧରି ଏଡ଼େଇ ଚାଲିଛନ୍ତି। ଆମ ଦେଶରେ ଏହି ଅବସ୍ଥା ପ୍ରାରମ୍ଭିକ ସ୍ତରରେ, କିନ୍ତୁ ଅନେକ ବିକଶିତ ଦେଶରେ ଏହା ଉଗ୍ର ରୂପ ଧାରଣ କଲାଣି। ପରିସଂଖ୍ୟାନ କହେ ୧୯୬୦ରୁ ୨୦୧୦ ମସିହା ଭିତରେ ଇଉରୋପରେ ହେଉଥିବା ବିବାହର ହାର ଅଧାରେ ପହଞ୍ଚିଲାଣି। ଚୀନ, ଜାପାନ ଭଳି ଦେଶରେ ମଧ୍ୟ ବିବାହ ଅନୁଷ୍ଠାନର ଅବସ୍ଥା ଦୋଦୁଲ୍ୟମାନ।
ମଣିଷର ଆଚରଣ ଓ ଚିନ୍ତାଧାରାକୁ ପ୍ରଭାବିତ କରିବା ପାଇଁ ‘ପଞ୍ଚତନ୍ତ୍ର’ ଇତ୍ୟାଦି ରଚନାଗୁଡ଼ିକରେ ପଶୁପକ୍ଷୀଙ୍କ ସମ୍ବନ୍ଧୀୟ କାହାଣୀ ସୃଷ୍ଟି କରାଯାଇଛି। ହୁଏତ ଏବର ବିବାହ ଅନାସକ୍ତିକୁ ବଦଳାଇବା ପାଇଁ ଆଜିର ଏହି ବୈଚିତ୍ର୍ୟପୂର୍ଣ୍ଣ ପଶୁ ଓ ବୃକ୍ଷଲତା ବାହାଘର ମଧ୍ୟ କିଛିଟା ପ୍ରେରଣା ଯୋଗାଇବ!
ମୋ: ୯୪୩୭୦୮୯୬୫୫