ଆପଣଙ୍କ ଅଞ୍ଚଳରେ ଶ୍ରମିକମାନଙ୍କ ଦୈନିକ ମଜୁରି କେତେ? ଏହାର ଦୁଇଟି ଉତ୍ତର ପାଇବେ, ପୁରୁଷ ଶ୍ରମିକଙ୍କର ଏତିକି ଟଙ୍କା ଓ ମହିଳା ଶ୍ରମିକଙ୍କର ଏତିକି। ଏହା ହେଉଛି ଲିଙ୍ଗଗତ ବୈଷମ୍ୟର ଏକ ଉଦାହରଣ। ଯେତେବେଳେ କ୍ଷମତା, ସମ୍ପତ୍ତି, ସ୍ବାସ୍ଥ୍ୟ, କର୍ମ ନିଯୁକ୍ତି ଇତ୍ୟାଦିରେ ପୁରୁଷମାନେ ବିନା କାରଣରେ ମହିଳାମାନଙ୍କଠାରୁ ଅଧିକ ଉପଭୋଗ କରନ୍ତି ବା ସୁଯୋଗ ପାଆନ୍ତି, ତାକୁ ଲିଙ୍ଗଗତ ବୈଷମ୍ୟ ଆଖ୍ୟା ଦିଆଯାଏ। ଅର୍ଥାତ୍, କେବଳ ପୁରୁଷ ହୋଇଥିବାରୁ ସେ ସବୁ ସୁବିଧା ସୁଯୋଗ ଆଗ ଓ ଅଧିକ ପାଇଥାଏ। ପୁଅକୁ ଅଧିକ ପଠା ପଢ଼ାଇବା, ଝିଅକୁ କମ୍ ପଢ଼ାଇବା ଲିଙ୍ଗଗତ ବିଭେଦର ଆଉ ଏକ ଉଦାହରଣ।
ଲିଙ୍ଗଗତ ବୈଷମ୍ୟ କେବଳ ଭାରତରେ ନୁହେଁ, ପୃଥିବୀର ସବୁ ଦେଶରେ ଦେଖିବାକୁ ମିଳେ। ଏହି ବୈଷମ୍ୟ ସାମାଜିକ, ଅର୍ଥନୈତିକ, ରାଜନୈତିକ କାରଣରୁ ଗ୍ରହଣୀୟ ନୁହେଁ। ଏହା ମଧ୍ୟ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିରେ ଏକ ବାଧକ। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ ଏହି ଲିଙ୍ଗଗତ ବୈଷମ୍ୟ କାରଣରୁ ବାର୍ଷିକ ବିଶ୍ବ ଆୟର ହାରାହାରି ୧୬% ଆମେ ହରାଉଛନ୍ତି। ଲିଙ୍ଗଗତ ବୈଷମ୍ୟର କିଛି ଆଖିଦୃଶିଆ ପରିମାପକ ହେଉଛି ଝିଅଙ୍କୁ କମ୍ ପାଠ ପଢ଼ାଇବା, ସମାନ କାମ ପାଇଁ କମ୍ ପାରିଶ୍ରମିକ ଦେବା, ବିନା ପାରିଶ୍ରମିକରେ କାମ କରିବା, ଧର୍ଷଣ, ହିଂସା ଓ ଉତ୍ପୀଡ଼ନର ଶରବ୍ୟ ହେବା, ସରକାରରେ ମହିଳାଙ୍କ ଗୌଣ ପ୍ରତିନିଧିତ୍ବ ଇତ୍ୟାଦି। ଏ ସବୁ ନିଶ୍ଚିତ ଭାବରେ ମହିଳାମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ପ୍ରତିବନ୍ଧ ସୃଷ୍ଟି କରେ। ତା’ ଫଳରେ ସେମାନଙ୍କର ଅର୍ଥନୈତିକ ଉତ୍ପାଦନ କ୍ଷମତା ହ୍ରାସ ପାଏ। ଏହା ନିଶ୍ଚିତ ଭାବରେ ସିଧାସଳଖ ରାଷ୍ଟ୍ରର ଜାତୀୟ ଆୟକୁ ପ୍ରଭାବିତ କରେ।
ଲିଙ୍ଗଗତ ବୈଷମ୍ୟ କେବଳ ଭାରତରେ ନୁହେଁ, ପୃଥିବୀର ସବୁ ଦେଶରେ ଅଳ୍ପ ବହୁତ ଦେଖିବାକୁ ମିଳେ। ସଦ୍ୟ ପ୍ରକାଶିତ ‘ବିଶ୍ବ ଲିଙ୍ଗଗତ ବୈଷମ୍ୟ ରିପୋର୍ଟ ୨୦୨୩’ରେ ଭାରତର ସ୍ଥାନ ୧୨୭। ବିଶ୍ବ ଅର୍ଥନୈତିକ ମଞ୍ଚ ତରଫରୁ ୧୪୬ଟି ଦେଶକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଏହାର ରିପୋର୍ଟ ଅନୁଯାୟୀ ବିଶ୍ବରେ ଲିଙ୍ଗଗତ ବୈଷମ୍ୟର ସୂଚକାଙ୍କ ୬୮.୪; ଅର୍ଥାତ୍ ଶତକଡ଼ା ୬୮.୪ ଲିଙ୍ଗଗତ ବୈଷମ୍ୟ ଦୂର କରାଯାଇ ପାରିଛି। ଏହି ସୂଚକାଙ୍କଟି ଶୂନରୁ ୧୦୦ ମଧ୍ୟରେ ରହେ, ଅଧିକ ସଂଖ୍ୟାର ଅର୍ଥ ହେଲା କମ୍ ବୈଷମ୍ୟ। ୨୦୨୨ରେ ଏହି ସୂଚକାଙ୍କ ଥିଲା ୬୮.୧; ଅର୍ଥାତ୍ ବର୍ଷକ ପରେ ଶତକଡ଼ା ୦.୩ ଉନ୍ନତି ଘଟିଛି। ୨୦୦୬ ମସିହାରୁ ଆଜି ପର୍ଯ୍ୟନ୍ତ ହିସାବକୁ ନେଲେ ଆମେ କହି ପାରିବା ଯେ ଲିଙ୍ଗଗତ ବୈଷମ୍ୟ ନିଶ୍ଚିତ ହ୍ରାସ ପାଇଛି, କିନ୍ତୁ ଏହା ଅତି ନଗଣ୍ୟ। ଏହି ହିସାବରେ ପୃଥିବୀକୁ ସଂପୂର୍ଣ୍ଣ ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ୧୩୧ ବର୍ଷ ସମୟ ଲାଗିଯିବ।
୨୦୨୩ ମସିହାର ରିପୋର୍ଟ ଅନୁସାରେ କୌଣସି ବି ଦେଶ ସଂପୂର୍ଣ୍ଣ ଲିଙ୍ଗଗତ ସମାନତା ପାଇ ପାରି ନାହାନ୍ତି। ଏହି ତାଲିକାରେ ୯୧.୨ ସୂଚକାଙ୍କ ସହିତ ଆଇସଲାଣ୍ଡ ବିଶ୍ବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଫଗାନିସ୍ତାନ ସର୍ବନିମ୍ନ ସ୍ଥାନରେ ରହିଛି। ନରୱେ, ଫିନ୍ଲାଣ୍ଡ, ନ୍ୟୁଜିଲାଣ୍ଡ, ସ୍ବିଡେନ ଭଳି ଦେଶରେ ଲିଙ୍ଗଗତ ବୈଷମ୍ୟକୁ ଶତକଡ଼ା ୮୦ରୁ ଅଧକ ଦୂର କରାଯାଇ ପାରିଛି।
ଲିଙ୍ଗଗତ ବୈଷମ୍ୟର ସୂଚକାଙ୍କ ଚାରିଟି ଉପାଦାନକୁ ନେଇ ହିସାବ କରାଯାଇଛି; ସେଗୁଡ଼ିକ ହେଲା ‘ଅର୍ଥନୈତିକ ଭାଗୀଦାରି ଓ ସୁଯୋଗ’ , ‘ସ୍ବାସ୍ଥ୍ୟ ଓ ବଞ୍ଚିବା ସମ୍ଭାବନା, ‘ଶିକ୍ଷା ପ୍ରାପ୍ତି’ ଓ ‘ରାଜନୈତିକ ସଶକ୍ତୀକରଣ’। ଏ ସମସ୍ତ ଉପ-ସୂଚକାଙ୍କକୁ ହିସାବକୁ ନେଇ ୟୁରୋପ ମହାଦେଶ ୭୬.୩ ଅଙ୍କ ପାଇଛି। ଅର୍ଥାତ୍ ଏହାର ସମସ୍ତ ଅଞ୍ଚଳରୁ ଶତକଡ଼ା ୭୬.୩ ଲିଙ୍ଗଗତ ବୈଷମ୍ୟ ଦୂର କରାଯାଇପାରିଛି। କିନ୍ତୁ ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ଏହି ସୂଚକାଙ୍କ ମାତ୍ର ୬୩.୪।
ବିଶ୍ବ ଶ୍ରମ ବା ନିଯୁକ୍ତି ବଜାରରେ ଲିଙ୍ଗଗତ ବୈଷମ୍ୟ ଗୋଟିଏ ସାଧାରଣ କଥା। ପୃଥିବୀରେ ମହିଳା ବେକାରି ହାର ଶତକଡ଼ା ୪.୫, ଯେତେବେଳେ ପୁରୁଷମାନଙ୍କ ପାଇଁ ଏହା ୪.୩ ପ୍ରତିଶତ। କହିବା ବାହୁଲ୍ୟ, ଅନେକ କ୍ଷେତ୍ରରେ ମହିଳା ନିଜ ଦକ୍ଷତା ଅନୁଯାୟୀ କାମ ପାଆନ୍ତି ନାହିଁ, କିମ୍ବା ସମାନ କାମ ପାଇଁ ପୁରୁଷଙ୍କ ତୁଳନାରେ କମ୍ ପାରିଶ୍ରମିକ ପାଇଥାନ୍ତି। ଏଥରେ କୃଷି ବା ନିର୍ମାଣ କ୍ଷେତ୍ରରେ କାମ କରୁଥିବା ମହିଳା ଶ୍ରମିକଙ୍କ କଥା ବିଚାର କରାଯାଇପାରେ।
କେବଳ ସେମାନେ ନୁହନ୍ତି, ଭାରତର ଜାତୀୟ ମହିଳା କ୍ରିକେଟ୍ ଖେଳାଳିଙ୍କ କଥା ହେଉ ବା ବଲିଉଡ୍ର ଚଳଚ୍ଚିତ୍ର ନାୟିକାଙ୍କ କଥା ହେଉ; ପାରିଶ୍ରମିକେର ସବୁ ବେଳେ ମହିଳାଙ୍କ ସ୍ଥାନ ପୁରୁଷଙ୍କ ଠାରୁ ତଳେ ବା କମ୍। ଆଉ ଗୋଟିଏ କଥା ହେଲା, ମହିଳାମାନେ ମୁଖ୍ୟତଃ ଅଣ-ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ। ଆଜି ଯଦି ମହିଳାମାନଙ୍କ ପାଇଁ ପାଞ୍ଚଟି ନିଯୁକ୍ତି ସୃଷ୍ଟି ହୁଏ, ସେଥିରୁ ଚାରିଟି ଅଣ-ସଂଗଠିତ କ୍ଷେତ୍ରରେ ହୋଇଥାଏ। ୨୦୨୩ ରିପୋର୍ଟ ଅନୁସାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିଅରିଂ ବା ଗଣିତ ଭଳି ପେସାରେ ମହିଳାଙ୍କ ସଂଖ୍ୟା ଏକ-ତୃତୀୟାଂଶରୁ ମଧ୍ୟ କମ୍।
ବିଶ୍ବ ରାଜନୀତି କ୍ଷେତ୍ରରେ ମଧ୍ୟ ଏହି ପୁରୁଷ-ମହିଳା ଅସମାନତା ସ୍ପଷ୍ଟ ଭାବେ ବାରି ହୁଏ। ବିଶ୍ବ ଜନସଂଖ୍ୟାର ମାତ୍ର ଶତକଡ଼ା ୨୮ ଭାଗ ଲୋକ ସେହି ସବୁ ଦେଶରେ ବାସ କରୁଛନ୍ତି, ଯେଉଁଠି ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ମହିଳା। ସେହିପରି ବିଶ୍ବର ମୋଟ ସାଂସଦମାନଙ୍କ ମଧ୍ୟରୁ ଶତକଡ଼ା ୨୩ ଭାଗ ମହିଳା; ଅର୍ଥାତ୍, ଆଜି ରାଜନୀତିରେ ମଧ୍ୟ ପୁରୁଷମାନଙ୍କ ପ୍ରାଧାନ୍ୟ ବଳବତ୍ତର ରହିଛି।
ଭାରତରେ ଲିଙ୍ଗଗତ ବୈଷମ୍ୟର ମୁଖ୍ୟ କାରଣ ହେଉଛି ସାମାଜିକ ଅନୁଷ୍ଠାନ ଓ ଏହାର ଢାଞ୍ଚା, ପ୍ରଥା ଓ ପରମ୍ପରା, ଦୁର୍ବଳ ନିୟମକାନୁନ, ନାରୀମାନଙ୍କ ମଧ୍ୟରେ ଶିକ୍ଷାର ଅନଗ୍ରସରତା, ଅନ୍ଧବିଶ୍ବାସ ଇତ୍ୟାଦି। କିଛି ଅଂଶରେ ଏହା ମଧ୍ୟ ଇତିହାସ ସହିତ ଜଡ଼ିତ। ୨୦୨୩ ବିଶ୍ବ ଲିଙ୍ଗଗତ ରିପୋର୍ଟ ଅନୁସାରେ ‘ସ୍ବାସ୍ଥ୍ୟ ଓ ବଞ୍ଚିବାର ସମ୍ଭାବନା’ ବିଷୟରେ ଭାରତର ସ୍ଥାନ ୧୪୨। ସେହିଭଳି ‘ଅର୍ଥନୈତିକ ଓ ସୁଯୋଗ’ ଦୃଷ୍ଟିରୁ ଆମେ ପୁରୁଷ-ମହିଳାଙ୍କ ମଧ୍ୟରେ ଥିବା ଅସମାନତାକୁ ମାତ୍ର ୩୭.୭ ଭାଗ ଦୂର କରି ପାରିଛନ୍ତି। ‘ରାଜନୀତିରେ ମହିଳା ସଶକ୍ତୀକରଣ’ରେ ଭାରତର ଉପଲବ୍ଧି ୨୫.୩ ଓ ବିଶ୍ବରେ ଭାରତର ସ୍ଥାନ ୫୯ ଏବଂ ‘ସାକ୍ଷର ଏବଂ ଶିକ୍ଷିତ ମହିଳା’ ସୂଚକାଙ୍କ ଅନୁଯାୟୀ ସ୍ଥାନ ହେଉଛି ୨୬।
ଏହି ସବୁ ଆଲୋଚନାରୁ ଜଣାଯାଏ ଯେ ଭାରତରେ ଲିଙ୍ଗଗତ ଭେଦଭାବ ଯଥେଷ୍ଟ ଅଧିକ। ମହିଳାମାନଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣ, ବିଭିନ୍ନ କାର୍ଯ୍ୟରେ ଭେଦଭାବ ଇତ୍ୟାଦି ଭାରତରେ ରହିଥିବା ଲିଙ୍ଗଗତ ବୈଷମ୍ୟକୁ ଦୈନନ୍ଦିନ ଜୀବନରେ ଅତି ପ୍ରାଞ୍ଜଳ ଭାବେ ଦର୍ଶାଇଥାଏ। ପୁତ୍ର ସନ୍ତାନ ପାଇଁ ଅହେତୁକ ବ୍ୟାକୁଳତା, ମହିଳାମାନଙ୍କ ପାଇଁ କମ୍ ନିଯୁକ୍ତି ସମ୍ଭାବନା, ତଳ ସ୍ତରର କାର୍ଯ୍ୟ ଓ କମ୍ ପାରିଶ୍ରମିକ, ଝିଅମାନଙ୍କୁ ଶିକ୍ଷା ନ ଦେବା ବା ଅଧାରୁ ପାଠ ଛଡ଼ାଇବା ଇତ୍ୟାଦି ଭାରତରେ ପ୍ରାୟ ଦେଖିବାକୁ ମିଳିଥାଏ, ଯାହାର କାରଣ ସାମାଜିକ ଓ ଅର୍ଥନୈତିକ ଏବଂ ମୂଳତଃ ମାନସିକ ବା ବଦ୍ଧମୂଳ ଧାରଣା ତଥା ପୂର୍ବାଗ୍ରହଜନିତ। ମହିଳାଙ୍କ ଗର୍ଭ ଧାରଣ ସମୟରୁ ଗର୍ଭରେ ପୁତ୍ର ସନ୍ତାନ ଅଛି କି ନାହିଁ ଜାଣିବାର ପ୍ରୟାସ ଆଜି ମଧ୍ୟ ଜାରି ରହିଛି। କନ୍ୟା ସନ୍ତାନକୁ ବୋଝ ବୋଲି ବିଚାର କରିବାର ମାନସିକତା ଆଜି ମଧ୍ୟ ରହିଛି। ବିଦ୍ୟାଳୟ ଶିକ୍ଷା ଅଧାରୁ ଛାଡ଼ିବାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ସଂଖ୍ୟା ଅଧିକ। ଏ ସବୁ କାରଣରୁ ରାଜନୀତି, ପ୍ରଶାସନିକ କାର୍ଯ୍ୟ ଓ ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କ ପ୍ରତିନିଧିତ୍ବ ଅତି ନିମ୍ନ ସ୍ତରର।
ଲିଙ୍ଗଗତ ବୈଷମ୍ୟ ଏକ ସାମାଜିକ, ଅର୍ଥନୈତିକ, ରାଜନୈତିକ ଦୁଃସ୍ଥିତି। ଏହା ଦୂର କରାଯିବା ନିତାନ୍ତ ଆବଶ୍ୟକ। ଏହି ବୈଷମ୍ୟ ଦୂର ହେଲେ ମହିଳାଙ୍କ ଅଧିକାରର ପରିସର ବୃଦ୍ଧି ପାଇବା ସହିତ ସେମାନେ ଅଧିକ ସଶକ୍ତ ହେବେ। କିନ୍ତୁ ଏଥି ପାଇଁ ଆମକୁ ମହିଳାମାନଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ନୀତି, କାର୍ଯ୍ୟକ୍ରମ ଓ ଯୋଜନା ପ୍ରଣୟନ କରିବାକୁ ହେବ, ଯାହା ଫଳରେ ନିର୍ଦ୍ଦିଷ୍ଟ ଭାବରେ ମହିଳାମାନେ ଉପକୃତ ହେବେ। ସାମାଜିକ ପ୍ରଥା ଓ ନ୍ୟାୟିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଧୀରେ ଧୀରେ ସଂଶୋଧନ କରିବାକୁ ହେବ। ରାଜନୈତିକ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ଦେବା ଏକାନ୍ତ ଆବଶ୍ୟକ। ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ଓଡ଼ିଶା ସରକାରଙ୍କର ଲିଙ୍ଗ-ଭିଭିକ ବଜେଟ୍ ଏକ ଭଲ ପ୍ରୟାସ। ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର ଲିଙ୍ଗଗତ ବୈଷମ୍ୟକୁ ଦୂର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଲିଙ୍ଗଗତ ଭେଦଭାବ ଏକ ଅଭିଶାପ; ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଆମକୁ ଏହି ଅଭିଶାପରୁ ମୁକ୍ତ କରାଇପାରିବ।
ମୋ: ୯୪୩୭୫୯୬୬୦୩